ସେନାରେ ସଂସ୍କାର: ସେନାରେ ଗଠନ କରାଯିବ ଭିଜିଲାନ୍ସ, ମାନବାଧିକାର ସେଲ

ନୂଆଦିଲ୍ଲୀ ୨୨/୮ : ଭାରତୀୟ ସେନାକୁ ଆହୁରି ଶକ୍ତିଶାଳୀ ଏବଂ ପାରଦର୍ଶୀ କରିବା ପାଇଁ ସରକାର ଏବେ କେତେକ ସଂସ୍କାରମୂଳକ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ବୁଧବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏ ସଂକ୍ରାନ୍ତୀୟ କିଛି ପ୍ରସ୍ତାବକୁ ସ୍ୱୀକୃତି ଦେଇଛନ୍ତି । ଏସବୁ ପ୍ରସ୍ତାବ ମଧ୍ୟରେ ସେନା ମୁଖ୍ୟାଳୟରୁ ୨୦୬ ଜଣ ଅଧିକାରୀଙ୍କୁ ଅନ୍ୟତ୍ର ନିୟୋଜିତ କରାଯିବା, ସେନାମୁଖ୍ୟଙ୍କ ଅଧୀନରେ ସ୍ୱତନ୍ତ୍ର ଭିଜିଲାନ୍ସ ସେଲ୍‌ ଏବଂ ସେନା ଉପମୁଖ୍ୟଙ୍କ ଅଧୀନରେ ସ୍ୱତନ୍ତ୍ର ମାନବାଧିକାର ସେଲ୍‌ ଗଠନ କରାଯିବା ଅନ୍ତର୍ଭୁକ୍ତ ।

ସ୍ଥଳସେନା ନିଜକୁ ଅଧିକ ପାରଦର୍ଶୀ କରିବା ପାଇଁ ପ୍ରସ୍ତାବ ଦେବାକୁ ଏକ କମିଟି ଗଠନ କରିଥିଲା । ଏହି କମିଟି ପ୍ରସ୍ତାବ ଦେଇଥିଲା କି ସେନା ମୁଖ୍ୟାଳୟରେ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରାଯାଉ । ସରକାର ଆଜି ଏହି ପ୍ରସ୍ତାବକୁ ଗ୍ରହଣ କରିନେଇଛନ୍ତି । ଏହାଯୋଗୁ ସେନା ମୁଖ୍ୟାଳୟରେ ନିୟୋଜିତ ୨୦୬ ଜଣ ଅଧିକାରୀଙ୍କୁ ଏବେ ବିଭିନ୍ନ ୟୁନିଟକୁ ପଠାଯିବ । ସେହିପରି ପୂର୍ବରୁ ସେନାବାହିନୀରେ ଅନେକ ଗୁଡିଏ ଭିଜିଲାନ୍ସ ସେଲ୍‌ କାମ କରୁଥିଲା । ଏହାଯୋଗୁ ସେଗୁଡିକ ମଧ୍ୟରେ ସମନ୍ୱୟ ରହୁନଥିଲା । ତେଣୁ ସରକାର ଏବେ ସ୍ଥଳସେନା ମୁଖ୍ୟଙ୍କ ଅଧୀନରେ ଏକ ସ୍ୱତନ୍ତ୍ର ଭିଜିଲାନ୍ସ ସେଲ ଗଠନ କରିବାକୁ ମଂଜୁରି ଦେଇଛନ୍ତି । ଭିଜିଲାନ୍ସ ସେଲ ଦାୟିତ୍ୱରେ ଥିବା ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ସେନାମୁଖ୍ୟଙ୍କ ଅଧୀନରେ କାମ କରିବେ ।

ଏହି ସେଲରେ ସେନାବାହିନୀର ତିନୋଟି ଯାକ ଅଙ୍ଗରୁ ପ୍ରତିନିଧିତ୍ୱ ରହିବ । ଏଥିରେ ସେନାର ଜଣେ କର୍ଣ୍ଣେଲ, ବାୟୁସେନାର ଜଣେ ଗ୍ରୁପ୍‌ କ୍ୟାପଟେନ ଓ ନୌସେନାର ଜଣେ କ୍ୟାପଟେନ ର‌୍ୟାଙ୍କର ଅଧିକାରୀ ବି ନିୟୋଜିତ ହେବେ । ଏହାଯୋଗୁ ଭିଜିଲାନ୍ସ ମାମଲାରେ ତଦନ୍ତ ପ୍ରକ୍ରିୟା ତ୍ୱାରାନ୍ୱିତ ହେବ । ସେହିପରି ସେନା ଦ୍ୱାରା ଯେପରି ମାନବାଧିକାର ଉଲ୍ଲଂଘନ ନହୁଏ, ତାହା ସୁନିଶ୍ଚିତ କରିବାକୁ ସ୍ଥଳସେନା ଉପମୁଖ୍ୟଙ୍କ ଅଧୀନରେ ଏକ ସ୍ୱତନ୍ତ୍ର ମାନବାଧିକାର ସେଲ ଗଠନ କରାଯିବ । ମାନବାଧିକାର ଉଲ୍ଲଂଘନ ସଂକ୍ରାନ୍ତରେ କୌଣସି ଅଭିଯୋଗ ଆସିଲେ ଏହି ସେଲ୍‌ ତାହାର ତଦନ୍ତ କରାଇବ ।