୪ଟି ବୁଥରେ ସାନି ମତଦାନ, ଇଭିଏମରେ ତୃଟି ଯୋଗୁଁ ନିର୍ଦ୍ଧିଷ୍ଟ ଦଳକୁ ଯାଉଥିଲା ଭୋଟ୍

ଭୁବନେଶ୍ୱର ୧୮/୪: ୨ୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ୍ ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁସାରେ ୪ଟି ବୁଥରେ ପରିଚାଳନାଗତ ତୃଟି ଦେଖାଯାଇଛି । ଇଭିଏମରେ ତୃଟି ଥିବା ମତଦାନରେ ବିଭ୍ରାଟ ଦେଖାଦେଇଥିଲା । ବିଭ୍ରାଟ ଦେଖାଦେଇଥିବା ବୁଥ୍ ମାନଙ୍କରେ ସାନି ନିର୍ବାଚନ କରାଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।
ସୁନ୍ଦରଗଡ ରଙ୍ଗାଢିପା ୨୧୪ ନଂ ବୁଥରେ ସାନି ମତଦାନ ହେବ । ସକାଳେ ଆରମ୍ଭରୁ ଇଭିଏମରେ ତୃଟି ଦେଖାଦେଇଥିଲା । ପରେ ପ୍ରାୟ ୩ ଘଣ୍ଟା ବିଳମ୍ବରେ ଭୋଟଗ୍ରହଣ ଆରମ୍ଭ ହୋଇଥିଲା । ଭୋଟ୍ ଗ୍ରହଣର କିଛି ସମୟ ପରେ ପୁଣି ତ୍ରୁଟି ଦେଖାଦେଇଥିଲା । ଗୋଟିଏ ଚିହ୍ନରେ ଭୋଟ୍ ଦେଲେ ଅନ୍ୟ ଦଳକୁ ଯାଉଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ଭୋଟରଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣାସ୍ଥଳରେ ପହଞ୍ଚି ଭୋଟ୍ ବନ୍ଦ କରିଥିଲେ ରିଟର୍ଣ୍ଣିଂ ଅଫିସର । ତେଣୁ ଏହି ବୁଥରେ ସାନି ମତଦାନ ହେବ ।
ନୟାଗଡ ବାହାଡାଝୋଲା ବୁଥ ନଂ ୨୧୦ରେ ମଧ୍ୟ ଭୋଟ୍ ବାତିଲ ହୋଇଥିଲା । ମତଦାନ ସମୟରେ ଭୋଟ୍ ଏକ ନିର୍ଦ୍ଧିଷ୍ଟ ଦଳକୁ ଯାଉଥିବା ଅଭିଯୋଗ କରିଥିଲେ ଭୋଟର । ବଣେଇରେ ୧୨୯ ନମ୍ବର ବୁଥ୍ ଏବଂ ଦଶପଲ୍ଲାରେ ୨୧୦ ଓ ୨୨୨ ନମ୍ବର ବୁଥରେ ମଧ୍ୟ ବିଭ୍ରାଟ ଦେଖାଦେଇଥିଲା । ଏହି ୪ଟି ବୁଥରେ ସାନି ନିର୍ବାଚନ କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରେସମିଟରେ ସୂଚନା ଦେଇଛନ୍ତି ।