ଭିସୁଟ୍‌ରେ ଭୟାନକ ରାଗିଂ: ମଧ୍ୟରାତ୍ରରେ ଅଧନଗ୍ନ କରି ନଚାଇଲେ ଓ ଉପର ମହଲାରୁ ତଳକୁ ଦୌଡ଼ାଇ ପିଟିିଲେ

ବୁର୍ଲା,୨୩।୮: ସବୁ ନିୟମ କାନୁନ ଫସର ଫାଟିଛି । ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ- ଭିସୁଟ୍‌ରେ ଭୟାନକ ରାଗିଂ । ଭିଡିଓ ଭାଇରାଲ୍‌ ପରେ ସୃଷ୍ଟି ହୋଇଛି ଝଡ଼ । ପ୍ରାୟ ୫୦ ଜଣ ଦ୍ୱିତୀୟ ବର୍ଷ ଛାତ୍ରଙ୍କୁ ଶତାଧିକ ତୃତୀୟ ବର୍ଷ ଛାତ୍ର ମଧ୍ୟରାତ୍ରରେ ସାର୍ଟ ଫାଡ଼ି ଅର୍ଦ୍ଧନଗ୍ନ କରି ନାଚିବାକୁ ବାଧ୍ୟ କରିବାରୁ ଆରମ୍ଭ କରି ଶାରୀରିକ ନିର୍ଯାତନା ଦେବା ଭଳି ଅନେକ ସାଂଘାତିକ ଭିଡିଓ ଭାଇରାଲ୍‌ ହୋଇଛି । ଏହି ଘଟଣା ପଦାକୁ ଆସିବା ପରେ ତୁରନ୍ତ କୁଳପତି ପ୍ରଫେସର ଅଟଳ ଚୌଧୁରୀ ସଂପୃକ୍ତ ହଷ୍ଟେଲ୍‌ଗୁଡ଼ିକୁ ଆସି ତଦନ୍ତ ଆରମ୍ଭ କରିଛନ୍ତି । ସେହିପରି ବୈଷୟିକ ଶିକ୍ଷାମନ୍ତ୍ରୀ ମଧ୍ୟ ତୁରନ୍ତ ଏହାର ତଦନ୍ତ କରି ରିପୋର୍ଟ ଦେବାକୁ କୁଳସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାଥମିକ ତଦନ୍ତ ପରେ ଭିଡିଓ ଫୁଟେଜ ଆଧାରରେ ୧୦ ଜଣ ବରିଷ୍ଠ ଛାତ୍ରଙ୍କୁ ଚିହ୍ନଟ କରାଯାଇଛି । ଏହା ସହିତ ହଷ୍ଟେଲର ୫୨ ଜଣ ଅନ୍ତୋବସୀ ମଧ୍ୟ ଅଭିଯୁକ୍ତ ଶ୍ରେଣୀରେ ସାମିଲ ଅଛନ୍ତି । ଚିହ୍ନଟ ୧୦ ଜଣ ଛାତ୍ରଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ପରୀକ୍ଷାରୁ ବଞ୍ଚିତ କରାଯାଇଥିବା ବେଳେ ଅଭିଯୁକ୍ତ ଅନ୍ୟ ୫୨ ଜଣ ଅନ୍ତେବାସୀଙ୍କୁ ପ୍ରତ୍ୟେକଙ୍କୁ ୨ ହଜାର ଟଙ୍କା ଲେଖାଏଁ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଛି ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ରାଗିଂକୁ ଏଡ଼ାଇବା ପାଇଁ ପ୍ରଥମ ବର୍ଷର ଛାତ୍ରଙ୍କୁ ଅଲଗା ରଖାଯାଉଥିବା ବେଳେ ଦ୍ୱିତୀୟ ବର୍ଷରେ ପଦାର୍ପଣ କରୁଥିବା ଛାତ୍ରମାନେ ତୃତୀୟ ବର୍ଷର ଛାତ୍ରଙ୍କ ସହ ଏକାଠି ଗୋଟିଏ ହଷ୍ଟେଲ୍‌ରେ ରହିଥାନ୍ତି । ଏଥିପାଇଁ ଏବର୍ଷ ଦ୍ୱିତୀୟ ବର୍ଷରେ ପଦାର୍ପଣ କରିଥିବା ଛାତ୍ରଙ୍କ ଉଦ୍ଦେଶ୍ୟରେ ଗତ ରବିବାର ଦିନ ବଶିଷ୍ଟ ଛାତ୍ରାବାସରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ସନ୍ଧ୍ୟାରେ ଆରମ୍ଭ ହୋଇଥିଲା । ପ୍ରଥମେ ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ଆରମ୍ଭ ହୋଇଥିଲା ପରିଚୟ ପର୍ବ ବାହାନାରେ ରାଗିଂ । ଉଭୟ ହଷ୍ଟେଲ୍‌ରେ ରହୁଥିବା ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ତୃତୀୟ ବର୍ଷର ଛାତ୍ରମାନେ ଯୌନ ଉଦ୍ଦିପକ ଶୈଳୀ ପ୍ରଦର୍ଶନ କରିବାକୁ ବାଧ୍ୟ କରିଥିଲେ ।

ଏଥିପାଇଁ ପ୍ରସ୍ତୁତ ମଞ୍ଚ ଉପରକୁ ଡାକି ନିର୍ଯାତନା ଦିଆଯାଉଥିଲା । ସେହିପରି ଏକ ହଲ୍‌ରେ ଛାତ୍ରଙ୍କ ସାର୍ଟ ଚିରି ଅର୍ଦ୍ଧନଗ୍ନ କରି ତାଙ୍କ ଦେହରେ ପାଇପ୍‌ରେ ପାଣି ସ୍ପ୍ରେ କରି ନାଚିବାକୁ ବାଧ୍ୟ କରାଯାଇଥିବା ବେଳେ ଉପର ମହଲାରୁ ତଳ ମହଲାକୁ ଦୌଡାଇ ଦୌଡାଇ ଛାତ୍ରମାନଙ୍କୁ ମାଡ଼ ମାରୁଥିବା ବି ଭିଡିଓରେ ଦେଖିବାକୁ ମିଳିଛି । ଏହାବାଦ୍‌ ମାନସିକସ୍ତରରେ ଛାତ୍ରଙ୍କୁ ସାଂଘାତିକ ଅତ୍ୟାଚାର କରାଯାଇଥିବା ଭଳି ଅଭିଯୋଗ ହୋଇଛି । ଉଭୟ ହଷ୍ଟେଲ୍‌ର ୫୦ରୁ ଅଧିକ ଛାତ୍ର ଏଭଳି ନିର୍ଯାତନାର ଶିକାର ହୋଇଥିବା ଦେଖିବାକୁ ମିଳିଛି । ଏଥିରେ କ୍ରତୁ ହଷ୍ଟେଲ୍‌ର ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ଡକାଯାଇଥିଲା ।

ଏହି ଭିଡିଓମାନ ଏକ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଏହା ଉପରେ ତଦନ୍ତ କରି ରିପୋର୍ଟ ଦେବାକୁ କୁଳସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟ ପକ୍ଷରେ କୁଳପତି ପ୍ରଫେସର ଅଟଳ ଚୌଧିରୀଙ୍କ ସହିତ ଡିନ୍‌ ପ୍ରକାଶ ଚନ୍ଦ୍ର ସ୍ୱାଇଁ ଏବଂ ଛାତ୍ର କଲ୍ୟାଣ ଡିନ୍‌ ସୁଧାଂଶୁ ଶେଖର ଦାଶ ପ୍ରମୁଖ ସଂପୃକ୍ତ ହଷ୍ଟେଲ୍‌ ଗୁଡିକୁ ଯାଇ ଖୋଳତାଡ଼ କରିଥିଲେ । ଭିଡିଓ ଫୁଟେଜ ଆଧାରରେ ଛାତ୍ରମାନଙ୍କୁ ଚିହ୍ନଟ କରାଯାଇଥିଲା । ଛାତ୍ରମାନେ ମଉଜ ପାଇଁ ଏଭଳି କରିଥିବା ପ୍ରକାଶ କରିଥିଲେ ହେଁ ଯାଞ୍ଚ କମିଟି ଏହାକୁ ଗମ୍ଭୀରତା ସହ ନେଇଛି । ଏହା ପରେ ରାତି ୮ଟାରେ ଶୃଙ୍ଖଳା କମିଟିର ଜରୁରି ବୈଠକ ଡକାଯାଇ ଅଭିଯୁକ୍ତ ଛାତ୍ରଙ୍କ ବିରୋଧରେ ଉପରୋକ୍ତ ଦଣ୍ଡାଦେଶ ନିର୍ଦ୍ଧାରିତ କରାଯାଇଛି ।

ସୂଚନାଯୋଗ୍ୟ ପ୍ରାୟ ମାସେ ଧରି କୁଳପତିଙ୍କ ବିରୋଧରେ ଅଧ୍ୟାପକମାନଙ୍କ ଧାରଣା ଏବଂ ବେକ୍‌ ପେପର୍‌ ପାଇଁ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ପ୍ରଶମିତ ନ ହେଉଣୁ ଏହି ଘଟଣା ପୁଣି ଭିସୁଟ୍‌କୁ ଅଶାନ୍ତ କରି ଦେଲାଣି । ତେବେ, ଆଜି କୁଳପତିଙ୍କ ତଦନ୍ତ ଚାଲିଥିବା ବେଳେ ସମଗ୍ର କ୍ୟାମ୍ପସ୍‌ରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ସେଠାରେ ଉପସ୍ଥିତ ଥିବା ଗଣମାଧ୍ୟମ କର୍ମୀଙ୍କୁ ବି ଛାତ୍ରମାନେ ଆକ୍ରମଣ କରିଥିବା ଭଳି ଅଭିଯୋଗ ଆସିଛି ।

   ସମ୍ବନ୍ଧିତ ଖବର


ରାଜ୍ୟ ସରକାର ଜାରି କଲେ ଅକ୍ଟୋବର ଗାଇଡ୍ ‌ଲାଇନ୍‌ : ଜାଣନ୍ତୁ କଣ କଣ ବନ୍ଦ ରହିବ

ରାସ୍ତା କଡକୁ ଓଲଟିଲା ଯାତ୍ରୀବାହୀ ବସ୍‌- କଟକ ଚାନ୍ଦବାଲି ରାସ୍ତାର ଜମଧର ଛକ ନିକଟରେ କେନ୍ଦ୍ରାପଡା ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ

ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଏହି ସ୍ଥାନମାନଙ୍କରେ ବର୍ଷା ସମ୍ଭାବନା

ଦୃଷ୍ଟିହୀନ ହାରମଣିକୁ ମିଳୁନି ଚାଉଳ କି ଭତ୍ତା, ବ୍ଲକ କାର୍ଯ୍ୟାଳୟକୁ ଧାଇଁ ନିରାଶ

ପାନୀୟ ଜଳ ଯୋଗାଣରେ ଦୁର୍ନୀତି, ବେଆଇନ୍‌ ଭାବେ ଲକ୍ଷ ଲକ୍ଷ ଟଙ୍କା ଆଦାୟ

ଶ୍ରୀମନ୍ଦିରରେ କରୋନା କଟକଣା ଲାଗୁ, ଚାରିଦ୍ୱାରରେ ଥର୍ମାଲ ସ୍କ୍ରିନିଂ