ନୂଆଦିଲ୍ଲୀ: ଆଇପିଏଲ ୨୦୨୪ ଅନ୍ତିମ ପର୍ଯ୍ୟାୟେର ପହଞ୍ଚିଛି । ଦୁଇ ଦିନ ପରେ ଲିଗ୍ ପର୍ଯ୍ୟାୟର ସବୁ ମୁକାବିଲା ଶେଷ ହୋଇଯିବ । ଏହା ସହ ଆରମ୍ଭ ହେବ ପ୍ଲେଅଫ୍ ମ୍ୟାଚ୍ । ଏବେ ସୁଦ୍ଧା କୋଲକାତା, ରାଜସ୍ଥାନ ଏବଂ ହାଇଦ୍ରାବାଦ ପ୍ଲେଅଫ୍ ଲାଗି ଯୋଗ୍ୟତା ଅର୍ଜନ କରିସାରିଥିବା ବେଳେ ମେ’ ୧୮ରେ ଚତୁର୍ଥ ଟିମ୍ ସାମିଲ ହେବ । ତେବେ ମେ’ ୧୮ରେ ହେବାକୁ ଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମ୍ୟାଚ୍ ଉପରେ ସମସ୍ତଙ୍କ ନଜର ।
ପ୍ଲେଅଫରେ ପହଞ୍ଚିବାକୁ ହେଲେ ଆରସିବି ଲାଗି କେବଳ ବିଜୟ ପର୍ଯ୍ୟାପ୍ତ ନୁହେଁ । ପ୍ଲେଅଫକୁ ଯିବାକୁ ହେଲେ ସିଏସକେକୁ ଆରସିବି ଅତିକମ୍ରେ ୧୧ରନ୍ କିମ୍ବା ୧୮.୧ ଓଭରରେ ପରାସ୍ତ କରିବାକୁ ହେବ । ଆଉ ଏଭଳି ‘କର ବା ମାର’ ମ୍ୟାଚ୍ରେ ଆରସିବିର ପ୍ଲେଇଂ ଇଲେଭେନ୍ କିଭଳି ରହିବ ତାକୁ ନେଇ ଚର୍ଚ୍ଚା ଲାଗିରହିଛି । ସେପଟେ ଏହି ବଡ଼ ମୁକାବିଲା ପୂର୍ବରୁ ଆରସିବିକୁ ଝଟକା ଲାଗିଛି । ଇଂଲଣ୍ଡର ଜଣେ ଖେଳାଳି ଆଇପିଏଲ ଛାଡ଼ି ସ୍ବଦେଶ ଫେରିଯାଇଛନ୍ତି । ଓ୍ବିଲ ଜ୍ୟାକ୍ସଙ୍କ ବିନା ଆରସିବି ମୈଦାନକୁ ଓହ୍ଲାଇବ । ତାଙ୍କ ସ୍ଥାନରେ ଗ୍ଲେନ୍ ମ୍ୟାକ୍ସଓ୍ବେଲଙ୍କୁ ଖେଳାଇପାରେ ଦଳ ।
ଚେନ୍ନାଇ ବିପକ୍ଷରେ ଫାଫ ଡୁପ୍ଲେସିସ୍ ଏବଂ ବିରାଟ କୋହଲି ଓ୍ବପନିଂ କରିବେ । ଏହା ପରେ ଗ୍ଲେନ୍ ମ୍ୟାକ୍ସଓ୍ବେଲ ଆସିପାରନ୍ତି । ଚତୁର୍ଥ ସ୍ଥାନରେ ରଜତ ପାଟିଦାର ଏବଂ ପଞ୍ଚମରେ କ୍ୟାମେରୁନ ଗ୍ରୀନଙ୍କ ଖେଳିବା ନିଶ୍ଚିତ । ସେମାନଙ୍କ ପରେ ଅନୁଜ ରାଓ୍ବତ କିମ୍ବା ମହିପାଲ ଲୋମରୋରଙ୍କୁ ଦେଖିବାକୁ ମିଳିପାରେ । ପରେ ଦିନେଶ କାର୍ତ୍ତିକ ନିଜ ଜଲଓ୍ବା ଦେଖାଇବେ ।
ଚେନ୍ନାଇ ବିପକ୍ଷରେ ଆରସିବିର ସମ୍ଭାବ୍ୟ ଟିମ୍
ବିରାଟ କୋହଲି, ଫାଫ୍ ଡୁପ୍ଲେସିସ୍ (ଅଧିନାୟକ), ଗ୍ଲେନ୍ ମ୍ୟାକ୍ସଓ୍ବେଲ୍, ରଜତ ପାଟିଦାର, କ୍ୟାମେରୁନ୍ ଗ୍ରୀନ୍, ଅନୁଜ ରାଓ୍ବତ/ ମହିପାଲ ଲୋମରୋର, ଦିନେଶ କାର୍ତ୍ତିକ (ଓ୍ବିକେଟ କିପର), କର୍ଣ୍ଣ ଶର୍ମା, ମହମ୍ମଦ ସିରାଜ, ୟଶ ଦୟାଲ, ଲକି ଫର୍ଗ୍ୟୁସନ୍, ଇମ୍ପାକ୍ଟ ପ୍ଲେୟାର- ସ୍ବପ୍ନିଳ ସିଂହ