ଏଇ ବୋଧେ ପ୍ରେମ: ଶେଷରେ ହାର୍ ମାନିଥିଲା ସମାଜ

ଦଶରଥପୁର,୧୩ା୨(ଆପ୍ର): ପ୍ରେମ ମାନେନା ଧନୀ ଗରିବ । ଜାତି ଅଜାତି, ଉଚ୍ଚ ନିଚ୍ଚ ସବୁ ପ୍ରେମ ସମ୍ମୁଖରେ ତୁଚ୍ଛ । ଦୁଇ ହୃଦୟର ମିଳନରେ ପ୍ରେମ ହୁଏ । ପ୍ରେମ ଚାହିଁଲେ ସବୁ ବାଧାବିଘ୍ନକୁ ଅତିକ୍ରମ କରିପାରେ । ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଦୁଇ ଲଭବାର୍ଡ ଜଗା ଆଉ ପ୍ରତୀକ୍ଷା । ପ୍ରେମକୁ ଶାଶ୍ୱତ କରିବା ପାଇଁ ତେର ନଈ ସାତ ଦରିଆକୁ ଡେଇଁ ନିଜ ମନର ମଣିଷ ନିକଟକୁ ଚାଲି ଆସିଥିଲେ ପ୍ରତୀକ୍ଷା । ଏହାପରେ ଦୁହିଁଙ୍କୁ ଅଲଗା କରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲା ସମାଜ । ହେଲେ ଏଥିରେ ସଫଳ ହୋଇନପାରି ଶେଷରେ ଦୁଇ ପ୍ରେମୀଙ୍କ ନିକଟରେ ହାର ମାନି ଚୁପ୍‌ ହୋଇଯାଇଥିଲା ।
ଦଶରଥପୁର ବ୍ଲକ ଚିତାଳୋ ପଞ୍ଚାୟତ ଝଡ଼ଙ୍ଗା ଗ୍ରାମର ବଟକୃଷ୍ଣ ସେଠୀଙ୍କ ପୁଅ ଜଗନ୍ନାଥ ସେଠୀ ଓରଫ୍‌ ଜଗା(୨୬) । ଜନ୍ମରୁ ଜଗାର ଦୁଇ ହାତ ନାହିଁ । ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରିଥିବା ଜଗା ଆଉ ଆଗକୁ ପଢ଼ିବାକୁ ସମର୍ଥ ହୋଇପାରିନଥିଲା । ବର୍ତ୍ତମାନ କିଛି ଛେଳି ପାଳନ କରି ସେଥିରୁ ମିଳୁଥିବା ଲାଭାଂଶରୁ ପରିବାର ଭରଣ ପୋଷଣ କରୁଛି ଜଗା । ଆଜକୁ ପ୍ରାୟ ୪ବର୍ଷ ତଳେ ଜଗା ସହିତ ଦେଖା ହୋଇଥିଲା ପ୍ରତୀକ୍ଷାର । ଚିତାଳୋ ପଞ୍ଚାୟତ କୁରୁଳି ଗ୍ରାମର ପରୀକ୍ଷିତ ସାହୁଙ୍କ ଝିଅ ପ୍ରତୀକ୍ଷା ସେତେବେଳେ ନବମ ଶ୍ରେଣୀର ଛାତ୍ରୀ ଥିଲେ । ବିଦ୍ୟାଳୟ ଯିବା ରାସ୍ତାରେ ସେ ଦୈନିକ ଜଗାକୁ ଭେଟନ୍ତି । ଦେଖା ଚାହାଁରୁ ଦୁହିଁଙ୍କ ମଧ୍ୟରେ ଗଢ଼ି ଉଠିଲା ପ୍ରେମ ସଂପର୍କ । ଜଗା ଶାରୀରିକ ଭିନ୍ନକ୍ଷମ ଜାଣି ମଧ୍ୟ ପ୍ରତୀକ୍ଷା ତାକୁ ହୃଦୟ ଦେଇ ବସିଲେ । ଦୀର୍ଘ ଦିନର ପ୍ରେମ ସଂପର୍କରେ ପରେ ପ୍ରତୀକ୍ଷାର ପରିବାର ଲୋକେ ଏହାର ଆଭାସ ପାଇଲେ । ଯାହାକୁ ନେଇ ସେମାନେ ପ୍ରତୀକ୍ଷାକୁ ଆକଟ କରିଦେବା ଆରମ୍ଭ କଲେ । ଜଗା ପ୍ରେମରେ ସଂପୂର୍ଣ୍ଣ ମଜି ଯାଇଥିବା ପ୍ରତୀକ୍ଷା କିନ୍ତୁ ପଛକୁ ଫେରିବାକୁ ଚାହୁଁନଥିଲା ।

ଜଗା ପାଇଁ ଶେଷରେ ପରିବାର ଛାଡ଼ିବା ପାଇଁ ନିଷ୍ପତ୍ତି ନେଲେ ପ୍ରତୀକ୍ଷା । ୨୦୧୯ ଅପ୍ରେଲ ମାସରେ ଜଗାର ଝଡ଼ଙ୍ଗା ଗ୍ରାମକୁ ଚାଲି ଆସିଥିଲେ ପ୍ରତୀକ୍ଷା । ଏକଥା ଜାଣିବା ପରେ ଝିଅକୁ ଫେରାଇ ଆଣିବା ପାଇଁ ଝଡ଼ଙ୍ଗାରେ ପହଞ୍ଚିଲେ ପ୍ରତୀକ୍ଷାର ପରିବାର ଓ ଗ୍ରାମବାସୀ । ବହୁ ବୁଝାଶୁଝା ପରେ ମଧ୍ୟ ପ୍ରତୀକ୍ଷା ତରଲି ନଥିଲେ । ଏକା ଜିଦ୍‌ ଥିଲା ଜଗାର ହାତ ଛାଡ଼ିବେନି । ଶେଷରେ ବାଧ୍ୟ ହୋଇ ସେଇଠି ପ୍ରତୀକ୍ଷାକୁ ଛାଡ଼ି ପରିବାର ଲୋକେ ଫେରି ଆସିଲେ । ଏହାପରେ ଜଗାର ସମସ୍ତ ଦାୟିତ୍ୱ ରହିଲା ପ୍ରତୀକ୍ଷାଙ୍କ କାନ୍ଧରେ । ଜଗାକୁ ଗାଧୋଇ ଦେବା, ସାର୍ଟ ପିନ୍ଧାଇ ଦେବା, ଖୁଆଇ ଦେବା ଆଦି ଏବେ ପ୍ରତୀକ୍ଷାଙ୍କ ନିତିଦିନିଆ କାର୍ଯ୍ୟ । ଏଥି ସହିତ ଘରର ରୋଷେଇ ଠାରୁ ଆରମ୍ଭ କରି ଯାବତୀୟ କାର୍ଯ୍ୟକୁ ପ୍ରତୀକ୍ଷା ହସି ହସି କରୁଛନ୍ତି । ଜଗାକୁ ପାଇ ସେ ବହୁତ ଖୁସି ଅଛନ୍ତି ବୋଲି ପ୍ରତୀକ୍ଷା ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

ନିଆରା ପ୍ରେମୀଯୁଗଳ କଟି-ଦେବକୀ
ବାଲେଶ୍ୱର(ଆଲୋକ କୁମାର ବାରିକ୍‌): ଭାଲେଣ୍ଟାଇନ ଡେ’ କ’ଣ ସେମାନେ ଜାଣି ନାହାନ୍ତି । କିନ୍ତୁ ପ୍ରେମରେ ପଡ଼ିଛନ୍ତି । ସମାଜରେ ପ୍ରଚଳିତ ପ୍ରଥା ପରମ୍ପରା ସେମାନଙ୍କୁ ବି ଅଟକାଇ ପାରିନି । ସମସ୍ତ ରୀତିନୀତିକୁ ସେମାନେ ପାଦରେ ଏଡ଼େଇ ଦେଇ ଏକସଙ୍ଗରେ ବଞ୍ଚିବାକୁ ନିଷ୍ପତ୍ତି ନେଇ ସଫଳ ହୋଇଛନ୍ତି । ସମାଜର ସମସ୍ତ ଲକ୍ଷ୍ମଣରେଖାକୁ ଡେଇଁ ଦୀର୍ଘ ୨୦ ବର୍ଷ ହେଲା ଏକାଠି ଜୀବନ ବିତାଉଛନ୍ତି ବାଲେଶ୍ୱର ଅଞ୍ଚଳର ସଫଳ ଦିବ୍ୟାଙ୍ଗ ଦମ୍ପତି କଟି ମହାଳିକ(୪୫) ଓ ଦେବକୀ ମହାଳିକ(୫୩) ।

ସଦର ବ୍ଲକ୍‌ ସାରଗାଁ ପଞ୍ଚୟତ ଅନ୍ତର୍ଗତ ହର୍ଷପୁରାରେ କଟି-ଦେବକୀଙ୍କ ଘର । ସେମାନଙ୍କ ପ୍ରେମକାହାଣୀ ଇତିହାସ ବର୍ଣ୍ଣିତ ପ୍ରେମକାହାଣୀଠାରୁ କମ୍‌ ନୁହେଁ । ଜନ୍ମରୁ କଟି ଦିବ୍ୟାଙ୍ଗ । ଅନ୍ୟ ଉପରେ ନିର୍ଭର କରି ସେ ଚଳୁଥିଲେ । ବୟସ ବଢ଼ିବାରୁ ସେ ମଧ୍ୟ ଅନ୍ୟମାନଙ୍କ ପାଇଁ ବୋଝ ପାଲଟିଥିଲେ । ଏପଟେ ଦିବ୍ୟାଙ୍ଗ ପାଇଁ ବିବାହ କଥା ସେ ମନରୁ ପୋଛି ଦେଇଥିଲେ । ମାତ୍ର ନିୟତିଙ୍କ ଖେଳ ଥିଲା କିନ୍ତୁ ଭିନ୍ନ । କାଳର କରାଳ ଗତିରେ ଯାଉଥିବା ବେଳେ କଟି ସହିତ ଦେବକୀଙ୍କ ସହ ଦେଖା ହୁଏ । ପ୍ରଥମ ଦେଖାରେ ପରସ୍ପର ପରସ୍ପରକୁ ମନ ଦେଇ ବସନ୍ତି । ତାପରେ ଜୀବନ ଯାତ୍ରା ନିଏ ଭିନ୍ନ ମୋଡ଼ । ଏବେ ଦିବ୍ୟାଙ୍ଗ କଟିଙ୍କ ପାଇଁ ଦେବକୀ ଗୋଡ଼ ସାଜିଛନ୍ତି ।

ପିଲାବେଳୁ ବାପାମା’ଙ୍କୁ ହରାଇ ଦେବକୀ ଭଦ୍ରକ ଜିଲ୍ଲା ଦଗଛିଆ ଗାଁର ମାମୁ ଘରେ ରହୁଥିଲେ । ଦେବକୀଙ୍କ ବୟସ ବଢ଼ିବାରୁ ଉପଯୁକ୍ତ ବରପାତ୍ରଟିଏ ଖୋଜି ମାମୁ ପାଉ ନଥିଲେ । ଅନ୍ୟପଟେ ସେହି ଗାଁରେ କଟିଙ୍କ ଝିଆରି ଘର । ସେଠାକୁ ବୁଲିଯିବା ବେଳେ କଟିଙ୍କ ସହିତ ଦେବକୀଙ୍କର ଭେଟ ହୁଏ । ଦିବ୍ୟାଙ୍ଗ ଜାଣି ମଧ୍ୟ ପ୍ରଥମ ଦେଖାରେ କଟିଙ୍କୁ ସେ ମନ ଦିଅନ୍ତି । ତାଙ୍କ ସହ ଜୀବନ କାଟିବାକୁ ନିର୍ଭର ପ୍ରତିଶ୍ରୁତି ବି ଦିଅନ୍ତି । ପରେ କଥା ଆଗକୁ ବଢ଼ିଲା । ମାତ୍ର କଟିଙ୍କଠାରୁ ଦେବକୀ ୮ ବର୍ଷ ବଡ଼ ଥିଲେ । ଏହାକୁ ନେଇ ଉଭୟ ପରିବାର ପକ୍ଷରୁ ସେମାନଙ୍କ ପ୍ରେମକୁ ମଞ୍ଜୁର ମିଳୁ ନଥିଲା । ମାତ୍ର ସେମାନଙ୍କ ଭଲ ପାଇବା ନିକଟରେ ବୟସ ବାଧକ ହୋଇ ନଥିଲା । ଝିଆରି ସମେତ କେତେକ ଲୋକଙ୍କ ମଧ୍ୟସ୍ଥିରେ ଶେଷରେ ସେମାନଙ୍କ ହାତଗଣ୍ଠି ପଡ଼ିଥିଲା ।

ଏହା ଭିତରେ ସେମାନଙ୍କ ବିବାହକୁ ୨୦ ବର୍ଷ ବିତିଲାଣି । ଭିକ୍ଷା ବୃତ୍ତି କରି ଗୁଜରାଣ ମେଣ୍ଟାଉଛନ୍ତି । ଦିନେ ଭିକ ନ ମାଗିଲେ, ଚୁଲି ଜଳେନି । ତଥାପି ସେମାନଙ୍କ ଭଲ ପାଇବା ଅତୁଟ ରହିଛି । ବିବାହର ଦୀର୍ଘ ବର୍ଷ ଭିତରେ ପରସ୍ପର ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା କିମ୍ବା ମାନ ମତାନ୍ତର ହୋଇନି । ପ୍ରତିଦିନ ଟ୍ରାଇ ସାଇକେଲରେ ଗୋଟିଏ ସିଟ୍‌ରେ ପତି-ପତ୍ନୀ ବସି ବୁଲନ୍ତି । ନିଜର ଜୀବନ ଶୈଳୀକୁ ନେଇ ସେମାନେ ଖୁସି ଅଛନ୍ତି । ପ୍ରେମିକ-ପ୍ରେମିକା ମନ ମିଶିଲେ, ବାହାଘରକୁ ଦୁନିଆର କେହି ଅଟକାଇ ପାରିବେନି । ୭ ଜନମ ଯାଏ ଏମିତି ସ୍ୱାମୀ-ସ୍ତ୍ରୀ ହୋଇ ବଞ୍ଚି ରହିବାକୁ ଈଶ୍ୱରଙ୍କୁ ପ୍ରାର୍ଥନା କରୁଥିବା ସେମାନେ କହିଥିଲେ ।

   ସମ୍ବନ୍ଧିତ ଖବର


ମୁଁ ବଞ୍ଚିଛି … : ୨ ବର୍ଷ ହେଲା ନିଜକୁ ଜୀବିତ ପ୍ରମାଣିତ କରିବାକୁ ଅଫିସରୁ ଅଫିସ୍‌ ଘୂରି ବୁଲୁଛନ୍ତି ମହିଳା

ଆମେରିକା ଫେରି ଟ୍ରମ୍ପ ଲେଖିଲେ ଭାରତ ମହାନ…ସଫଳ ହୋଇଛି ଯାତ୍ରା

ଜିମ୍‌ରେ ଧୋନୀଙ୍କ ଷ୍ଟଣ୍ଟ ଦେଖି ଆଶ୍ଚର୍ଯ୍ୟ ହେଲେ ଲୋକେ ; ଭିଡ଼ିଓ ଭାଇରାଲ

ରାସ୍ତାରେ ବୁଲୁଛି ମୁଣ୍ଡ ନଥିବା ଲୋକ ; ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌