ଶ୍ରୀମନ୍ଦିରରେ ଯାନିଯାତ୍ରା: ଜୁଲାଇ ୪ରେ ରଥଯାତ୍ରା, ୧୫ରେ ନୀଳାଦ୍ରିବିଜେ

ପୁରୀ,୨୨ା୪(ବ୍ୟୁରୋ): ଚଳିତ ବର୍ଷ ଜୁଲାଇ ମାସ ୪ ତାରିଖ ଗୁରୁବାର ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅନୁଷ୍ଠିତ ହେବ ଶ୍ରୀଗୁଣ୍ଡିଚା ଯାତ୍ରା । ବାହୁଡ଼ା ଯାତ୍ରା ୧୨ ତାରିଖ ଶୁକ୍ରବାର । ଶନିବାର ୧୩ ତାରିଖ ସିଂହଦ୍ୱାରରେ ମହାପ୍ରଭୁଙ୍କ ବଡ଼ତଡ଼ାଉ ସୁନାବେଶ । ୧୪ ତାରିଖ ରବିବାର ଠାକୁରଙ୍କୁ ଅଧର ପଣା ଭୋଗ ଲାଗିବ । ସୋମବାର ୧୫ ତାରିଖ ନୀଳାଦ୍ରି ବିଜେ ଅବସରରେ ଚତୁର୍ଦ୍ଧାମୂର୍ତ୍ତି ରତ୍ନସିଂହାସନକୁ ବାହୁଡ଼ା ବିଜେ କରିବେ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବର୍ଷକର ଉତ୍ସବର ବିବରଣୀ ପ୍ରଦାନ କରି ଏହି ସୂଚନା ଦେଇଛି ଶ୍ରୀମନ୍ଦିର ପ୍ରଶାସନ ।

ଚଳିତ ବର୍ଷ ଅଗଷ୍ଟ ୧୦ ତାରିଖ ଶନିବାର ଶ୍ରୀମନ୍ଦିରରେ ପ୍ରସିଦ୍ଧ ଝୁଲଣ ଯାତ୍ରା ଆରମ୍ଭ ହେଉଛି । ୧୫ତାରିଖ ଗୁରୁବାର ଶ୍ରୀବଳଭଦ୍ର ଜନ୍ମ ତଥା ରକ୍ଷାପୂର୍ଣ୍ଣିମା । ୨୩ ତାରିଖ ଶୁକ୍ରବାର ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳନ ହେବ । ପରଦିନ ୨୪ ଶନିବାର ନନ୍ଦୋତ୍ସବ । ସେପ୍ଟେମ୍ବର ୨ ତାରିଖ ସୋମବାର ଶ୍ରୀଗଣେଶ ଚତୁର୍ଥୀ । ଶୁକ୍ରବାର ୬ ତାରିଖ ଶ୍ରୀମନ୍ଦିରରେ ରାଧାଷ୍ଟମୀ, ଶ୍ରୀସୁଦର୍ଶନ ଦେବଙ୍କ ଆଶ୍ରମ ବିଜେ । ୧୦ ତାରିଖ ମଙ୍ଗଳବାର ଶ୍ରୀମନ୍ଦିରରେ ବାମନ ଜନ୍ମ, ସୁନିଆଁ ଓ ଗରୁଡ଼ ପାଶ୍ୱର୍ ପରିବର୍ତ୍ତନ । ୨୧ ତାରିଖ ଶନିବାର ଶ୍ରୀମନ୍ଦିରରେ ସହସ୍ରାକୁମ୍ଭାଭିଷେକ ଓ ଦେବୀ ଉତ୍ଥାପନ ନୀତି । ଅକ୍ଟୋବର ୪ ଶୁକ୍ରବାର ମହାସପ୍ତମୀ, ଶନିବାର ମହାଷ୍ଟମୀ ଓ ରବିବାର ମହାନବମୀ ଅନୁଷ୍ଠିତ ହେବ । ଦଶହରା ପୂଜା ହେବ ୮ତାରିଖ ମଙ୍ଗଳବାର ।

ଅକ୍ଟୋବର ୯ ତାରିଖ ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ସହ ବାଳଧୂପ ଆରମ୍ଭ ହେବ । ୨୮ତାରିଖ ସୋମବାର ଦୀପାବଳି ଅମାବାସ୍ୟା । ନଭେମ୍ବର ୫ ତାରିଖ ମଙ୍ଗଳବାର ଅଁଳା ନବମୀ । ନଭେମ୍ବର ୧୨ ତାରିଖ ମଙ୍ଗଳବାର ଶ୍ରୀମନ୍ଦିରରେ କାର୍ତ୍ତିକ ପୂର୍ଣ୍ଣିମା ତଥା ମହାପ୍ରଭୁଙ୍କ ରାଜାଧିରାଜ ବେଶ(ସୁନା ବେଶ) । ୨୫ ତାରିଖ ସୋମବାର ଦେବ ଦୀପାବଳୀ ଆରମ୍ଭ ହୋଇ ୨୭ରେ ସମ୍ପନ୍ନ ହେବ । ଡିସେମ୍ବର ୧୬ ତାରିଖ ସୋମବାର ଧନୁସଂକ୍ରାନ୍ତି ସହ ଶ୍ରୀମନ୍ଦିରରେ ପହିଲି ଭୋଗ ଆରମ୍ଭ ହେବ ।

ଆସନ୍ତା ଇଂରାଜୀ ବର୍ଷ ୨୦୨୦ ମସିହାର ପ୍ରଥମ ଉତ୍ସବ ଜାନୁୟାରୀ ୫ ତାରିଖ ରବିବାର ଶାମ୍ବ ଦଶମୀ । ୧୦ତାରିଖ ଶୁକ୍ରବାର ଶ୍ରୀମନ୍ଦିରରେ ଦେବାଭିଷେକ ଓ ପୂଷ୍ୟାଭିଷେକ ପୂର୍ଣ୍ଣମୀ । ୧୫ ତାରିଖ ବୁଧବାର ମକର ସଂକ୍ରାନ୍ତି । ଜାନୁୟାରୀ ୩୦ ତାରିଖ ଗୁରୁବାର ବସନ୍ତ ପଞ୍ଚମୀ ଓ ରଥଯାତ୍ରା-୨୦୨୦ ମସିହା ରଥଯାତ୍ରାର ରଥକାଠ ଅନୁକୂଳ । ଫେବ୍ରୁଆରୀ ୯ ରବିବାର ଶ୍ରୀଜିଉଙ୍କ ଗଜ ଉଦ୍ଧାରଣ ବେଶ । ସେହିଭଳି ମାର୍ଚ୍ଚ ୫ ଗୁରୁବାର ଫଗୁଦଶମୀ ଅବସରରେ ଶ୍ରୀମନ୍ଦିରରେ ଦୋଳଯାତ୍ରାର ଶୂଭାରମ୍ଭ ହେବ । ୯ ତାରିଖ ସୋମବାର ଦୋଳପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ । ଏପ୍ରିଲ୍‌ ୨ ଗୁରୁବାର ଶ୍ରୀମନ୍ଦିରରେ ଶ୍ରୀରାମ ନବମୀ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶିତ ସୂଚନାବଳୀରେ ଏହି ତାରିଖ ସୂଚିତ ହୋଇଛି ।