
ପିଅନ ବଖାଣିଲେ ପ୍ରେମ କାହାଣୀ…
ପୁରୀ,୦୧/୧୨: ଧଳା କାର୍ । ନାଲି ପଟି ଉପରେ ଲେଖାଅଛି ଭାରତ ସରକାର । ପୂର୍ବତଟ ରେଲ୍ୱେର ଗାଡି ବୋଲି ସବୁଠି ମିଳିଥିଲା ମାଫ୍ । ଏହି ସୁରକ୍ଷା ବଳୟ ଭିତରେ ଚାଲିଥିଲା ରୋମାନ୍ସ । ଭୁବନେଶ୍ୱରରୁ ଆସି ପୁରୀ ଷ୍ଟେସନ୍ରେ ପହଞ୍ଚିଥିଲା ଏହି କାର୍ । ଆର୍ପିଏଫ୍ ଥାନା ସମ୍ମୁଖରେ କାର୍ ଭିତରେ ଚାଲିଥିଲା ରୋମାନ୍ସ। ପରେ କାର୍ ଭିତରୁ ବାହାରି ଷ୍ଟେସନ୍ ପରିସରରେ ଖୁଲମ୍ ଖୁଲ୍ଲା କଲେ ମଉଜ। ଶେଷରେ ଏହି ମଉଜ ସେମାନଙ୍କ ପାଇଁ ସାଜିଲା ସମସ୍ୟା । ଧରିଲା ଆର୍ପିଏଫ୍। ଜଣେ ବଙ୍ଗୀୟ ଯୁବତୀଙ୍କ ସହ ୪ ଜଣ ରୋମିଓ ହେଲେ ହଟହଟା। ବଳକା ରାତି ଆର୍ପିଏଫ୍ ଥାନାରେ କାଟିବା ପରେ ଘଟଣା ନେଇ ଆରମ୍ଭ ହୋଇଛି ବିଭାଗୀୟ ତଦନ୍ତ। ୪ ରୋମିଓଙ୍କ ମଧ୍ୟରୁ ଜଣେ ରେଳ ଅଧିକାରୀଙ୍କ ବଙ୍ଗଳା ପିଅନ, ୨ ଜଣ ଡ୍ରାଇଭର୍ ଓ ଜଣେ ସେମାନଙ୍କ ସାଙ୍ଗ ବୋଲି ଜଣାପଡିଛି। ଏଭଳି ଏକ ଘଟଣା ରବିବାର ରାତିରୁ ସୋମବାର ଦିନ ତମାମ ପୁରୀରେ ଏକ ଚର୍ଚ୍ଚାର ବିଷୟ ପାଲଟିଥିଲା ।
ମିଳିଥିବା ଖବର ଅନୁସାରେ, ରବିବାର ରାତିରେ ଏମାନେ କାର୍ (ଓଡି-୦୫ଜେଡ୍-୦୩୧୨) ଯୋଗେ ପୁରୀ ଅଭିମୁଖେ ବାହାରିଥିଲେ। ମଧ୍ୟରାତ୍ରିରେ ପୁରୀରେ ପହଞ୍ଚିବା ପରେ ଷ୍ଟେସନ୍ ଆସିଥିଲେ। ଆର୍ପିଏଫ୍ ଥାନା ସମ୍ମୁଖରେ କାର୍ ପାର୍କିଂ କରିଥିଲେ। ହେଲେ ଦୀର୍ଘ ସମୟ ଧରି କାର୍ ଭିତରୁ କେହି ବାହାରିନଥିଲେ । ଡ୍ରାଇଭର୍ ସିଟ୍ରେ ଜଣେ ବସିଥିବା ବେଳେ ପଛ ସିଟ୍ରେ ୩ ଯୁବକଙ୍କ ମଝିରେ ଥିଲେ ଯୁବତୀ । ଏହି ଦୃଶ୍ୟ ଦେଖି ଷ୍ଟେସନ୍ ପରିସରରେ ବୁଲୁଥିବା କିଛି ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ଫଳରେ ଖବର ବାହାରେ ପ୍ରଚାରିତ ହୋଇଥିଲା ।
ଦୀର୍ଘ ସମୟ ପରେ କାର୍ ଭିତରୁ ବଙ୍ଗଳା ପିଅନ ଓ ଯୁବତୀ ବାହାରିଥିଲେ। ଷ୍ଟେସନ୍ ପରିସରରେ ଥିବା ବରଗଛ ମୂଳରେ ବସି ରୋମାନ୍ସରେ ମଜ୍ଜି ଯାଇଥିଲେ ଉଭୟ। ଠିକ୍ ସେହି ସମୟରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିିଥିଲେ ଆର୍ପିଏଫ୍ ଏଏସ୍ଆଇ କେ.ପି ପାଣି । ସେ ଏହି ଦୁହିଁଙ୍କୁ ବାରଣ କରିଥିଲେ। ହେଲେ ପିଅନ ଜଣକ କହିଥିଲେ ଯେ, ସେମାନେ ରେଳ ବିଭାଗ କର୍ମଚାରୀ । ଓଲଟା ସେମାନଙ୍କୁ ଡିଷ୍ଟର୍ବ ନକରିବାକୁ କହିଥିଲେ। କାର୍ରେ ଥିବା ଅନ୍ୟମାନେ ମଧ୍ୟ ବାହାରକୁ ଆସି ଅଧିକାରୀଙ୍କୁ ଘେରି ପରିଚୟ ଦେଇ ପକାଇଥିଲେ। ଘଟଣାସ୍ଥଳରେ ପହଞ୍ଚିଥିଲେ ଗଣମାଧ୍ୟମ ପ୍ରତିନିଧି।
ପୂର୍ବତଟ ରେଳବାଇର ଡେପୁଟି ସିଇଏନ୍ଏଚ୍ଏମ୍ ଜେ.କେ ସାହୁଙ୍କ ପାଇଁ ମଞ୍ଜୁର ହୋଇଛି ଏହି କାର୍। କାର୍ରେ ୨ ଜଣ ଡ୍ରାଇଭର୍ ନିୟୋଜିତ ହୋଇଛନ୍ତି । ରବିବାର ଛୁଟି ଥିବାରୁ ଅଫିସର୍ ଶ୍ରୀ ସାହୁଙ୍କ ବଙ୍ଗଳା ପିଅନ, ୨ ଡ୍ରାଇଭର୍ ଓ ଜଣେ ସାଙ୍ଗ ମିଶି କରିଥିଲେ ଯୋଜନା। ଯୋଜନା ଅନୁଯାୟୀ ସେମାନଙ୍କ ପାଖରେ ପହଞ୍ଚିଥିଲେ ବଙ୍ଗୀୟ ଯୁବତୀ । ଡ୍ରାଇଭର୍ଙ୍କ କହିବା ଅନୁସାରେ ଭୁବନେଶ୍ୱରରେ ପ୍ରଥମେ ସେମାନେ ମଦ ପିଇଥିଲେ । ପରେ ପୁରୀ ଆସିଥିଲେ । ରେଳ କର୍ମଚାରୀ ବୋଲି ଷ୍ଟେସନ୍ ପରିସର କୁଆଡେ ସେମାନଙ୍କ ପାଇଁ ସୁରକ୍ଷିତ । ତେଣୁ ଏଠାରେ ରହି ସକାଳେ ଚନ୍ଦ୍ରଭାଗାରେ ସୂର୍ଯୋଦୟ ଦେଖି ପଳାଇଥାଆନ୍ତେ। ଅଧିକାରୀଙ୍କ ଅଫିସ୍ ଡ୍ୟୁଟି ପୂର୍ବରୁ ପହଞ୍ଚିବାକୁ ଏମାନଙ୍କର ଯୋଜନା ଥିଲା ବୋଲି ଜଣେ ଡ୍ରାଇଭର କହିଛନ୍ତି। କମର୍ସିଆଲ୍ ମ୍ୟାନେଜର୍ଙ୍କ ଝିଅ ବାହାଘରରେ ଏହି ସରକାରୀ ଗାଡି ସବୁ ନିୟୋଜିତ ହେଉଛି। ତେଣୁ ସେହି ମଉକାରେ ଟିକେ ମଉଜ କରିବାକୁ ଚାଲି ଆସିଥିଲୁ ବୋଲି କହିଥିଲେ।
ପଚରାଉଚରା ବେଳେ ବଙ୍ଗଳା ପିଅନ କହିଥିଲେ ଯେ, ଯୁବତୀ ଜଣକ ତାଙ୍କ ଗାର୍ଲଫ୍ରେଣ୍ଡ। ଉଭୟଙ୍କ ମଧ୍ୟରେ ପ୍ରେମ ଚାଲିଛି। ଦୁହେଁ ଦୁହିଁଙ୍କୁ ବିବାହ କରିବୁ । ବିବାହ ପୂର୍ବରୁ ଟିକେ ମଉଜ କରିବାକୁ ଚାଲି ଆସିଥିଲୁ। ହେଲେ ଡ୍ରାଇଭର୍ କହିଥିଲେ ବଙ୍ଗଳା ପିଅନ ସମ୍ପୃକ୍ତ ଯୁବତୀଙ୍କ ଭାଇ। ଏଭଳି କଥା ଶୁଣିବା ପରେ ଆର୍ପିଏଫ୍ ଅଧିକାରୀଙ୍କ ସନ୍ଦେହ ବଢ଼ିଥିଲା ପରେ ଉକ୍ତ କାର୍ ସମ୍ମୁଖରେ ଭାରତ ସରକାର ବୋଲି ଲେଖାଥିବା ଦେଖି ରହସ୍ୟ ଖୋଜିଥିଲା ଆର୍ପିଏଫ୍ । କାର୍ ଭିତରେ ଯୁବତୀ ଜଣକ ବସିଥିବାବେଳେ ବାହାରକୁ ଡାକିଥିଲେ ଆର୍ପିଏଫ୍ ଅଧିକାରୀ । କିନ୍ତୁ ବାହାରକୁ ବାହାରିବାକୁ ବାରଣ କରି ବଙ୍ଗଳା ପିଅନ ଜଣକ କହିଥିଲେ ଯେ, ‘ଗାଁ ଝିଅ ତ, ଲାଜ କରୁଛି । ତା’କୁ ବେଶି କିଛି ପଚାରନ୍ତୁନି ଆଜ୍ଞା’ ବୋଲି କହି ଆର୍ପିଏଫ୍ ଟିମ୍କୁ ବିରୋଧ କରିଥିଲେ ୪ ଜଣ । ରାତି ୨ଟାରେ ପହଞ୍ଚିିଥିଲେ ଆର୍ପିଏଫ୍ ଆଇଆଇସି ଅନୀଲ ସିଂହ ।
ସେମାନଙ୍କୁ ପଚରାଉଚରା କରିବା ପରେ ଜଣାପଡିଥିଲା ଯେ, ଅଧିକାରୀଙ୍କ ଅଜାଣତରେ ଏମାନେ ଏଭଳି କାଣ୍ଡ କରିଛନ୍ତି। ଅଧିକାରୀଙ୍କ ସହ କଥା ହେବାକୁ ଆର୍ପିଏଫ୍ ଏଏସ୍ଆଇ ଶ୍ରୀ ପାଣି ନମ୍ବର ମାଗିଥିଲେ । ହେଲେ ଚତୁରତାର ସହ ବଙ୍ଗଳା ପିଅନ ନିଜ ମାମୁଙ୍କ ଫୋନ୍ ନମ୍ବର ଦେଇଥିଲେ । ପ୍ରଥମେ ଏସବୁ ଜାଣିନଥିବା କହିଥିଲେ ପିଅନଙ୍କ ମାମୁ । ପରେ ପିଅନ ଜଣକ ମାମୁଙ୍କ ସହ କଥା ହୋଇ ଏଭଳି ଘଟଣା ସମ୍ପର୍କରେ ଠାରି ଦେଇଥିଲେ । ଏହା ପରେ ମାମୁ ନିଜକୁ ଅଫିସର୍ ଶ୍ରୀ ସାହୁ ବୋଲି ପରିଚୟ ଦେଇ ଆର୍ପିଏଫ୍ ଅଧିକାରୀଙ୍କ ସହ କଥା ହୋଇଥିଲେ। ସେମାନେ ଭୁଲ୍ କରିଦେଇଛନ୍ତି, ଏହି ଥର ତାଙ୍କୁ ଛାଡି ଦିଅନ୍ତୁ ବୋଲି ସେ କହିଥିଲେ । କିନ୍ତୁ ଟ୍ରୁ କଲର୍ରୁ ନାଁ ଜଣାପଡିବା ପରେ ସମସ୍ତେ ଫସିଥିଲେ। ସମସ୍ତଙ୍କୁ ଆର୍ପିଏଫ୍ ଥାନାକୁ ନିଆଯାଇଥିଲା । ଥାନାରେ ସେମାନେ ଏସବୁ ଭୁଲ୍ କରିଥିବା ସ୍ୱୀକାର କରିଥିଲେ।
ରେଳ ଅଧିକାରୀ ଶ୍ରୀ ସାହୁଙ୍କ ସହ ଆର୍ପିଏଫ୍ ଅଧିକାରୀ ଯୋଗାଯୋଗ କରିଥିଲେ । ହେଲେ ଏସବୁ ସେ ଜାଣି ନଥିବା କହିବା ସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ମଧ୍ୟ କହିଥିଲେ । ସୋମବାର ପୂର୍ବାହ୍ନ ୧୦ଟାରେ ଆର୍ପିଏଫ୍ ପକ୍ଷରୁ ଏମାନଙ୍କ ଯାଞ୍ଚ କରାଯିବା ପରେ ଉପଯୁକ୍ତ କାଗଜପତ୍ର ପ୍ରସ୍ତୁତ କରାଯାଇ ସମସ୍ତଙ୍କୁ ଛଡାଯାଇଥିବା କହିଛନ୍ତି ଆଇଆଇସି ଶ୍ରୀ ସିଂହ ।
ଏନେଇ ଯୁବତୀଙ୍କ ପରିବାର ଲୋକଙ୍କୁ ମଧ୍ୟ ଜଣାଇ ଦିଆଯାଇଥିବା ସେ କହିଛନ୍ତି । ତେବେ କାର୍ କେତେ ଗଡିଲା ଏହାର ହିସାବ ରଖାଯାଉନାହିଁ କାହିଁକି ଓ ବିନା ଅନୁମତିରେ ଉକ୍ତ ଗାଡି ବାହାରକୁ ଯାଉଛି କେମିତି ବୋଲି ପଚରା ଯିବାରୁ ରେଳ ଅଧିକାରୀ ଶ୍ରୀ ସାହୁ କହିଛନ୍ତି ଯେ, ମୋ କର୍ମଚାରୀଙ୍କ ଉପରେ ବିଶ୍ୱାସ କରି ମୁଁ ଭୁଲ୍ କରିଛି। ଏହି ଘଟଣାର ବିଭାଗୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।