ରତନପୁରର ରତ୍ନ ମନୋଜ

ପରିବାର ପାଇଁ ଆଖିରେ ଆଖିଏ ସ୍ୱପ୍ନ । ଦେଶ ପାଇଁ ଛାତିରେ ଛାତିଏ ସାହସ ଓ ସଂକଳ୍ପ । ଗୋଟେ ପଟେ କୁନି ଝିଅର ଦରୋଟି ସ୍ୱର ଅନ୍ୟପଟେ ଦେଶମାତୃକାର ଡାକ । ସବୁଥିରେ ସେ ମନ୍ତ୍ରମୁଗ୍‌ଧ, ମୋହଗ୍ରସ୍ତ । ପରିବାର ଓ ଦେଶ ଉଭୟ ପ୍ରତି ସମାନ ନିଷ୍ଠା ଓ ଭଲ ପାଇବା ରଖିଥିଲେ ରତନପୁରର ରତ୍ନ ମନୋଜ କୁମାର ବେହେରା । ୨୦୦୬ ମସିହାରେ ମନୋଜ ସିଆର୍‌ପିଏଫ୍‌ରେ ଯୋଗଦେଇଥିଲେ । ଫୋର୍ସରେ ଯୋଗ ଦେବା ପରଠାରୁ ସବୁକିଛି ବଦଳିଯାଇଥିଲା ମନୋଜଙ୍କ ପାଇଁ । ସିଆର୍‌ପିଏଫ୍‌ ଢାଞ୍ଚାରେ ତିଆରି ହୋଇଥିଲା ଜୀବନ । ଏଣେ ପୁଅ ଚାକିରି କଲା ପରେ ମା’ବାପା ଅନେକ ସ୍ୱପ୍ନ ଦେଖିଥିଲେ । ୨୦୧୭ ମସିହା ଡିସେମ୍ୱର ୨୪ ତାରିଖରେ ମନୋଜ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅଧୀନ ମହାଜନପୁର ଗାଁର ଇଲିଲତା ବେହେରାଙ୍କୁ ବିବାହ କରିଥିଲେ । ବର୍ଷକ ପରେ ଝିଅଟିଏ ଜନ୍ମହୋଇଥିଲା । ଗତ ଡିସେମ୍ୱର ୨୪ ତାରିଖ ଦିନ ମନୋଜ ଘରକୁ ଆସିଥିଲେ । ଘରେ ଧୁମ୍‌ଧାମ୍‌ରେ ଝିଅର ଜନ୍ମଦିନ ପାଳନ କରି ଫେବ୍ରୁଆରୀ ୬ ତାରିଖରେ ଘରୁ ଡ୍ୟୁଟିକୁ ଯାଇଥିଲେ । କେତେ କ’ଣ ସ୍ୱପ୍ନ ଦେଖିଥିଲେ..ଦ୍ୱିତୀୟ ମହଲା ଘର କରିବେ, ଧାର ଉଧାର ସୁଝିବେ । ବିଶେଷ କରି ୧୮ ମାସର ମନସ୍ୱିନୀ ପାଇଁ ମନରେ ଅନେକ ଆଶା ବାନ୍ଧିଥିଲେ । ସବୁ ଶେଷ ହୋଇଗଲା ଆତଙ୍କବାଦୀଙ୍କ ଆକ୍ରମଣରେ । ସବୁରି ଆଖିରେ ଲୁହ ।

ଗୁରୁବାର ଅପରାହ୍ନ ସାଢ଼େ ୩ଟା ବେଳେ ଜମ୍ମୁ-କାଶ୍ମୀର ପୁଲୱାମା ଜିଲ୍ଲାର ଅବନ୍ତିପୁରଠାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ୍‌ ହୋଇଥିବା ଓଡ଼ିଆ ଯବାନ ମନୋଜ ବେହେରାଙ୍କ ଗାଁ କଟକ ଜିଲ୍ଲା ନିଆଳି ଥାନା ଅଧୀନସ୍ଥ ରତନପୁର ଆଜି ସ୍ତବ୍‌ଧ ହୋଇଯାଇଛି । ରତନପୁରର ‘ରତ୍ନ’ ମନୋଜ ଆଜି ସମସ୍ତଙ୍କ ଆଖିର ଲୁହ ସାଜିଛନ୍ତି । ଏକମାତ୍ର ପୁଅକୁ ହରାଇ ଭାଙ୍ଗିପଡ଼ିଛନ୍ତି ମନୋଜଙ୍କ ପରିବାର । ମନୋଜଙ୍କ ପରିବାର କହିଲେ ବାପା ଜଟାଧାରୀ, ବୋଉ ସାବିତ୍ରୀ, ପତ୍ନୀ ଇଲିଲତା ଓ ତାଙ୍କ ଏକମାତ୍ର ୧୮ ମାସର ଅଳିଅଳି କନ୍ୟା ମନସ୍ୱନୀ । ୧୯୮୫ ମସିହା ଅକ୍ଟେବର ୯ ତାରିଖରେ ମନୋଜ ଜନ୍ମ ହୋଇଥିବା ବେଳେ ତାଙ୍କୁ ବାପା ମା’ ଶ୍ରଦ୍ଧାରେ ଡାକୁଥିଲେ ‘ଟିମା’ । ମନୋଜ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବା ବେଳେ ନିକଟସ୍ଥ ରତନପୁର ପ୍ରାଥମିକ ବିଦ୍ୟାଳୟରେ ସପ୍ତମଶ୍ରେଣୀ ପାସ୍‌ କରିବା ପରେ ପୁରୀ ଜିଲ୍ଲା ଅମରେଶ୍ୱର ହାଇସ୍କୁଲରେ ଦଶମଶ୍ରେଣୀ ପାଶ୍‌ କରିଥିଲେ । ଉଚ୍ଚ ଶିକ୍ଷା ଲାଗି ନିମାପଡ଼ା ମହାବିଦ୍ୟାଳୟରେ ୍ମ୩ରେ ନାଁ ଲେଖାଇଥିଲେ । ତେବେ କଲେଜରେ ଅଧ୍ୟୟନ କରୁଥିବା ବେଳେ ପରିବାରର ଅଭାବକୁ ଦେଖି ରୋଜଗାର ଲାଗି ଚାକିରି କରିବାକୁ ମନ ବଳାଇଥିଲେ । ସେହି ସମୟରେ ସୌନ୍ୟ ବିଭାଗରେ ସାକ୍ଷାତକାର ଦେଇ ୨୦୦୬ ମସିହାରେ ସିଆରପିଏଫ୍‌ ନିଯୁକ୍ତ ପାଇଥିଲେ ।

ମନୋଜ ଏକମାତ୍ର ପୁଅ ହୋଇଥିବାରୁ ବାପା, ମାଆଙ୍କ କଥାରେ ରାଜି ହୋଇ ଗତ ୨୦୧୬ ଜାନୁଆରୀ ୨୦ ତାରିଖରେ ସାଲେପୁର ନିଶ୍ଚିନ୍ତକୋଇଲି ଦେବେନ୍ଦ୍ର ବେହେରାଙ୍କ ଝିଅ ଇଲିଲତାଙ୍କୁ ବିବାହ କରିଥିଲେ । ୨୦୧୭ ଡିସେମ୍ୱର ୨୯ରେ ମନୋଜଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ଝିଅର ଜନ୍ମଦିନ ପାଳନ ପାଇଁ ୨୦୧୮ ଡିସେମ୍ୱର ୨୪ ତାରିଖରେ ମନୋଜ ଛୁଟିରେ ଆସି ଗତ ଜାନୁଆରି ୧୬ରେ ଝିଅର ଜନ୍ମଦିନ ପାଳନ ସାରି ଫେବ୍ରୁଆରୀ ୬ ତାରିଖରେ ନିଜ ଚାକିରିକୁ ଯାଇଥିଲେ ।

ଏ ସଂକ୍ରାନ୍ତରେ ତାଙ୍କ ବାପା କୁହନ୍ତି ପୁଅ ଗଲାବେଳେ ଆସନ୍ତା ମାର୍ଚ୍ଚ ମାସରେ ଆସିଲେ ଧାର ଉଧାର ସୁଝିବା ସହ ବାକିଥିବା ଘରକାମ କରିବ ବୋଲି କହିଯାଇଥିଲା । ହେଲେ ଆମେ ଆଉ ପୁଅର ମୁହଁକୁ ଦେଖି ପାରିବୁ ନାହିଁ ବୋଲି କହି ଭୋଭୋ ହୋଇ କାନ୍ଦି ଉଠିଥିଲେ । ସେହିପରି ପତ୍ନୀ ଇଲିଲତା ମଧ୍ୟ ସେ ଆସିଲେ ମୋତେ ଭୁବନେଶ୍ୱର ବୁଲାଇନେବେ ବୋଲି କୋହଭରା କଣ୍ଠରେ କହିଥିଲେ । ମା’ ସାବିତ୍ରୀ ପୁଅ ଦେଶ ପାଇଁ ଜୀବନ ଦେଇଥିବାରୁ ଆମେ ଗର୍ବିତ ବୋଲି କହିଛନ୍ତି । ହେଲେ ବିଚାରୀ ବୋହୂ, ନାତୁଣୀ ଓ ଆମକଥା କିଏ ବୁଝିବ ବୋଲି କହି କାନ୍ଦି ପକାଇଥିଲେ । ତେବେ ମନୋଜ ସହିଦ୍‌ ହେବା ପୂର୍ବରୁ ଗୁରୁବାର ସକାଳ ପ୍ରାୟ ୮ଟାରେ ପତ୍ନୀଙ୍କ ସହ କଥାହୋଇ ଆସନ୍ତା ମାର୍ଚ୍ଚ ମାସରେ ଘରକୁ ଯିବି ବୋଲି କହିବା ସହ ଝିଅ କ’ଣ କରୁଛି ବୋଲି ପଚାରି ବୁଝିଥିଲେ । ସ୍ତ୍ରୀଙ୍କ ସହ କଥା ହେବା ବେଳେ ଝିଅ କାନ୍ଦୁଥିବା ଫୋନରେ ଶୁଣି ତାଙ୍କୁ ବୁଝେଇ ଦେ ମୁଁ ବସ୍‌ରେ ଶ୍ରୀନଗର ଯାଉଛି । ସେଠାରେ ପହଞ୍ଚି ପରେ କଥା ହେବି ବୋଲି ଶେଷଥର ପାଇଁ କହି ଫୋନ କାଟିଦେଇଥିଲେ ।
ପୁଣି ଦିନ ପ୍ରାୟ ଗୋଟାଏ ବେଳେ ବୋଉଙ୍କୁ ଫୋନ୍‌ କରି ଘରେ ଝିଅ କାନ୍ଦୁଛ,ି ତୁ ଘରକୁ ଶିଘ୍ର ପଳା ବୋଲି କହିଥିଲେ । ଅପରାହ୍ନ ସାଢ଼େ ୩ଟାରେ ଆତଙ୍କବାଦୀଙ୍କ ଆକ୍ରମଣରେ ମନୋଜ ସହିଦ୍‌ ହୋଇଥିଲେ । ରାତି ୧୨ଟା ପରେ ଆକ୍ରମଣ ଘଟଣା ପ୍ରଚାରିତ ହେବା ପରେ ପରିବାର ପକ୍ଷରୁ ମନୋଜଙ୍କ ଫୋନ କରାଯାଇଥିଲା । କିନ୍ତୁ କୌଣସି ଉତ୍ତର ମିଳି ନଥିଲା । ମନୋଜଙ୍କ ପରିବାର ସାରା ରାତି ଅନିଦ୍ରା ହୋଇ ଭଲ ଖବର ଶୁଣିବାକୁ ଅପେକ୍ଷା କରିଥିଲେ । କିନ୍ତୁ ଶୁକ୍ରବାର ସକାଳୁ ଟିଭିରୁ ନିଜ ପୁଅ ମନୋଜ ସହିଦ୍‌ ହୋଇଥିବା ଜାଣି ଭାଙ୍ଗି ପଡ଼ିଛନ୍ତି ।

ଅବୋଧ ମନସ୍ୱିନୀ: ପରିବାର ଲୋକେ ଝିଅର ନାଁ ଦେଇଥିଲେ ମନସ୍ୱିନୀ ବେହେରା । ମାତ୍ର କିଏ ଡାକୁଥିଲା ଗୁଲୁ ତ ଆଉ କିଏ ଡାକୁଥିଳା ଇସା । କିନ୍ତୁ ବାପା ମନୋଜ ତାକୁ ଗେହ୍ଲାରେ ଡାକୁଥିଲେ ଝିଅ । ଅଜ୍ଞାନ ଶୈଶବ ଝିଅ ଏବେ ଘର ମଧ୍ୟରେ ଏତେ ଅପରିଚିତ ଲୋକ ଯିବାଆସିବା ଦେଖି କିଛି ବୁଝିପାରୁନି ସେ, କେବଳ ବଲବଲ କରି ଅନାଉଛି । କିନ୍ତୁ ସେ ଜାଣିନି ତାକୁ ସବୁଠାରୁ ଅଧିକ ଭଲପାଉଥିବା ସ୍ନେହକରୁଥିବା ଏବଂ ତାକୁ ଝିଅ ବୋଲି ଡ଼ାକୁଥିବା ବାପା ଦେଶପାଇଁ ସହିଦ ହୋଇଯାଇଛନ୍ତି ।

ସକାଳେ ଟିଭିରୁ ମୃତ୍ୟୁ ଖବର ଜାଣିଲେ:ଆତଙ୍କବାଦୀ ଆକ୍ରମଣ ଘଟଣା ଶୁଣିବା ପରେ ମନୋଜଙ୍କ ପରିବାର ଲୋକେ ଗୁରୁବାର ପୂରା ରାତି ଅନିଦ୍ରା ହୋଇ ରହିଥିଲେ । ଜମା ଭଲ ଲାଗୁ ନ ଥିଲା । ମନକୁ ପାପ ଛୁଉଁଥିଲା । ଶୁକ୍ରବାର ସକାଳୁ ଟିଭି ଖୋଲିବାରୁ ପୁଅ ମନୋଜ ସହିଦ୍‌ ହୋଇଥିବା ଖବର ଦେଖି ଭାଙ୍ଗି ପଡ଼ିଥିଲେ । ପରିବାରରେ ପଡ଼ିଯାଇଥିଲା କାନ୍ଦ ବୋବାଳି । ସାହି ପଡ଼ିଶା, ଗାଁ ଲୋକେ ରୁଣ୍ଡ ହୋଇ ମନୋଜଙ୍କ ବାପା, ବୋଉ ଓ ପତ୍ନୀଙ୍କୁ ବୁଝାଇବାରେ ଲାଗିଥିଲେ ।

କାନ୍ଥରୁ ଲିଭିନି ବାହା ଚିତା : ଗତ ୨ବର୍ଷ ତଳେ ମନୋଜ ଓ ଇଲିଲତାଙ୍କର ବିବାହ ହୋଇଥିବାବେଳେ ମନୋଜ ଆଜି ସହିଦ୍‌ ହୋଇଯାଇଥିଲେ ମଧ୍ୟ ବିବାହ ବେଳେ କାନ୍ଥରେ ଅଙ୍କାହୋଇଥିବା ଚିତା ଏବେବି ମନୋଜ ଆଉ ଇଲିଲତାଙ୍କୁ ଏକାଠିକରି ବାନ୍ଧି ରଖିଛି ।

ନିସ୍ତବ୍ଧ ପତ୍ନୀ ଇଲିଲତା: ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ନିସ୍ତବ୍ଧ ହୋଇଯାଇଛନ୍ତି ସହିଦ୍‌ ମନୋଜଙ୍କ ପତ୍ନୀ ଇଲିଲତା । ଆଖିରୁ ଲୁହ ଗଡ଼ି ଗଡ଼ି ଆଖି ଫୁଲି ଯାଇଛି । ଯିଏ ଯାହା କହିଲେ ମଧ୍ୟ ସେ ଚୁପ୍‌ ହୋଇବସି ରହିଥିବା ଦେଖିବାକୁ ମିଳିଥିଲା । ଖୁବ୍‌ କମ୍‌ ଦିନ ମଧ୍ୟରେ ସଂସାର ଆରମ୍ଭ କରିଥିବା ପତ୍ନୀ ଇଲିଲତା ମନରେ ଉଙ୍କି ମାରୁଥିବା ଅସରନ୍ତି ଆଶା ଓ ଅସୁମାରୀ ସ୍ୱପ୍ନ ସବୁ ଭାଙ୍ଗିରୁଜି ଚୂରମାର ହୋଇଯାଇଛି । ଏବେ କୋଳରେ ଥିବା ଏକମାତ୍ର ୧୮ ମାସର ଶିଶୁ କନ୍ୟା ତାଙ୍କ ପାଇଁ ସବୁକିଛି ।

ମା ପୁଅ ବୀର, ସରକାର ଜବାବ ଦିଅନ୍ତୁ: ମୋ ପୁଅ ବୀର । ସେ ଦେଶ ପାଇଁ ଜୀବନ ଦେଇ ସହିଦ ହୋଇଛି । ମାତ୍ର ସରକାର ଆକ୍ରମକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଦରକାର । ଆକ୍ରମଣକାରୀଙ୍କୁ ଦମନ କଲାବେଳେ ପୁଅ ସହିଦ୍‌ ହେଲେ ବାପା ମନକୁ ଗର୍ବ ଲାଗିବ ବୋଲି ସହିଦ୍‌ ମନୋଜଙ୍କ ବାପା ଜିତେନ୍ଦ୍ର ବେହେରା କହିଛନ୍ତି । ଏହା କହିଲାବେଳେ ତାଙ୍କ ମନରେ କ୍ରୋଧ ଜାତ ହେଉଥିଲା । କାହାକୁ କିଛି ବେଶି କଥାବାର୍ତ୍ତା କରୁନ ଥିବା ଜିତେନ୍ଦ୍ର ପୁଅର କଥାଭାବି ଦୁଆର ବନ୍ଧକୁ ଆଉଜି ଛିଡ଼ାହୋଇଥିଲେ । କୋହ ଉଠୁଥିଲା । ଆଖିରୁ ଲୁହ ଝରୁଥିଲା । ଅନେକ ସ୍ୱପ୍ନ ତାଙ୍କର ଭାଙ୍ଗିଗଲାଭଳି ବାରିହୋଇଯାଉଥିଲା ।

ମା’ଙ୍କୁ କରିଥିଲେ ଶେଷ ଫୋନ କଲ୍‌: ପୁଅ ମନୋଜ ବେହେରାଙ୍କ ମୃତ୍ୟୁ ଖବର ଶୁଣି ସ୍ତବ୍‌ଧ ହୋଇଯାଇଛନ୍ତି ମା’ ସାବିତ୍ରୀ । ଆତଙ୍କବାଦୀ ଆକ୍ରମଣ ଘଟଣାର କିଛିଘଣ୍ଟା ପୂର୍ବରୁ ଗୁରୁବାର ଅପରାହ୍ନ ଗୋଟାଏ ବେଳେ ପୁଅ ଫୋନ୍‌ରେ କଥାହୋଇଥିଲା ବୋଲି କୁହନ୍ତି ସାବିତ୍ରୀ । ଘରର ନିର୍ମାଣ ଯାହା ଅଧା ରହିଛି ମୁଁ ଆଉ ୩ମାସ ପରେ ଗଲେ ସବୁ ହୋଇଯିବ ବୋଲି ସେ କହିଥିଲେ ବୋଲି କହିଲାବେଳେ କାନ୍ଦି ପକାଇଥିଲେ ମା’ ସାବିତ୍ରୀ ।

ମୁଖ୍ୟମନ୍ତ୍ରୀଙ୍କୁ ମା’ଙ୍କ ଗୁହାର:ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ୍‌ ଯୋଗେ ସହିଦ୍‌ ମନୋଜଙ୍କ ମା’ ସାବିତ୍ରୀଙ୍କୁ ସମବେଦନା ଜଣାଇଥିଲେ । ଏତିକିବେଳେ ମା’ ସାବିତ୍ରୀ ଭେଁ ଭେଁ କରି କାନ୍ଦିବା ସହ ବାଷ୍ପରୁଦ୍ଧ କଣ୍ଠରେ ଦୁଇ ପଦ ନିବେଦନ କରିଥିଲେ । କହିଥିଲେ ଆମ ଘର କେମିତି ଚଳିବ ସାର୍‌ ଏହି ବ୍ୟବସ୍ଥା କରିବେ । ପୁଅ ଚାଲିଗଲା । ଆମର ସବୁ ଚାଲିଗଲା । ଆପଣ ବୋହୂକୁ ଚାକିରି ଦେବା ସହ ନାତୁଣୀ ପାଠ ପଢ଼ା କଥା ବୁଝିବେ । ପରିବାରର ଖର୍ଚ୍ଚ କେମିତି ହେବ ସେ କଥା ଆପଣଙ୍କୁ ଲାଗିଲା ବୋଲି କାନ୍ଦି କାନ୍ଦି କହିଥିଲେ ।

   ସମ୍ବନ୍ଧିତ ଖବର


ପ୍ରସିଦ୍ଧ ଗୀତିକାର ଅଭିଳାଷଙ୍କ ପରଲୋକ, ‘ଇତନି ଶକ୍ତି ହମେ ଦେ ନା ଦାତା…’ ଗୀତରୁ ଲାଭ କରିଥିଲେ ପ୍ରସିଦ୍ଧି

ରିୟାଙ୍କ ଏଫଆଇଆଇ ସିବିଆଇ ନିକଟରେ ପହଁଞ୍ଚିଲା, ସୁଶାନ୍ତଙ୍କ ଭଉଣୀଙ୍କୁ ଯେକୌଣସି ସମୟରେ ପଚରାଉଚରା ପାଇଁ ଡକାଯାଇପାରେ

କରୋନା ଭୟରେ ଗର୍ଭବତୀ ମହିଳାଙ୍କୁ ଫେରାଇ ଦେଲେ ୩ ହସ୍ପିଟାଲ, ଶେଷରେ ଗର୍ଭରେ ଥିବା ଯାଆଁଳା ଶିଶୁଙ୍କର ହେଲା ମୃତ୍ୟୁ

ପତ୍ନୀଙ୍କୁ ନିସ୍ତୁକ ମାଡ଼ ମାରୁଥିବା ବେଳେ ଡିଜିଙ୍କ ଭିଡିଓ ଭାଇରାଲ, ଅନ୍ୟ ମହିଳା ସହ ସମ୍ପର୍କ ବେଳେ ଧରିଥିଲେ ସ୍ତ୍ରୀ

ଡ୍ୟାମ୍ ବୁଲିବାକୁ ଆସିଥିଲେ ଡାକ୍ତର ଦମ୍ପତ୍ତି, ସେଲଫି ନେବାବେଳେ ପାଣିରେ ଖସି ପଡି ପତ୍ନୀ ନିଖୋଜ

ଆର୍ମେନିଆ-ଆଜେରବାଇଜାନ ମଧ୍ୟରେ ଯୁଦ୍ଧ, ୧୬ ମୃତ ଓ ଶତାଧିକ ଆହତ