ରେକର୍ଡ ବ୍ରେକର ଦୂତି ଚାନ୍ଦ: ଜାତୀୟ ରେକର୍ଡ ଓ ସଂଘର୍ଷମୟ କ୍ୟାରିୟରକୁ ନେଇ ଆମର ସ୍ୱତନ୍ତ୍ର ଉପସ୍ଥାପନା…

ରେକର୍ଡ ଭାଙ୍ଗିବା ଓ ଗଢ଼ିବା ଯାହାଙ୍କ ପାଇଁ ଅତି ସାଧାରଣ କଥା, ସେ ହେଉଛନ୍ତି ଅଲିମ୍ପିଆନ ଦୂତି ଚାନ୍ଦ । ମହିଳା ୧୦୦ ମିଟରରେ ସେ ବାରମ୍ବାର ନିଜ ରେକର୍ଡ ନିଜେ ଭାଙ୍ଗି ଚାଲିଛନ୍ତି । ଦୋହା ଏସିଆନ ଆଥଲେଟିକ୍ସ ଚାମ୍ପିଅନସିନରେ ଦୂତି ଦୁଇ ଥର ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିଲେ । ଶେଷରେ ଦୁର୍ଭାଗ୍ୟକୁ ପଦକରୁ ବଞ୍ଚିତ ହୋଇଥିଲେ । ୧୦୦ ମିଟରରେ ସେ ଦେଶର ଦ୍ରୁତତମ ଧାବିକା । ୨୦୧୬ ଠାରୁ ସିନିୟର ବର୍ଗରେ ବହୁବାର ଜାତୀୟ ରେକର୍ଡ ଭାଙ୍ଗି ନୂଆ ରେକର୍ଡ ପ୍ରତିଷ୍ଠା କରିସାରିଲେଣି । ଦୂତିଙ୍କ ଜାତୀୟ ରେକର୍ଡ ଓ ସଂଘର୍ଷମୟ କ୍ୟାରିୟରକୁ ନେଇ ଆମର ସ୍ୱତନ୍ତ୍ର ଉପସ୍ଥାପନା

ଆମ ଦେଶର ଜନସଂଖ୍ୟା ୧୩୫ କୋଟିରୁ ଊଦ୍ଧ୍ୱର୍ ହେଲାଣି । ଜନସଂଖ୍ୟାର ଯେତିକି ଶତକଡ଼ା ମହିଳା, ସେମାନଙ୍କ ମଧ୍ୟରେ ଦୂତି ଚାନ୍ଦ ଦେଶର ଦ୍ରୁତତମ ଧାବିକା । ଏହା ଆମ ରାଜ୍ୟ ପାଇଁ କମ୍‌ ଗୌରବର କଥା ନୁହଁ । ପ୍ରତ୍ୟେକ ଓଡ଼ିଆ ତାଙ୍କ ପାଇଁ ବର୍ଗିତ ।

ଅତି ସାଧାରଣ ପରିବାରରେ ଦୂତିଙ୍କ ଜନ୍ମ । ସେ ଯେ ଦିନେ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବେ ହୁଏତ ଏ କଥା କେବେ କେହି କଳ୍ପନା ହିଁ କରି ନଥିଲେ । ମାତ୍ର କଠିନ ପରିଶ୍ରମ, ସ୍ଥିର ଏକାଗ୍ରତା ଏବଂ ଦୃଢ଼ ଆତ୍ମବିଶ୍ୱାସ ତାଙ୍କୁ ଅନ୍ତର୍ଜାତୀୟ ସ୍ତରରେ ସଫଳ କରାଇଛି । ଜୁନିୟର ବର୍ଗରୁ ସିନିୟର ବର୍ଗ ପର୍ଯ୍ୟନ୍ତ ଦୂତି ବହୁ ସଫଳତା ହାସଲ କରି ସାରିଲେଣି । ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରିବା, ଏସିଆଡ୍‌ରେ ଡବଲ୍‌ ପଦକ ଜିତିବା ଠାରୁ ଅନ୍ୟାନ୍ୟ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ମଧ୍ୟ ସେ ବେଶ ସଫଳତା ହାସଲ କରିଛନ୍ତି ।
ଦୂତି ଏବେ ଦୋହାରେ ଚାଲିଥିବା ୨୩ତମ ଏସିଆନ୍‌ ଆଥଲେଟିକ୍ସ ଭାଗ ନେଇ ୧୦୦ ମିଟର ଦୌଡ଼ରେ ୫ମ ସ୍ଥାନ ହାସଲ କରିଛନ୍ତି । ଏହି ଇଭେଣ୍ଟରେ ସେ ପଦକ ଜିତି ପାରି ନଥିଲେ ବି ଯୋଗ୍ୟତା ଓ ସେମି ଫାଇନାଲରେ ଦୁଇ ଦିନରେ ଦୁଇ ଥର ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିଲେ । ଯାହା ଭାରତୀୟ ଆଥଲେଟ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବିଷୟ ଥିଲା । ଅନ୍ତର୍ଜାତୀୟ ଆଥଲେଟିକ୍ସରେ ଏ ପର୍ଯ୍ୟନ୍ତ ଭାରତ ସେଭଳି ନିଜର ପ୍ରାଧାନ୍ୟ ଜାହିର କରି ପାରିନାହିଁ । ବିଶେଷ କରି ଆଥଲେଟିକ୍ସର ଟ୍ରାକ୍‌ ଏଣ୍ଡ୍‌ ଫିଲ୍ଡରେ ଅଲିମ୍ପିକ୍ସ ଓ ବିଶ୍ୱ ଆଥଲେଟିକ୍ସ ଭଳି କ୍ରୀଡ଼ାରେ ଆମ ପ୍ରଦର୍ଶନ ଅତି ନୈରାଶ୍ୟଜନକ ରହିଛି । ବିଭିନ୍ନ ଇଭେଣ୍ଟରେ ସିଧାସଳଖ ଯୋଗ୍ୟତା ହାସଲ କରିବା ମଧ୍ୟ ଆମ ଆଥଲେଟଙ୍କ ପାଇଁ ବହୁ ବଡ଼ କଥା ହୋଇଥାଏ ।

ପୁରୁଷ କିମ୍ବା ମହିଳା ୧୦୦ ଓ ୨୦୦ ମିଟର ଦୌଡ଼ ଏକ ଗୁରୁତ୍ୱପୂର୍ଣ୍ଣ ଇଭେଣ୍ଟ । ୧୦୦ ମିଟର ଦୌଡ଼ରେ ବିଶ୍ୱ ରେକର୍ଡ କିମ୍ବଦନ୍ତୀ ୟୁସେନ ବୋଲ୍ଟଙ୍କ ନାମରେ ରହିଛି । ସେ ୨୦୦୯ରେ ୯.୫୮ ସେକେଣ୍ଡ ସହ ନୂଆ ବିଶ୍ୱ ରେକର୍ଡ କରିଥିଲେ । ଭାରତର ଜାତୀୟ ରେକର୍ଡ ଉପରେ ଯଦି ଦୃଷ୍ଟି ଦେବା ତେବେ ଓଡ଼ିଶାର ଅମିୟ କୁମାର ମଲିକଙ୍କ ନାମରେ ଜାତୀୟ ରେକର୍ଡ ରହିଛି । ସେ ୨୦୧୬ରେ ଫେଡେରେସନ୍‌ କପ୍‌ରେ ୧୦.୨୬ ସେକେଣ୍ଡ ପ୍ରଦର୍ଶନ ଦେଇ ନୂଆ ଜାତୀୟ ରେକର୍ଡ କରିଥିଲେ, ଯାହା ଏ ପର୍ଯ୍ୟନ୍ତ ବଳବତ୍ତର ରହିଛି ।

ମହିଳା ୧୦୦ ମିଟରରେ ବିଶ୍ୱ ରେକର୍ଡ ଆମେରିକାର ଫ୍ଲରେନ୍ସ ଗ୍ରିଫିଥ୍‌ଙ୍କ (୧୦.୪୯ ସେକେଣ୍ଡ) ନାମରେ ରହିଛି । ୧୯୮୮ ଜୁଲାଇ ୧୬ ତାରିଖରେ ସେ ଏହି ରେକର୍ଡ ପ୍ରତିଷ୍ଠା କରିଥିଲେ । ଯାହା ଏ ପର୍ଯ୍ୟନ୍ତ ବଳବତ୍ତର ରହି ଆସିଛି । ଭାରତରେ କିନ୍ତୁ ଏହି ରେକର୍ଡ ବହୁ ଦୁର୍ବଳ । ଏ ପର୍ଯ୍ୟନ୍ତ କୌଣସି ମହିଳା ୧୦୦ ମିଟରରେ ୧୧.୦୦ ସେକେଣ୍ଡରୁ ତଳକୁ ଖସିବାରେ ସଫଳ ହୋଇ ନାହାନ୍ତି । ଦୂତି ଦେଶର ଦ୍ରୁତତମ ଧାବିକା । ଦୋହାରେ ସେ ସେମି ଫାଇନାଲ୍‌ ରାଉଣ୍ଡରେ ୧୧.୨୬ ସେକେଣ୍ଡ ନେଇ ନୂଆ ରେକର୍ଡ ପ୍ରତିଷ୍ଠା କରିଥିଲେ । (ଯଦିଓ ପୂର୍ବରୁ ସେ ୨୦୧୬ରେ କାଜାଖସ୍ତାନରେ ଏକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ୧୧.୨୪ ସେକେଣ୍ଡ ଟାଇମିଂ ଦେଇଥିଲେ ।) ଏହିଠାରୁ ଅନୁମେୟ ଯେ ଅନ୍ତର୍ଜାତୀୟ ସ୍ତରର ବଡ଼ ବଡ଼ ଇଭେଣ୍ଟରେ ପଦକ ଜିତିବାକୁ ହେଲେ ଟାଇମିଂରେ କେତେ ସୁଧାର ଆଣିବାକୁ ହେବ ।

ଜୁନିୟର ବର୍ଗରେ ଜାତୀୟ ରେକର୍ଡ
ଦୂତି ସବୁବେଳେ ନିଜ ପ୍ରଦର୍ଶନ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ଜୁନିୟର ବର୍ଗରେ ସେ ପ୍ରଥମ ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିଲେ । ୨୦୧୪ରେ ଚେନ୍ନାଇରେ ଅନୁଷ୍ଠିତ ୧୨ତମ ଫେଡେରେସନ୍‌ କପ୍‌ ଜୁନିୟର ଆଥଲେଟିକ୍‌ ଚାମ୍ପିଅନସିପ୍‌ର ୧୦୦ ମିଟରରେ ୧୧.୬୩ ସେକେଣ୍ଡ ସହ ସ୍ୱର୍ଣ୍ଣ ଜିତିଥିଲେ । ଏଥିସହ ନୂଆ ଜାତୀୟ ରେକର୍ଡ ମଧ୍ୟ ହୋଇଥିଲା ।

ସିନିୟର ବର୍ଗରେ ପ୍ରଥମ ରେକର୍ଡ
ଏପ୍ରିଲ, ୨୦୧୬ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ସିନିୟର ଜାତୀୟ ଆଥଲେଟିକ୍ସରେ ସେ ପ୍ରଥମ ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିଲେ । ଫାଇନାଲ୍‌ରେ ଦୂତି ୧୧.୩୩ ସେକେଣ୍ଡ ସହ ସ୍ୱର୍ଣ୍ଣ ଜିତିଥିଲେ । ମେ’ ୨୦୧୭ରେ ଇଣ୍ଡିଆନ୍‌ ଗ୍ରାଣ୍ଡପ୍ରିକ୍ସର ଫାଇନାଲ୍‌ରେ ୧୧.୩୦ ସେକେଣ୍ଡ ସହ ସେ ନିଜର ପୂର୍ବ ରେକର୍ଡ ଭଙ୍ଗ କରିଥିଲେ । ସେବେଠୁ ଏ ପର୍ଯ୍ୟନ୍ତ ମହିଳା ୧୦୦ ମିଟରରେ ୧୧.୩୦ ସେକେଣ୍ଡ ରେକର୍ଡ ବଳବତ୍ତର ରହି ଆସିଥିଲା । ଏହାପରେ ସେ ଗତବର୍ଷ ଗୌହାଟୀରେ ନୂଆ ଜାତୀୟ ରେକର୍ଡ କରିଥିଲେ (୧୧.୨୯ ସେକେଣ୍ଡ ।

୩୬ ବର୍ଷ ପରେ ଅଲିମ୍ପିକ୍ସ ଯୋଗ୍ୟତା ସବୁବେଳେ ଦୂତି ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଆସିଛନ୍ତି । କିମ୍ବଦନ୍ତୀ ପିଟି ଉଷାଙ୍କ ପରେ ସେ ୩୬ ବର୍ଷ ପରେ ଭାରତୀୟ ପ୍ରଥମ ମହିଳା ଭାବେ ୧୦୦ ମିଟରରେ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଥିଲେ । ୧୯୮୦ ଅଲିମ୍ପିକ୍ସରେ ପିଟି ଉଷା ଆଥଲେଟିକ୍ସରେ ଭାଗ ନେଇଥିଲେ । କିନ୍ତୁ ଅଲିମ୍ପିକ୍ସରେ ଯୋଗ୍ୟତା ଟାଇମିଂ ଲାଗୁ ହେବାପରେ ଦୂତି ହେଉଛନ୍ତି ୧୦୦ ମିଟରରେ ଭାଗ ନେବାରେ ପ୍ରଥମ ଭାରତୀୟ ମହିଳା । ସେହିପରି ରାଜ୍ୟର ପ୍ରଥମ ମହିଳା ଭାବେ ବ୍ୟକ୍ତିଗତ ଇଭେଣ୍ଟରେ ଅଲିମ୍ପିକ୍ସ ଯୋଗ୍ୟତା ଲାଭ କରିଥିଲେ ।

ଦୋହାରେ ଦୁଇ ଥର ଦୋହାରେ ଦୂତି ୧୦୦ ମିଟରରେ ଦୁଇଥର ଜାତୀୟ ରେକର୍ଡ ଭଙ୍ଗ କରିଛନ୍ତି । ପ୍ରଥମେ ହିଟ୍‌ରେ ୧୧.୨୮ ସେକେଣ୍ଡ ସହ ପ୍ରଥମ ସ୍ଥାନ ହାସଲ କରି ସେମିରେ ପ୍ରବେଶ କରିଥିଲେ । ଯାହା ନୂଆ ଜାତୀୟ ରେକର୍ଡ ଥିଲା । ପୂର୍ବ ଟାଇମିଂରେ ସୁଧାର ଆଣି ସେ ନିର୍ଦ୍ଧାରିତ ଦୂରତାକୁ ସେ ଏକ ମାଇକ୍ରୋ ସେକେଣ୍ଡ କମ୍‌ ସମୟ ନେଇଥିଲେ । ଯଦି ସେ ୧୧.୨୪ ସେକେଣ୍ଡ ଟାଇମିଂ ଦେଇଥାନ୍ତେ, ତେବେ ଦୋହାରେ ଅକ୍ଟୋବର-ନଭେମ୍ବର ମାସରେ ଆୟୋଜିତ ହେବାକୁ ଯାଉଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍‌କୁ ଯୋଗ୍ୟତା ହାସଲ କରିପାରିଥାନ୍ତେ ।

ସୋମବାର ସେମି ଫାଇନାଲ୍‌ରେ ମଧ୍ୟ ଦୂତି ପୂର୍ବ ଦିନର ରେକର୍ଡ ଭଙ୍ଗ କରିଥିଲେ । ନିର୍ଦ୍ଧାରିତ ଦୂରତାକୁ ୧୧.୨୬ ସେକେଣ୍ଡ ନେଇ ଫାଇନାଲ୍‌ରେ ପ୍ରବେଶ କରିଥିଲେ । ୨୦୧୭ରେ ଭୁବନେଶ୍ୱରରେ ଆୟୋଜିତ ୨୨ତମ ଏସିଆନ୍‌ ଆଥଲେଟିକ୍ସରେ ସେ ୧୦୦ ମିଟରରେ ବ୍ରୋଞ୍ଜ ପଦକ ଜିତିଥିଲେ । ତାଙ୍କ ଟାଇମିଂ ଥିଲା ୧୧.୫୨ ସେକେଣ୍ଡ । ବର୍ଷା ପାଗ ଯୋଗୁ ତାଙ୍କ ଟାଇମିଂ ସେତେ ଭଲ ନଥିଲା । ସ୍ୱର୍ଣ୍ଣ ଜିତିଥିବା କାଜାଖସ୍ତାନର କିକ୍ଟୋରିଆ ୧୧.୩୯ ସେକେଣ୍ଡ ନେଇଥିଲେ । ଦୋହାରେ ଦୂତି ପଦକ ଦୋହରାଇ ପାରିନଥିଲେ । ଫାଇନାଲ୍‌ରେ ଟାଇମିଂ ଅତି ଦୁର୍ବଳ ରହିଥିଲା । ଯାହାବି ହେଉ ଅନ୍ୟ ଇଭେଣ୍ଟ ଗୁଡ଼ିକରେ ତାଙ୍କ ଠାରୁ ପଦକ ଆଶା ରହିଛି ।

ଯନ୍ତ୍ରଣାମୟ କ୍ୟାରିୟର
କ୍ୟାରିୟରେ ଦୂତି ବହୁ ସଂଘର୍ଷ କରିଛନ୍ତି । ଗତ ୪ ବର୍ଷ ତାଙ୍କ ଜୀବନ ବେଶ ଯନ୍ତ୍ରଣାଦାୟକ ଥିଲା । ସବୁବେଳେ ସେ କ୍ୟାରିୟରକୁ ନେଇ ଅନିଶ୍ଚିତତା ମଧ୍ୟରେ ରହୁଥିଲେ । ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପୂର୍ବରୁ ଦୂତି ଆଣ୍ଡ୍ରୋଜେନ ମାମଲାରେ ଛନ୍ଦି ହୋଇ ବିବାଦୀୟ ହୋଇ ପଡ଼ିଥିଲେ । ଏହି ମାମଲାକୁ ନେଇ ସେ ସ୍ୱିଜରଲାଣ୍ଡର କୋର୍ଟ ଅଫ୍‌ ଆର୍ବିଟ୍ରେସନ୍‌ ଫର ସ୍ପୋର୍ଟ୍ସ (କାସ୍‌)ଙ୍କ ଦ୍ୱାରସ୍ଥ ହୋଇଥିଲେ । ୨୦୧୫, ଜୁଲାଇ ୨୪ରେ କାସ୍‌ ମାମଲାର ଶୁଣାଣି କରିଥିଲେ । କୋର୍ଟ ଦୂତିଙ୍କୁ ସାମୟିକ ଆଶ୍ୱସ୍ତି ଦେଇଥିଲେ । ମାମଲାର ଚୂଡ଼ାନ୍ତ ରାୟ ନଆସିବା ଯାଏ ସେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ପାରିବେ ବୋଲି କୋର୍ଟ ରାୟ ଦେଇଥିଲେ । ସେବେଠୁ ଦୀର୍ଘ ୪ ବର୍ଷ ଧରି ସେ ବହୁ ଯନ୍ତ୍ରଣା ପାଇଥିଲେ । କିନ୍ତୁ କ୍ରୀଡ଼ାଠୁ ଦୂରେଇ ରହି ନଥିଲେ ।

ଗତବର୍ଷ ଜାନୁଆରୀ ମାସରେ କୋର୍ଟ ଅଫ୍‌ ଆର୍ବିଟ୍ରେସନ୍‌ ଫର ସ୍ପୋର୍ଟ୍ସ (କାସ୍‌)କାସ୍‌ ‘ହାଇପରଆଣ୍ଡ୍ରୋଜେନିଜିମ୍‌’ ନିୟମ ଉପରେ ୬ ମାସ ବାସନ୍ଦାଦେଶ ଲଗାଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଇଣ୍ଟରନ୍ୟାସନାଲ୍‌ ଆସୋସିଏସନ୍‌ ଅଫ୍‌ ଆଥଲେଟିକ୍ସ ଫେଡେରେସନ୍‌ (ଆଇଏଏଏଫ୍‌) ମହିଳା ଆଥଲେଟଙ୍କ ପାଇଁ ନୂଆ ନିୟମ ଆଣିଥିଲା । ଆଇଏଏଏଫ୍‌ର ନୂଆ ନିୟମରେ ଦୂତି ଅନ୍ତର୍ଜାତୀୟ ଆଥଲେଟିକ୍ସରେ ୧୦୦ କିମ୍ବା ୨୦୦ ମିଟରରେ ଦୌଡ଼ି ପାରିବେ । ତାଙ୍କ ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ତେଣୁ ଦୂତି ସଂପୂର୍ଣ୍ଣ ଭାବେ ବିବାଦ ମୁକ୍ତ ହୋଇଯାଇଥିଲେ । ଅର୍ଥାତ ଆଣ୍ଡ୍ରୋଜେନ ମାମଲାରେ ଆଇଏଏଏଫ୍‌ ପରାଜିତ ହୋଇଥିବାବେଳେ ଦୂତିଙ୍କ ବିଜୟ ହୋଇଥିଲା । ଏହି ସମୟ ମଧ୍ୟରେ ତାଙ୍କୁ ବହୁ ନିନ୍ଦା ଓ ଅପବାଦ ସହିବାକୁ ପଡ଼ିଥିଲା ।

   ସମ୍ବନ୍ଧିତ ଖବର


ଆଜି ଦ୍ୱିତୀୟ ଦିନିକିଆ ମ୍ୟାଚ୍: ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ମୁକାବିଲା, ‘କର ବା ମର’ ସ୍ଥିତିରେ ବିରାଟ ବାହୀନି

ରବିବାର ଦ୍ବିତୀୟ ଦିନିକିଆ, ପ୍ଲେଇଙ୍ଗ୍‌ ଇଲେଭେନରୁ ବାଦ ପଡ଼ିପାରନ୍ତି ଏହି ଦୁଇ ଖେଳାଳି!

ମାକ୍ସଓ୍ବେଲ କାହିଁକି କେଏଲ ରାହୁଲଙ୍କୁ ମାଗିଲେ କ୍ଷମା? ଯାହାକୁ ନେଇ ଲାଗି ରହିଛି ଚର୍ଚ୍ଚା

ଟିମ୍‌ ଇଣ୍ଡିଆ ଖେଳାଳି ଆଇପିଏଲରେ ହିରୋ, ଇଣ୍ଟରନ୍ୟାସନାଲ ମ୍ୟାଚରେ ଜିରୋ! ବିରାଟ ବାହିନୀକୁ କାହିଁକି ‘ଠୁ ଓଲ୍ଡ ସ୍କୁଲ’ କହିଲେ ମାଇକେଲ ଭନ୍

ପ୍ର‌ଥମ ଦିନିକିଆ ହାରିବା ପରେ ଟିମ୍‌ ଇଣ୍ଡିଆକୁ ଝଟକା, ICC ନେଲା ଏହି ପଦକ୍ଷେପ

ମୃତ୍ୟୁ ବେଳକୁ ଧନୀରୁ ପୁଣି ଗରିବ ହୋଇଯାଇଥିଲେ ମାରାଡୋନା, ବ୍ୟାଙ୍କ୍‌ ଖାତାରେ ଥିଲା ମାତ୍ର ୭୫,୦୦୦ ପାଉଣ୍ଡ