ରାଜଧାନୀ ରାଜନୀତି ହଲଚଲ୍‌: ବିଜେଡି ଛାଡିବେ କି ବୁନୁ?

ଭୁବନେଶ୍ୱର,୧୪ା୩(ବ୍ୟୁରୋ): “ବିଧାୟକ ଟିକେଟ୍‌ ପାଇବି ବୋଲି ମୁଁ ଆଶାବାଦୀ । ମୋର ବିଶ୍ୱାସ ମୋତେ ଟିକେଟ୍‌ ମିଳିବ । ଦଳର ମୁଖିଆ ମୋ’ ଉପରେ ଆସ୍ଥା ପ୍ରକଟ କରିବେ । ଟିକେଟ୍‌ ମିଳିବନି ବୋଲି ମୁଁ କାହିଁକି ଭାବିବି? ନିଶ୍ଚୟ ମିଳିବ” । ଆଜି ନବୀନ ନିବାସରୁ ଫେରିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱରର ପୂର୍ବତନ ମେୟର ତଥା ଯୁବ ନେତା ଅନନ୍ତ ନାରାୟଣ ଜେନା(ବୁନୁ) । କିନ୍ତୁ ଟିକେଟ୍‌ ନ ମିଳିଲେ ଦଳ ଛାଡ଼ି ବିଜେପିରେ ମିଶିବେ କି ବୋଲି ପଚାରିବାରୁ ସେ ଏଭଳି ସମ୍ଭାବନାକୁ ଖଣ୍ଡନ କରିନାହାନ୍ତି । କେବଳ ନିରବ ରହିଛନ୍ତି । ବୁନୁଙ୍କ ଏହି ନିରବତା ଝଡ଼ ପୂର୍ବର ନିରବତା ନୁହେଁ ତ? ଏଭଳି ପ୍ରଶ୍ନ ଏବେ ରାଜଧାନୀ ରାଜନୀତିକୁ ହଲଚଲ୍‌ କରିଛି ।
ରାଜଧାନୀ ରାଜନୀତିର ଖେଳୁଆଡ୍‌ ବୁନୁ ଦୁଇ ଦୁଇ ଥର ମେୟର ପଦରେ ରହି ସାରିଛନ୍ତି । ବହୁ ଦିନରୁ ତାଙ୍କର ଆଖି ବିଧାୟକ ଆସନ ଉପରେ ରହିଛି । ୨୦୧୪ରେ ବି ସେ ଆଶାୟୀ ଥିଲେ । ମାତ୍ର ଏହାର ଠିକ୍‌ ତିନି ମାସ ଆଗରୁ ବିଏମସି ନିର୍ବାଚନ ହୋଇଥିବାବେଳେ ତାଙ୍କୁ ମେୟର ଆସନ ଦେଇ ସନ୍ତୁଷ୍ଟ କରାଇଥିଲା ବିଜେଡି । ଏଥର କିନ୍ତୁ ବୁନୁ ନଛୋଡ଼ ବନ୍ଦା । ଯେମିତି ହେଉ ବିଧାନସଭା ଟିକେଟ ଦରକାର । ତେବେ ବିଧାୟକ ପ୍ରାର୍ଥୀ ଆଶାୟୀ ବୁନୁଙ୍କୁ ଏଥର ବିଡିଏ ଅଧ୍ୟକ୍ଷ ପଦବୀ ଦେଇ ସନ୍ତୁଷ୍ଟ କରିବାକୁ ବିଜେଡି ଯୋଜନା କରିଥିଲା । ମାତ୍ର ସେଇ ଉଦ୍ୟମ ସଫଳ ହେଲାନି । ବିଡିଏ ଅଧ୍ୟକ୍ଷ ପଦବୀ ମିଳିବାର ସପ୍ତାହେ ପରେ ବି ବୁନୁ ବିଡିଏ ଅଫିସ ମାଡ଼ି ନାହାନ୍ତି । ସମ୍ବର୍ଦ୍ଧନା ଜଣାଇବାକୁ କର୍ମଚାରୀମାନେ ଫୁଲ ତୋଡ଼ା ଧରି ଅପେକ୍ଷା କରିଥିଲେ, ତଥାପି ସେ ଗଲେନି । ବୁନୁଙ୍କୁ ବିଧାନସଭା ଟିକେଟ ନ ଦେଇ ବିଡିଏ ଅଧ୍ୟକ୍ଷ ପଦବୀ ଦେବା ନିଷ୍ପତ୍ତିକୁ ତାଙ୍କ ସମର୍ଥକ କର୍ପୋରେଟରମାନେ ନାପସନ୍ଦ କରିଥିଲେ । ବୁନୁ ଖୋଲା ପ୍ରତିକ୍ରିୟା ରଖିନଥିଲେ ବି ଦଳୀୟ ଫୋରମ୍‌ରେ ତାଙ୍କ ଅସନ୍ତୋଷ ଜଣାଇଥିଲେ । ବିଧାୟକ ଟିକେଟ୍‌ ନ ମିଳିଲେ ସେ ଦଳ ଛାଡିବେ ଗତକାଲିଠାରୁ ଖବର ଉଡ଼ି ବୁଲୁଥିଲା । ଏକଥା ବିଜେଡିର ବଡ଼ ନେତାଙ୍କ କାନରେ ପଡ଼ିବା ପରେ ବୁନୁଙ୍କୁ ସନ୍ତୁଷ୍ଟ କରିବାକୁ ପ୍ରୟାସ ହୋଇଛି । ଆଜି ତାଙ୍କୁ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ପଦବୀ ମିଳିଛି । ତାଙ୍କ ଅସନ୍ତୋଷକୁ ଦୂରେଇବାକୁ ଆଜି ପୁଣି ତାଙ୍କୁ ନବୀନ ନିବାସ ଡକାଯାଇଥିଲା । ତାଙ୍କୁ ମନାଇବାକୁ ଢେର୍‌ ପ୍ରୟାସ ହୋଇଥିଲ।। । ଏହା ସହ ବୁନୁଙ୍କୁ ଅତିରିକ୍ତ ଭୁବନେଶ୍ୱର ଜିଲ୍ଲା ସାଂଗଠନିକ ପର୍ଯ୍ୟବେକ୍ଷକ ସହ କେନ୍ଦୁଝର ଜିଲ୍ଲା ପାଟଣା ବିଧାନସଭା ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ଖାଲି ସେତିକି ନୁହେଁ, ଇସ୍ତାହାର କମିଟିରେ ବି ତାଙ୍କୁ ସାମିଲ କରାଯାଇଛି । ସବୁ ଅସନ୍ତୋଷକୁ ଚାପି ବୁନୁ ହସ ହସ ମୁହଁରେ ନବୀନ ନିବାସରୁ ଫେରିଥିଲେ । ତାଙ୍କ ନିକଟତମ ଲୋକଙ୍କ କହିବାନୁଯାୟୀ ଦଳୀୟ ପଦ ପଦବୀରେ ବୁନୁ ସନ୍ତୁଷ୍ଟ ହୋଇଯିବେ, ତାହାର ସମ୍ଭାବନା କମ୍‌ ।
ରାଜଧାନୀର ବିଧାୟକଙ୍କ ତୁଳନାରେ ବୁନୁଙ୍କ ଲୋକପ୍ରିୟତା ବି କିଛି କମ୍‌ ନୁହେଁଁ । ଅନେକ ପୂର୍ବତନ କର୍ପୋରେଟର ତାଙ୍କ ସାଥୀରେ ଅଛନ୍ତି । ବିଶେଷ କରି ଉତ୍ତର ନିର୍ବାଚନମଣ୍ଡଳୀର ୧୦ରୁ ଅଧିକ ପୂର୍ବତନ କର୍ପୋରେଟର ବୁନୁଙ୍କୁ ଖୋଲା ସମର୍ଥନ ଜଣାଉଛନ୍ତି । ଉଭୟ କଲୋନୀ ଓ ବସ୍ତି ଅଞ୍ଚଳରେ ତାଙ୍କ ଦବ୍‌ଦବା ରହିଛି । ବୁନୁଙ୍କ ସମର୍ଥନରେ ଥିବା ଜଣେ ପୂର୍ବତନ କର୍ପୋରେଟରଙ୍କ ସୂଚନା ଅନୁସାରେ,ବିଜେଡି ଟିକେଟ୍‌ ନ ମିଳିଲେ ସେ ବିଜେପିରେ ଯୋଗ ଦେବେ । ଏପରିକି ବିଜେପିରୁ ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ପାଇଁ ସେ ପ୍ରାର୍ଥୀ ହୋଇପାରନ୍ତି । ତାଙ୍କ ସହ ପ୍ରାୟ ୧୦ଜଣ ପୂର୍ବତନ କର୍ପୋରେଟର ଓ ଶତାଧିକ କର୍ମୀ ବିଜେଡି ଛାଡ଼ିପାରନ୍ତି । ସେ ବିଜେପି ସମ୍ପର୍କରେ ଅଛନ୍ତି ବୋଲି ଚର୍ଚ୍ଚା ହେଉଛି । ବିଜେଡି ଟିକେଟ ଘୋଷଣା ପର୍ଯ୍ୟନ୍ତ ବୁନୁଙ୍କୁ ନେଇ ସସ୍‌ପେନ୍ସ ଲାଗି ରହିବ ।

   ସମ୍ବନ୍ଧିତ ଖବର


ବଢ଼ିଲା ବିଦ୍ୟୁତ୍‌ ଦର …

କରୋନାରେ ଆଉ ୧୫ ସଂକ୍ରମିତଙ୍କ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୭୩୬ରେ ପହଞ୍ଚିଲା

୧୦୦ ଶର୍ଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ବରିଷ୍ଠ ଦଇତା ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ଦେହାନ୍ତ

୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା : ୧୦ ଜିଳ୍ଲାକୁ ୟଲୋ ଓ୍ବାର୍ଣ୍ଣିଂ, ୭ ଜିଳ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି

ମହିଳା IICଙ୍କୁ ନିର୍ଯାତନା : ସ୍ବାମୀଙ୍କ ବିରୋଧରେ ଆଣିଲେ ସଙ୍ଗିନ ଅଭିଯୋଗ, ଥାନାରେ ଏତଲା