ବଲାଙ୍ଗୀରର ରାଜେନ୍ଦ୍ର ଏକକ ବିଶ୍ୱବିଦ୍ୟାଳୟ ଏବଂ କଳାହାଣ୍ଡି ଏକକ ବିଶ୍ୱବିଦ୍ୟାଳୟ ହେବ ଅନୁବନ୍ଧିତ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର ୧୬/୯:  ରାଜ୍ୟରେ ଉଚ୍ଚଶିକ୍ଷାର ଗୁଣାତ୍ମକ ମାନବୃଦ୍ଧି ଓ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ବଲାଙ୍ଗୀରର ରାଜେନ୍ଦ୍ର ଏକକ ବିଶ୍ୱବିଦ୍ୟାଳୟ ଓ କଳାହାଣ୍ଡି ଏକକ ବିଶ୍ୱବିଦ୍ୟାଳୟକୁ ଅନୁବନ୍ଧିତ (ଆଫିଲିଏଟେଡ଼୍‌) ବିଶ୍ୱବିଦ୍ୟାଳୟ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।

ପୂର୍ବରୁ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ଭବାନୀପାଟଣାକୁ ୨୦୧୯ ମାର୍ଚ୍ଚ ୬ ତାରିଖରେ ଓ ରାଜେନ୍ଦ୍ର ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ବଲାଙ୍ଗୀରକୁ ୨୦୧୯ ମାର୍ଚ୍ଚ ୨ ତାରିଖରେ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରାଯାଇଥିଲା । ମାତ୍ର ଏହାକୁ ପରିବର୍ତ୍ତନ କରାଯାଇ ଉକ୍ତ ଦୁଇଟି ଏକକ ବିଶ୍ୱବିଦ୍ୟାଳୟକୁ ଅନୁବନ୍ଧିତ ବିଶ୍ୱବିଦ୍ୟାଳୟ କରାଯିବ ।

 ବଲାଙ୍ଗୀରର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ପରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାରେ ଥିବା ପ୍ରାୟ ୬୫ଟି ମହାବିଦ୍ୟାଳୟ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଅଧୀନକୁ ଆସିବ ଏବଂ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ହେବେ । ବର୍ତ୍ତମାନ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ପ୍ରାୟ ୨୪୦ଟି ମହାବିଦ୍ୟାଳୟ ଅନୁବନ୍ଧିତ ଅଛନ୍ତି । ଏହା ଫଳରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କାର୍ଯ୍ୟଭାର ଲାଘବ ହେବା ସହିତ ଏହାର କାର୍ଯ୍ୟଦକ୍ଷତା ମଧ୍ୟ ବୃଦ୍ଧି ପାଇବ । ଏହା ଦ୍ୱାରା ପରୀକ୍ଷା ପରିଚାଳନା, ପରୀକ୍ଷା ଫଳ ପ୍ରକାଶନ, ଆଡ୍‌ମିଶନ ପ୍ରକ୍ରିୟା ଆଦି ତ୍ୱରାନ୍ୱିତ ହୋଇପାରିବା ସହ ଅନ୍ୟାନ୍ୟ ପ୍ରଶାସନିକ କାର୍ଯ୍ୟରେ ମଧ୍ୟ ସୁବିଧା ହେବ ।

ସେହିପରି ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, କଳାହାଣ୍ଡିକୁ ଏକକ ବିଶ୍ୱବିଦ୍ୟାଳୟ ପରିବର୍ତ୍ତେ ଅନୁବନ୍ଧିତ ବିଶ୍ୱବିଦ୍ୟାଳୟ କରାଯିବ । ଏହି ବିଶ୍ୱବିଦ୍ୟାଳୟ ଅଧୀନରେ କଳାହାଣ୍ଡି ଏବଂ ନୂଆପଡ଼ା ଜିଲ୍ଲାର ପ୍ରାୟ ୫୦ଟି ମହାବିଦ୍ୟାଳୟ ଅନୁବନ୍ଧିତ ହେବ । ଏହି ମହାବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଅଛନ୍ତି । ଏହା ଫଳରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟର ପରୀକ୍ଷା ପରିଚାଳନା, ପରୀକ୍ଷାଫଳ ପ୍ରକାଶନ ଛାତ୍ରଛାତ୍ରୀଙ୍କ ଆଡ଼୍‌ମିଶନ ଆଦି ପ୍ରକ୍ରିୟା ସୁଗମ ହୋଇପାରିବ ।

ଏହି ଦୁଇଟି ବିଶ୍ୱବିଦ୍ୟାଳୟ ସ୍ଥାପନ ହେଲେ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ବିଶ୍ୱବିଦ୍ୟାଳୟ ସହ ଯୋଗାଯୋଗ କରିବା ପାଇଁ ଦୂର ସ୍ଥାନକୁ ଯିବାକୁ ପଡ଼ିବ ନାହିଁ ଏବଂ ପ୍ରଶାସନିକ ପ୍ରକ୍ରିୟାରେ ପାରଦର୍ଶିତା ଆସିପାରିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ପ୍ରକାଶ କରିଛନ୍ତି ।  ସୂଚନାଯୋଗ୍ୟ ଯେ ବଲାଙ୍ଗୀରର ରାଜେନ୍ଦ୍ର ମହାବିଦ୍ୟାଳୟ ୧୯୪୪ ମସିହାରେ ପ୍ରତିଷ୍ଠା କରାଯାଇଥିଲା । ସେହିପରି ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଭବାନୀପାଟଣା ୧୯୬୦ ମସିହାରେ ପ୍ରତିଷ୍ଠା କରାଯାଇଥିଲା ।

   ସମ୍ବନ୍ଧିତ ଖବର


ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣା: ସୀମାଞ୍ଚଳଙ୍କ ମୃତ୍ୟୁ ସ୍ପଷ୍ଟ, ଆସିଲା ମାଂସ ଖଣ୍ଡର DNA ରିପୋର୍ଟ

ସାରୁଅ ଜମି କେଳେଙ୍କାରୀ ମାମଲା : ସ୍ଥାନୀୟ ଲୋକଙ୍କୁ କ୍ରାଇମବ୍ରାଞ୍ଚ ୩ ଜଣିଆ ଟିମ୍‌ର ପଚରାଉଚରା

ରାଜ୍ୟରେ ୧୩ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୨୯୭ କୁ ବୃଦ୍ଧି

ରାଜ୍ୟରେ ଚିହ୍ନଟ ହେଲେ ୧୬୧୭ ଜଣ କରୋନା ଆକ୍ରାନ୍ତ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୭ ହଜାର ଟପିଲା

୧୯୯୯ ମହାବାତ୍ୟା @ ୨୧: ‘ମନେ ପଡିଲେ ଏବେ ବି ଛାତି ଥରି ଉଠେ ପ୍ରଳୟଙ୍କାରୀ ବାତ୍ୟାର ତାଣ୍ଡବ’

ଆଇଆରବି ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ, ଚାଲିଛି ତଦନ୍ତ