ନିଜ ସ୍ତ୍ରୀଙ୍କର ପାଦ ଛୁଅନ୍ତି ଏହି ଅଭିନେତା,ଏବେ ଯୋଗୀଙ୍କ ଆସନରୁ ନିର୍ବାଚନ ଲଢିବେ

ନୂଆଦିଲ୍ଲୀ,୧୫।୪: ଭୋଜପୁରୀ ଫିଲ୍ମ ଜଗତର ସୁପରଷ୍ଟାର ରବି କିଶନ ଲୋକସଭା ନିର୍ବାଚନରେ ଗୋରଖପୁର ଆସନରୁ ବିଜେପି ପ୍ରାର୍ଥୀ ଭାବରେ ନିର୍ବାଚନ ଲଢିବେ। ବିଜେପି ସୋମବାର ଉତ୍ତରପ୍ରଦେଶରେ ନିଜର ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ପୂର୍ବରୁ ରବି କିଶନ କଂଗ୍ରେସରୁ ଟିକେଟ ପାଇଁ ଜୌନପୁରରେ ଲୋକସଭା ନିର୍ବାଚନ ଲଢି ସାରିଛନ୍ତି। ତେବେ ନିର୍ବାଚନରେ ସେ ପରାଜୟର ମୁହଁ ଦେଖିଥିଲେ। ୨୦୧୭ରେ ରବି କିଶନ ବିଜେପିରେ ସାମିଲ ହୋଇଥିଲେ।ବିଜେପି ରବି କିଶନଙ୍କୁ ୟୁନିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାରମ୍ପାରିକ ଲୋକସଭା ଆସନ ଗୋରଖପୁରରୁ ପ୍ରାର୍ଥୀ କରିଚି। ମୁଖ୍ୟମନ୍ତ୍ରୀ ହେବା ପର୍ଯ୍ୟନ୍ତ ଯୋଗୀ ଗୋରଖପୁର ଲୋକସଭା ଆସନର ପ୍ରତିନିଧିତ୍ବ କରୁଥିଲେ।

ଭୋଜପୁର ଓ ବଲିଉଡ ଫିଲ୍ମରେ କାମ କରିସାରିଥିବା ରବି କିଶନଙ୍କ ଘର ଉତ୍ତରପ୍ରଦେଶରେ। ରବିଙ୍କ ଗାଁ ଜୌନପୁର ଜିଲ୍ଲାରେ ରହିଛି। ତାଙ୍କର ପୁରା ନାମ ରବି କିଶନ ଶୁକ୍ଲା। ସେ ଭୋଜପୁରୀ ଫିଲ୍ମର ସୁପରଷ୍ଟାର ଭାବରେ ବେଶ୍ ଜଣାଶୁଣା। ସେ ବଲିଉଡର ବହୁତ ଫିଲ୍ମରେ କାମ କରିସାରିଛନ୍ତି। ରବି କିଶନ ବ୍ୟକ୍ତିଗତ ଜୀବନରେ ନିଜକୁ ଜଣେ ମହିଳା ଭଳି ମନେକରନ୍ତି। ସେ ଏକ ସାକ୍ଷାତକାରରେ କହିଥିଲେ, ‘ମୋତେ ଲାଗୁଛି ମୋ ଭିତରେ ମଧ୍ୟ ଜଣେ ନାରୀ ରହିଛି, ଯିଏକି ବହୁତ ଷ୍ଟ୍ରଙ୍ଗ। ମୁଁ ମହିଳାଙ୍କ କଷ୍ଟ, ଭଲ ପାଇବା, ଦୁଃଖ ଏବଂ ଇଛାକୁ ଭଲ ଭାବରେ ଜାଣିପାରେ।’

ସେ ନିଜର ମା, ସ୍ତ୍ରୀ ଏବଂ ଝିଅଙ୍କୁ ଖୁବ୍ ଭଲପାଆନ୍ତି। ଏନେଇ ରବି କିଶନ ଏକ ଇଣ୍ଟରଭ୍ୟୁରେ କହିଥିଲେ, ’ ମୁଁ ମୋ ଘରର ମହିଳାଙ୍କୁ ଖୁବ୍ ସମ୍ମାନ ଦିଏ, ମୋ ଝିଅକୁ ପୂଜା କରେ, ଏପରିକି ମୁଁ ମୋ ସ୍ତ୍ରୀର ପାଦ ମଧ୍ୟ ଛୁଇଁଥାଏ, କିନ୍ତୁ ମୋ ସ୍ତ୍ରୀ ମୋତେ ଏଭଳି କରିବାକୁ ଦେଇନଥାନ୍ତି। ତେଣୁ ସେ ଯେତେବେଳେ ଶୋଇପଡନ୍ତି ମୁଁ ତାଙ୍କର ପାଦ ଛୁଇଁଥାଏ ବୋଲି ସେ କହିଛନ୍ତି। ଆର ଜନ୍ମରେ ସେ ଏକ ନାରୀ ହୋଇ ଜନ୍ମ ନେବାକୁ ଚାହାଁନ୍ତି ବୋଲି କହିଛନ୍ତି ରବି କିଶନ।

ରବି କିଶନ ବହୁ ଫିଲ୍ମ ଓ ରିୟଲିଟି ଶୋ’ରେ ମହିଳାଙ୍କ ଭୂମିକାରେ ଅଭିନୟ କରିସାରିଛନ୍ତି। ଏଥିରେ ୨୦୧୩ରେ ଆସିଥିବା ସୈଫ ଅଲ୍ଲୀ ଖାନଙ୍କ ଫିଲ୍ମ ‘ବୁଲେଟ୍ ରାଜା’ରେ ସେ ମହିଳାଙ୍କ ଭୂମିକାରେ ଅଭିନୟ କରିଥିଲେ। ୨୦୧୨ରେ ସେ ଟିଭି ରିୟାଲିଟି ଶୋ ‘ଝଲକ ଦିଖଲା ଜା’ରେ ‘ହୋଠୋ ନେ ୟସି ବାତ…’ ଗୀତରେ ମହିଳାଙ୍କ ଭଳି ସଜବାଜ ହୋଇ ଏଭଳି ନାଚ କରିଥିଲେ ଯେ ତାଙ୍କୁ ଦେଖି ଶୋ’ର ଜଜ୍ ମାଧୁରୀ ଦୀକ୍ଷିତ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।