ହୁକ୍କା ବାର୍‌ରେ ଚଢ଼ଉ; ପୁଳାପୁଳା ନିଶାଯୁକ୍ତ ସାମଗ୍ରୀ ଜବତ

ଭୁବନେଶ୍ୱର ୨୩।୮: ପୁଣି ହୁକ୍କା ବାର୍‌ରେ ବେଆଇନ୍‌ ନିଶା ସେବନ ସାମ୍ନାକୁ ଆସିଛି । କମିଶନରେଟ୍‌ ପୁଲିସ୍‌, ଅବକାରୀ ବିଭାଗ ଓ ଡ୍ରଗ୍‌ କଣ୍ଟ୍ରୋଲ ନିର୍ଦ୍ଦେଶାଳୟ ମିଳିତ ଭାବେ ସହିଦ୍‌ନଗର ବିଏମ୍‌ସି ଭବାନୀ ମଲ୍‌ରେ ଚାଲିଥିବା ୪ ହୁକ୍କା ବାରରେ ଚଢ଼ଉ କରିଛନ୍ତି । ସେଠାରୁ ପୁଳାପୁଳା ନିଶାସେବନ ସାମଗ୍ରୀ ଜବତ ହୋଇଛି । ଜବତ ନିଶାର ମାନ ଯାଞ୍ଚ ପାଇଁ ପରୀକ୍ଷାଗାରକୁ ପଠାଯାଇଛି । ବାର୍‌ ମାଲିକ ଓ ଗ୍ରାହକଙ୍କ ଠାରୁ ମୋଟ ୧୯ ହଜାର ୭ ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି ।

ମିଳିଥିବା ସୂଚନା ମୁତାବକ, ଅପରାହ୍ଣ ୪ଟା ବେଳେ ଏହି ମିଳିତ ଟିମ୍‌ ବିଏମ୍‌ସି ଭବାନୀ ମଲ୍‌ରେ ପହଞ୍ଚିଥିଲା । ସେଠାରେ ଥିବା ଡବ୍ଲ୍ୟୁଟିଏଫ୍‌, କନେକ୍ଟ, ଖାଲୋ ଜୀ ଭେଜ୍‌ ରେଷ୍ଟୁରାଣ୍ଟ ଓ ଚାଏବାଲା ରେଷ୍ଟୁରାଣ୍ଟ-କମ୍‌-ହୁକ୍କା ବାର୍‌ରେ ଏକାବେଳେ ଚଢ଼ଉ କରିଥିଲେ । ଚଢ଼ଉ ବେଳେ ପ୍ରତି ରେଷ୍ଟୁରାଣ୍ଟରେ ୧୦-୧୫ଜଣ ଲେଖାଏଁ ଗ୍ରାହକ ଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ରଛାତ୍ରୀ ଓ ଯୁବପିଢ଼ି ଥିଲେ । ସମସ୍ତେ ହୁକ୍କା ଟଣାରେ ବ୍ୟସ୍ତ ଥିଲେ । ଟିମ୍‌ ଯାଞ୍ଚ କରିବା ବେଳେ ବାର୍‌ଗୁଡ଼ିକରୁ ଅନେକ ଆପତ୍ତିଜନକ ସାମଗ୍ରୀ ମିଳିଥିଲା । ଏଥିରେ ନିଶାଯୁକ୍ତ ହୁକ୍କା ଫ୍ଲେଭର୍‌, ନିକୋଟିନ୍‌ ଭରା ପୁଳାପୁଳା ସିଗାରେଟ୍‌ ପ୍ୟାକେଟ୍‌ ବି ଥିଲା । ଏସବୁ ସାମଗ୍ରୀକୁ ଟିମ୍‌ ଜବତ କରିଛି ।

ଜଏଣ୍ଟ ଟିମ୍‌ରେ ସହିଦ୍‌ନଗର ଥାନା ଅଧିକାରୀ ବିରଞ୍ଚି ନାରାୟଣ ପତି ଓ ତାଙ୍କ ଟିମ୍‌, ଡ୍ରଗ୍ସ୍‌ ଇନ୍ସପେକ୍ଟର ଚନ୍ଦନ କୁମାର ଗିରି ଓ ଅବକାରୀ ବିଭାଗର ଅଧିକାରୀମାନେ ସାମିଲ ଥିଲେ । ଥାନା ଅଧିକାରୀ ଶ୍ରୀ ପତି କହିଛନ୍ତି, ୩ଟି ବାର୍‌ରୁ ନିଷିଦ୍ଧ ସାମଗ୍ରୀ ଜବତ ହୋଇଛି । ଡ୍ରଗ୍ସ୍‌ ଇନ୍ସପେକ୍ଟର ଶ୍ରୀ ଗିରି କହିଛନ୍ତି, ଜବତ ସାମଗ୍ରୀକୁ ଗାଜିଆବାଦ୍‌ରେ ଥିବା ସେଣ୍ଟ୍ରାଲ୍‌ ଲାବୋରେଟୋରିକୁ ପଠାଯାଇଛି । ପରୀକ୍ଷା ପରେ ସାମଗ୍ରୀରୁ ନିଶାଯୁକ୍ତ ସାମଗ୍ରୀ ମିଳିଲେ, ସମ୍ପୃକ୍ତ ବାର୍‌ଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଏଥର ଗ୍ରାହକ ବି ଭରିଲେ ଜରିମାନା
ଏଥର ଚଢ଼ଉରେ ଖାଲି ବାର୍‌ ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆ ଯାଇନି । ହୁକ୍କା ଟଣାରେ ମଜ୍ଜିଥିବା ଗ୍ରାହକଙ୍କୁ ମଧ୍ୟ ଧରିଥିଲା ଜଏଣ୍ଟ ଟିମ୍‌ । ସେମାନେ ସେବନ କରୁଥିବା ହୁକ୍କା ଯାଞ୍ଚ କରିବା ପରେ ସେମାନଙ୍କ ଉପରେ ଜରିମାନା କଷିଛି । କୋଟ୍‌ପା ଆକ୍ଟ-୨୦୦୩ ବଳରେ ଗ୍ରାହକଙ୍କଠାରୁ ୨୦୦-୫୦୦ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯାଇଛି । ପୂର୍ବରୁ କମିଶନରେଟ୍‌ ପୁଲିସର ଚଢ଼ଉ ବେଳେ ଗ୍ରାହକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା ।

   ସମ୍ବନ୍ଧିତ ଖବର


​ଅଡ଼ୁଆରେ ସରକାରୀ ଅଫିସ୍‌ କର୍ମଚାରୀ – କାଲି ରାଜ୍ୟ ସରକାର କହିଲେ ଏମିତି, ଆଜି ଉଚ୍ଚ ଶିକ୍ଷା ବିଭାଗ କହୁଛନ୍ତି ଏମିତି–କାହାକୁ ମାନିବେ ?

ପାରିତ ହେଲା ସଂକ୍ରାମକ ରୋଗ ବିଲ୍‌, କରୋନା ନିୟମ ଉଲ୍ଲଂଘନ କଲେ ଲକ୍ଷେ ଜରିମାନା, ଦୁଇ ବର୍ଷ ଜେଲ୍‌

ମାସ୍କ ବ୍ୟବହାର କଲେ ସଂକ୍ରମଣ ସମ୍ଭାବନା କମ୍‌: ଡା. ମନୋଜ ସାହୁ

ବାଉଁଶ ଚାଷର ବିକାଶ ପାଇଁ କେନ୍ଦ୍ରୀୟ ସହାୟତାରେ ତିନି ବର୍ଷରେ ଓଡ଼ିଶାକୁ ମିଳିଛି ୬.୭୭ କୋଟି: ଧର୍ମେନ୍ଦ୍ର

ସରିଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା, ଖାଲି ପଡ଼ିବ ୪୦ ହଜାରରୁ ଅଧିକ ସିଟ୍‌…

ନନ୍ଦନକାନନରେ ଦିନକୁ ୨,୫୫୦ ପର୍ଯ୍ୟଟକଙ୍କୁ ଟିକେଟ୍‌, ବୟସ୍କ ଓ ଶିଶୁ ନଯିବାକୁ ପରାମର୍ଶ…