ରାହୁଲଙ୍କ ପ୍ରତିଶୃତି: ଗରିବ ପରିବାରକୁ ବର୍ଷକୁ ୭୨ ହଜାର

ନୂଆଦିଲ୍ଲୀ,୨୫।୩(ଏଜେନ୍ସି): କଂଗ୍ରେସ କ୍ଷମତାକୁ ଆସିଲେ ସର୍ବନିମ୍ନ ଆୟ ଯୋଜନା (ନ୍ୟାୟ)ଲାଗୁ କରିବ । ଯାହାଫଳରେ ପ୍ରତି ଗରିବ ପରିବାରକୁ ବର୍ଷକୁ ୭୨ ହଜାର ଟଙ୍କା ମିଳିବ । ଏହି ଯୋଜନାରେ ୫ କୋଟି ଗରିବ ପରିବାରର ୨୫ କୋଟି ଲୋକ ଉପକୃତ ହୋଇପାରେିବ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଏହି ପ୍ରତିଶ୍ରୁତି ଦେଇଛନ୍ତି । ରାହୁଲ ଦିଲ୍ଲୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କଂଗ୍ରେସ ଦେଶରୁ ଗରିବୀ ହଟାଇବାକୁ ପ୍ରତିଶ୍ରୁତିବଦ୍ଧ । ଦେଶରେ ୨୦% ଲୋକ ସବୁଠାରୁ ଅଧିକ ଗରିବ । ସେମାନେ ଆର୍ଥିକ ଭାବେ ଅନଗ୍ରସର । ଗତ ୫ ବର୍ଷ ହେଲା ସେମାନେ ବହୁକଷ୍ଟ ସହି ଆସିଲେଣି । ସେମାନଙ୍କୁ ଏବେ ନ୍ୟାୟ ମିଳିବ । ସେଥିପାଇଁ କଂଗ୍ରେସ ଏଭଳି ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛି । କେବଳ ଦେଶରେ ନୁହେଁ, ସମଗ୍ର ବିଶ୍ୱରେ ଏହା ସବୁଠାରୁ ବଡ ଯୋଜନା । ଗରିବ ଲୋକଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଏହି ଅର୍ଥ ପଠାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯଦି ଦେଶର ସବୁଠାରୁ ଧନୀ ଲୋକଙ୍କ ଋଣ ଛାଡ଼ କରିପାରୁଛନ୍ତି ତେବେ କଂଗ୍ରେସ କାହିଁକି ଗରିବ ଲୋକଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପଠାଇ ପାରିବ ନାହିଁ ।

ରାହୁଲ କହିଛନ୍ତି ସେ ଯେଉଁଠାକୁ ଯାଉଛନ୍ତି ସେଠାରେ ଯୁବକ, କୃଷକ ଓ ଶ୍ରମିକ ସମସ୍ତେ ପ୍ରଶ୍ନ କରୁଛନ୍ତି ଯେ ସର୍ବନିମ୍ନ ରୋଜଗାର ଗ୍ୟାରେଣ୍ଟି ଯୋଜନା କ’ଣ? ଏଥିରେ କେତେ ଲୋକଙ୍କୁ କିଭଳି ଲାଭ ମିଳିପାରିବ? କଂଗ୍ରେସ ଚାହୁଁଛି ଗରିବ ଲୋକଙ୍କ ସର୍ବନିମ୍ନ ଆୟ ମାସିକ ୧୨ ହଜାର ଟଙ୍କା ହେବା ଉଚିତ । ଏହା କରିବାକୁ ହେଲେ ସେମାନଙ୍କ ବ୍ୟାଙ୍କଖାତାକୁ ବର୍ଷକୁ ୭୨ ହଜାର ଟଙ୍କା ପଠାଯବିାର ଆବଶ୍ୟକତା ରହିଛି । ଉଦାହରଣ ଦେଇ ରାହୁଲ କହିଛନ୍ତି ଯଦି ଗୋଟିଏ ପରିବାରର ମାସିକ ଆୟ ୬ ହଜାର ଟଙ୍କା ରହିଛି ତେବେ କଂଗ୍ରେସ ସରକାର ଗଢ଼ିଲେ ସେହି ପରବିାରକୁ ଆଉ ଅଧିକ ୬ ହଜାର ଟଙ୍କା ଦିଆଯିବ । ଯାହାଫଳରେ ଉକ୍ତ ପରିବାରର ଆୟ ମାସିକ ୧୨ ହଜାର ଟଙ୍କା ହୋଇଯବି । ସେହଭଳି ଯଦି କୌଣସି ପରିବାରର ଆୟ ୧୨ ହଜାର ଟଙ୍କାରୁ କମ୍‌ ତେବେ ଆମେ ତାକୁ ୧୨ ହଜାର ଟଙ୍କା କରିଦେବୁ ।

ପ୍ରଥମେ ଏହି ଯୋଜନା ପାଇଲଟ ପ୍ରକଳ୍ପ ଭିତ୍ତିରେ କାର୍ଯ୍ୟକାରୀ ହେବ । ପରେ ସମଗ୍ର ଦେଶରେ ତାହାକୁ ଲାଗୁ କରାଯିବ । କଂଗ୍ରେସ ଏହି ଯୋଜନା ବିଷୟରେ ଗତ ୪-୫ମାସ ହେଲା ଅନୁଧ୍ୟାନ କରିଦେଖୁଛି । ବିଶ୍ୱର ସବୁଠାରୁ ବଡ଼ବଡ଼ ଅର୍ଥଶାସ୍ତ୍ରୀମାନେ ଏହି ଯୋଜନା ଉପରେ ବିଶ୍ଳେଷଣ କରିଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ ଏହି ଯୋଜନା ବିଷୟରେ ସବୁ କଥା ବୁଝୁଛନ୍ତି । ଦେଶରୁ ଦାରିଦ୍ର‌୍ୟ ହଟାଇବାକୁ ଆମେ ଚାହୁଁ । ସେଥିପାଇଁ ମନରେଗା ଯୋଜନା ଆମେ ଆଣିଥିଲୁ । ତାହା ଥିଲା ପ୍ରଥମ ଯୋଜନା । ଏବେ ଆମେ ଦ୍ୱିତୀୟ ଯୋଜନା ଆଣିଛୁ । ଏଥିରେ ୨୫ କୋଟି ଲୋକଙ୍କୁ ଦାରିଦ୍ର‌୍ୟରୁ ମୁକ୍ତି ମିଳିପାରିବ । ମୋଦି ଧନୀ ଓ ଗରିବ ନାମରେ ଦୁଇଟି ହିନ୍ଦୁସ୍ତାନ ସୃଷ୍ଟି କରିଛନ୍ତି । କଂଗ୍ରେସ ଏଭଳି ଦୁଇଟି ହିନ୍ଦୁସ୍ତାନ ହେବାକୁ ଦେବ ନାହିଁ । ଅପରପକ୍ଷରେ ରାହୁଲଙ୍କ ଏହି ଘୋଷଣାକୁ କଡ଼ା ସମାଲୋଚନା କରିଛି ବିଜେପି ।

ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ କହିଛନ୍ତି ଗରିବଙ୍କୁ ନେଇ ରାଜନୀତି କରିବା କଂଗ୍ରେସର ଇତିହାସରେ ରହିଛି । ରାହୁଲ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ତାକୁ ପ୍ରଧାନମନ୍ତ୍ରୀ ମୋଦି ଏବେ ପୁରଣ କରୁଛନ୍ତି । ସିଧାସଳଖ ବ୍ୟାଙ୍କଖାତାକୁ ଟଙ୍କା ପଠାଯିବା ଯୋଜନା ମୋଦି ଆରମ୍ଭ କରିଥିଲେ । ୫୫ଟି ମନ୍ତ୍ରଣାଳୟ ପକ୍ଷରୁ ଏହା କାର୍ଯ୍ୟକାରୀ କରାଯାଉଛି । ଏହି ଯୋଜନାରେ ସିଧାସଳଖ ଗରିବ ଲୋକଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଯାଉଛି । ସେହିଭଳି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ୧୯୭୧ରେ ଇନ୍ଦିରା ଗାନ୍ଧୀ ଗରିବୀ ହଟାଅ ସ୍ଳୋଗାନ ଦେଇଥିଲେ । ମାତ୍ର ସେଥିରେ ଗରିବୀ ହଟି ନଥିଲା । ରାଜୀବ ଗାନ୍ଧୀ କହଥିଲେ ଦିଲ୍ଲୀରୁ ୧ ଟଙ୍କା ପଠାଗଲେ ଗାଁରେ ୧୫ ପଇସା ପହଁଚୁଛି । କଂଗ୍ରେସ ମିଥ୍ୟା ସ୍ୱପ୍ନ ଦେଖାଉଛି । ୫୫ ବର୍ଷ ଧରି କଂଗ୍ରେସ ହିଁ ଗରିବ ବିରୋଧୀ ରହିଆସିଛି । ସେହିଭଳି ବିଜେପି ସାଧାରଣ ସମ୍ପାଦକ ରାମ ମାଧବ କହିଛନ୍ତି ପରାଜୟ ସୁନିଶ୍ଚିତ ଜାଣିବା ପରେ ରାହୁଲ ଚାନ୍ଦ ତୋଳିଆଣିବାର ପ୍ରତିଶୃତି ଦେଉଛନ୍ତି । ୨୦୧୧ରେ ଦେଶରେ ଗରବିଙ୍କ ସଂଖ୍ୟା ଥିଲା ମୋଟ ଜନସଂଖ୍ୟାର ୨୨ ପ୍ରତିଶତ । ବର୍ତ୍ତମାନ ତାହା ୫ ପ୍ରତିଶତକୁ ଖସି ଆସିଛି ।

   ସମ୍ବନ୍ଧିତ ଖବର


ଏହି ରାଜ୍ୟରେ ଜୁନ୍ ମାସ ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ

ତରୁଣ ଗୋଗୋଇଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର,ଗସ୍ତ କାର୍ଯ୍ୟକ୍ରମ ରଦ୍ଦ କରି ଗୌହାଟି ପହଁଞ୍ଚିଲେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ

ପୁଣି ଚର୍ଚ୍ଚାରେ କୋଲୟାମ ହାଇଓ୍ବେ: ରାସ୍ତା ସାରା ପଡିଛି ମଣିଷର ହାଡ ଓ ଖପୁରି,୧୦ ଲକ୍ଷ ଲୋକଙ୍କୁ ମାରି ପୋତି ଦିଆଯାଇଥିଲା

ISL-7: ଆଜି ହାଇଦ୍ରାବାଦକୁ ଭେଟିବ ଓଡ଼ିଶା ଏଫ୍‌ସି

ଡ୍ରଗ୍ସ ମାମଲା: କମେଡିଆନ୍ ଭାରତୀ ସିଂ ଓ ତାଙ୍କ ସ୍ବାମୀ ହର୍ଷଙ୍କୁ ମିଳିଲା ଜାମିନ୍

ଡ୍ରଗ୍ସ ପେଡଲରଙ୍କୁ ଧରିବାକୁ ଯାଇଥିବା ଏନସିବି ଅଧିକାରୀଙ୍କ ଉପରେ ଆକ୍ରମଣ, ଦୁଇ ଗୁରୁତର