ଦିନକ ପରେ ରାହୁଲ୍ଙ୍କ ବରଗଡ଼ ସମାବେଶ

source:http://totaltv.in
ଭୁବନେଶ୍ୱର,୧୩ ।୩(ବ୍ୟୁରୋ): ଦିନକ ପରେ ରାହୁଲଙ୍କ ବରଗଡ଼ ସମାବେଶ । ଆସନ୍ତା ୧୫ ତାରିଖ ଅପରାହ୍ନ ୧ଟାରେ ବରଗଡ଼ରେ ପହଞ୍ଚିିବେ କଂଗ୍ରେସ ମୁଖିଆ ରାହୁଲ ଗାନ୍ଧୀ । ରାହୁଲ ବରଗଡ଼ରେ ପାଖାପାଖି ଦେଢ ଘଣ୍ଟା ରହିବେ । ତେବେ ରାହୁଲଙ୍କ ସମାବେଶକୁ ଦମଦାର୍ କରିବାକୁ ଆଜି ଛତିଶଗଡ଼ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଓଡ଼ିଶା ପ୍ରଭାରୀ ଟି. ଏସ୍ ସିଂହଦେଓ ବରଗଡ଼ରେ ଆସି ପହଞ୍ଚିଛନ୍ତି । ସ୍ଥାନୀୟ କଂଗ୍ରେସ ନେତାଙ୍କ ସହ ଆଲୋଚନା କରିବା ସହିତ ଏସପିଜି ଟିମ୍ ସହ ଆଲୋଚନା କରିଛନ୍ତି । ରାହୁଲଙ୍କ ଗସ୍ତ କିଭଳି ପଶ୍ଚିମ ଓଡ଼ିଶାରେ କଂଗ୍ରେସର ଭୋଟ୍ ବଢାଇବ ସେ ବାବଦରେ ରଣନୀତି ପ୍ରସ୍ତୁତ କରିଛନ୍ତି ପ୍ରଭାରୀ ସିଂହଦେଓ । ଛତିଶଗଡ଼ରେ କଂଗ୍ରେସ ଜିତିବା ପଛରେ ଶ୍ରୀ ସିଂହଦେଓଙ୍କ ଅଧିକ ଭୂମିକା ଥିବାରୁ ଓଡ଼ିଶାରେ ମଧ୍ୟ ତାଙ୍କ ଜାଦୁ କାମ ଦେବ ବୋଲି ଭାବି ହାଇକମାଣ୍ଡ ତାଙ୍କୁ ନୂଆ ପ୍ରଭାରୀ ଭାବେ ନିଯୁକ୍ତି ଦେଇଛି । ଅପରପକ୍ଷେ ଏବେ ଓଡ଼ିଶା ପ୍ରଭାରୀ ଥିବା ଏଆଇସିସି ସାଧାରଣ ସମ୍ପାଦକ ଜିତେନ୍ଦ୍ର ସିଂ ଆଗାମୀ ଦିନରେ ସାଂସଦ ଭାବେ ନିର୍ବାଚନ ଲଢିବେ । ତେଣୁ ଆଗାମୀ ଦିନରେ ଶ୍ରୀ ସିଂହଦେଓ ଓଡ଼ିଶା ସମ୍ପର୍କରେ ଅଧିକ ନିଷ୍ପତ୍ତି ନେବେ ବୋଲି ଦଳୀୟ ସୂତ୍ରରୁ ଜଣାପଡିଛି । ଅପରପକ୍ଷେ ରାହୁଲଙ୍କ ବରଗଡ଼ ଗସ୍ତ ସମୟରେ ମଞ୍ଚରେ ପ୍ରଭାରୀ ଶ୍ରୀ ସିଂହଦେଓ, ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପ୍ରଭାରୀ ଜିତେନ୍ଦ୍ର ସିଂହ, ସହ ପ୍ରଭାରୀ ଆଦିତ୍ୟ ଶର୍ମା, ଅନିଲ୍ ଚୌଧୁରୀ, ରୁଦ୍ର ରାଜୁ, ମସ୍ତାନ ଭାଲି, ଜିଲ୍ଲା କଂଗ୍ରେସ ସଭାପତି ପ୍ରମୁଖ ରହିବେ ବୋଲି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ସୂଚନା ଦେଇଛନ୍ତି ।
ରାହୁଲଙ୍କ ଗସ୍ତ ସମୟରେ ଫୋକସ୍ରେ ଚାଷୀ, ଯୁବକ, ମହିଳା ଓ ଦଳିତ ବର୍ଗ ରହିବେ ବୋଲି ପ୍ରଦୀପ ସୂଚନା ଦେଇଛନ୍ତି । ତେବେ ରାହୁଲଙ୍କ ଗସ୍ତକୁ ସଫଳ କରିବା ପାଇଁ ପିସିସି ସଭାପତି ନିରଞ୍ଜନ ଦିଲ୍ଲୀରୁ ଫେରି ବରଗଡ଼ ଅଭିମୁଖେ ବାହାରିଛନ୍ତି । ସମସ୍ତ କଳ, ବଳ ଓ କୌଶଳ ଲଗାଇବା ଦମଦାର୍ ପ୍ରଦର୍ଶନ କରିବାକୁ ଜିଲ୍ଲା ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ଛତିଶଗଡ଼କୁ ଲାଗିଥିବାରୁ ତା’ର ଲାଭ ନେବାକୁ ସମସ୍ତଙ୍କୁ କହିଛନ୍ତି । ଦଳ ମଧ୍ୟ ଆଗାମୀ ନିର୍ବାଚନରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ତୁଳନାତ୍ମକ ଭାବେ ଭଲ ପ୍ରଦର୍ଶନ କରିବ ଭାବି ବାରମ୍ବାର ସେହି ଅଞ୍ଚଳରେ ରାହୁଲଙ୍କ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଗୁରୁତ୍ୱ ଦେଉଛି । ନିର୍ବାଚନ ଗଡ଼ ଜିତିବାକୁ ଦଳ ପ୍ରସ୍ତୁତ କରିଛି ବ୍ଲୁ ପ୍ରିଣ୍ଟ୍ । ବିଜେପିର ହେଭିୱେଟ୍ ନେତାମାନେ ବାରମ୍ବାର ଓଡ଼ିଶା ଗସ୍ତରେ ଆସି ବୈଠକ କରୁଥିବାରୁ କଂଗ୍ରେସ ମଧ୍ୟ ଓଡ଼ିଶାକୁ ସମ ପରିମାଣରେ ଫୋକସ୍ ଦେବା ଆରମ୍ଭ କରିଛି । ରାହୁଲଙ୍କର ବାରମ୍ବାର ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରଖାଯାଇଛି ।