କରୋନା ମନ୍ତ୍ର ଦେଲେ ରାହୁଲ: ଲକ୍‌ଡାଉନ୍‌ ଏକ ‘ପଜ୍‌ ବଟନ୍‌’ ମାତ୍ର, ଅଧିକ ଟେଷ୍ଟିଙ୍ଗ ବ୍ୟବସ୍ଥା ଜରୁରି

ନୂଆଦିଲ୍ଲୀ ୧୭/୪: ଦେଶରେ କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧି ପାଇବା ପରିପ୍ରେକ୍ଷୀରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଭିଡିଓ କନଫରେନ୍ସ ଜରିଆରେ ଏକ ସାମ୍ୱାଦିକ ସମ୍ମିଳନୀକୁ ସମ୍ୱୋଧନ କରିଛନ୍ତି । ସେ କହିଛନ୍ତି, କରୋନା ଭୂତାଣୁର ମୁକାବିଲା ପାଇଁ ଲକ୍‌ଡାଉନ୍‌ ଯଥେଷ୍ଟ ହେବନାହିଁ । ଏହା କେବଳ ଏକ ପଜ୍‌ ବଟନ୍‌ ଭଳି । ଏହାଠାରୁ ଆହୁରି ବଡ଼ ପଦକ୍ଷେପ ଆପଣାଇବାକୁ ହେବ । ରାହୁଲ ଆହୁରି କହିଛନ୍ତି ଯେ ସେ କରୋନା ଭୂତାଣୁ ବ୍ୟାପିବା ଦିନଠାରୁ ସେ ଅନେକ ବିଶେଷଜ୍ଞଙ୍କ ସହ ଆଲୋଚନା କରିଛନ୍ତି । ସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇଯାଇଛି । ଏଥିରୁ ମୁକୁଳିବା ପାଇଁ ଲକ୍‌ଡାଉନ୍‌ ସମାଧାନର ବାଟ ନୁହେଁ ।

ଅନ୍ୟପକ୍ଷରେ ସେ କହିଛନ୍ତି, କରୋନାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାହା ପଦକ୍ଷେପ ନେଇଛନ୍ତି, ସେଥିରେ ସେ ଆଦୌ ଏକମତ ନୁହନ୍ତି । କିନ୍ତୁ ଏବେ ତାହାକୁ ନେଇ ବିବାଦ ସୃଷ୍ଟି କରିବା ଅନୁଚିତ । କରୋନା ମୁକାବିଲା ପାଇଁ ସରକାର ଯେଉଁ ଟେଷ୍ଟିଙ୍ଗ ନୀତି ଆପଣାଇଛନ୍ତି, ତାହା ଉପରେ ରାହୁଲ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, ଲକ୍‌ଡାଉନ୍‌ ଏକ ପଜ୍‌ ବଟନ୍‌ ମାତ୍ର । ଏଥିପାଇଁ ଠୋସ ରଣନୀତି ଆପଣାଇବାକୁ ହେବ । ଟେଷ୍ଟିଙ୍ଗ ବ୍ୟବସ୍ଥା ବ୍ୟାପକ କରିବା ଜରୁରି ଏବଂ ଉପଯୁକ୍ତ ରଣନୀତି ତିଆରି କରି ଏହାକୁ କାର୍ଯ୍ୟକାରୀ କରାଯିବା ଆବଶ୍ୟକ । କରୋନା ଭୂତାଣୁ ସହ ଲଢ଼ିବାକୁ ହେଲେ ଏହା ହିଁ ସବୁଠୁ ଭଲ ମାଧ୍ୟମ । ଉଲ୍ଲେଖଯୋଗ୍ୟ, ଦକ୍ଷିଣ କୋରିଆ ଭଳି ରାଷ୍ଟ୍ର କରୋନାକୁ ମାତ୍‌ ଦେବା ପାଇଁ ଟେଷ୍ଟିଙ୍ଗକୁ ନେଇ ରଣନୀତି ବନାଇଥିଲା । ଫଳରେ ସଂକ୍ରମଣ ବଢ଼ିବା ଆଗରୁ ସବୁ ନିୟନ୍ତ୍ରଣକୁ ଆସିଯାଇଥିଲା । ପ୍ରଥମେ ଚୀନ, ଇରାନ ଓ ଦକ୍ଷିଣ କୋରିଆରେ କରୋନା ତାଣ୍ଡବ ରଚାଇଥିଲା । କିନ୍ତୁ ଏବେ ଏହା ଆମେରିକା, ଇଟାଲୀ, ଫ୍ରାନ୍ସ ଓ ସ୍ପେନ ଭଳି ଦେଶରେ ଏହା ମାଡ଼ିଚାଲିଛି ।

କଂଗ୍ରେସ ନେତା କହିଛନ୍ତି, କରୋନା ଯୋଗୁ ଯାହା ହେବାର ଥିଲା, ତାହା ହୋଇଯାଇଛି । ଏବେ ଜରୁରି ପରିସ୍ଥିତି ଆସିଯାଇଛି । ଏବେ ପୂରା ଦେଶକୁ ମିଳିତ ଭାବେ ଲଢ଼ିବାକୁ ପଡ଼ିବ । ଏହାଦ୍ୱାରା ଦେଶବାସୀଙ୍କୁ ହିଁ ଫାଇଦା ହେବ । ରଣନୀତି ଅନୁସାରେ ସମସ୍ତେ କାମ କରିବା ଆବଶ୍ୟକ । ଲକ୍‌ଡାଉନ୍‌ ଯୋଗୁ କୌଣସି ବଡ଼ ସଫଳତା ମିଳିନାହିଁ । ବରଂ ଭୂତାଣୁ ସଂକ୍ରମଣ ସ୍ଥଗିତ ରହିଛି ବୋଲି କୁହାଯାଇ ପାରିବ । ମୁଖ୍ୟମନ୍ତ୍ରୀ ଏବଂ ଜିଲ୍ଲା ପ୍ରଶାସନଗୁଡ଼ିକ ସହ ଖୋଲାଖୋଲି ଭାବେ ଆଲୋଚନା କରିବା ଆବଶ୍ୟକ । ସେମାନଙ୍କ ପାଇଁ ଯାହା କିଛି ଆବଶ୍ୟକତା ରହିଛି, ତାହା ପୂରଣ ଦିଗରେ ଧ୍ୟାନ ଦିଆଯାଉ ।

ବର୍ତ୍ତମାନ ସ୍ଥିତିରେ ଦେଶବାସୀଙ୍କ ପାଇଁ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରାଯିବା ଆବଶ୍ୟକ । ଗୋଦାମରେ ଖାଦ୍ୟଶସ୍ୟ ପଡ଼ିରହିଛି । ତେଣୁ ତାହାର ଉପଯୋଗ କରାଯାଉ । ଯେଉଁମାନଙ୍କ ପାଖରେ ରାସନ କାର୍ଡ ନାହିଁ, ସେମାନଙ୍କୁ ମଧ୍ୟ ଖାଦ୍ୟଶସ୍ୟ ଯୋଗାଇ ଦିଆଯିବା ଉଚିତ । ଏଥିପାଇଁ ନ୍ୟାୟ ଯୋଜନା ଆପଣାଇବା ଉଚିତ । ଗରିବ ଲୋକଙ୍କ ଖାତାକୁ ସିଧାସଳଖ ଟଙ୍କା ପଠାଯାଉ ଏବଂ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକ ପାଇଁ ସରକାର ପ୍ୟାକେଜ ପ୍ରସ୍ତୁତ କରନ୍ତୁ, ଯଦ୍ୱାରା ରୋଜଗାର ଓ ନିଯୁକ୍ତି ସଂକୁଚିତ ହେବନାହିଁ । କମ୍ପାନିଗୁଡ଼ିକ ପାଇଁ ସୁରକ୍ଷା ସୁନିଶ୍ଚିତ କରାଯିବା ଆବଶ୍ୟକ । କଂଗ୍ରେସ ନେତା ରାହୁଲ ଆହୁରି କହିଛନ୍ତି, ଭୂତାଣୁ ସଂକ୍ରମଣ ବୃଦ୍ଧି ଯୋଗୁ ଦେଶ ଉପରେ ବଡ଼ ଆର୍ଥିକ ପ୍ରଭାବ ପଡ଼ିବାକୁ ଯାଉଛି । ସରକାରଙ୍କୁ ଏଥିପାଇଁ ଆଗୁଆ ପ୍ରସ୍ତୁତ ହେବାକୁ ପଡ଼ିବ ।

ଏହା ପୂର୍ବରୁ ରାହୁଲ ଗାନ୍ଧି ବୁଧବାର କେନ୍ଦ୍ର ସରକାରଙ୍କ ଉପରେ ହମଲା କରିଥିଲେ । ଗୋଦାମରେ ଖାଦ୍ୟଶସ୍ୟ ସଢୁଥିବା ବେଳେ ହଜାର ହଜାର ଲୋକ ଭୋକଉପାସରେ ରହୁଛନ୍ତି । ତେଣୁ ଏଭଳି ଜରୁରି ସ୍ଥିତିରେ ଆପାତକାଳ ରାସନ କାର୍ଡ ଜାରି କରାଯିବା ଆବଶ୍ୟକ ବୋଲି ସେ କହିଥିଲେ । ଲକ୍‌ଡାଉନ୍‌ ଯୋଗୁ ଖାଦ୍ୟ ମୁଠାଏ ପାଇବାକୁ ସଂଘର୍ଷ କରୁଥିବା ଲୋକଙ୍କ ପାଇଁ ସୁବନ୍ଦୋବସ୍ତ କରାଯିବା ଆବଶ୍ୟକ । ଲକ୍ଷ ଲକ୍ଷ ଦେଶବାସୀ ରାସନ କାର୍ଡ ନ ଥିବାରୁ ପିଡିଏସ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି । ଏହା ଉଚିତ ନୁହେଁ ବୋଲି ରାହୁଲ କହିଥିଲେ । ଅନ୍ୟପକ୍ଷରେ କରୋନାକୁ ନେଇ ଏବେ ସରକାରଙ୍କୁ ସମାଲୋଚନା କରାଯିବାର ସମୟ ନୁହେଁ, ବରଂ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ଆବଶ୍ୟକ ବୋଲି ରାହୁଲ କହିଛନ୍ତି ।

   ସମ୍ବନ୍ଧିତ ଖବର


ଆଜି ତିର୍ତ୍ତୋଲରେ ରୋଡ୍‌ ସୋ’ କରିବେ ଧର୍ମେନ୍ଦ୍ର

ନଭେମ୍ବରରୁ ଖୋଲିବ ସିନେମା ହଲ୍‌ ! ପ୍ରସ୍ତୁତି ଶେଷ, ଦର୍ଶକଙ୍କୁ ଅପେକ୍ଷା…

ଭାରସାମ୍ୟ ହରାଇ ଡିଭାଇଡ଼ରରେ ପିଟିଲା କାର୍: ଅଳ୍ପକେ‌ ବର୍ତ୍ତିଲେ ଚାଳକ

ପଳାଶୁଣି ଛକରେ ସ୍କୁଟି ଉପରେ ଚଢ଼ିଗଲା ହାଇୱା, ଯୁବକ ମୃତ୍ୟୁ

ଏଥର ପ୍ରାକ୍‌ଛାଡ଼ଖାଇରେ ମହଙ୍ଗା ମାଡ଼ : ମଟନ୍‌ ୭୦୦, ଚିକେନ ୨୫୦.. ଆଜି ଆମିଷ ବଜାରରେ ଲାଗିବ ଭିଡ଼

ନୂଆ ବର୍ଷ ପୂର୍ବରୁ ବିଦା ହେବେ ଅପାରଗ ସରକାରୀ ବାବୁ: ଦକ୍ଷଙ୍କୁ ମିଳିବ ପଦୋନ୍ନତି ଓ ପ୍ରୋତ୍ସାହନ ରାଶି, ଠକଙ୍କୁ ବାଧ୍ୟତାମୂଳକ ଅବସର