ମହାପ୍ରଭୁଙ୍କ ଘୋଷଯାତ୍ରାକୁ ନେଇ ଅନିଶ୍ଚିତତା, ନିରବି ଯାଇଛି ରଥଖଳା

ପୁରୀ,୨୮/୪: ମହାପ୍ରଭୁଙ୍କ ଘୋଷଯାତ୍ରା ୨୦୨୦କୁ ନେଇ ଅନିଶ୍ଚିତତା ଲାଗିରହିଛି । ଅକ୍ଷୟ ତୃତୀୟା ତିଥିରେ ବିଧି ମୁତାବକ ଶ୍ରୀମନ୍ଦିର ପରିସରରେ ରଥ ନିର୍ମାଣ ଅନୁକୂଳ ପର୍ବ ଶେଷ ହୋଇଛି । ଶ୍ରୀମନ୍ଦିର ବାହାରେ କୌଣସି ଜନସମାଗମ ହେବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ଘୋଷଣା କରିଛି । ଏହି କାରଣରୁ ଅକ୍ଷୟ ତୃତୀୟା ପରଠାରୁ ଚଳଚଞ୍ଚଳ ହୋଇ ଉଠୁଥିବା ରଥଖଳା ଜନଶୂନ୍ୟ । ବିଶ୍ୱକର୍ମା ଏବଂ ମହାରଣାଙ୍କ ରଥ ନିର୍ମାଣ ସରଞ୍ଜାମ ବି ଘରେ ପଡ଼ିଛି । ରଥଖଳାର ନିରବତା ସମସ୍ତଙ୍କୁ ବିବ୍ରତ କରିଛି ।

ରଥଖଳାର ଖାଁ ଖାଁ ପରିବେଶ ଦେଖି ସମସ୍ତେ ଚଳିତ ବର୍ଷ ରଥଯାତ୍ରାର ଆଶା ଛାଡି ଦେଲେଣି । ଏଭଳି କି ମୁଖ୍ୟ ବିଶ୍ୱକର୍ମାମାନେ ବି ନିରାଶ ହୋଇ ପଡିଛନ୍ତି । ଲକ୍‌ ଡାଉନ୍‌ ଉଠିବାର କିଛି ଦିନ ପରେ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରାର ଭଉଁରୀ ତିଥି ଆସିବ । ଏହି ତିଥିରେ ମହାପ୍ରଭୁଙ୍କ ତିନି ରଥର ଚକ ଡେରା ହେବାର ବିଧି ପାଳନ ହେବା କଷ୍ଟକର ବ୍ୟାପାର ହୋଇ ପଡିବ ବୋଲି ମହାରଣାମାନେ ବି ପ୍ରତିକ୍ରିୟାରେ କହିଛନ୍ତି । ଉଲ୍ଲେଖନୀୟ ତିନି ରଥର ୪୨ ଚକ ନିର୍ମାଣ କାର୍ଯ୍ୟ ଅକ୍ଷୟ ତୃତୀୟା ତିଥିରୁ ଆରମ୍ଭ ହେବାର ଥିଲା । ରଥଖଳାରେ ବି ପ୍ରଶାସନର ଲକ୍‌ ଡାଉନ୍‌ ବଳବତ୍ତର ରହିଛି । ଏହି କାରଣରୁ ରଥ ନିର୍ମାଣ କାମ ଆରମ୍ଭ ହୋଇ ପାରିନାର୍ହି।

ସୂଚନା ମୁତାବକ ନନ୍ଦିଘୋଷ, ଦର୍ପଦଳନ, ତାଳଧ୍ୱଜ ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ପର୍ଯ୍ୟାୟରେ ଚକ ତୁମ୍ବ କାମ ହେବାର ଥିଲା । ଲକ୍‌ ଡାଉନ କାରଣରୁ ତୁମ୍ବ ନିର୍ମାଣ ଅଟକି ରହିଛି । ରଥଖଳାରେ କାମ କରିବା ଉପରେ କଟକଣା ଲାଗି ରହିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ୧୬, ମା ସୁଭଦ୍ରାଙ୍କ ଦର୍ପଦଳନ ରଥର ୧୨ ଏବଂ ବଡ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜର ୧୪ ଚକ ପାଇଁ ତୁମ୍ବ ନିର୍ମାଣ ହେବାର ଥିଲା । ଚକ ତୁମ୍ବ ନିର୍ମାଣ ଆରମ୍ଭ ହୋଇ ନଥିବାରୁ ଭଉଁରୀ ସୁଦ୍ଧା ତିନି ରଥର ୬ଟି ଚକ ନିର୍ମାଣ ହୋଇ ପାରିବ ନାହିଁ ବୋଲି ବିଶ୍ୱକର୍ମାମାନେ ପ୍ରତିକ୍ରିୟାରେ କହିଛନ୍ତି । ଇତିମଧ୍ୟରେ ସୋମବାର ଦିନ ଶ୍ରୀଜିଉଙ୍କ ରଥଯାତ୍ରାର ମୁଖ୍ୟ ସେବକ ଦଇତାପତି ନିଯୋଗର ଏକ ଗୋଷ୍ଠୀ ରଥଯାତ୍ରା ସମ୍ପର୍କରେ ପ୍ରଶାସନ ସହ ଆଲୋଚନା କରିବାକୁ ଅନୁମତି ମାଗିଛି ।

ବଡ଼ଠାକୁରଙ୍କ ବାଡ଼ର ବାଡ଼ଗ୍ରାହୀ ବରିଷ୍ଠ ଦଇତାପତି ହଳଧର ଦାସମହାପାତ୍ର ଏହି ପତ୍ର ପ୍ରଶାସନକୁ ଦେଇଛନ୍ତି । କରୋନା ଲକ୍‌ଡାଉନ ପରିପ୍ରେକ୍ଷୀରେ ରଥଯାତ୍ରା ପାଳନ ଉପରେ ସେ ଆଲୋଚନା କରିବାକୁ ଅନୁମତି ପ୍ରାର୍ଥନା କରିଛନ୍ତି। ଆସନ୍ତା ତିନି ତାରିଖ ସୁଦ୍ଧା ଲକ୍‌ ଡାଉନ୍‌ ଉଠିବାର ବି କୌଣସି ସକାରତ୍ମକ ଅଭାସ ମିଳୁନାହିଁ । କାରଣ ସମସ୍ତ ଧାର୍ମିକ, ସମାଜିକ ସମାବେଶ ଉପରେ କେନ୍ଦ୍ର ଏବଂ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି । କରୋନା ଲକ୍‌ ଡାଉନ ଏବେ ଦେଶ ବ୍ୟାପି ଲାଗୁ ହୋଇଛି । କୌଣସି ଗୋଟିଏ ଧର୍ମ ପାଇଁ ଏହି ଲକ୍‌ ଡାଉନ୍‌ ମଇ ତିନି ସୁଦ୍ଧା କୋହଳ ହେବାର ଆଶା କରୁ ନାହାନ୍ତି ବିଶ୍ୱକର୍ମା । ଏହି କାରଣରୁ ଚଳିତ ବର୍ଷ ରଥ ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ବିଧି ମୁତାବକ ଶେଷ ହୋଇ ପାରିବ ନାହିଁ ବୋଲି ବିଶ୍ୱକର୍ମାମାନେ ଆଶଙ୍କା କରୁଛନ୍ତି ।

ଏହି ଆଶଙ୍କା ମଧ୍ୟ ନିରାଧାର ନୁହେଁ ବୋଲି କରୋନା ବିରୋଧରେ ମିଳିତ ସଂଗ୍ରାମ କରୁଥିବା ଅଫିସରମାନେ ମତ ଦେଇଛନ୍ତି । ଏହି ମତ ପଛରେ ଗୋଟିଏ ବଳିଷ୍ଠ ଯୁକ୍ତି ବି ରହିଛି । ଆସନ୍ତା ତିନି ତାରିଖ ପରେ ଦେଶର ବିଭିନ୍ନ ପ୍ରାନ୍ତରେ ଅଟକି ରହିଥିବା ପୁରୀ ଜିଲ୍ଲାର ଶ୍ରମିକମାନେ ଘର ବାହୁଡା କରିବେ । ଘର ବାହୁଡା ପରେ ସରକାରଙ୍କ ନିଷ୍ପତ୍ତି ମୁତାବକ ପଞ୍ଚାୟତସ୍ତରୀୟ କ୍ୱାରେଣ୍ଟାଇନ କେନ୍ଦ୍ରରେ ଘର ଫେରନ୍ତା ଶ୍ରମିକମାନେ ରହିବେ । ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ କରୋନା ପ୍ରତିକାର ବ୍ୟବସ୍ଥାର ପରୀକ୍ଷା ନିରୀକ୍ଷା ନଜରରେ ରହିବେ । ଏହି ସମୟରେ କଣ ହେବ କହିହେବ ନାହିଁ । ତେଣୁ କରି ଆସନ୍ତା ମାସ ୨୦ ତାରିଖ ପର୍ଯ୍ୟନ୍ତ ଲକ୍‌ ଡାଉନ୍‌ କଳାବାଦଲ ମହାପ୍ରଭୁଙ୍କ ଘୋଷଯାତ୍ରା ଉପରୁ ହଟିବାର ଆଶା କରାଯାଉନି । ସ୍ୱାସ୍ଥ୍ୟ ବିଭାଗର ଜଣେ ପଦସ୍ଥ ଅଧିକାରୀ ଏହି ମର୍ମରେ କହିଛନ୍ତି ବର୍ତ୍ତମାନ କରୋନା ବିରୋଧରେ ପ୍ରକୃତ ଲଢ଼େଇର ପ୍ରସ୍ତୁୁତି ଚାଲିଛି । ଶ୍ରମିକମାନଙ୍କ ଘର ବାହୁଡା ପରେ ଆରମ୍ଭ ହେବ ପ୍ରକୃତ ଲଢ଼େଇ ।

   ସମ୍ବନ୍ଧିତ ଖବର


ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ

କରୋନା ବଦଳାଇଦେଲା ଜୀବନ ଜୀବିକା, କାଲି ଯେ’ ସିଭିଲ ଇଂଜିନିୟର, ଆଜି ସେ’ ଦିନ ମଜୁରିଆ…

ସୁନା କି ଚାନ୍ଦି ନୁହେଁ, ଏଥର ସିଲଭର୍‌ ସିଟିରେ ଝଲସିବ ଜରି ମେଢ଼: ଅଳଙ୍କାର ଓ ଜରି ମେଢ଼ କାରିଗରଙ୍କର ବଢିଛି ଚାହିଦା

ରାଜ୍ୟରେ ଆଖି ବୁଜିଲେ ଆଉ ୧୫ ଜଣ ଆକ୍ରାନ୍ତ: ମୃତ୍ୟୁସଂଖ୍ୟା ୧୧୯୬କୁ ବୃଦ୍ଧି