ବାଲେଶ୍ୱର ସମାବେଶରେ ରାହୁଲଙ୍କ ପ୍ରତିଶ୍ରୁତି: ‘କଂଗ୍ରେସ ଆସିଲେ ୨୨ ଲକ୍ଷ ନିଯୁକ୍ତି’

ବାଲେଶ୍ୱର/ରେମୁଣା, ୨୬ା୪ (ସ୍ୱପ୍ର୍ର/ଆପ୍ର): ଦେଶରେ ଏବେ କୋଟିକୋଟି ବେକାର ଯୁବକ ଯୁବତୀ ଅଛନ୍ତି । ସେମାନଙ୍କ ପାଇଁ କୌଣସି କର୍ମସଂସ୍ଥାନ ନାହିଁ । ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପୂର୍ବରୁ ବର୍ଷକୁ ୨କୋଟି ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ତାହା କେବଳ ପ୍ରତିଶ୍ରୁତିରେ ରହିଗଲା । ଏବେ ପ୍ରଧାନମନ୍ତ୍ରୀ ଦେଶର ବେକାର ସମସ୍ୟା ଉପରେ ସମ୍ପୂର୍ଣ୍ଣ ନିରବ । ମାତ୍ର କଂଗ୍ରେସ କ୍ଷମତାକୁ ଆସିଲେ ଆଗ ଦେଶରେ ଖାଲି ପଡ଼ିଥିବା ୨୨ ଲକ୍ଷ ସରକାରୀ ପଦବୀ ପୂରଣ କରାଯିବ । ତୁରନ୍ତ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯିବ ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।

ଶୁକ୍ରବାର ରେମୁଣାର ନରହରିପୁର ପଡ଼ିଆରେ ଅନୁଷ୍ଠିତ କଂଗ୍ରେସ ସମାବେଶରେ ଉଦ୍‌ବୋଧନ ଦେଇ ଜାତୀୟ କଂଗ୍ରେସ ଅଧ୍ୟକ୍ଷ ରାହୁଲ କହିଛନ୍ତି, ଗତ ୫ ବର୍ଷ ମଧ୍ୟରେ ଦେଶର କୃଷକ ଅଧିକ କ୍ଷତିଗସ୍ତ ହୋଇଛି । କୃଷକ କୃଷିଜାତ ଦ୍ରବ୍ୟକୁ ଉଚିତ୍‌ ମୂଲ୍ୟରେ ବିକ୍ରି କରିପାରୁନି । ଫଳରେ ୨୦ ହଜାର ଟଙ୍କା ଭିତରେ ଋଣ କରିଥିବା କୃଷକଟିଏ ଋଣ ପରିଶୋଧ କରିପାରୁନି । ବ୍ୟାଙ୍କ କର୍ତ୍ତୃପକ୍ଷ ପୁଲିସ୍‌ ପଠାଇ ସେମାନଙ୍କୁ ଗିରଫ କରୁଛି । ଓଡ଼ିଶା ବି ଏଥିରୁ ବାଦ୍‌ ପଡ଼ିନି । ଅପରପକ୍ଷରେ ଦେଶବାସୀଙ୍କ ହଜାର ହଜାର କୋଟି ଟଙ୍କା ଲୁଟିଥିବା ଲଳିତ ମୋଦି, ନିରବ ମୋଦି ଭଳି ଲୋକ ବିଦେଶରେ ଅୟେସ କରୁଛନ୍ତି । ଦେଶରେ ଏହି ଅବ୍ୟବସ୍ଥାକୁ କଂଗ୍ରେସ ବିରୋଧ କରୁଛି । ଓଡ଼ିଶାରେ କଂଗ୍ରେସ କ୍ଷମତାକୁ ଆସିବା ଦିନ ହିଁ କୃଷକଙ୍କୁ ଗୁରୁତ୍ୱ ଦେବ । ଚାଷୀଙ୍କ ପାଇଁ ନୂଆ ଆଇନ ଆସିବ । ଏଠାରେ ଧାନ କ୍ୱିଣ୍ଟାଲର ସର୍ବନିମ୍ନ ମୂଲ୍ୟ ୨୬ ଶହ ଟଙ୍କା କରାଯିବ ।
ସେହିପରି ରାହୁଲ କହିଛନ୍ତି, କେନ୍ଦ୍ରରେ କଂଗ୍ରେସ କ୍ଷମତାକୁ ଆସିଲେ ପ୍ରଥମେ କୃଷି ଓ କୃଷକ ଉପରେ ଗୁରୁତ୍ୱ ଦେବ । ୨ ଲକ୍ଷ ପର୍ଯ୍ୟନ୍ତ କୃଷି ଋଣ ଛାଡ଼ କରାଯିବ । ଋଣ ପରିଶୋଧ କରିପାରୁନଥିବା କୌଣସି କୃଷକଙ୍କୁ ଗିରଫ ହେବାକୁ ଦିଆଯିବନି । ଛତିଶଗଡ଼ ପରେ ଦେଶରେ ଓଡ଼ିଶା ହେବ ପ୍ରଥମ ରାଜ୍ୟ, ଯେଉଁଠି ଚାଷୀ ଅଧିକ ମୂଲ୍ୟରେ ଧାନ ବିକ୍ରି କରିବେ ।

ବିମାନର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପ୍ରାୟ ୨ ଘଣ୍ଟା ବିଳମ୍ବରେ ପହଞ୍ଚିଥିବା ରାହୁଲ ଅସୁବିଧା ପାଇଁ ପ୍ରଥମେ କ୍ଷମା ପ୍ରାର୍ଥନା କରିଥିଲେ । ବକ୍ତବ୍ୟ ଆରମ୍ଭ କରିବା ମାତ୍ରେ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଦେଇଥିଲେ । ଏବେ ଦେଶରେ ବେରୋଜଗାର, କୃଷକଙ୍କ ଆତ୍ମହତ୍ୟା, ବେଲଗାମ ଦରଦାମ ଓ ଭ୍ରଷ୍ଟାଚାର ବୃଦ୍ଧି ପାଇଛି । ପ୍ରତିବର୍ଷ ୨୭ ହଜାର ଲୋକ ଚାକିରି ହରାଉଛନ୍ତି । ଋଣ ପରିଶୋଧ କରି ନପାରିବାରୁ କୃଷକମାନେ ଆତ୍ମହତ୍ୟା କରୁଛନ୍ତି । ଦରଦାମ ହୁ ହୁ ହୋଇ ବଢ଼ିଛି । ଚୌକିଦାର ସଜାଗ ଥିବା ଡେଙ୍ଗୁରା ପିଟାଯାଉଥିଲେ ମଧ୍ୟ ଭଷ୍ଟ୍ରାଚାର କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି । ସଲାସୁତୁରା ହିସାବରେ ଦେଶବାସୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟକୁ ଖାଲି କରାଯାଇଛି ବୋଲି ରାହୁଲ ଅଭିଯୋଗ କରିଛନ୍ତି ।

ଅପରପକ୍ଷେ ରାହୁଲ କହିଛନ୍ତି, ୨୦୧୪ରେ ନିର୍ବାଚନ ସମୟରେ ମୋଦି ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ଏଥର ନିର୍ବାଚନରେ ସେ ନେଇ ଆଲୋଚନା କରୁନାହାନ୍ତି । ବର୍ଷକୁ ୨ କୋଟି ବେକାର ଯୁବକ-ଯୁବତୀଙ୍କୁ ନିଯୁକ୍ତି ମିଳିନି । ସେହିପରି କାହାରି ବ୍ୟାଙ୍କ୍‌ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଲେଖାଏଁ କଳାଧନ ଫେରିନି । ମାତ୍ର କଂଗ୍ରେସ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖାଯାଏ । ଦଳ ନିର୍ବାଚନ ପୂର୍ବରୁ ଯେଉଁ ପ୍ରତିଶ୍ରୁତି ଦିଏ, ତାହାକୁ ରଖେ । ଯାହା ନିକଟରେ ଶେଷ ହୋଇଥିବା ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶରୁ ପ୍ରମାଣ ମିଳେ । ଏଥର ଦଳ ପକ୍ଷରୁ ନିର୍ବାଚନୀ ଇସ୍ତାହାରରେ ‘ନ୍ୟାୟ ଯୋଜନା’ ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ଯୋଜନାରେ ମାସକୁ ୧୨ ହଜାର ଟଙ୍କାରୁ କମ୍‌ ରୋଜଗାର କରୁଥିବା ଲୋକଙ୍କୁ ମାସିକ ୬ ହଜାର ଟଙ୍କା ହିସାବରେ ବାର୍ଷିକ ୭୨ ହଜାର ଟଙ୍କା ଦିଆଯିବ । ଏହି ଯୋଜନାରେ ୫ କୋଟି ପରିବାରର ୨୫ କୋଟି ଲୋକ ଉପକୃତ ହେବେ । ପ୍ରତି ମାସ ବ୍ୟାଙ୍କ୍‌ ଆକାଉଣ୍ଟକୁ ଏହି ଟଙ୍କା ଦିଆଯିବ । ଏହି ଯୋଜନାରେ ବାର୍ଷିକ ୩ଲକ୍ଷ ୬୦ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ରାହୁଲ କହିଥିଲେ । ତେବେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ପଦୁଟିଏ ମଧ୍ୟ ମୁହଁ ଖୋଲିନଥିଲେ ରାହୁଲ । ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଶ୍ରୀ ଗାନ୍ଧିଙ୍କ ଏଭଳି ନିରବତାକୁ ନେଇ ରାଜନୈତିକ ମହଲରେ ଆଲୋଚନା ଜୋର ଧରିଛି ।

ଅଖିଳ ଭାରତୀୟ କଂଗ୍ରେସ କମିଟିର ସମ୍ପାଦକ ରୁଦ୍ର ରାଜୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ସମ୍ପାଦକ ଶେଖ ମୁସ୍ତାନ ଭାଲ୍ଲୀ, ଅନିଲ୍‌ ଚୌଧୁରୀ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ଛତିଶଗଡ଼ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଓଡ଼ିଶା ପ୍ରଭାରୀ ଟି.ଏସ୍‌ ସିଂହଦେଓ, ମହିଳା କଂଗ୍ରେସ ରାଷ୍ଟ୍ରୀୟ ସଭାନେତ୍ରୀ ତଥା ସାଂସଦ ସୁସ୍ମିତା ଦେବ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଶରତ ପଟ୍ଟନାୟକ, ଭକ୍ତଚରଣ ଦାସ, ସୁଶିଳା ତିରିଆ, ରାମଚନ୍ଦ୍ର ଖୁଣ୍ଟିଆ, ଡ. କାର୍ତ୍ତିକେଶ୍ୱର ପାତ୍ର, ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା,ଗୋପ ନାରାୟଣ ଦାସ, ଜିଲ୍ଲା କଂଗ୍ରେସ ସଭାପତି ଶରତ ରାଜ୍‌,ମୟୂରଭଞ୍ଜ ଜିଲା କଂଗ୍ରେସ କମିଟିର ସଭାପତି ହେମନ୍ତ ଦାସ, ବାଲେଶ୍ୱରର ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକଙ୍କ ସମେତ ଭୋଗରାଇ ବିଧାୟକ ପ୍ରାର୍ଥୀ ସତ୍ୟଶିବ ଦାସ, ବସ୍ତା ବିଧାୟକ ପ୍ରାର୍ଥୀ ବିଜନ ନାୟକ, ଜଳେଶ୍ୱର ବିଧାୟକ ପ୍ରାର୍ଥୀ ସୁଦର୍ଶନ ଦାସ, ସଦର ବିଧାୟକ ପ୍ରାର୍ଥୀ ମାନସ ରଞ୍ଜନ ଦାସ ପଟ୍ଟନାୟକ, ସୋର ବିଧାୟକ ପ୍ରାର୍ଥୀ ସୁରେନ୍ଦ୍ର ପ୍ରମାଣିକ, ନୀଳଗିରି ବିଧାୟକ ପ୍ରାର୍ଥିନୀ ମନୋଜ ମଞ୍ଜରୀ ଦେବୀ, ରେମୁଣାର ପ୍ରତାପ ସେଠୀ,ସିମୁଳିଆ ବିଧାୟକ ପ୍ରାର୍ଥୀ ଅନନ୍ତ ସେଠୀ ବଡ଼ସାହିର ଦେବଯାନୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।