ପ୍ରମୁଖ ଖବର
  • ଠାକୁରଡ଼ିହି ଛକରେ କଳ୍ପନା ପରିବହନ ସଂସ୍ଥାର କର୍ମଚାରୀଙ୍କୁ ବନ୍ଦୁକ ମୁନରେ ଲୁଟ୍, ୧୩ ଲକ୍ଷରୁ ଅଧିକ ଟଙ୍କା ନେଇ ଗଲେ ଦୁର୍ବୃତ୍ତ
  • ||
  • ବାହାରିଲା ICSE ଦଶମ ଓ ଦ୍ୱାଦଶ ରେଜଲ୍ଟ, ୱେବ୍‌ସାଇଟ୍‌ରେ ମାର୍କ ଉପଲବ୍ଧ
  • ||
  • ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରେ ଇଡିର ରେଡ୍, ସହାୟକଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା
  • ||
  • ବ୍ରହ୍ମପୁରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କନିଷି ପଡ଼ିଆରେ କରିବେ ପ୍ରଚାର
  • ||
  • ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ “ପଇତାଲାଗି ନୀତି”, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ସୋମବାରଠୁ OJEE ପ୍ରବେଶିକା: ପରୀକ୍ଷା ଦେବେ ୬୫, ୭୪୨ ଶିକ୍ଷାର୍ଥୀ, ମେ’ ୧୦ ଯାଏ ଏକ୍‌ଜାମ୍
  • ||
  • କଳାହାଣ୍ଡି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଭବାନୀପାଟଣା ଓ ଖଡିଆଳରେ ଜନସଭାରେ କରିବେ ପ୍ରଚାର
  • ||
  • ଖମ୍ବେଶ୍ୱରୀପାଲି ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍, ଏକାଧିକ ଯାତ୍ରୀ ଆହତ
  • ||
  • IPL 2024: ୱାଙ୍ଖଡ଼େରେ ମୁମ୍ବାଇ- ହାଇଦ୍ରାବାଦ ଲଢ଼େଇ, ଇଣ୍ଡିଆନ୍ସ ପାଇଁ ‘କର ବା ମର’
  • ||
  • ଦକ୍ଷିଣ ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ପାୱାର ସୋ’: ଆଜି ବ୍ରହ୍ମପୁର, ନବରଙ୍ଗପୁରରେ କମ୍ପିବ ପ୍ରଚାର ମଇଦାନ୍
  • ||
  • ୨୧ ଦିନ ହେବ ଜଳୁଛି ଓଡ଼ିଶା, ଆଜି ବି କମିବନି ପ୍ରକୋପ; ୭ରୁ ବର୍ଷା ଆଶା, କମିବ ଯନ୍ତ୍ରଣା
  • ||

ରାମଚରିତ ମାନସ ଶୁଣୁଛି, ଦୁଇ ହାତ ଯୋଡ଼ି ବସୁଛି ହନୁମାଙ୍କଡ଼...୧୦ ଦିନ ହେଲାଣି ମଣ୍ଡପରୁ ହଟୁନି

କଟକ,୨୬/୦୪: ଶ୍ରୀରାମ ଚରିତ ମାନସ ପାଠକୁ ଏକାଗ୍ରତାର ସହ ବସି ଶୁଣୁଛି । ମଝିରେ ମଝିରେ ଦୁଇ ହାତ ଯୋଡ଼ି ପ୍ରଭୁଙ୍କୁ ସୁମରଣା କରୁଛି । କ’ଣ ସବୁ ଗୁଣୁଗୁଣାଇବା ଭଳି ପାଟି ପାକୁପାକୁ କରୁଛି । ପାରାୟଣ ଶେଷରେ ଅନ୍ୟ ଭକ୍ତ, ଶ୍ରଦ୍ଧାଳୁଙ୍କ ଭଳି ମୁଣ୍ଡକୁ ଭୂମିରେ ଲଗାଇ ଦଣ୍ଡବତ କରିବା ସହିତ ଭକ୍ତଙ୍କ ଗହଣରେ ବସି ପ୍ରସାଦ ବି ଖାଉଛି । - କୌଣସି ମଣିଷର ନୁହେଁ, ଏକ ମାଙ୍କଡ଼ର ଏଭଳି ଅଦ୍ଭୂତ ଆଚରଣ ଅନେକଙ୍କୁ ଆଚମ୍ବିତ କରୁଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି କଟକ ଚୌଧୁରୀବଜାର ଚନ୍ଦନପଡ଼ିଆ ନିକଟ ମାରୁତି ମଣ୍ଡପରେ । ଦିନେ ଅଧେ ବା ସଂଯୋଗବଶତଃ ହୋଇଥିଲେ ବି କିଛି କଥା ନଥିଲା । ଗତ ୧୫ତାରିଖରୁ ଆଜିଯାଏ ପ୍ରତିଦିନ ସକାଳୁ ରାତି ପର୍ଯ୍ୟନ୍ତ ମଣ୍ଡପରେ ନିର୍ଦ୍ଦିଷ୍ଟ ସେହି ମାଙ୍କଡ଼ଟିର ଏଭଳି ଆଚରଣ ଏବେ ଚର୍ଚ୍ଚା ଓ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । 

ସନ୍ଥକବି ତୁଳସୀ ଦାସଙ୍କ ଉକ୍ତିରେ, ‘ରାମକଥା କଳିରୂପକ ବୃକ୍ଷର କୁରାଢ଼ି ସଦୃଶ, ସମସ୍ତେ ଆଦର ସହକାରେ ଏହାକୁ ଶୁଣିବା ଉଚିତ୍‌ ।’ ସନ୍ଥକବିଙ୍କ ଏ କଥା ଯେ କେବଳ ମଣିଷ ସମାଜ ଲାଗି ଉଦ୍ଦିଷ୍ଟ ତାହା କହିବା ଭୁଲ୍‌ । ନିଜ ଆଚରଣରେ ମାଙ୍କଡ଼ଟି ଏହାକୁ ପ୍ରମାଣିତ କରିଛି । ଏ ଦୃଶ୍ୟ ଯେ କେହି ବି ଦେଖୁଛନ୍ତି ଆଶ୍ଚର୍ଯ୍ୟ ହେଉଛନ୍ତି । ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମରେ ଶହ ଶହ ଲୋକଙ୍କ ଗହଣରେ ଦିନରାତି ବସି ରହି କାହାର କିଛି କ୍ଷତି କରୁନଥିବା ଏହି ମାଙ୍କଡ଼ଟି ଯେ ଏକ ବିସ୍ମୟ, ତାହା ଲୋକେ କହିବାକୁ ଆରମ୍ଭ କଲେଣି । ନିଖିଳ ଲୋକହିତକାରୀ ରାମାୟଣ ପ୍ରଚାରିଣୀ ସଭା ପ୍ରତିବର୍ଷ ପରି ଚଳିତଥର ମାରୁତି ମଣ୍ଡପରେ ଶ୍ରୀରାମଚରିତ ମାନସ ପାଠ ପାରାୟଣ ଆୟୋଜନ କରିଛି । ଦୀର୍ଘ ୬୭ ବର୍ଷ ଧରି ଅନୁଷ୍ଠାନ ଏଠାରେ ୨୧ ଦିନ ଧରି କାର୍ଯ୍ୟକ୍ରମ ଆୟୋଜନ କରିଆସୁଛି । ଅଶୋକାଷ୍ଟମୀଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ସହରର ଅନେକ ଶ୍ରୀରାମପ୍ରେମୀ ଭକ୍ତ, ଶ୍ରଦ୍ଧାଳୁ ଯୋଗ ଦେଉଛନ୍ତି । ତେବେ ଆୟୋଜକମାନଙ୍କ କହିବାନୁସାରେ, ଗତ କିଛି ବର୍ଷ ଧରି ଏଠାରେ ଆଚମ୍ବିତ କରିବା ଭଳି ଘଟଣା ଘଟିଆସୁଛି, ଯାହା ଆଖିରେ ନଦେଖିଲେ ବିଶ୍ୱାସ କରିବା ଅସମ୍ଭବ । କାର୍ଯ୍ୟକ୍ରମ ଆରମ୍ଭ ହେବା ଦିନରୁ ଶେଷ ହେବା ଯାଏ ପ୍ରତିଥର ଏକ ମାଙ୍କଡ ଏଠାରେ ରହିଥାଏ । 

ଚଳିତଥର ଗତ ୧୫ ତାରିଖରୁ ଏ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସେହି ଦିନଠାରୁ ହଠାତ୍‌ ମାଙ୍କଡ଼ଟି କେଉଁଆଡୁ ଆସି ମଣ୍ଡପରେ ପହଞ୍ଚିଥିଲା । ହନୁମାଙ୍କଡ଼ଟି ପୋଷା ନୁହେଁ । ତାର ଆଚରଣ ଓ ଭକ୍ତିଭାବ ଅସାଧାରଣ ହୋଇଥିବାରୁ ଏଠାକୁ ଆସୁଥିବା ଶ୍ରଦ୍ଧାଳୁମାନେ ଆଶ୍ଚର୍ଯ୍ୟ ଚକିତ ହୋଇଥିଲେ । ପାରାୟଣ ଚାଲିଥିବା ସମୟରେ ମଣିଷଙ୍କ ଭଳି ହାତ ଯୋଡ଼ି ବସିବା, ମୁଣ୍ଡିଆ ମାରିବା ଭଳି ଆଚରଣ ତା’ଠାରେ ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ, ତାକୁ ଯିଏ ଯାହା ଦେଲେ ସେ କାହା ହାତରୁ ନେଇ କିଛି ଖାଉନି । କେବଳ ଭୋଗ ଦେଲେ ଅତି ଶ୍ରଦ୍ଧାରେ ତାକୁ ଆହାର କରୁଛି । ଯଜମାନ ସାଜିଥିବା ଜଟାଧାରୀ ପରିଡ଼ା ଓ ଉମା ପରିଡ଼ାଙ୍କ ହାତରୁ ମାଙ୍କଡ଼ଟି ଭୋଗ ଖାଉଥିବାର ଦୃଶ୍ୟ ଏବେ ପ୍ରାୟତଃ ଦେଖିବାକୁ ମିଳୁଛି । ଯେଉଁଠି ବାଜା, ଢୋଲ ଶବ୍ଦ ହେଲେ ସାଧାରଣ ମାଙ୍କଡ଼ ରହିବା କଥା ନୁହେଁ, ସେଠି ଏହି ମାଙ୍କଡ଼ଟି ବେଶ୍‌ ଶ୍ରଦ୍ଧାରେ ମଣ୍ଡପରେ ବସିରହୁଛି । ଏମିତିକି ପାରାୟଣ କରୁଥିବା ପ୍ରବଚକଙ୍କ ଗାଦିରେ ବସି ବହିକୁ ଚାହିଁ ରହୁଛି । ପ୍ରତିଦିନ ସକାଳ ବେଳା ସେଠାରେ ପ୍ରଭୁ ରାମଚନ୍ଦ୍ରଙ୍କ ପାଖରେ ଯେଉଁ ଅନ୍ନପ୍ରସାଦ ଭୋଗ ଲାଗୁଛି ତାକୁ ନ ଛୁଇଁ, ସେହି ପ୍ରସାଦକୁ ଅନ୍ୟ ସ୍ଥାନରେ ବାଢ଼ି ଦେଲେ ତାହାକୁ ସାଦରେ ଗ୍ରହଣ କରୁଛି ମାଙ୍କଡ଼ଟି । ମଣ୍ଡପ ଭିତରେ ପ୍ରଭୁଙ୍କ ବିଗ୍ରହ କିମ୍ବା ପ୍ରସାଦକୁ ହାତ ନଲଗାଇ ଦୂରରେ ମନ୍ଦିର ସାମ୍ନାରେ ଥିବା ହନୁମାନଙ୍କ ପ୍ରତିମୂର୍ତ୍ତି ପାଖରେ ବସିରହୁଛି । 

ଏ ସମ୍ପର୍କରେ ଆୟୋଜକ ଅନୁଷ୍ଠାନର ସମ୍ପାଦକ ଦେବାନନ୍ଦ ସିଂହ କହିଛନ୍ତି, ଆମେ ମାଙ୍କଡ଼ଙ୍କୁ ସାଧାରଣତଃ ହନୁମାନଙ୍କ ପ୍ରତିନିଧି ବା ପ୍ରତିଛବି ଭାବେ ଦେଖିଥାଉ । ତେଣୁ ଏ କାର୍ଯ୍ୟକ୍ରମରେ ଏହି ମାଙ୍କଡ଼ଟିର ଏଭଳି ଆଚରଣକୁ ଦେଖି ଆମେ ଅଭିଭୂତ ହେଉଛୁ । ଲାଗୁଛି, ସତେଯେମିତି ବୀର ହନୁମାନ ପାରାୟଣରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରୁଛନ୍ତି³ ପ୍ରଭୁ ଶ୍ରୀରାମଙ୍କ ପୂଜା, ସୁମରଣା କରୁଛନ୍ତି । ଗତ ୧୦ ଦିନ ଧରି ସେ ଏଠାରେ ରହିଛି ହେଲେ କାହାର କିଛି କ୍ଷତି କରୁନି । ଆମରି ସହିତ ମଣ୍ଡପରେ ଶୋଉଛି, ଖାଉଛି, ପ୍ରବଚନ ଶୁଣୁଛି ଏବଂ ଭଜନ କୀର୍ତ୍ତନରେ ଉଲ୍ଲସିତ ମଧ୍ୟ ହେଉଛି ବୋଲି ଶ୍ରୀ ସିଂହ ପ୍ରକାଶ କରିଛନ୍ତି । ସେହିପରି କାର୍ଯ୍ୟକ୍ରମର ଯଜମାନ ଉମା ପରିଡ଼ା କହିଛନ୍ତି, ‘ମାଙ୍କଡ଼କୁ ଦେଖି ଆମ ଭିତରେ ଆଦୌ ଭୟ ଆସୁନାହିଁ । ସେ ପ୍ରାୟ ସମୟରେ ମୋ କୋଳରେ ବସିପଡୁଛି । ପିଲାଟି ଭଳି ମୋ ହାତରୁ ଖାଉଛି । ଲାଗୁଛି ସତେଯେମିତି ପ୍ରଭୁ ନିଜେ ମୋ ଉପରେ କୃପା କରୁଛନ୍ତି ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.