ହିମାଚଳ ସୀମାରେ ଉଡ଼ିଲା ରାଫେଲ

ନୂଆଦିଲ୍ଲୀ,୧୨।୮: ଚୀନ୍‌ ସହିତ ସୀମାରେ ତିକ୍ତତା ଲାଗି ରହିଥିବା ପରିପ୍ରେକ୍ଷୀରେ ଭାରତୀୟ ବାୟୁସେନାର ରାଫେଲ ଯୁଦ୍ଧବିମାନ ଏବେ ହିମାଚଳ ପ୍ରଦେଶ ସୀମାରେ ରାତ୍ରକାଳୀନ ଉଡାଣ ଭରୁଛି । ଯଦି ପରିସ୍ଥିତି ବିଗିଡିଯାଏ, ତା’ହେଲେ ଏହି ଯୁଦ୍ଧବିମାନଗୁଡିକୁ ଯେପରି ସେଠାରେ ସହଜରେ ବ୍ୟବହାର କରିହେବ ସେଥିପାଇଁ ଏପରି କରାଯାଉଛି ।

ଜୁଲାଇ ୨୯ରେ ଭାରତ ୫ଟି ରାଫେଲ ବିମାନକୁ ବାୟୁସେନାରେ ସାମିଲ କରିଥିଲା । ଫ୍ରାନ୍ସ ନିର୍ମିତ ଏହି ଯୁଦ୍ଧବିମାନକୁ ନେଇ ବାୟୁସେନା ଗୋଲଡେନ୍‌ ଆରୋଜ୍‌ ନାମକ ଏକ ସ୍କ୍ୱାଡ୍ରନ ଗଠନ କରିଛି । ଭାରତ ସମୁଦାୟ ୩୬ଟି ବିମାନ କିଣିବାକୁ ଥିବାବେଳେ ଏହା ମଧ୍ୟରୁ ୧୮ଟିକୁ ଅମ୍ୱାଲାରେ ଏବଂ ବାକି ୧୮ଟିକୁ ଭୁଟାନ୍‌ ସୀମାକୁ ଲାଗିକରିଥିବା ହାସିମାରା ଘାଟିରେ ମୁତୟନ କରିବାକୁ ଯୋଜନା କରିଛି ।

ହେଲେ ଏବେ ଏହି ବିମାନର ଉଡାଣ ହିମାଚଳ ସୀମାରେ କରାଯିବା ପଛରେ ଏକ କାରଣ ଅଛି । ତାହା ହେଲା ଚୀନ୍‌ ସେନା ପାଖରେ ଯେଉଁ ଇଲେକ୍ଟ୍ରୋନିକ ରାଡାର ରହିଛି, ତାହା ବେଶ୍‌ ଅତ୍ୟାଧୁନିକ ଅଟେ । ଆମେରିକୀୟ ବାୟୁସେନାର ମୁକାବିଲା କରିବା ପାଇଁ ଚୀନ୍‌ ସେନା ଏହାର ନିର୍ମାଣ କରିଛି । ଏହା ସାହାଯ୍ୟରେ ଶତ୍ରୁ ଯୁଦ୍ଧବିମାନର ଫ୍ରିକ୍ୱେନ୍ସି ଜଣାପଡିବ ଏବଂ ଯୁଦ୍ଧ ସମୟରେ ତା’ ସାହାଯ୍ୟରେ ଉକ୍ତ ବିମାନର ଇଲେକ୍ଟ୍ରୋନିକ୍‌ ପ୍ରଣାଳୀକୁ ଜାମ୍‌ କରିହେବ । ଭାରତୀୟ ବାୟୁସେନା ପାଖରେ ଥିବା ଅନ୍ୟ ଶ୍ରେଣୀର ଯୁଦ୍ଧବିମାନକୁ ଏବେ ଲଦାଖ କିମ୍ୱା ହିମାଚଳ ସୀମାରେ ଉଡାଇଲେ ଭାରତ ସେଇ ସମସ୍ୟା ଭୋଗିବ । ତେଣୁ ଏହାକୁ ଏଡାଇବା ପାଇଁ ସେଠାରେ ରାଫେଲକୁ ବ୍ୟବହାର କରାଯାଉଛି ।

କାରଣ ରାଫେଲ ବିମାନରେ ଏଭଳି ଟେକେ୍‌ନାଲୋଜି ଲଗାଯାଇଛି ଯାହା ମାଧ୍ୟମରେ ସିଏ ନିଜର ଫ୍ରିକ୍ୱେନ୍ସି ବଦଳାଇ ଦେଇପାରିବ । ତେଣୁ ଅଭ୍ୟାସ କରିବା ସମୟରେ ଏହାର ଫ୍ରିକ୍ୱେନ୍ସି ଯାହା ଥିବ, ଯୁଦ୍ଧ ସମୟରେ ସେଇଆ ନଥିବ । ଭାରତର କିଛି ପ୍ରତିରକ୍ଷା ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ଯେ ଲଦାଖ ସୀମାରେ ବି ଏହି ବିମାନର ଉଡାଣ କରାଯାଉ । ରାଫେଲ ବିମାନରେ ଫ୍ରାନ୍ସ ନିର୍ମିତ ମିଟିଓର ଏବଂ ସ୍କାଲ୍‌ପ ମିସାଇଲ ଲାଗିଛି । ମିଟିଓର ମିସାଇଲ ଆକାଶରୁ ଆକାଶରେ ମାଡ଼ କରିପାରିବ । ଏହାର ରେଂଜ ହେଉଛି ୧୨୦ରୁ ୧୫୦ କିମି । ସେହିପରି ସ୍କାଲପ୍‌ ହେଉଛି ଆକାଶରୁ ଭୂପୃଷ୍ଠରେ ମାଡ଼ କରାଯାଇପାରୁଥିବା ଏକ କ୍ରୁଜ୍‌ ମିସାଇଲ । ଏହା ସାହାଯ୍ୟରେ ଶତ୍ରୁର ସୈନ୍ୟ ଘାଟି ଏବଂ ଅନ୍ୟ ସଂରଚନାକୁ ନଷ୍ଟ କରାଯାଇପାରିବ ।

   ସମ୍ବନ୍ଧିତ ଖବର


ଓଲାଗି ନାଗାର୍ଜୁନ ବେଶ ସଂଗ୍ରହାଳୟରେ ରହିବ, ଚଳିତଥର ହେବନି ପତିତପାବନଙ୍କ ବେଶ

ରାଜ୍ୟରେ କୋଭିଡ ଟିକା ସଂରକ୍ଷଣ ପାଇଁ ଭିତ୍ତିଭୂମି ସମସ୍ୟା: ୫୦ ହଜାର ଟିକା ସଂରକ୍ଷଣ ପାଇଁ ସମ୍‌ରେ ପ୍ରସ୍ତୁତି

ଆଜିଠୁ ପଞ୍ଚୁକ, ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ

କଟକ IIFL ଶାଖାରୁ ଲୁଟ୍ ଘଟଣା : ଜଣେ ମହିଳାଙ୍କ ସମେତ ୪ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା

ମହଙ୍ଗା ପଡ଼ିଲା ଓଟିଭି ଜମି ଅନିୟମିତତା, ବେଗୁନିଆର ପୂର୍ବତନ ତହସିଲଦାର ବିବେକାନନ୍ଦ ପରିଡ଼ା ନିଲମ୍ବିତ

ବିଦେଶରୁ ଦାନ ସଂଗ୍ରହ କରିବ ଶ୍ରୀମନ୍ଦିର