PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ସ୍ୱପ୍ନ ସରିବା ଆଗରୁ ରଜନୀ ଚାଲିଗଲେ, ହୃଦୟସ୍ପର୍ଶୀ କବିତା ଦେଇଥିଲା ଭିନ୍ନ ପରିଚୟ

କଳିଙ୍ଗନଗର,୫।୮: ସ୍ୱପ୍ନ ଥିଲା ପାଠ ପଢ଼ି ବଡ଼ ମଣିଷ ହେବେ । ମା’ଙ୍କ ଦୁଃଖର ଦିନ ଦୂର ହେବ । ପରିବାର ପାଇଁ ସାଜିବେ ଆଶା ବାଡ଼ି । ଆଉ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ହେବେ ଆଶାର ଆଲୋକ । ଏପରି କେତେ କ’ଣ ସ୍ୱପ୍ନ ରଜନୀଙ୍କ ମନରେ ଘର କରି ନେଇଥିଲା । ସ୍ୱପ୍ନ ଦେଖା ସରିବା ପୂର୍ବରୁ ରଜନୀ କିନ୍ତୁ ଚାଲିଗଲେ । ମାତ୍ର ୧୫ବର୍ଷ ବୟସରେ ନିଷ୍ଠୁର କର୍କଟ ଏପରି ଏକ ପ୍ରତିଭାକୁ ଚିର ଦିନ ପାଇଁ ମଉଳାଇ ଦେଇଛି । ସଂପୂର୍ଣ୍ଣ ଅସୁସ୍ଥ ସତ୍ତେ୍ୱ ପାଠ ପଢ଼ିବାର ଅଦମ୍ୟ ଇଚ୍ଛା ଯୋଗୁ ସେ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ଖବର ଶୁଣିବା ପାଇଁ କିନ୍ତୁ ସେ ଆଉ ନାହାନ୍ତି । ରଜନୀଙ୍କ ଅକାଳ ବିୟୋଗ ପରେ ତାଙ୍କ ସହପାଠୀ ଓ ଶିକ୍ଷକ, ଶିକ୍ଷୟିତ୍ରୀ ତାଙ୍କୁ ଝୁରି ହେଉଛନ୍ତି ।

କେନ୍ଦୁଝର ଜିଲ୍ଲା ପଞ୍ଚମ ପରି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ୨୦୦୫ ମାର୍ଚ୍ଚ ୧୦ ତାରିଖରେ ଜନ୍ମ ନେଇଥିଲେ ରଜନୀ । ବାପା ସୁକରାମ ମୁଣ୍ଡା ଓ ମାଆ ବିନ୍ଦା ମୁଣ୍ଡାଙ୍କର ସେ ଥିଲେ ଦ୍ୱିତୀୟ ସନ୍ତାନ । ପିଲାବେଳୁ ହିଁ ତାଙ୍କର ସୁଗୁଣ ପ୍ରସ୍ଫୁଟିତ ହୋଇଥିଲା । ବାପା ଅନ୍ୟତ୍ର ରହୁଥିବା ବେଳେ ମା’ ବିନ୍ଦା ଦାନ୍ତ କାଠି ବିକ୍ରି କରି ଦୁଇ ଝିଅଙ୍କୁ ପାଳିବା ଆରମ୍ଭ କଲେ । ସ୍ଥାନୀୟ ଅଞ୍ଚଳରୁ ପଞ୍ଚମ ପାସ୍‌ ପରେ ରଜନୀ ଉଚ୍ଚ ଶିକ୍ଷା ପାଇଁ ଦାନଗଦୀସ୍ଥିତ ବୁଦ୍ଧରାଜ ନୋଡାଲ ଉଚ୍ଚ ବିଦ୍ୟାପୀଠକୁ ଚାଲି ଆସିଲେ । ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଏଠାରେ ଥିବା ଛାତ୍ରୀନିବାସରେ ରହିବାକୁ ସୁଯୋଗ ପାଇଲେ । ବିଦ୍ୟାଳୟରେ ନିଜର ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଥିଲେ । ଏହି ଛାତ୍ରୀନିବାସରେ ରହିବା ସମୟରେ ତାଙ୍କ ମନରେ ପ୍ରକୃତି ପ୍ରତି ଗଢ଼ି ଉଠିଥିବା ଭଲ ପାଇବାକୁ ସେ ସୁନ୍ଦର ସୁନ୍ଦର କବିତା ମାଧ୍ୟମରେ ପରିପ୍ରକାଶ କରୁଥିଲେ । କବିତା ଲେଖିବା ପରେ ସେ ନିଜ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ସହପାଠୀମାନଙ୍କୁ ଶୁଣାଉଥିଲେ । ଏତେ କମ୍‌ ବୟସରେ ଉଚ୍ଚ କୋଟୀର କବିତା ତାଙ୍କୁ ଭିନ୍ନ ଏକ ପରିଚୟ ଦେଇପାରିଥିଲା । ତାଙ୍କର ଏହି କୃତୀ ପାଇଁ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ତାଙ୍କୁ ପୁରସ୍କୃତ କରିବା ସହ ଉତ୍ସାହିତ ମଧ୍ୟ କରାଇଥିଲେ ।
ସବୁ ଠିକ୍‌ଠାକ୍‌ ଚାଲିଥିବା ବେଳେ ହଠାତ୍‌ ଦେଢ଼ ବର୍ଷ ତଳେ ରଜନୀ ଅସୁସ୍ଥ ହୋଇ ପଡ଼ିଲେ । ସ୍ଥାନୀୟ ଡାକ୍ତରଖାନାରୁ ଚିକିତ୍ସିତ ହେବା ପରେ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ନଆସିବାରୁ ପରିବାର ଲୋକେ ତାଙ୍କୁ କଟକ ବଡ଼ ମେଡିକାଲ ନେଇଯାଇଥିଲେ ।

ସେଠାରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ରଜନୀଙ୍କୁ ରକ୍ତ କର୍କଟ ହୋଇଥିବା ରିପୋର୍ଟ ଆସିଲା । ଜିଲ୍ଲା ପ୍ରଶାସନର ସହଯୋଗରେ ସେଠାରେ ରଜନୀଙ୍କ ଚିକିତ୍ସା ଚାଲିଲା । କିଛି ଦିନ ତଳେ ସାମାନ୍ୟ ସୁସ୍ଥ ହେବାରୁ ରଜନୀଙ୍କୁ ତାଙ୍କ ମା’ ଘରକୁ ନେଇ ଯାଇଥିଲେ । ଦେହ ଅସୁସ୍ଥ ଥିଲେ ବି ରଜନୀ ମାଟ୍ରିକ ପରୀକ୍ଷା ଦେବାକୁ ମନ ବଳାଇଥିଲେ । ଏଥିପାଇଁ ତାଙ୍କୁ ଶିକ୍ଷକ, ଶିକ୍ଷୟିତ୍ରୀ ସମସ୍ତ ପ୍ରକାର ସହଯୋଗ କଲେ । ଶେଷରେ ଛାତ୍ରୀ ନିବାସରେ ରହି ରଜନୀ ମାଟ୍ରିକ ପରୀକ୍ଷା ଦେଲେ । ଜୁଲାଇ ୨୯ତାରିଖରେ ପରୀକ୍ଷା ଫଳ ପ୍ରକାଶ ପରେ ରଜନୀ ୨୮୨ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ତାଙ୍କ ଶିକ୍ଷକ, ଶିକ୍ଷୟିତ୍ରୀ ଜାଣିବାକୁ ପାଇଥିଲେ । ଏହାପରେ ସେମାନେ ରଜନୀଙ୍କୁ ଏହି ଖବର ଦେବାକୁ ତାଙ୍କ ସଂପର୍କୀୟଙ୍କ ସହ ଯୋଗାଯୋଗ କରିଥିଲେ । ଏହି ଖବର ଶୁଣିବାକୁ କିନ୍ତୁ ରଜନୀ ଆଉ ନାହିଁ ବୋଲି ସଂପର୍କୀୟ କହିଥିଲେ । ପ୍ରାୟ ମାସେ ତଳେ ନିଷ୍ଠୁର କର୍କଟ ରଜନୀକୁ ଚିର ନିଦ୍ରାରେ ଶୁଆଇ ଦେଇଛି । ଏହି ଖବର ମିଳିବା ପରେ ତାଙ୍କର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ସହପାଠୀଙ୍କ ଗଭୀର ଶୋକ ପ୍ରକାଶ କରିବା ସହ ରଜନୀଙ୍କ ସହ ବିତାଇଥିବା ସେହି ଅଭୁଲା ଦିନଗୁଡ଼ିକୁ ଝୁରି ହେଉଥିବା ପ୍ରକାଶ କରିଛନ୍ତି ।