ରେଭେନ୍ସା ର‌୍ୟାଗିଂ ଘଟଣା ହଷ୍ଟେଲ୍‌ରୁ ବିଦା ହେବେ ୬ ଛାତ୍ର

କଟକ ୧୯/୯: ରେଭେନ୍ସା ବିଶ୍ୱବିଦ୍ୟାଳୟ ଇଷ୍ଟ୍‌ ହଷ୍ଟେଲ୍‌ରେ ସୋମବାର ହୋଇଥିବା ର‌୍ୟାଗିଂ ଅଭିଯୋଗକୁ ନେଇ ଆଜି ବିଶ୍ୱବିଦ୍ୟାଳୟ ଶୃଙ୍ଖଳା କମିଟିର ବୈଠକ ବସିଥିଲା । ଏଥିରେ ମାଡ଼ ଖାଇଥିବା ଛାତ୍ରଙ୍କ ସହିତ ର‌୍ୟାଗିଂ କରିଥିବା ଛାତ୍ରମାନଙ୍କୁ ଘଟଣା ସଂପର୍କରେ ପଚରାଯାଇଥିଲା । ଉଭୟ ପକ୍ଷର କଥା ଶୁଣିବା ପରେ ଇଷ୍ଟ ହଷ୍ଟେଲରେ ରହୁଥିବା ଯୁକ୍ତ ତିନି ଦ୍ୱିତୀୟ ଓ ତୃତୀୟ ବର୍ଷର ୬ ଜଣ ଛାତ୍ରଙ୍କ ବିରୋଧରେ ଶୃଙ୍ଖଳା କମିଟି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସେମାନଙ୍କୁ ହଷ୍ଟେଲରୁ ବିଦା କରିବା ସହିତ ଗୋଟେ ସେମିଷ୍ଟାର ପରୀକ୍ଷାରୁ ବାଦ୍‌ ଦେବାକୁ କମିଟି ନିଷ୍ପତ୍ତି ନେଇଥିବା ବିଶ୍ୱବିଦ୍ୟାଳୟ ଛାତ୍ର ମଙ୍ଗଳ ଡିନ୍‌ (ଡିଏସ୍‌ଡବ୍ଲ୍ୟୁ) ପ୍ରଫେସର ରୀତା ପାଇକରାୟ ସୂଚନା ଦେଇଛନ୍ତି ।

ରେଭେନ୍ସା ଇଷ୍ଟ୍‌ ହଷ୍ଟେଲର ସ୍ନାତକ ପ୍ରଥମ ବର୍ଷର ଛାତ୍ର ତାଙ୍କ ସାଙ୍ଗମାନଙ୍କ ସହ ହଷ୍ଟେଲରେ ଜନ୍ମଦିନ ପାଳନ କରୁଥିଲେ । କେକ୍‌ କାଟି ନିଜ ନିଜ ଭିତରେ ବୋଳାବୋଳି ହୋଇଥିଲେ । ଏଥିରେ ଉକ୍ତ ହଷ୍ଟେଲରେ ରହୁଥିବା ସ୍ନାତକ ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରମାନେ ଉତ୍‌କ୍ଷିପ୍ତ ହୋଇ ପ୍ରଥମ ବର୍ଷର ଛାତ୍ରଙ୍କୁ ଗାଳିଗୁଳଜ କରିବା ସହିତ ଜନ୍ମଦିନ ପାଳନ କରୁଥିବା ଛାତ୍ରଙ୍କୁ ମାଡ଼ ମାରିଥିଲେ । ଏ ସଂକ୍ରାନ୍ତରେ ମାଡ଼ ଖାଇଥିବା ଛାତ୍ର ଜଣଙ୍କ ନିଜର ଅଭିଭାବକଙ୍କୁ ଜଣାଇଥିଲେ । ଅଭିଭାବକ ବିଶ୍ୱବିଦ୍ୟାଳୟ କୁଳସଚିବଙ୍କ ନିକଟରେ ଆସି ଅଭିଯୋଗ କରିଥିଲେ । ଅଭିଯୋଗ ହେବା ପରେ ପ୍ରଫେସର ରୀତା ପାଇକରାୟଙ୍କ ଅଧ୍ୟକ୍ଷତାରେ ଆଜି ବିଶ୍ୱବିଦ୍ୟାଳୟ ଶୃଙ୍ଖଳା କମିଟିର ବୈଠକ ବସିଥିଲା । ଏଥିରେ କୁଳସଚିବ ଅଶୋକ କୁମାର ଦାଶ, ସିସିଡି ପ୍ରଫେସର ସଙ୍ଗୀତା ରଥ, ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ, ଚିଫ୍‌ ୱାଡେନ୍‌ ପ୍ରଫେସର ସ୍ମୃତିପ୍ରଭା ଦାସ ଓ ଇଷ୍ଟ ହଷ୍ଟେଲ ୱାଡେନ୍‌ ପୂର୍ଣ୍ଣେନ୍ଦୁ ପାଢ଼ୀ ପ୍ରମୁଖ ସାମିଲ ଥିଲେ ।

ଇଷ୍ଟ ହଷ୍ଟେଲର ୱାଡେନ୍‌ ପୂର୍ଣ୍ଣେନ୍ଦୁ ପାଢ଼ୀ ତଥ୍ୟକୁ ଆଧାର କରି ଉଭୟ ଛାତ୍ରଙ୍କୁ ପଚରାଉଚରା କରିଥିଲେ। ମାଡ଼ମାରିଥିବା ଛାତ୍ରମାନେ ବୟାନ ରଖିଥିଲେ । ଅଭିଯୋଗର ସତ୍ୟତା ନେଇ ପ୍ରମାଣ ମିଳିଥିବା ଶୃଙ୍ଖଳା କମିଟି ମତ ଦେବା ସହ ଅଭିଯୁକ୍ତ ୬ ଜଣ ଛାତ୍ରଙ୍କୁ ହଷ୍ଟେଲରୁ ବାହାର କରିବା ପାଇଁ ନିଷ୍ପତ୍ତି ନେଇଥିଲା । ଏନେଇ କୁଳପତି ପ୍ରଫେସର ଈଶାନ୍‌ କୁମାର ପାତ୍ରଙ୍କୁ ଅବଗତ କରାଯାଇଥିଲା । ଅପରାହ୍ନରେ ରେସିଡେଣ୍ଟ କମିଟି ବସିବା ପରେ ଉକ୍ତ ୬ ଜଣ ଛାତ୍ରଙ୍କୁ ହଷ୍ଟେଲରୁ ବିଦା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ଗୋଟିଏ ସେମିଷ୍ଟାର ପରୀକ୍ଷାରୁ ବାଦ୍‌ ଦେବାକୁ ସ୍ଥିର କରାଯାଇଛି । ଅଭିଯୁକ୍ତ ଛାତ୍ରମାନେ ଆଗାମୀ ଦିନରେ ହଷ୍ଟେଲରେ ରହିବା ପାଇଁ ଆଉ ଆବେଦନ କରିପାରିବେ ନାହିଁ ବୋଲି ବିଜ୍ଞପ୍ତି ପ୍ରକାଶ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ପ୍ରଫେସର ପାଇକରାୟ କହିଛନ୍ତି ।

   ସମ୍ବନ୍ଧିତ ଖବର


ଚୋରା ଦେଶୀ ଓ ବିଦେଶୀ ମଦ ଜବତ, ଦୁଇ ଗିରଫ

ସୁନା ବନ୍ଧକ ନାଁରେ ଠକେଇ: ୨ ସୁନା ଦୋକାନୀ ଓ ଜଣେ ଠକ ଗିରଫ

ମନ୍ଦିର ଖୋଲିବାକୁ ନିଆରା ପ୍ରୟାସ: ଆଇସ୍‌କ୍ରିମ୍‌ କାଠିରେ ଦୁର୍ଗାମୁଖା, ଦିଆସିଲି କାଠିରେ ଶ୍ରୀଜଗନ୍ନାଥ ତିଆରି କଲେ ଦୁଇ ଛାତ୍ର

ଏଥର ସିଲଭର୍ ସିଟିରେ ଅଲୋଡା ପଡ଼ିବ ଚେଚିସ୍ ‌! ଟ୍ରଲି, ଡାଲା ଅଟୋରେ ମା’ଙ୍କୁ ଦିଆଯିବ ମେଲାଣି

ସୋମବାର ମହାପ୍ରଭୁଙ୍କ ସୁନାବେଶ

କୃଷକ ମାର୍କେଟରେ ଡକାୟତି ଯୋଜନା କରୁଥିବା ବେଳେ ବାନ୍ଧିଲା ପୁଲିସ୍, ୬ ଗିରଫ