ନାବାଳିକା ଦୁଷ୍କର୍ମ ପରେ ଭିଡିଓ ଭାଇରାଲ୍‌: ଦୁଇ ନାବାଳକ ସମେତ ୩ ଗିରଫ

ଭଞ୍ଜନଗର ୨୧/୧୧: ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯିବା ସହ ସେହି ସମୟର ଆପତ୍ତିଜନକ ଭିଡିଓ ଉତ୍ତୋଳନ କରାଯାଇଛି । ପରେ ଏହି ଭିଡିଓ ଭାଇରାଲ୍‌ ନେଇ ଜଗନ୍ନାଥପ୍ରସାଦ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତିକରି ପୁଲିସ ୨ ନାବାଳକଙ୍କ ସହ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲଣ କରିଛି ।

ପୁଲିସ୍‌ ସୂଚନା ପ୍ରକାରେ, ଚଳିତ ବର୍ଷ ଅଗଷ୍ଟ ୧୨ ତାରିଖରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ୨ ଜଣ ନାବାଳକ (୧୭ ବର୍ଷ) ଉକ୍ତ ନାବାଳିକାଙ୍କୁ ଜବରଦସ୍ତ ଏକ ବୁଦା ମୂଳକୁ ଘୋଷାଡ଼ି ନେଇଥିଲେ । ଜଣେ ନାବାଳକ ବଳାତ୍କାର କରିଥିବାବେଳେ ଅନ୍ୟଜଣେ ଏହାର ଭିଡିଓ ରେକର୍ଡିଂ କରିଥିଲେ । ଏହାର ୨ଦିନ ପରେ ଉକ୍ତ ଭିଡିଓ ଦେଖାଇ ଭାଇରାଲ କରିଦେବାର ଧମକ ଦେଇ ପୁଣିଥରେ ଶାରୀରିକ ସମ୍ପର୍କ ରଖିଥିଲେ । ପରେ ସେହି ଭିଡିଓକୁ ନିଜ ଗ୍ରାମର ଶିବରାମ ପ୍ରଧାନ (୨୦ ବର୍ଷ)ଙ୍କୁ ଦେଖାଇଥିଲେ । ଭିଡିଓ ଦେଖିବା ପରେ ଶିବରାମ ମଧ୍ୟ ସମ୍ପୃକ୍ତ ନାବାଳିକାକୁ ଭିଡିଓ ଭାଇରାଲ କରିବାର ଧମକ ଦେଇ ଶାରୀରିକ ସମ୍ପର୍କ ରଖିଥିଲା । ଏହାକୁ ନେଇ ସମ୍ପୃକ୍ତ ନାବାଳିକା ଆପତ୍ତି କରିବାରୁ ଶିବରାମ ଭିଡିଓଟିକୁ ଭାଇରାଲ କରିଥିଲା । ଉକ୍ତ ଭିଡିଓ ଭାଇରାଲ୍‌ ହେବାର ପୀଡ଼ିତାଙ୍କ ଭିଣୋଇ ଜାଣିବାକୁ ପାଇଥିଲେ । ଏ ନେଇ ଶ୍ୱଶୁର ଓ ଶାଳିଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ । ପରେ ଅଗଷ୍ଟ ୧୭ ତାରିଖରେ ନାବାଳିକା ପୀଡ଼ିତା ଜଗନ୍ନାଥପ୍ରସାଦ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଥାନାରେ ମାମଲା ରୁଜୁ ହେବା ଜାଣି ୨ ନାବାଳକଙ୍କ ସମେତ ଅଭିଯୁକ୍ତ ଶିବରାମ ପ୍ରଧାନ ଫେରାର ହୋଇଯାଇଥିଲେ ।

ଏ ସମ୍ପର୍କରେ ଭଞ୍ଜନଗର ଏସ୍‌ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ ଗଠନ ହୋଇଥିଲା । ଏହି ଟିମ୍‌ ଜଗନ୍ନାଥପ୍ରସାଦ ଥାନା ଅଧୀନ ଚଢେୟାପଲ୍ଲୀ, ଚୋପରା ଓ ବଡ଼ଗଡ଼ ଥାନା ଅଧୀନ ବଡ଼ଗଡ଼ ଗ୍ରାମରେ ଚଢଉ କରି ଉକ୍ତ ୩ଜଣଙ୍କୁ ଧରିଥିଲେ । ପୀଡ଼ିତାଙ୍କ ସହ ସମସ୍ତ ଅଭିଯୁକ୍ତଙ୍କ ଡାକ୍ତରୀ ପରୀକ୍ଷା କରାଯାଇଥିଲା । ସମ୍ପୃକ୍ତ ନାବାଳିକାଙ୍କୁ ମାଜିଷ୍ଟେଟ୍‌ଙ୍କ ନିକଟରେ ହାଜର କରାଯାଇ ତାର ବୟାନ ରେକର୍ଡ କରାଯାଇଛି । ପକ୍‌ସୋ ଆଇନ ବଳରେ ସମସ୍ତ ଅଭିଯୁକ୍ତଙ୍କୁ ବୁଧବାର ଗିରଫ କରାଯାଇଛି । ୨ଜଣ ନାବାଳକଙ୍କୁ ବ୍ରହ୍ମପୁର ସୁଧାର ଗୃହକୁ ପଠାଇ ଯାଇଥିବା ବେଳେ ଶିବରାମକୁ କୋର୍ଟଚାଲଣ କରାଯାଇଛି ।

   ସମ୍ବନ୍ଧିତ ଖବର


ଉନ୍ନାଓ ଗଣଦୁଷ୍କର୍ମ ମାମଲା: ଅଭିଯୁକ୍ତ ବିଧାୟକଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇ ବିଜେପି ସାଂସଦ ସାକ୍ଷୀ ମହାରାଜ ହେଲେ ଟ୍ରୋଲ, ପ୍ରିୟଙ୍କା ଗାନ୍ଧି ଦେଲେ ଏଭଳି ପ୍ରତିକ୍ରିୟା

ପିସ୍ତଲ ଛଡାଇ…ଫାୟାରିଂ କଲେ… ସାମ୍ବାଦିକ ସମ୍ମିଳନୀରେ ସମ୍ପୂର୍ଣ୍ଣ ଏନକାଉଣ୍ଟର ଘଟଣାକ୍ରମ ସମ୍ପର୍କରେ ସୂଚନା ଦେଲେ କମିଶନର

ଉନ୍ନାଓ ପୀଡିତାଙ୍କ ସ୍ଥିତି ସଙ୍କଟାପନ୍ନ, ଭେଣ୍ଟିଲେଟରରେ ରହି ଭାଇଙ୍କୁ କହିଲେ- ଅଭିଯୁକ୍ତକୁ ଛାଡ ନାହିଁ, କଠୋର ଦଣ୍ଡ ଦିଅ

ହାଇଦ୍ରାବାଦ ଦୁଷ୍କର୍ମ ଓ ହତ୍ୟା ମାମଲା: ଏନକାଉଣ୍ଟରେ ୪ଦୁଷ୍କର୍ମକାରୀ ନିହତ ହେବା ପରେ ‘ନିର୍ଭୟା’ଙ୍କ ମା’ କହିଲେ- ଆତ୍ମା…