ଆର୍‌ବିଆଇର ଚେତାବନୀ : ଏବେ ସୁଧୁରିବନି ଅର୍ଥନୀତି, ସମ୍ପତ୍ତି ମୁଦ୍ରୀକରଣ ଯୋଜନା ଆପଣାଇବାକୁ ପରାମର୍ଶ

ମୁମ୍ବାଇ,୨୬।୮: କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ରାଜ୍ୟଗୁଡିକ ପକ୍ଷରୁ ଲଗାଯାଉଥିବା କଟକଣା ଭାରତୀୟ ଅର୍ଥନୀତିକୁ ପ୍ରବଳ ମାତ୍ରାରେ ବାଧୁଛି । ଫଳରେ ଆର୍ଥିକ କାର୍ଯ୍ୟକଳାପରେ ହ୍ରାସ ଧାରା ଲମ୍ବା ସମୟ ଧରି ଜାରି ରହିବ । ଅର୍ଥନୀତିରେ ସୁଧାର ଆସିବାକୁ ଦୀର୍ଘ ଦିନ ଲାଗିବ । ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଏହାର ବାର୍ଷିକ ରିପୋର୍ଟରେ ଏହି ଆଶଙ୍କା ପ୍ରକାଶ କରିଛି । କୋଭିଡ୍‌-୧୯ ଟୀକା ଆସିବାର ତୁରନ୍ତ ବାଦ୍‌ ଆର୍ଥିକ ପଦକ୍ଷେପକୁ ପ୍ରତ୍ୟାହାର କରାଯିବା ଉଚିତ ବୋଲି ଏହା ମତବ୍ୟକ୍ତ କରିଛି ।
ସମ୍ପ୍ରତି ଅର୍ଥନୈତିକ କାର୍ଯ୍ୟକଳାପରେ ଦେଖାଦେଇଥିବା ହ୍ରାସ ଇତିହାସରେ କେବେ ଦେଖିବାକୁ ମିଳି ନ ଥିଲା । ଲକ୍‌ଡାଉନ୍‌ ପରେ ମେ’ ଏବଂ ଜୁନ୍‌ରେ କେତେକ ପ୍ରାନ୍ତରେ ଏଥିରେ କିଛିଟା ସୁଧାର ଆସିଥିଲା । କିନ୍ତୁ ଜୁଲାଇ ଏବଂ ଅଗଷ୍ଟରେ ପୁଣି ସ୍ଥିତି ଖରାପ ହୋଇଯାଇଛି । ବିଭିନ୍ନ ପ୍ରାନ୍ତରେ କରୋନା ମାମଲା ବଢ଼ିବା ଫଳରେ ଲଗାଯାଇଥିବା କଟକଣାଗୁଡିକ ଯୋଗୁ ଏଭଳି ସ୍ଥିତି ଉପୁଜିଛି । ଏଭଳି କ୍ଷେତ୍ରରେ ଚଳିତ ଆର୍ଥିକବର୍ଷର ଦ୍ୱିତୀୟ ତ୍ରୟମାସରେ ବି ଅର୍ଥନୀତିରେ ହ୍ରାସ ଧାରା ଜାରି ରହିବ ବୋଲି ସର୍ବୋଚ୍ଚ ବ୍ୟାଙ୍କ ଏହାର ରିପୋର୍ଟରେ ପ୍ରକାଶ କରିଛି ।

୨୦୨୦-୨୧ରେ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) ୪.୫% ସଙ୍କୁଚିତ ହେବ ବୋଲି ଆର୍‌ବିଆଇ ଏହାର ୨୦୧୯-୨୦ ବାର୍ଷିକ ରିପୋର୍ଟରେ ପ୍ରକାଶ କରିଛି । ତେବେ କୋଭିଡ-୧୯ ପରେ ଆର୍ଥିକ ସୁଧାର ୨୦୦୮ ତୁଳନାରେ ଭିନ୍ନ ରହିବ ବୋଲି ଏହା କହିଛି । ଘରୋଇ ଚାହିଦା ଭୟଙ୍କର ଭାବେ ପ୍ରଭାବିତ ହୋଇଛି । ପ୍ରାକ୍‌-କରୋନା ସ୍ତରକୁ ଆସିବା ପାଇଁ ଅନେକ ସମୟ ଲାଗିବ । କରୋନା ମୁକାବିଲା ତଥା ଚାହିଦା ଫେରାଇ ଆଣିବା ପାଇଁ ବ୍ୟୟ କରାଯାଇଥିବା ସରକାରୀ ପାଣ୍ଠି ବହୁ ମାତ୍ରାରେ ସଙ୍କୁଚିତ ହେବ । ରାଜ୍ୟଗୁଡ଼ିକର ବି ସମାନ ସ୍ଥିତି । ଋଣ ମାତ୍ରା ବଢ଼ିବା ସହ ବିତ୍ତୀୟ ନୀତିର ଭବିଷ୍ୟତ ଅନିଶ୍ଚିତତା ମଧ୍ୟରେ ରହିଛି । ଏଭଳି କ୍ଷେତ୍ରରେ ଏକ ବିଶ୍ୱସନୀୟ ଏକୀକରଣ ଯୋଜନା ଦ୍ୱାରା ବଜାରରେ ଆସ୍ଥା ଫେରିପାରିବ ଏବଂ ଏହା ନିବେଶକଙ୍କ ମଧ୍ୟରେ ଗ୍ରହଣୀୟ ହେବ ବୋଲି ଆର୍‌ବିଆଇ ଏହାର ରିପୋର୍ଟରେ ପ୍ରକାଶ କରିଛି ।
ଋଣ ଖିଲାପକାରୀଙ୍କୁ ଚିହ୍ନଟ କରିବା ପାଇଁ ତଥା ଟିକସଦାତାଙ୍କ ପରିସର ବୃଦ୍ଧି ଲାଗି ସରକାର ବିଗ୍‌ ଡାଟା ଏବଂ ଟେକ୍ନୋଲୋଜିର ବ୍ୟବହାର କରିବା ଦରକାର ବୋଲି ଆର୍‌ବିଆଇ ପରାମର୍ଶ ଦେଇଛି । ବିଗ୍‌ ଡାଟା ଏବଂ ଟେକ୍ନୋଲୋଜି ଜରିଆରେ ଲୋକଙ୍କ ଆୟ ଏବଂ ସମ୍ପତ୍ତି ମାନକଗୁଡିକ ଉପରେ ନଜର ରଖାଯାଇପାରିବ ବୋଲି ଏହା ପ୍ରକାଶ କରିଛି ।

ଜିଏସ୍‌ଟି ବ୍ୟବସ୍ଥାରେ ଥିବା ଆହ୍ୱାନଗୁଡିକୁ ଦୂର କରାଯିବା ଦରକାର । ଉକ୍ତ ପରୋକ୍ଷ ଟିକସ ବ୍ୟବସ୍ଥାର ସରଳୀକରଣ ତଥା ଟିକସ ହ୍ରାସ ଦ୍ୱାରା ଆହ୍ୱାନଗୁଡିକୁ ଦୂର କରାଯାଇପାରିବ ବୋଲି ଆର୍‌ବିଆଇ ପ୍ରକାଶ କରିଛି । ଶ୍ରମଭିତ୍ତିକ କ୍ଷେତ୍ରଗୁଡିକ ପାଇଁ ନିଯୁକ୍ତି ଏବଂ ଆର୍ଥିକ ପ୍ରୋତ୍ସାହନ ନିତାନ୍ତ ଜରୁରୀ ବୋଲି ଏହା ପ୍ରକାଶ କରିଛି । ନିରନ୍ତର ଅଭିବୃଦ୍ଧି ପାଇଁ ବିସ୍ତୃତ ସଂସ୍କାର ଲୋଡ଼ା ବୋଲି ଆର୍‌ବିଆଇ ଏହାର ରିପୋର୍ଟରେ ପ୍ରକାଶ କରିଛି ।   ଏହାବ୍ୟତୀତ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ଆସେଟ୍‌ ମନେଟାଇଜେସନ୍‌(ସମ୍ପତ୍ତି ମୁଦ୍ରୀକରଣ) ଯୋଜନା ଆଣିବା ଦରକାର । ଇସ୍ପାତ, କୋଇଲା, ବିଦ୍ୟୁତ୍‌, ଜମି, ରେଳପଥ ଏବଂ ବନ୍ଦର ଘରୋଇକରଣ ଜରିଆରେ ଅର୍ଥନୀତିରେ ସୁଧାର ଅଣାଯାଇପାରିବ । ଘରୋଇ ନିବେଶ ବୃଦ୍ଧି ଦ୍ୱାରା ସ୍ଥିତି ଅନେକ ମାତ୍ରାରେ ସୁଧୁରିଯିବ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ପ୍ରକାଶ କରିଛି । ମାକ୍ରୋ ଅର୍ଥନୈତିକ ହ୍ରାସ ଏବଂ ଆର୍ଥିକ ସ୍ଥିତି ଯୋଗୁ ଆସେଟ୍‌ କ୍ୱାଲିଟି ପ୍ରତି ବିପଦ ରହିବା । ଏନ୍‌ପିଏ ରିସ୍କ ରହିଛି । ବ୍ୟାଙ୍କଗୁଡିକର ଆର୍ଥିକ ସ୍ୱାସ୍ଥ୍ୟ ଉପରେ କରୋନାର ବଡ଼ ପ୍ରଭାବ ପଡ଼ିପାରେ ବୋଲି ଆର୍‌ବିଆଇ ପ୍ରକାଶ କରିଛି ।

ଆର୍‌ବିଆଇ ବାଲାନ୍ସ ସିଟ୍‌ ୩୦% ବୃଦ୍ଧି
୨୦୧୯-୨୦ ଆର୍ଥିକବର୍ଷରେ ଭାରତୀୟ ରିଜର୍ଭ ବ୍ୟାଙ୍କର ବାଲାନ୍ସ ସିଟ୍‌ରେ ୩୦.୦୨% ବୃଦ୍ଧି ଘଟିଛି । ଫଳରେ ଏହା ୫୩୩.୪୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିବା ସର୍ବୋଚ୍ଚ ବ୍ୟାଙ୍କ ଏହାର ବାର୍ଷିକ ରିପୋର୍ଟରେ ପ୍ରକାଶ କରିଛି । ବୈଦେଶିକ ମୁଦ୍ରା ଭଣ୍ଡାରରେ ବୃଦ୍ଧି ହେତୁ ଏହା ହୋଇଥିବା ଆର୍‌ବିଆଇ ପ୍ରକାଶ କରିଛି । ୨୦୧୯ ଜୁନ୍‌ ୩୦ରେ ଆର୍‌ବିଆଇର ବାଲାନ୍ସ ସିଟ୍‌ ୪୧୦.୨୯ ଲକ୍ଷ କୋଟି ଟଙ୍କା ଥିଲା । ସୂଚନାଯୋଗ୍ୟ, ଆର୍‌ବିଆଇର ଆର୍ଥିକବର୍ଷ ଜୁଲାଇରେ ଆରମ୍ଭ ହୁଏ ଏବଂ ପରବର୍ତ୍ତୀ ବର୍ଷ ଜୁଲାଇରେ ଶେଷ ହୁଏ । କିନ୍ତୁ ଚଳିତ ଆର୍ଥିକବର୍ଷ ଏହା ୨୦୨୧ ମାର୍ଚ୍ଚରେ ଶେଷ ହେବ । ଏବେଠାରୁ ଆର୍‌ବିଆଇର ଆର୍ଥିକବର୍ଷ ଏପ୍ରିଲରୁ ଆରମ୍ଭ ହୋଇ ମାର୍ଚ୍ଚରେ ଶେଷ ହେବ । ୨୦୧୯-୨୦ ଆର୍ଥିକବର୍ଷରେ ବ୍ୟାଙ୍କର ମୋଟ ଆୟ ୧.୪୯୭ ଲକ୍ଷ କୋଟି ଟଙ୍କା ରହିଛି । ୨୦୧୮-୧୯ରେ ଏହା ୧.୯୩୦ ଲକ୍ଷ କୋଟି ଟଙ୍କା ଥିଲା । ଆଲୋଚ୍ୟ ଆର୍ଥିକବର୍ଷରେ ବ୍ୟାଙ୍କର ବ୍ୟୟ ୯୨,୫୪୦ କୋଟି ଟଙ୍କା ରହିଥିବା ଜଣାଯାଇଛି ।

   ସମ୍ବନ୍ଧିତ ଖବର


ଦେଶର ସୀମାରେ ବଡ଼ ବିପଦ, ଆତଙ୍କବାଦୀଙ୍କ ଅନୁପ୍ରବେଶ ଚେଷ୍ଟା ଜାରି – ସେନା ମୁଖ୍ୟ

କରୋନା ଟିକା ଆସିବାର ତିନିରୁ ୪ ସପ୍ତାହ ମଧ୍ୟରେ ସମସ୍ତଙ୍କୁ ଟିକା ଦେବେ ଏହି ରାଜ୍ୟର ସରକାର

ନକଲି ରେଳ ଟିକେଟକୁ ସାବଧାନ- ମାତିଛନ୍ତି ଏ ପ୍ରକାରର ଦଲାଲ

ଶୋଇଥିବା ନିରୀହ ପୁଅର ତଣ୍ଟି ଚିପି ଦେଲା ନିଷ୍ଠୁର ପିତା –ପତ୍ନୀଙ୍କୁ କହିଲା ,ଏବେ ସେ ସବୁଦିନ ପାଇଁ ନିରାପଦ !

ଅଷ୍ଟ୍ରେଲିଆ ଉପରେ ଚୀନ୍‌ର ରାଗ- ଆମଦୀନୀ ହେଉଥିବା ମଦ ଉପରେ ବସାଇଲା ଦୁଇ ଶହ ପ୍ରତିଶତ ଟ୍ୟାକ୍ସ

ନିଖୋଜ ନେଭି କମାଣ୍ଡରଙ୍କର ଚିଠି ଭାଇରାଲ : କାହିଁକି ସେ ଲେଖିଲେ – ମୁଁ ବୋମା ପକାଇବାକୁ ଚାହୁଁଛି