ଜାନୁଆରୀରେ ନୂତନ ରାଜନୈତିକ ଦଳ ଗଠନ କରିବେ ସୁପରଷ୍ଟାର ରଜନୀକାନ୍ତ

ଚେନ୍ନାଇ, ୩।୧୨: ଜଣାଶୁଣା ଅଭିନେତା ସୁପରଷ୍ଟାର ରଜନୀକାନ୍ତ ଏବେ ନିଜର ରାଜନୈତିକ ଇନିଂସ ଆରମ୍ଭ କରିଛନ୍ତି। ଦୀର୍ଘ ଦିନଧରି ଚାଲିଥିବା ଚର୍ଚ୍ଚାର ଏବେ ଅବସାନ ଘଟିଛି। ରଜନୀକାନ୍ତ ଗୁରୁବାର କହିଛନ୍ତି, ସେ ଜାନୁଆରୀ ୨୦୨୧ରେ ନିଜର ନୂତନ ରାଜନୈତିକ ଦଳ ଆରମ୍ଭ କରିବେ ଓ ଏହାର ନାଁ ଘୋଷଣା ସେ ୩୧ ଡିସେମ୍ବରରେ କରିବେ। ଉଲ୍ଲେଖନୀୟ ଯେ, ତାଙ୍କ ପକ୍ଷରୁ ରାଜନୀତିରେ ପ୍ରବେଶ କରିବାର ନିଷ୍ପତ୍ତି ଖୁବ୍ ବିଚାର-ବିମର୍ଷ ପରେ ସାମନାକୁ ଆସିଛି। ରଜନୀକାନ୍ତ ଏହି ନିଷ୍ପତ୍ତି ଏଥିପାଇଁ  ଗୁରୁତ୍ବପୂର୍ଣ୍ଣ ଯେ, ତାମିଲନାଡୁରେ ୨୦୨୧ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ସେ ଏହି ନିର୍ବାଚନ ମଧ୍ୟ ଲଢିପାରନ୍ତି।

ନୂତନ ରାଜନୈତିକ ଦଳ ଗଠନ କରିବା ନେଇ ଘୋଷଣା କରିବା ସହ ରଜନୀକାନ୍ତ ଏକ ଟୁଇଟ୍ କରିଛନ୍ତି। ସେ କହିଛନ୍ତି, ଆଗାମୀ ବିଧାନସଭା ନିର୍ବାଚନରେ ଆମର ନିଶ୍ଚିତ ଭାବରେ ବିଜୟ ହେବ। ଆମେ ଲୋକଙ୍କୁ ଏକ ପାରଦର୍ଶୀ, ଦୁର୍ନୀତିମୁକ୍ତ ଓ ବିନା କୌଣସି ଜାତିଗତ-ଧାର୍ମିକ ଭେଦଭାବର ସରକାର ଦେବୁ।’

ଏହା ପୂର୍ବରୁ ସୁପରଷ୍ଟାର ରଜନୀକାନ୍ତ ତାମିଲନାଡୁର ଲୋକଙ୍କୁ ଏକ ବିକଳ୍ପ ରାଜନୈତିକ ଦଳ ଦେବାର କଥା କହିସାରିଛନ୍ତି। ନିର୍ବାଚନ ଲଢିବା ଓ ରାଜନୈତିକ ଦଳ ଗଠନ କରିବା ନେଇ ସେ ଗତ ୩୦ ନଭେମ୍ବରରେ ସଙ୍କେତ ଦେଇଥିଲେ। ରଜନୀକାନ୍ତଙ୍କ ମୁଖପାତ୍ର ରିୟାଜ କହିଛନ୍ତି, ଆମେ ନିଶ୍ଚିତ ଭାବରେ ବିଧାନସଭା ନିର୍ବାଚନ ଜିତିବୁ ଓ ଏକ ଭ୍ରଷ୍ଟାଚାର ମୁକ୍ତ ରାଜନୀତି ଆଣିବୁ। ଉଲ୍ଲେଖନୀୟ ଯେ, ତାମିଲନାଡୁ ବିଧାନସଭା ନିର୍ବାଚନ ୨୦୨୧ ରେ ହେବ। ଅଭିନେତା ରଜନୀକାନ୍ତ ଘୋଷଣା କରିଥିଲେ ତାଙ୍କ ଦଳରେ ୬୦-୬୫ ପ୍ରତିଶତ ପ୍ରାର୍ଥୀ ୪୫ ରୁ ୫୦ ବର୍ଷ ଭିତରେ ରହିବେ।