ଦୁଇ ଦିନ ପ୍ରବଳ ବର୍ଷା: ଦକ୍ଷିଣ ଓଡି଼ଶାରେ ବନ୍ୟା ଆଶଙ୍କା, ରେଡ୍‌ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୫ା୯(ବ୍ୟୁରୋ): ଉପକୂଳ ଓଡ଼ିଶା ଉପରଭାଗରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ । ବିଶେଷ କରି ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ ଜାରି କରିଛି । ଲଗାଣ ବର୍ଷା ଯୋଗୁ ଦକ୍ଷିଣ ଓଡ଼ିଶାର ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହୋଇପାରେ ବୋଲି ମଧ୍ୟ ପାଣିପାଗ ବିଭାଗ ସତର୍କତା ଜାରି କରିଛି । ଗୁରୁବାର ସନ୍ଧ୍ୟାରୁ ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ରେଡ ୱାର୍ନିଂ ମଧ୍ୟ ଜାରି କରିଥିଲା । ଏହାକୁ ନେଇ ଦକ୍ଷିଣ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଉପୁଜିଛି । ଶୁକ୍ରବାର ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ନବରଙ୍ଗପୁର, ସୋନପୁର, କଳାହାଣ୍ଡି ଓ ବୌଦ୍ଧରେ ପ୍ରବଳ ବର୍ଷା ହେବ । ଏହି ୭ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ନିଂ ଜାରି କରାଯାଇଛି । କୋରାପୁଟ, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ସମ୍ବଲପୁର, ରାୟଗଡ଼ା ଓ ଅନୁଗୁଳରେ ପ୍ରବଳ ବର୍ଷା ହେବାକୁ ଥିବାରୁ ଏଥିପାଇଁ ୟେଲୋ ୱାର୍ନିଂ ଜାରି ହୋଇଛି ।

ଶନିବାର ଦିନ କୋରାପୁଟ, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ସମ୍ବଲପୁର, ରାୟଗଡ଼ା ଓ ଅନୁଗୁଳରେ ପ୍ରବଳ ବର୍ଷା ହୋଇପାରେ ବୋଲି ବିଭାଗ ପୂର୍ବାନୁମାନ କରିଛି । ଏହି ଜିଲ୍ଲାଗୁଡିକ ପାଇଁ ୟେଲୋ ୱାର୍ନିଂ ଜାରି ହୋଇଛି । ପାଣିପାଗ ବିଭାଗର ଏଭଳି ପୂର୍ବାନୁମାନ ପରେ ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍‌ଆରସି) ଆଡ୍‌ଭାଇଜାରି ଜାରି କରିଛନ୍ତି । ସମ୍ଭାବ୍ୟ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ସବୁ ଜିଲ୍ଲାପାଳମାନେ ପ୍ରସ୍ତୁତ ରହିବାକୁ ଏସ୍‌ଆରସି ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ଜିଲ୍ଲା ପାଇଁ ରେଡ୍‌ ଓ ଅରେଞ୍ଜ ୱାର୍ନିଂ ଜାରି ହୋଇଛି, ସଂପୃକ୍ତ ଜିଲ୍ଲାପାଳମାନେ ପ୍ରଶାସନିକ କଳ ସହ ପ୍ରସ୍ତୁତ ରୁହନ୍ତୁ । ଲଗାଣ ବର୍ଷା ଯୋଗୁ ବନ୍ୟା, ଜଳବନ୍ଦୀ ଓ ଭୂସ୍ଖଳନ ହେବାର ଆଶଙ୍କା ରହିଛି । ଏଥିପାଇଁ ଜିଲ୍ଲାପାଳମାନେ ସମ୍ବେଦନଶୀଳ ଓ ତଳିଆ ଅଞ୍ଚଳରେ ଥିବା ଲୋକଙ୍କୁ ନିରାପଦ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରନ୍ତୁ । ଆବଶ୍ୟକ ପଡ଼ିଲେ ଆଶ୍ରୟସ୍ଥଳୀରେ ଖାଦ୍ୟ, ପିଇବା ପାଣି, ଆଲୋକ ଓ ପରିମଳ ବ୍ୟବସ୍ଥା କରନ୍ତୁ ବୋଲି ଏସ୍‌ଆରସି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମତ୍ସଜୀବିମାନଙ୍କ ପାଇଁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଓଡ଼ିଶା ତଟବର୍ତ୍ତୀ ସମୁଦ୍ରରେ ୪୦ରୁ ୫୦କିମି ବେଗରେ ପବନ ବହିବ । ସମୁଦ୍ର ଅଶାନ୍ତ ରହିବ । ଏଥିପାଇଁ ମତ୍ସଜୀବିମାନେ ଆସନ୍ତା ୪୮ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବାକୁ ଆଞ୍ଚଳିକ ପାଣିପାଗ ବିଭାଗ ସତର୍କତା ଜାରି କରିଛନ୍ତି । ସେପଟେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଅଧିକ ବର୍ଷା ହୋଇଛି । ଟିଟିଲାଗଡ଼ରେ ସର୍ବାଧିକ ୮୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ଗୁରୁବାର ସକାଳ ସାଢ଼େ ୮ଟାରୁ ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ଫୁଲବାଣୀରେ ୫୩.୨ ମିଲିମିଟର, କୋରାପୁଟରେ ୩୮ ମିଲିମିଟର, ସମ୍ବଲପୁରରେ ୩୭.୬ ମିଲିମିଟର, ଗୋପାଳପୁରରେ ୨୯.୪, ଭୁବନେଶ୍ୱରରେ ୨୪.୧ମିଲିମିଟର, କେଉଁଝରରେ ୨୧.୪, ଭବାନୀପାଟଣାରେ ୧୪, ଅନୁଗୁଳରେ ୧୨.୬ ଓ ଦାରିଙ୍ଗିବାଡ଼ିରେ ୧୧ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡା. ଶରତ ସାହୁଙ୍କ ପୂର୍ବାନୁମାନ ହେଉଛି, ମଧ୍ୟ ଉପକୂଳ ଓଡ଼ିଶା ଓ ଏହାର ସଂଲଗ୍ନ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଛି । ଆଗାମୀ ଦୁଇ ଦିନ ଯାଏ ଏହାର ପ୍ରଭାବ ରହିବ । ଲଘୁଚାପ ସହ ସେହି ଅଞ୍ଚଳରେ ସମୁଦ୍ର ପତ୍ତନରୁ ୭.୬ କିଲୋମିଟର ପର୍ଯ୍ୟନ୍ତ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବ ଯୋଗୁ ଆସନ୍ତା ୪ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ପ୍ରକୋପ ରହିବ । ଆସନ୍ତା ୮ ତାରିଖ ଯାଏ ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଯାଜପୁର, ଖୋର୍ଦ୍ଧା. ନୟାଗଡ଼, ପୁରୀ, ଢେଙ୍କାନାଳ, ଗଞ୍ଜାମ, କନ୍ଧମାଳ, ରାୟଗଡ଼ା, ଗଜପତି, ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ ଓ ସୋନପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ସେ କହିଛନ୍ତି ।

   ସମ୍ବନ୍ଧିତ ଖବର


ସୁନା କି ଚାନ୍ଦି ନୁହେଁ, ଏଥର ସିଲଭର୍‌ ସିଟିରେ ଝଲସିବ ଜରି ମେଢ଼: ଅଳଙ୍କାର ଓ ଜରି ମେଢ଼ କାରିଗରଙ୍କର ବଢିଛି ଚାହିଦା

ରାଜ୍ୟରେ ଆଖି ବୁଜିଲେ ଆଉ ୧୫ ଜଣ ଆକ୍ରାନ୍ତ: ମୃତ୍ୟୁସଂଖ୍ୟା ୧୧୯୬କୁ ବୃଦ୍ଧି

ଦିନକରେ ଓଡ଼ିଶାରେ ୧୯୧୩ ଜଣ କରୋନା ପଜିଟିଭ‌ ଚିହ୍ନଟ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୭୬ ହଜାର ଡେଇଁଲା

୨୦୨୧ରେ ୨୯ ଦିନ ସରକାରୀ ଛୁଟି, କର୍ମଚାରୀଙ୍କ ୯ଟି ଛୁଟି ବେକାର ଯିବ

ହାଇଦ୍ରାବାଦ ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ନବୀନ: ୫ କୋଟି ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଟ୍ରେଲରକୁ ପିଟିଲା ସିମେଣ୍ଟ ବୋଝେଇ ଟ୍ରକ୍