ରାୟଗଡ଼ାର କପାରେ ଚାଲିପାରିବ ୪ଟି ସୂତାକଳ: ଭିତ୍ତିଭୂମି ଅଭାବରୁ ପରିଶ୍ରମର ମୂଲ୍ୟ ନାହିଁ, ନିଯୁକ୍ତିର ସୁଯୋଗ ନାହିଁ

ରାୟଗଡ଼ା ୩୦/୦୬(ଗୋପରଂଜନ ବକ୍ସିପାତ୍ର୍ର): ଜିଲ୍ଲାରେ କପା ଉତ୍ପାଦନ ବର୍ଷକୁ ବର୍ଷ ବଢ଼ିବାରେ ଲାଗିଛି । ଜିଲ୍ଲାର ପାଣିପାଗ ସାଙ୍ଗକୁ ଢିପ ଜମି ଏହି ଚାଷକୁ ସୁହାଉଛି । ପାହାଡ଼ତଳ ଅଞ୍ଚଳଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ସବୁଠାରେ ଏହି ଚାଷ ଦେଖିବାକୁ ମିଳୁଛି । ଏବେ କପା ମଞ୍ଜି ବୁଣିବା କାମ ଜାରି ରହିଛି । ବିଶେଷଜ୍ଞଙ୍କ ମତରେ, ଏଠାରୁ ଉତ୍ପାଦନ ହେଉଥିବା କପାକୁ ନେଇ ଜିଲ୍ଲାରେ ୪ଟି ସୂତାକଳ ଚାଲିପାରିବ । ୧୨ ଶହରୁ ୧୫ ଶହ କୁଶଳୀ ଓ ଅଣକୁଶଳୀ ଶ୍ରମିକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । କାରଖାନା ହେଲେ ଅଭାବୀ ବିକ୍ରିରୁ ମୁକୁଳି ପାରିବେ ଚାଷୀ ।

କୃଷି ବିଭାଗ ସୂଚନା ଅନୁସାରେ, ଜିଲ୍ଲାରେ କପା ଉତ୍ପାଦନ ଆଶାଠାରୁ ଅଧିକ ବଢ଼ିଛି । ଏଠାକାର କପା ସମଗ୍ର ଏସିଆରେ ପ୍ରସିଦ୍ଧିଲାଭ କରିଛି । ଗତ ୫ ବର୍ଷର ହିସାବକୁ ମାପକାଠି ଧରିଲେ ଏହି ଚିତ୍ର ସ୍ପଷ୍ଟ ହୋଇଛି । ୨୦୧୬ରେ ଜିଲ୍ଲାରେ ୩୨ ହଜାର ୧୮୬ ହେକ୍ଟର ଜମିରେ କପା ଚାଷ ହୋଇଥିଲା । ଏଥିରୁ ୫୩ ହଜାର ୧୦୭ ମେଟ୍ରିକ ଟନ୍‌ କପା ମିଳିଥିଲା । ୨୦୧୭ ରେ ୩୩ ହଜାର ୯୪ ହେକ୍ଟର ଜମିରୁ ୫୪ ହଜାର ୬୦୫ ମେଟ୍ରିକ ଟନ, ୨୦୧୮ରେ ୩୫ ହଜାର ୧୭୦ ହେକ୍ଟର ଜମିରୁ ୪୩ ହଜାର ୫୦୫ ମେଟ୍ରିକ ଟନ୍‌ କପା ମିଳିଥିଲା । ସେହିପରି ୨୦୧୯ରେ ୩୬ ହଜାର ୧୧୩ ହେକ୍ଟର ଜମିରୁ ୮୨ ହଜାର ୮୪୩ ମେଟ୍ରିକ ଟନ୍‌ ଉତ୍ପାଦନ ହୋଇଥିଲା । ତିତିଲି କ୍ଷତି ଯୋଗୁ ୨୦୧୮ରେ ୧୨ ହଜାର ମେଟ୍ରିକ ଟନ୍‌ କପା ମିଳିଥିଲା । ଚଳିତବର୍ଷ କୃଷି ବିଭାଗ ୩୮ ହଜାର ୩ ଶହ ହେକ୍ଟର ଜମିରୁ ୯୫ ହଜାର ୭୫୦ ମେଟ୍ରିକ ଟନ୍‌ ଉତ୍ପାଦନ ଲକ୍ଷ୍ୟ ରଖିଛି । ଚାଷ ପ୍ରତି ଉତ୍ସାହ ରହିଲେ ଆସନ୍ତା ବର୍ଷକୁ ଏହା ଏକ ଲକ୍ଷ ଟନ୍‌ ଟପିଯିବା ଅନୁମାନ କରାଯାଉଛି ।

ଏଠିକାର ଉତ୍ପାଦିତ କପାକୁ ଜିନିଂ କରି ବ୍ୟବସାୟୀମାନେ ଗୁଜରାଟ, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶକୁ ପଠାଉଛନ୍ତି । ବିଶେଷକରି ସୁରତ, ନାଗପୁର ଓ ସିକନ୍ଦରାବାଦକୁ ଜିନିଂ କପା ପଠାଯାଉଛି । ସେସବୁ ସ୍ଥାନରେ ରହିଥିବା ସୂତା କଳଗୁଡ଼ିକରେ ଏହି କପା ବ୍ୟବହାର ହେଉଛି । ଏହାବ୍ୟତୀତ ଏସିଆ ମହାଦେଶର ବାଙ୍ଗଲାଦେଶ, ଜାପାନ ଓ ଅନ୍ୟ ଦେଶକୁ ମଧ୍ୟ ଏଠାରୁ କପା ରପ୍ତାନୀ ହେଉଛି । ବାହାର ରାଜ୍ୟ ଓ ଦେଶକୁ ରପ୍ତାନୀ ହେଉଥିବା କପାକୁ ଏଠାରେ ବିନିଯୋଗ କରାଗଲେ ଜିଲ୍ଲାରେ ଅତିକମରେ ୩ ରୁ ୪ ଟି ସୂତାକଳ ଠିଆ ହୋଇପାରିବ । ସୂତାକଳ ପାଇଁ କଞ୍ଚାମାଲର ଅଭାବ ନଥିବାରୁ ବେଶ୍‌ ସୁବିଧାରେ ଏଗୁଡ଼ିକ ଚାଲିପାରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ରାୟଗଡ଼ା ଓ କୋଲନରା ବ୍ଲକର ମଧ୍ୟବର୍ତ୍ତି ଅଞ୍ଚଳରେ ଗୋଟିଏ, ବିଷମକଟକ ଓ ରାମନାଗୁଡ଼ା ବ୍ଲକ ମଧ୍ୟବର୍ତ୍ତି ଅଞ୍ଚଳରେ ଆଉ ଗୋଟିଏ ଏବଂ ଗୁଣପୁର ବ୍ଲକରେ ଗୋଟିଏ ସୂତାକଳ ପ୍ରତିଷ୍ଠା ହୋଇପାରିବ । ଅନେକ ଶିଳ୍ପପତି ସୂତାକଳ ପ୍ରତିଷ୍ଠା ପାଇଁ ମଧ୍ୟ ଚିନ୍ତା କରିଥିବା ଜଣାପଡିଛି । ପ୍ରୋତ୍ସାହନ ଅଭାବରୁ ସେମାନେ ପଛଘୁଞ୍ଚା ଦେଉଥିବା କୁହାଯାଉଛି । କାରଖାନା ହେଲେ ଜିଲ୍ଲାରେ ନିଯୁକ୍ତି ସମସ୍ୟା ଦୂର ହୋଇପାରନ୍ତା । ସରକାରୀ କ୍ଷେତ୍ରରେ ସୂତାକଳ ହେଲେ ବେଶ୍‌ ଭଲ ହୁଅନ୍ତା ବୋଲି କହିଛନ୍ତି ଯୁବପିଢି । ସର୍ବନିମ୍ନ ୧୦୦ କୋଟିରୁ ସର୍ବାଧିକ ୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚରେ ସୂତାକଳ ହୋଇପାରିବ ବୋଲି କୁହାଯାଉଛି ।

କାରଖାନା ସପକ୍ଷରେ ସରକାର: ଏନ୍‌. ଭାସ୍କର ରାଓ
ରାଜ୍ୟସଭା ସାଂସଦ ଏନ. ଭାସ୍କରରାଓ କହିଛନ୍ତି, ଜିଲ୍ଲାରେ ଉତ୍ପାଦିତ କପାର ଠିକ୍‌ ବିନିଯୋଗ ପାଇଁ ସୂତା କାରଖାନା ସ୍ଥାପନ ସପକ୍ଷରେ ସରକାର ଅଛନ୍ତି । କେହି ଉଦ୍ୟୋଗୀ ଏ ନେଇ ଆଗ୍ରହ ପ୍ରକାଶ କଲେ ନିଶ୍ଚିତ ସମସ୍ତ ପ୍ରକାର ସହଯୋଗ କରିବେ ରାଜ୍ୟ ସରକାର । ଦୁଇବର୍ଷ ତଳେ ରାୟଗଡ଼ା ବ୍ଲକର ଅମଳାଭଟ୍ଟାରେ ଗୋଟିଏ ସୂତାକଳ ସ୍ଥାପନ ପାଇଁ ଉଦ୍ୟମ ହୋଇଥିଲା । ହେଲେ ସମ୍ପୃକ୍ତ ଉଦ୍ୟୋଗୀଙ୍କ ବ୍ୟକ୍ତିଗତ ସମସ୍ୟା ପାଇଁ ତାହା ଆଗକୁ ବଢ଼ି ପାରିଲା ନାହିଁ । ବର୍ତ୍ତମାନ ଆମ ସରକାର ଏଥିପାଇଁ ଉଦ୍ୟମ ଜାରି ରଖିଛନ୍ତି । ସୂତା କାରଖାନା ସ୍ଥାପନ ହେଲେ ଚାଷୀ ଲାଭ ପାଇବା ସହ ନିଯୁକ୍ତି କ୍ଷେତ୍ରରେ ସମସ୍ୟା ଦୂର ହୋଇପାରିବ ।

ଏମ୍‌ଏସ୍‌ଏମ୍‌ଇ ସହ ଯୋଡ଼ିବା ଦରକାର: ସପ୍ତଗିରି ଉଲ୍ଲାକା
କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକା କହିଛନ୍ତି, ଜିଲ୍ଲାର କପାକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ସୂତାକଳ ପ୍ରତିଷ୍ଠା ଜରୁରୀ । ଏହି ଶିଳ୍ପକୁ ଏମ୍‌ଏସ୍‌ଏମଇ ସହ ଯୋଡିବା ଦରକାର । ସୂତାକଳ ପାଇଁ ଜିଲ୍ଲାରେ ଭରପୁର ସମ୍ଭାବନା ରହିଛି । କେନ୍ଦ୍ର ସରକାର ମେକ୍‌ ଇନ୍‌ ଇଣ୍ଡିଆ ଏବଂ ରାଜ୍ୟ ସରକାର ମେକ୍‌ ଇନ୍‌ ଓଡ଼ିଶା କଥା କହୁଛନ୍ତି । ଏପରିସ୍ଥଳେ ୪ଟି ସୂତାକଳ ପ୍ରତିଷ୍ଠା କରାଗଲେ ନିଶ୍ଚିତ ଭାବେ ଚାଷୀଙ୍କ ଭାଗ୍ୟ ବଦଳିବା ସହ ଏହି ପଛୁଆ ଜିଲ୍ଲା ଆର୍ଥିକ କ୍ଷେତ୍ରରେ ମଜବୁତ ହୋଇପାରିବ । ରାୟଗଡ଼ା ଆଞ୍ଚଳିକ ଶିଳ୍ପ କେନ୍ଦ୍ରକୁ ରାଜ୍ୟ ସରକାର ନର୍ଦ୍ଦେଶ ଦେଇ ସୂତାକଳ ସ୍ଥାପନ ଲାଗି ପଥ ପରିଷ୍କାର କରିବା ଆବଶ୍ୟକ ।

   ସମ୍ବନ୍ଧିତ ଖବର


ପୁଣି ଜନନୀ ଯନ୍ତ୍ରଣା: ଖରାପ ରାସ୍ତା ଯୋଗୁଁ ପହଞ୍ଚିପାରିଲାନି ୧୦୮ ଆମ୍ବୁଲାନ୍ସ , ୫ କିମି ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

କୋଟିଏ ଟଙ୍କାର ଗଞ୍ଜେଇ ଜବତ: ଜଣେ ଗିରଫ, ୧୧ ଫେରାର୍‌

ଡଙ୍ଗରିଆଙ୍କ ନାଁରେ ଇ-କମର୍ସ ଠକେଇ, କାର୍ଯ୍ୟାନୁଷ୍ଠାନ ଦାବି କଲେ ଡଙ୍ଗରିଆ ନେତା

ରାୟଗଡା: ସଙ୍ଗରୋଧ କେନ୍ଦ୍ରରେ ମାରପିଟ୍, ଏସିଡ୍ ମାଡରେ ଜଣେ ଗୁରୁତର

ମଦ ଚାଲାଣ କରି ଶିକ୍ଷକ ଗିରଫ, ସ୍କୁଟି ଜବତ

ଲକ୍‌ଡାଉନ୍ ପ୍ରଭାବ: ୨୭୦ କିମି ଚାଲିଚାଲି ଗାଁକୁ ଫେରିଲେ ୭ ଶ୍ରମିକ