ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲା ବସ୍; ୬ ମୃତ, ଅନେକ ଗୁରୁତର…

ଜାଲୋର: ରାଜସ୍ଥାନର ଜାଲୋରର ମହେଶପୁରା ଗ୍ରାମରେ ଶନିବାର ରାତିରେ ଏକ ବଡ ବସ୍ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିବା କୁହାଯାଉଛି । ତେବେ ସୂଚନା ମୁତାବକ ଯାତ୍ରୀ ଭର୍ତ୍ତି ହୋଇଥିବା ଏକ ବସ୍ ହଠାତ୍ ନିୟନ୍ତ୍ରଣ ହରାଇ ହାଇ ଭୋଲଟେଜ୍ ପାୱାର୍ ଲାଇନ୍ ତାର ସହିତ ଧକ୍କା ହୋଇଥିଲା । ଏହା ପରେ ବସ୍ରେ କରେଣ୍ଟ ଚଳିଯାଇଥିଲା । ପ୍ରାୟ ଦୁଇ ଡଜନରୁ ଅଧିକ ଯାତ୍ରୀ ଏଥିରେ ଜଳି ଯାଇଛନ୍ତି । ଏମାନଙ୍କ ଭିତରୁ ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛି । କିଛି ଆହତଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି ।
ଏଠାରେ ସୂଚନା ଥାଉକି ଏହି ବସ୍ ମାଣ୍ଡୋଲିରୁ ବ୍ୟାବରକୁ ଯାଉଥିଲା । ତେବେ ରାସ୍ତା ଭୁଲିଯିବା କାରଣରୁ ମହେଶପୁରା ଗ୍ରାମରେ ପହଞ୍ଚିଥିଲା । ଏହା ପରେ, ଗାଁରେ ଥିବା ୧୧ କେଭି ବିଦ୍ୟୁତ୍ ତାର ଖୁଣ୍ଟକୁ ଧକ୍କା ଦେଇଥିଲା । ଏହାପରେ ବସରେ ନିଆଁ ଲାଗିଯାଇଥିଲା । ଲୋକମାନେ ଚିତ୍କାର କରିବା ପରେ ସ୍ଥାନୀୟ ଲୋକ ବିଦ୍ୟୁତ୍ ବିଭାଗ ସହିତ ଯୋଗାଯୋଗ କରି ବିଦ୍ୟୁତ୍ ଯୋଗାଣ ବନ୍ଦ କରି ଆହତମାନଙ୍କୁ ବସ୍ ଭିତରୁ ଉଦ୍ଧାର କରିଥିଲେ ।
ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । କେତେକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ଏହି ଦୁର୍ଘଟଣାରେ ସ୍ଥାନୀୟ ବିଜେପି ସାଂସଦ ଦେବଜୀ ପଟେଲ ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।