‘ବୁଲ୍‌ବୁଲ୍‌’ ପ୍ରଭାବରେ ଓଡ଼ିଶାରେ ଝିପିଝିପି ବର୍ଷା ଆରମ୍ଭ, ୯ରେ ପ୍ରବଳ ବର୍ଷିବ, ପବନର ବେଗ ୯୦ କିଲୋମିଟର ଛୁଇଁପାରେ

ଭୁବନେଶ୍ୱର ୮।୧୧: ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଛି। ଏହା  ଧୀରେ ଧୀରେ ଭୀଷଣ ବଜ୍ରପାତ ରୂପ ଧାରଣ କରି ଆଗକୁ ବଢ଼ିବା ଆରମ୍ଭ କରିଛି। ବିଶେଷକରି ପାରାଦୀପରେ ଆଜି ସକାଳୁ ସକାଳୁ ବର୍ଷା ଆରମ୍ଭ ହୋଇଯାଇଛି। ବର୍ଷା ସହ ପବନ ମଧ୍ୟ ବହୁଛି। ପାରାଦୀପଠାରୁ ଏବେ ଏହା ପ୍ରାୟ ୪୨୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏବେ ଘଣ୍ଟା ପ୍ରତି ୮ କିଲୋମିଟର ବେଗରେ ଉତ୍ତର ଏବଂ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଆସନ୍ତା ୧୨ଘଣ୍ଟା ଭିତରେ ଆହୁରି ଘନିଭୂତ ହେବ।

ସୂଚନାଯୋଗ୍ୟ ଯେ, ପାରାଦୀପ ବନ୍ଦରରେ ୨ନମ୍ବର ବିପଦ ସଙ୍କେତ ଦିଆଯାଇଛି। ଆଗକୁ ବର୍ଷା ବଢ଼ିବାର ସମ୍ଭାବନା ଥିବାରୁ ପାରାଦୀପ ମାଛଧରା ବନ୍ଦର ସହ ଅଠରବାଙ୍କି, ନେହରୁ ବଙ୍ଗଳା, ନୂଆ ବଜାର ଓ ଷଣ୍ଢକୁଦ ବସ୍ତି ଲୋକଙ୍କୁ ସତର୍କ କରି ଦିଆଯାଇଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ଡାକବାଜି ଯନ୍ତ୍ର ଯୋଗେ ଆଲର୍ଟ କରାଯାଇଛି।

ଆସନ୍ତା ୧୨ ଘଣ୍ଟା ମଧ୍ୟରେ ‘ବୁଲ୍‌ବୁଲ୍‌’ ଉତ୍ତର ଉତ୍ତରପୂର୍ବ ଦିଗକୁ ଗତି କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ସମସ୍ତ ଉପକୂଳବର୍ତୀ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଜି ସ୍ବତନ୍ତ୍ର ରିଲିଫ୍ କମିସନର ସତର୍କ କରାଇଛନ୍ତି। ଅନ୍ୟପଟେ ବାତ୍ୟାର ଭୟାବହତା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଉପକୂଳବର୍ତୀ ଅଞ୍ଚଳ ଓ ଚାଷୀ ଆତଙ୍କିତ ହୋଇପଡ଼ିଲେଣି।

ସୂଚନାଯୋଗ୍ୟ ଯେ,  ପୁରୀ, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁରରୁ ଭଦ୍ରକ ଜିଲ୍ଲା ପର୍ଯ୍ୟନ୍ତ ଠାଏ ଠାଏ ପ୍ରବଳ ବର୍ଷା ହେବ। ଅପରାହ୍ନରୁ କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ବାଲେଶ୍ବର, ଓ ଭଦ୍ରକ ଜିଲ୍ଲାରେ ଘଣ୍ଟାପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହିବ। ସ୍ଥଳ ବିଶେଷରେ ପବନର ବେଗ ୬୫ କିମି ଛୁଇଁପାରେ। ୯ ତାରିଖରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁରରେ ମଧ୍ୟମ ଧରଣର ଓ ମୟୂରଭଞ୍ଜ, କଟକ ଓ ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିବ। ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ୭୦ରୁ ୮୦ କିମି ବେଗରେ ପବନ ବହିପାରେ। ସ୍ଥଳ ବିଶେଷରେ ଏହା ୯୦ କିମି ଯାଏ ପହଞ୍ଚିବ। ୮ ଓ ୯ ତାରିଖରେ ପୁରୀ, ଗଞ୍ଜାମ, ଯାଜପୁର ଜିଲ୍ଲାରେ ୪୦ରୁ ୬୦ କିମି ବେଗରେ ପବନ ହେବ ବୋଲି ଆକଳନ କରାଯାଇଛି। ୧୦ ତାରିଖ ସକାଳ ସୁଦ୍ଧା ସାମୁଦ୍ରିକ ବାତ୍ୟା ବୁଲବୁଲ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

   ସମ୍ବନ୍ଧିତ ଖବର


ରାଜ୍ୟ ସରକାର ଜାରି କଲେ ଡିସେମ୍ବର ଗାଇଡଲାଇନ୍

ଆରମ୍ଭ ହେଲା ବାହା ଋତୁ: ‘କାହା ମନରେ ଜୁଆର, କାହା ମନରେ ଭଟ୍ଟା’

ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ନିଛାଟିଆ ରାସ୍ତାରେ ଦୁଷ୍କର୍ମ ଉଦ୍ୟମ: ଅଭିଯୁକ୍ତକୁ ବାନ୍ଧିଲା ପୁଲିସ୍

ରାଜ୍ୟରେ କରୋନା ନେଲା ଆଉ ୧୨ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୩୦କୁ ବୃଦ୍ଧି

୨୪ଘଣ୍ଟା ଆଉ ୫୫୦ ନୂଆ କରୋନା ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୭ହଜାର ୭୮୯କୁ ବୃଦ୍ଧି

ଅବକାରୀ ଗୁଇନ୍ଦା ପଞ୍ଝାରେ ନିଶା ବେପାରୀ, ୪ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର୍‌ ଜବତ