ରଣଜୀ ଟ୍ରଫି ସେମି ଫାଇନାଲ୍, ପୂଜାରାଙ୍କ ଶତକ, ସୌରାଷ୍ଟ୍ର ବିଜୟ ନିକଟତର

ମୁମ୍ବାଇ, ୨୭ା୧(ଏଜେନ୍ସି): ଡିଫେଣ୍ଡିଂ ଚାମ୍ପିଅନ୍ ବିଦର୍ଭ ପ୍ରଥମ ଦଳ ଭାବେ ଚଳିତ ରଣଜୀ ଟ୍ରଫିର ଫାଇନାଲ୍ରେ ସ୍ଥାନ ପକ୍କା କରିସାରିଛି । ଟାଇଟଲ ଲଢେଇରେ ବିଦର୍ଭକୁ ଭେଟିବା ପାଇଁ ସୌରାଷ୍ଟ୍ର ପଥ ପରିସ୍କାର କରି ଦେଇଛି । କର୍ଣ୍ଣାଟକ ବିପକ୍ଷ ଦ୍ୱିତୀୟ ସେମି ଫାଇନାଲ୍ରେ ସୌରାଷ୍ଟ୍ର ବିଜୟଠୁ ମାତ୍ର ୫୫ ରନ୍ ଦୂରରେ ରହିଛି । ଚେତେଶ୍ୱର ପୂଜାରାଙ୍କ ଅପରାଜିତ ଶତକ ବଳରେ ସୌରାଷ୍ଟ୍ରର ଫାଇନାଲ୍ ସ୍ୱପ୍ନ ଏକ ପ୍ରକାର ନିଶ୍ଚିତ ହୋଇ ଯାଇଛି ।
ବେଙ୍ଗାଲୁରୁ ଠାରେ ଚାଲିଥିବା ଏହି ମ୍ୟାଚ୍ରେ କର୍ଣ୍ଣାଟକ ପ୍ରଥମ ଇନିଂସରେ ୨୭୫ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ଜବାବରେ ସୌରାଷ୍ଟ୍ର ପ୍ରଥମ ଇନିଂସରେ ସମସ୍ତ ୱିକେଟ୍ ହରାଇ ୨୩୬ ରନ୍ ସଂଗ୍ରହ କରିଥିଲା । ୩୯ ରନ୍ରେ ପ୍ରଥମ ଇନିଂସ ଆଗୁଆ ଥାଇ କର୍ଣ୍ଣାଟକ ଦ୍ୱିତୀୟ ଇନିଂସରେ ୨୩୯ ରନ୍ ସଂଗ୍ରହ କରିଥିଲା । ଏଥିସହ ଘରୋଇ ଦଳ ମୋଟ୍ ୨୭୮ ରନ୍ରେ ଅଗ୍ରଣୀ ହାସଲ କରିଥିଲା । ଦଳ ପକ୍ଷରୁ ଶ୍ରେୟାସ ଗୋପାଳ ସର୍ବାଧିକ ୬୧ ରନ୍ କରିଥିବାବେଳେ ମୟଙ୍କ ଅଗ୍ରୱାଲ୍ ୪୬, ଅଭିମନ୍ୟୁ ମିଥୁନ ଅପରାଜିତ ୩୭ ଓ ମନୀଷ ପାଣ୍ଡେ ୨୬ ରନ୍ କରିଥିଲେ । ସୌରାଷ୍ଟ୍ର ପକ୍ଷରୁ ଧର୍ମେନ୍ଦ୍ର ଜାଡେଜା ସର୍ବାଧିକ ୫ଟି ୱିକେଟ୍ ନେଇଥିଲେ ।
୨୭୯ ରନ୍ର ବିଜୟ ଲକ୍ଷ୍ୟ ନେଇ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିବା ସୌରାଷ୍ଟ୍ର ୨୩ ରନ୍ରେ ୩ଟି ୱିକେଟ୍ ହରାଇ ସଂକଟରେ ପଡ଼ି ଯାଇଥିଲା । ଏହାପରେ ବ୍ୟାଟିଂ କରିବାକୁ ଆସଇଥିବା ଚେତେଶ୍ୱର ପୂଜାରା ଓ ସେଲଡନ ଜାକ୍ସନ୍ ଲଢୁଆ ବ୍ୟାଟିଂ କରି ସ୍ଥିତି ସୁଧାରିଥିଲେ । କର୍ଣ୍ଣାଟକ ବୋଲରମାନେ ଏହି ଯୋଡି ଭାଙ୍ଗି ପାରି ନଥିଲେ । ଚତୁର୍ଥ ଦିବସ ଷ୍ଟମ୍ପ ଅପସାରଣ ପର୍ଯ୍ୟନ୍ତ ଉଭୟ ଅପରାଜିତ ରହି ଦଳୀୟ ସ୍କୋରକୁ ୨୨୪ରେ ପହଞ୍ଚାଇଥିଲେ । ପୂଜାରା ୧୦୮ ଓ ଜାକସନ ୯୦ ରନ୍ କରି ଅପରାଜିତ ରହିଥିଲେ । ଅନ୍ତିମ ଦିବସରେ ସୌରାଷ୍ଟ୍ରକୁ ବିଜୟ ପାଇଁ ଆଉ ୫୫ ରନ୍ ଆବଶ୍ୟକ ହେଉଥିବାବେଳେ ହାତରେ ୭ଟି ୱିକେଟ୍ ରହିଛି ।