ଶ୍ରୀମନ୍ଦିରରେ ବିକଳ୍ପ ରଥଯାତ୍ରା ପାଇଁ ପ୍ରସ୍ତୁତ ହୋଇଥିଲା ଗୁପ୍ତ ଯୋଜନା

ପୁରୀ,୩୦/୦୬: ସୁପ୍ରିମକୋର୍ଟଙ୍କ ରଥଯାତ୍ରା ବନ୍ଦ ଆଦେଶ ନ ବଦଳିଲେ ରାଜ୍ୟ ସରକାର ବିକଳ୍ପ ରଥଯାତ୍ରାର ପରିକଳ୍ପନା କରିଥିଲେ । ଜୁନ ୨୦ ତାରିଖରୁ ଏହି ବିକଳ୍ପ ଯୋଜନାକୁ ସରକାରଙ୍କ ଠାରୁ ଅନୁମୋଦନ ଅଣା ସରିଥିଲା । ଏହି ଯୋଜନା ଉପରେ ଆବଶ୍ୟକ ସହମତି ମଧ୍ୟ ବିଭିନ୍ନ ସ୍ତରରୁ ମିଳିସାରିଥିଲା । ଏହି ବିକଳ୍ପ ପରିକଳ୍ପନା ସମ୍ପର୍କରେ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜା, ମୁଖ୍ୟ ଶାସନ ସଚିବ, ଶ୍ରୀମନ୍ଦିର ପରିଚାଳନା କମିଟି କାର୍ଯ୍ୟକାରୀ ସଭାପତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ପୁରୀ ଜିଲ୍ଲାପାଳଙ୍କ ମଧ୍ୟରେ ସୀମିତ ରଖାଯାଇଥିଲା ।

ଏହି ଗୋପନ ପରିକଳ୍ପନା ପଛରେ ୧୯୯୨ରେ ମହାପ୍ରଭୁଙ୍କ ଅସ୍ଥାୟୀ ସ୍ଥାନାନ୍ତର ପାଇଁ ପ୍ରସ୍ତୁତ ଏକ ଅସ୍ଥାୟୀ ଯୋଜନା ଆଧାର ଥିଲା । ତଦନୁସାରେ ଗୋପନ ପରିକଳ୍ପନା ହୋଇଥିଲା । ୧୯୯୨ରେ ଗର୍ଭଗୃହ ମରାମତି ବେଳେ ଭିତର କାଠ ପାଖରେ ନିର୍ମାଣ ହୋଇଥିଲା ଏକ ଅସ୍ଥାୟୀ ମଣ୍ଡପ । ବଡ଼ ବଡ଼ ସାଇଜ କାଠକୁ ଅଠାରେ ଯୋଡ଼ି ଏହି ମଣ୍ଡପ ନିର୍ମାଣ ହୋଇଥିଲା । ଏହି ସିଂହାସନରେ ଶ୍ରୀବିଗ୍ରହ ଅସ୍ଥାୟୀ ଭାବେ ଅଧିଷ୍ଠିତ ହୋଇଥିଲେ ।

ଶ୍ରୀମନ୍ଦିର ଭିତରେ ରଥଯାତ୍ରା ବିଧି ପାଳନ ପାଇଁ ଗୋପନ ଭାବେ ପ୍ରସ୍ତୁତ ହୋଇଥିଲା ଦୁଇଟି ସିଂହାସନର ନକ୍ସା । ଜଗମୋହନ ରତ୍ନଭଣ୍ଡାର ପାଖ ଭିତର କାଠ ନିକଟରେ ବିକଳ୍ପ ସିଂହାସନ ଏବଂ ଆନନ୍ଦବଜାର ଭିତରେ ଆଡ଼ପ ମଣ୍ଡପ ପ୍ରତିରୂପର ନିର୍ମାଣ ପ୍ରସ୍ତାବର ମୁଖ୍ୟ ଅଂଶ ରହିଥିଲା । ଏହି ଦୁଇ ଆସନର ନକ୍ସା ବି ପ୍ରସ୍ତୁତ ହୋଇ ଅନୁମୋଦନ ବି ମିଳିଥିଲା । ଗ୍ରାନାଇଟ୍‌ ପଥରରେ ରତ୍ନସିଂହାସନ ଏବଂ ଆଡ଼ପ ମଣ୍ଡପ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଥିଲା । ରତ୍ନସିଂହାସନ ମାପର ଅସ୍ଥାୟୀ ସିଂହାସନ ନିର୍ମାଣ ପାଇଁ ଯୋଜନା ହୋଇଥିଲା । ଜୁନ୍‌ ୨୨ ତାରିଖ ଅପରାହ୍ନ ସାଢ଼େ ୨ଟା ପର୍ଯ୍ୟନ୍ତ ଏହି ପରିକଳ୍ପନାକୁ ସଫଳ ରୂପାୟନ କରିବାକୁ ସମସ୍ତ ପ୍ରସ୍ତୁତି ଚାଲିଥିଲା ।

ଜୟ ବିଜୟ ଦ୍ୱାରକୁ ମୁହଁ କରି ରତ୍ନସିଂହାସନ ନିର୍ମାଣ ହୋଇଥାନ୍ତା । ସେହିଭଳି ରଥ ନିର୍ମାଣ ଅନୁକୂଳ ହୋଇଥିବା ସ୍ଥାନରେ ଆଡ଼ପ ମଣ୍ଡପ ପ୍ରତିରୂପ ନିର୍ମାଣ ପାଇଁ ପ୍ରସ୍ତାବ ଥିଲା । ଚାହାଣି ମଣ୍ଡପ ପାଖ (ଆନନ୍ଦ ବଜାର ହାତ ଧୂଆ କଳ ପାଖ) ଆଡ଼ପ ମଣ୍ଡପର ପ୍ରତିରୂପ ନିର୍ମାଣ ପ୍ରସ୍ତାବ ଥିଲା । ଶ୍ରୀଗୁଣ୍ଡିଚା ଦିନ ମହାପ୍ରଭୁ ପହଣ୍ଡି ବିଜେ କରି ଅସ୍ଥାୟୀ ଆଡ଼ପମଣ୍ଡପରେ ବିଜେ ହୋଇଥାଆନ୍ତେ । ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି ନବଦିନ ଯାତ୍ରା ପର୍ଯ୍ୟନ୍ତ ଅଧିଷ୍ଠିତ ହେବାର ପରିକଳ୍ପନା ରହିଥିଲା । ସନ୍ଧ୍ୟା ଦର୍ଶନ ବି ଏହି ଅସ୍ଥାୟୀ ମଣ୍ଡପରେ ହୋଇଥାନ୍ତା ।

ବାହୁଡ଼ା ଦିନ ମହାପ୍ରଭୁ ଅସ୍ଥାୟୀ ଆଡ଼ପ ମଣ୍ଡପରୁ ବାହୁଡ଼ା ପହଣ୍ଡିରେ ଆସି ଭିତର କାଠ ଠାରେ ନିର୍ମିତ ଅସ୍ଥାୟୀ ସିଂହାସନରେ ଅଧିଷ୍ଠିତ ହୋଇଥାନ୍ତେ । ଏହି ସିଂହାସନରେ ସୁନାବେଶ, ଅଧର ପଣା, ନୀଳାଦ୍ରି ବିଜେ ନୀତି ସମାପନ କରି ଚତୁର୍ଦ୍ଧାମୂର୍ତ୍ତି ଗର୍ଭଗୃହସ୍ଥ ରତ୍ନସିଂହାସନକୁ ଫେରିବାର ଯୋଜନା ଥିଲା । ଜୁନ୍‌ ୨୨ ତାରିଖ ଅପରାହ୍ନ ଅଢ଼େଇଟା ପର୍ଯ୍ୟନ୍ତ ଏହି ଗୋପନ ଯୋଜନାକୁ ଭରସି ପ୍ରଶାସନ ରହିଥିଲା ।

ଏହି ଯୋଜନା ସମ୍ପର୍କରେ କିଛି ଛାମୁଆ ସେବାୟତଙ୍କ ସହ ପ୍ରଶାସନ ପରୋକ୍ଷରେ ଆଲୋଚନା ମଧ୍ୟ କରିଥିଲା । ଏହି ବିଷୟ ଜାଣିବା ପରେ ପରେ ସେବାୟତମାନେ ମଧ୍ୟ ବଡ଼ଦେଉଳ ଭିତରେ ଏକ ବିକଳ୍ପ ପରିକଳ୍ପନାକୁ ପ୍ରଶାସନ ଆଗରେ ରଖିଥିଲେ । ସେବାୟତଙ୍କ ପରିକଳ୍ପନାରେ ପ୍ରସ୍ତାବ ଥିଲା ଭିତର କାଠ ନିକଟରେ ଅସ୍ଥାୟୀ ସିଂହାସନ ନିର୍ମାଣ ହେବ । ଅଣସର ବେଦିରୁ ସିଧା ଚତୁର୍ଦ୍ଧାମୂର୍ତ୍ତି ପହଣ୍ଡି ବିଜେରେ ବାହାରିବେ । ସାତପାହଚ ଠାରେ ଟାହିଆ ଲାଗି ହେବ । ଠାକୁରମାନେ କୀର୍ତ୍ତନ ଚକଡ଼ାରେ ପରିକ୍ରମା କରି ଭିତର କାଠ ସିଂହାସନକୁ ଫେରିବେ ।

ଏହି ସିଂହାସନରେ ପ୍ରଭୁ ସୁନାବେଶ, ଅଧରପଣା କିମ୍ବା ନୀଳାଦ୍ରି ବିଜେ ନୀତି ହେବନାହିଁ । ନୀଳାଦ୍ରି ବିଜେ ତିଥିରେ ଚତୁର୍ଦ୍ଧାମୂର୍ତ୍ତି ଗର୍ଭଗୃହ ରତ୍ନସିଂହାସନରେ ଅଧିଷ୍ଠିତ ହେବେ ବୋଲି ସେବାୟତଙ୍କ ପ୍ରସ୍ତାବ ରହିଥିଲା ବୋଲି ସୂଚନା ଦେଇଛନ୍ତି ଜଣେ ବରିଷ୍ଠ ଛାମୁଆ ଦଇତାପତି ସେବକ । ସେ କହିଛନ୍ତି ଆମକୁ ପ୍ରଶାସନର ବିକଳ୍ପ ଯୋଜନା ସମ୍ପର୍କରେ ଅବଗତ କରାଯାଇଥିଲା । କିନ୍ତୁ ଆମେ ବିକଳ୍ପ ରଥଯାତ୍ରା ପାଇଁ ପ୍ରଶାସନକୁ ପ୍ରସ୍ତାବ ଦେଇଥିଲୁ ।

   ସମ୍ବନ୍ଧିତ ଖବର


ଭାରତର ହିନ୍ଦୁତ୍ୱ ଜୀବନ ଶୈଳୀକୁ ମାନିଲେ ବ୍ରିଟେନ୍‌ର ରାଜକୁମାର

୧୨ ଶହ ଠେଲା ଗାଡି ଅଚଳ , ଦୁର୍ଦ୍ଦିନରେ ଅଢ଼େଇ ହଜାର ରିକ୍ସାବାଲା

ସିଲିଗୁଡ଼ି ପୁଲିସର ସୋରିଷ ତେଲ ଥେରାପି – କରୋନା ବିରୋଧରେ ନୂଆ ଅସ୍ତ୍ର କହି ଖାଦ୍ୟରେ ବ୍ୟବହାର ପାଇଁ ନିର୍ଦ୍ଦେଶ

ମୁଣ୍ଡିଆ ମାରିଥିଲେ ବି ଶିଶୁ ବିଶେଷଜ୍ଞ ଆସିନଥିଲେ , ଚିକିତ୍ସା ଅଭାବରୁ ନବଜାତକର ମୃତ୍ୟୁ!

ନୂଆପଡାରେ ନିର୍ମାଣାଧୀନ ବ୍ରିଜରେ ଝୁଲିଲା ଟ୍ରକ୍‌, ଡ୍ରାଇଭର ଗୁରୁତର

ରହସ୍ୟ ଘେରରେ ବନ୍ଦ ଘର ! ସାଢ଼େ ତିନି ବର୍ଷ ଧରି ଝୁଲୁଛି ତାଲା