ଦେଶରେ ରାପିଡ୍‌ ଟେଷ୍ଟିଂ ବନ୍ଦ, ଆଇସିଏମ୍‌ଆର ଯାଞ୍ଚ ସରିବା ପରେ ହେବ ନିଷ୍ପତ୍ତି

ନୂଆଦିଲ୍ଲୀ ୨୬/୪: ବର୍ତ୍ତମାନ ପାଇଁ ରାପିଡ୍‌ ଆଣ୍ଟିବଡି ଟେଷ୍ଟ କିଟ୍‌ରେ କରୋନା ନମୁନା ପରୀକ୍ଷାକୁ ବନ୍ଦ ରଖାଯାଇଛି । ଏହା ତ୍ରୁଟିପୂର୍ଣ୍ଣ ବୋଲି ଅଭିଯୋଗ ହେବା ପରେ ଭାରତୀୟ ଭେଷଜ ଅନୁସନ୍ଧାନ ପରିଷଦ (ଆଇସିଏମ୍‌ଆର୍‌) ତାର ଯାଞ୍ଚ କରୁଛି । ଏହି ଯାଞ୍ଚ ଶେଷ ନହେବା ପର୍ଯ୍ୟନ୍ତ ରାପିଡ଼ ଆଣ୍ଟିବଡି ଟେଷ୍ଟ କିଟ୍‌ରେ ଆଉ ନମୁନା ପରୀକ୍ଷା ନକରିବାକୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପରାମର୍ଶ ଦିଆଯାଇଛି । ଆଇସିଏମ୍‌ଆର ପକ୍ଷରୁ ଗଠିତ ଏକ ବିଶେଷଜ୍ଞ କମିଟି ଏହି କିଟ୍‌ର ସଠିକତା ନେଇ ଅନୁଧ୍ୟାନ କରୁଛନ୍ତି । ଚୀନ୍‌ର ଦୁଇଟି ଫାର୍ମରୁ ଏହି କିଟ୍‌ କିଣାଯାଇଥିଲା । ତେବେ ରାଜସ୍ଥାନ ଓ ପଶ୍ଚିମବଙ୍ଗ ସମେତ ଅନ୍ୟ କେତେକ ରାଜ୍ୟ ଏହି କିଟ୍‌ ଠିକ୍‌ ରିପୋର୍ଟ ଦେଉ ନଥିବା ଅଭିଯୋଗ କରିବା ପରେ ଆଇସିଏମ୍‌ଆର ତାର ଯାଞ୍ଚ କରିବା ଲାଗି ବିଶେଷଜ୍ଞ କମିଟି ଗଠନ କରିଛି ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଶୁକ୍ରବାର କହିଥିଲେ ଯେ ବିଭିନ୍ନ ରାଜ୍ୟରେ ଏହି କିଟ୍‌ରେ ହୋଇଥିବା ପରୀକ୍ଷା ରିପୋର୍ଟ ଭିନ୍ନଭିନ୍ନ ଆସିଛି । ତେଣୁ ଏହି କିଟ୍‌ ବିଶ୍ୱାସଯୋଗ୍ୟ ହେଉନାହିଁ । ଅଧିକନ୍ତୁ ଏହାର ସଠିକତା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ମଧ୍ୟ ସ୍ପଷ୍ଟ କରିନାହିଁ । ଆଇସିଏମ୍‌ଆର ନିଜ ଲ୍ୟାବରେ ଏହି କିଟ୍‌ରେ ନମୁନା ପରୀକ୍ଷା କରି ଦେଖୁଛି । ଏହା ପରେ ଉକ୍ତ କିଟ୍‌ର ବ୍ୟବହାର ନେଇ ସାନି ଗାଇଡ୍‌ଲାଇନ ଜାରି କରାଯିବ । ଗତକାଲି ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହିତ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଭିଡିଓ କନ୍‌ଫରେନ୍ସିଂ ଆଲୋଚନା ବେଳେ ଉକ୍ତ ରାପିଡ୍‌ ଆଣ୍ଟିବଡି ଟେଷ୍ଟ କିଟ୍‌ରେ ଆଉ ନମୁନା ପରୀକ୍ଷା ନକରିବା ଲାଗି ରାଜ୍ୟମାନଙ୍କୁ କୁହାଯାଇଥିଲା । ଆଇସିଏମ୍‌ଆର ପକ୍ଷରୁ ଏହାର ସଠିକତା ନେଇ ଯେପର୍ଯ୍ୟନ୍ତ ସ୍ପଷ୍ଟ କରା ନଯାଇଛି ସେପର୍ଯ୍ୟନ୍ତ ପରୀକ୍ଷା ବନ୍ଦ ରଖିବାକୁ ପରାମର୍ଶ ଦିଆଯାଇଛି । ଗତ ମଙ୍ଗଳବାର ଆଇସିଏମ୍‌ଆରର ମହାମାରୀ ରୋଗ ବିଭାଗ ମୁଖ୍ୟ ରମଣ ଆର ଗଙ୍ଗାଖେଡକର କହିଥିଲେ ଯେ ରାପିଡ ଆଣ୍ଟିବଡି ଟେଷ୍ଟ ଏବଂ ଆରଟି-ପିସିଆର ଟେଷ୍ଟ ରିପୋର୍ଟ ମଧ୍ୟରେ ୬ରୁ ୭୧ ପ୍ରତିଶତ ଫରକ ରହୁଥିବା ନେଇ କେତେକ ରାଜ୍ୟ ଅଭିଯୋଗ କରିଛନ୍ତି । ଯଦି କୌଣସି ବ୍ୟାଚ୍‌ର ରାପିଡ ଆଣ୍ଟିବଡି ଟେଷ୍ଟ କିଟ୍‌ ଖରାପ କିମ୍ବା ତ୍ରୁଟିପୂର୍ଣ୍ଣ ଥିବ ତେବେ ତାକୁ ବଦଳାଯିବ ।

ଭାରତ ସରକାର ନିକଟରେ ଚୀନ୍‌ର ଦୁଇଟି କମ୍ପାନି ଠାରୁ ୫ ଲକ୍ଷ ରାପିଡ ଆଣ୍ଟିବଡି ଟେଷ୍ଟ କିଟ୍‌ କିଣିଥିଲେ । ଦେଶରେ ଅଧିକ କରୋନା ସଂକ୍ରମିତ ରାଜ୍ୟଗୁଡିକୁ ଏହି କିଟ୍‌ ଦିଆଯାଇଥିଲା । ହଟ୍‌ସ୍ପଟ କିମ୍ବା ଅଧିକ ପଜିଟିଭ ଆସୁଥିବା ଜିଲ୍ଲାଗୁଡିକରେ ନମୁନା ପରୀକ୍ଷାକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ଏହି କିଟ୍‌ ସେହିସବୁ ଅଞ୍ଚଳକୁ ପଠାଯାଇଥିଲା । ଗତ ୨୨ ତାରିଖରେ ଆଇସିଏମ୍‌ଆର ଦୁଇଦିନ ପାଇଁ ରାପିଡ ଆଣ୍ଟିବଡି ଟେଷ୍ଟ କିଟ୍‌ ବ୍ୟବହାର ଉପରେ ରୋକ୍‌ ଲଗାଇବା ସହିତ କେବଳ ଆରଟି-ପିସିଆରରେ ନମୁନା ପରୀକ୍ଷା ଜାରି ରଖିବାକୁ କହିଥିଲା । ବର୍ତ୍ତମାନ ପଜିଟିଭ୍‌ ଚିହ୍ନଟ ଲାଗି ସନ୍ଦିଗ୍ଧ ବ୍ୟକ୍ତିଙ୍କର ଗଳା କିମ୍ବା ନାକରୁ ସ୍ୱାବ ନମୁନା ସଂଗ୍ରହ କରାଯିବା ପରେ ଆରଟି-ପିସିଆରରେ ପରୀକ୍ଷା କରାଯାଉଛି । ଏଥିରେ ପରୀକ୍ଷା ଫଳାଫଳ ଜାଣିବା ଲାଗି ୫-୬ ଘଣ୍ଟା ସମୟ ଲାଗୁଛି । କିନ୍ତୁ ରାପିଡ ଆଣ୍ଟିବଡି ଟେଷ୍ଟ କିଟ୍‌ରେ ପରୀକ୍ଷା କରିବା ଲାଗି ସନ୍ଦିଗ୍ଧ ବ୍ୟକ୍ତିଙ୍କର ରକ୍ତ ନମୁନା ସଂଗ୍ରହ କରିବାକୁ ପଡୁଛି । କିନ୍ତୁ ମାତ୍ର ୧୫ରୁ ୩୦ ମିନିଟ୍‌ ଭିତରେ ପରୀକ୍ଷା ରିପୋର୍ଟ ମିଳିପାରୁଛି । ହଟସ୍ପଟ କିମ୍ବା ଅଧିକ ସଂକ୍ରମିତ ଅଞ୍ଚଳରେ ରୋଗୀମାନଙ୍କୁ ତ୍ୱରିତ ଚିହ୍ନଟ କରିବା ଲାଗି ରାପିଡ୍‌ ଆଣ୍ଟିବଡି ଟେଷ୍ଟ କିଟ୍‌ ବ୍ୟବହାର କରାଯିବ ବୋଲି ପୂର୍ବରୁ ସରକାର କହିଥିଲେ ।

   ସମ୍ବନ୍ଧିତ ଖବର


୧ ବର୍ଷର ଆଲୋଚନା ପରେ ଡିଲ୍‌ ଫାଇନାଲ, ମୁକେଶ ଅମ୍ବାନୀଙ୍କୁ ମିଳିବ ୧ ଆରବ ଡଲାରର ଚେକ୍‌

ହ୍ୱାଟସ୍‌ଆପ୍‌ରେ ଗହଣା ପିନ୍ଧି ଡିପି ରଖିଥିଲା ମାଆ- ଧରା ହେଲା ଡକାୟତ ପୁଅ

ଭାରତୀୟ ନୌସେନାର ଶକ୍ତିଶାଳୀ ମିଶାଇଲ, ଗଭୀର ସମୁଦ୍ରରେ ବି ଶତ୍ରୁର ଜାହାଜକୁ ଲକ୍ଷ୍ୟଭେଦ କରି ଓଲଟାଇଦେବ…

ପ୍ରଧାନମନ୍ତ୍ରୀ ମୋଦି ଶୁଭାରମ୍ଭ କଲେ ଭାରତର ପ୍ରଥମ ସି-ପ୍ଲେନ୍ ସେବା, ଜାଣନ୍ତୁ ଏହାର ବିଶେଷ୍ବତ

ବିଶେଷଜ୍ଞ ମତ: ପଶୁପକ୍ଷୀଙ୍କ ଦେହରେ ରହିଛି ୮,୫୦,୦୦୦ ମାରାତ୍ମକ ଭାଇରସ, ଏଗୁଡିକ ମଣିଷ ଦେହରେ ପ୍ରବେଶ କରିପାରନ୍ତି

ଅଦଭୁତ ମଣିଷ; ପାଖରେ ଗୁଟ୍‌ଖା ନଥିବାରୁ ଚେନ୍‌ ଟାଣି ଟ୍ରେନ୍ ଆଟକାଇଦେଲା ଯାତ୍ରୀ, ଆରପିଏଫ କାଟିଲା ଚାଲାଣ…