ପୁରୀର ଚତୁଃପାଶ୍ୱର୍ରେ ୭୫ ମିଟର ଉଚ୍ଛେଦକୁ ସୁପ୍ରିମକୋର୍ଟ ମିଳିଲାନି ରହିତାଦେଶ

ଭୁବନେଶ୍ୱର ୨୮/୮ : ପୁରୀରେ ଚାଲିଥିବା ଉଚ୍ଛେଦ ଅଭିଯାନ ଉପରେ ରହିତାଦେଶ ଦେବାକୁ ସୁପ୍ରିମକୋର୍ଟ ମନା ଦେଇଛନ୍ତି । ଜଷ୍ଟିସ୍‌ ଅରୁଣ ମିଶ୍ର, ଜଷ୍ଟିସ୍‌ ଏମ୍‌ଆର୍‌ ଶାହା ଏବଂ ଜଷ୍ଟିସ୍‌ ବିଆର୍‌ ଗାଭାଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ନେଇ ଆଗତ ଦୁଇଟି ମାମଲାର ଶୁଣାଣି କରି ଆମିକସ୍‌ କ୍ୟୁରୀ ଓ ସଲିସିଟର ଜେନେରାଲ୍‌ଙ୍କୁ ପୁରୀ ପରିଦର୍ଶନ କରି ମତ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ଏହାର ପରବର୍ତ୍ତୀ ଶୁଣାଣି ହେବ ।

ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ଓ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି ପାଇଁ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତି ହୋଇଛି । ଏହି ନିଷ୍ପତ୍ତି କ୍ରମେ ମେଘନାଦ ପାଚେରି ଚତୁଃପାଶ୍ୱର୍ରେ ୭୫ ମିଟର ଭିତରେ ସମସ୍ତ ଉଚ୍ଛେଦ କରାଯାଉଛି । କ୍ୟାବିନେଟ୍‌ ନିଷ୍ପତ୍ତିକୁ ରଦ୍ଦ ଓ ଉଚ୍ଛେଦ ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟରେ ରୁଜୁ ୨ଟି ମାମଲା ଉପରେ ଆଜି ଶୁଣାଣି ହୋଇଥିଲା । ଏଥିସହ ଶ୍ରୀମନ୍ଦିର ସଂସ୍କାର ପାଇଁ ମୂଳ ମାମଲା ରୁଜୁ କରିଥିବା ମୃଣାଳିନୀ ପାଢ଼ୀଙ୍କ ପକ୍ଷରୁ ଏକ ମିସ୍‌ କେସ୍‌ ମଧ୍ୟ ରୁଜୁ ହୋଇଥିଲା ।ତେବେ ଉଚ୍ଛେଦ ଉପରେ ସ୍ଥଗିତାଦେଶ ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ ମନା କରିଦେଇଛନ୍ତି ।

ପୁରୀରେ ଉଚ୍ଛେଦ ବନ୍ଦ କରିବା ପାଇଁ ପ୍ରଥମ ମାମଲା ରୁଜୁ କରିଥିଲେ ଇଣ୍ଟର କଣ୍ଟିନେଣ୍ଟାଲ୍‌ ଲୟର୍ସ ଆସୋସିଏସନର ମୁଖ୍ୟ ଆଡଭୋକେଟ୍‌ ଦେବାଶିଷ ମିଶ୍ର । ସେ ଏ ନେଇ ସୁପ୍ରିମକୋର୍ଟରେ ରିଟ୍‌ ପିଟିସନ୍‌ ସିଭିଲ୍‌ ୧୦୯୪/୨୦୧୯ ରୁଜୁ କରିଥିଲେ । ପୁରୀରେ ଚାଲିଥିବା ଉଚ୍ଛେଦ ଅଭିଯାନ ବେଆଇନ୍‌ ଓ ଏହା ସୁପ୍ରିମକୋର୍ଟଙ୍କ ରାୟର ଅବମାନନା କରୁଛି । ଏ ନେଇ ଓଡ଼ିଶା କ୍ୟାବିନେଟ୍‌ରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତିକୁ ରଦ୍ଦ କରାଯାଉ ବୋଲି ଦେବାଶିଷ ଦର୍ଶାଇଥିଲେ । ସେ ମୁଖ୍ୟ ଶାସନ ସଚିବ, ପୁରୀ ଜିଲ୍ଲାପାଳ, ଏସ୍‌ପି ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ୧୬ ଜଣଙ୍କୁ ପକ୍ଷଭୁକ୍ତ କରିଥିଲେ । ଆଜି କୋର୍ଟ ନମ୍ବର ୪ରେ ଜଷ୍ଟିସ୍‌ ଅରୁଣ ମିଶ୍ର, ଜଷ୍ଟିସ୍‌ ଏମ୍‌ଆର୍‌ ଶାହା ଏବଂ ଜଷ୍ଟିସ୍‌ ବିଆର୍‌ ଗାଭାଇଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ ।

ଦ୍ୱିତୀୟ ମାମଲା ରୁଜୁ କରିଥିଲେ ଚେନ୍ନାଇର ସମାଜସେବୀ ଶାହି ଦିବାକର । ସେ ମଧ୍ୟ ଉଚ୍ଛେଦ ବନ୍ଦ କରିବାକୁ ପ୍ରାର୍ଥନା କରିଥିଲେ । ଶାହି ଦିବାକର ପୂର୍ବରୁ କେରଳର ସାବରିମାଲା ମନ୍ଦିର ସମ୍ପର୍କରେ ଏକ ଜନସ୍ୱାର୍ଥ ମାମଲା ସୁପ୍ରିମକୋର୍ଟରେ ରୁଜୁ କରି ଚର୍ଚ୍ଚାକୁ ଆସିଥିଲେ ।

ଶୁଣାଣିବେଳେ ଓଡ଼ିଶା ଆଡଭୋକେଟ୍‌ ଜେନେରାଲ୍‌ ଅଶୋକ ପରିଜା କହିଥିଲେ ଯେ, ରାଜ୍ୟ ସରକାର ଆଇନ ଅନୁଯାୟୀ ଉଚ୍ଛେଦ କରୁଛନ୍ତି । କୌଣସି ବ୍ୟକ୍ତିଙ୍କ ବାସଗୃହ କିମ୍ବା ଘରୋଇ ସମ୍ପତ୍ତି ଉଚ୍ଛେଦ କରାଯାଇନାହିଁ । ଆଗକୁ ମଧ୍ୟ ଆଇନ ଅନୁଯାୟୀ ଉଚ୍ଛେଦ ଅଭିଯାନ ଜାରି ରହିବ । ଜଷ୍ଟିସ ବିପି ଦାସ ତଦନ୍ତ କମିସନଙ୍କ ସୁପାରିସରେ ଶ୍ରୀମନ୍ଦିର ସୁରକ୍ଷା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ଶ୍ରୀମନ୍ଦିର ଚାରିପାଖରୁ ୭୫ ମିଟର ଇଲାକାକୁ ସରକାର ଖାଲି କରୁଛନ୍ତି । ଏହି ଉଚ୍ଛେଦ ଅଭିଯାନ ବେଳେ କୌଣସି ହିଂସା କିମ୍ବା ବିଶୃଙ୍ଖଳା ହୋଇନାହିଁ ବୋଲି ଶ୍ରୀ ପରିଜା ମୌଖିକ ଭାବେ ଖଣ୍ଡପୀଠଙ୍କୁ ଅବଗତ କରିଥିଲେ ।ଖଣ୍ଡପୀଠ ଉଭୟ ପକ୍ଷରୁ ଶୁଣାଣି କରି ତିନିପୃଷ୍ଠାର ମନ୍ତବ୍ୟ ଦେବା ସହ ମାମଲା ଶୁଣାଣି ଶେଷ (ଡିସପୋଜଡ୍‌ ଅଫ୍‌) କରିଥିବା ମାମଲା ଲଢ଼ୁଥିବା ଆଇନଜୀବୀ କହିଛନ୍ତି ।

ଶ୍ରୀମନ୍ଦିର ସଂସ୍କାର ମାମଲାର ମୂଳ ଆବେଦନକାରିଣୀ ମୃଣାଳିନୀ ପାଢ଼ୀଙ୍କ ମିସ୍‌ କେସ୍‌ ଉପରେ ଖଣ୍ଡପୀଠ ମଧ୍ୟ ଶୁଣାଣି କରିଥିଲେ । ଶ୍ରୀମନ୍ଦିର ସଂସ୍କାର ପ୍ରକ୍ରିୟା କିପରି ଚାଲିଛି ତାହା ଦେଖିବା ପାଇଁ ଖଣ୍ଡପୀଠ ଆମିକସ୍‌ କ୍ୟୁରୀ ରଣଜିତ୍‌ କୁମାର ଓ ସଲିସିଟର ଜେନେରାଲ୍‌ ତୁଷାର ମେହେଟାଙ୍କୁ ପୁରୀ ପରିଦର୍ଶନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ଉଭୟେ ପୁରୀ ଆସିବେ ବୋଲି ଜଣାପଡ଼ିଛି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ହେବ ବୋଲି ଖଣ୍ଡପୀଠ ଧାର୍ଯ୍ୟ କରିଛନ୍ତି ।

   ସମ୍ବନ୍ଧିତ ଖବର


ରାଜଧାନୀରେ ପୁଣି ବ୍ୟାଙ୍କ୍‌ ଲୁଟ୍‌

କରୋନା ଡର ଭିତରେ ବିଧାନସଭା

ଅଧିବେଶନ ପୂର୍ବରୁ ପରୀକ୍ଷା : ଆଉ ୬ ବିଧାୟକଙ୍କୁ କରୋନା

ଆଜିଠୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ, ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

୪୮ ଘଣ୍ଟା ପାଇଁ ଆଠଗଡ଼ ସଟ୍‌ଡାଉନ୍‌ : ଅକ୍ଟୋବର ପହିଲାରୁ ୧୫ ଯାଏ ବଜାର ସମୟରେ କଟକଣା

ଅକ୍ଟୋବର ୪ ତାରିଖରେ ଖୋଲିବ ନନ୍ଦନକାନନ