‘ଅପରେସନ୍ ଜୀନ୍ଦଗି’: ୧୦୦ ଫୁଟର ବୋରଓ୍ବେଲ ଭିତରୁ ଉଦ୍ଧାର ହେଲା ୫ ବର୍ଷର ଶିଶୁ

ଲକ୍ଷ୍ନୌ,୧୪।୪: ଉତ୍ତର ପ୍ରଦେଶର ଶେରଗଡରେ ୧୦୦ ଫୁଟ୍ ଗଭୀର ଖାତ ମଧ୍ୟକୁ ଖସି ପଡିଥିବା ଜଣେ ବାଳକକୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ଠିକ୍ ଥିବା ଡାକ୍ତର କହିଛନ୍ତି। ଗତ ଶନିବାର ପ୍ରବୀଣ(୫ବର୍ଷ) ଖେଳୁଥିବା ବେଳେ ସେଠାରେ ଥିବା ଏକ ବୋରଓ୍ବେଲ ଖାତ ମଧ୍ୟକୁ ଖସି ପଡିଥିଲା। ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ଓ ପ୍ରଶାସନ ପହଞ୍ଚି ଶିଶୁଟିର ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରାୟ ୯ ଘଣ୍ଟାର ଧରି ଜୀବନ ଓ ମୃତ୍ୟୁ ସହ ଲଢେଇ କରି ଶିଶୁଟି ଜୀବିତ ଉଦ୍ଧାର ହୋଇଚି। ଉଦ୍ଧାକାରୀ ଦଳର ଶନିବାର ରାତି ୧୨ଟା ସମୟରେ ରାତିରେ ଶିଶୁଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।

ସୂଚନା ଅନୁସାରେ ପ୍ରବୀଣଙ୍କ ବାପା-ମା କ୍ଷେତକୁ ଗହମ କାଟିବାକୁ ଯାଇଥିଲେ। ସେମାନଙ୍କ ସାଙ୍ଗରେ ପ୍ରବୀଣଙ୍କୁ ନେଇକି ମଧ୍ୟ ଯାଇଥିଲେ। ଖେଳୁଥିବା ବେଳେ ହଠାତ ଶିଶୁଜଣକ ଏକ ଖୋଲା ବୋରଓ୍ବେଲ ଭିତରକୁ ଖସି ପଡିଥିଲେ। ଘଟଣା ପରେ ପୋଳିସ ଏବଂ ପ୍ରଶାସନ ପହଁଞ୍ଚି ଶିଶୁଟିକୁ ଉଦ୍ଧାର କରିବାରେ ଲାଗିପଡିଥିଲେ। ଏହାପରେ ଆରମ୍ଭ ହୋଇଥିଲା ‘ଅପରେସନ୍ ଜୀନ୍ଦଗି’, ବୋରଓ୍ବେଲ ଭିତରକୁ ପାଇପ୍ ଯୋଗେ ଅକ୍ସିଜେନ୍ ପଠାଯାଇଥିଲା। ରେସକ୍ୟୁ ଟିମ୍ ବୋରଓ୍ବେଲ ପାଖରେ ଖୋଳିବା ଆରମ୍ଭ କରିଦେଇଥିଲେ। ଏହାପରେ କ୍ୟାମେରା ଲଗାଯାଇ ପ୍ରବୀଣଙ୍କୁ ପାନୀୟ ଦ୍ରବ୍ୟ ଦିଆଯାଇଥିଲା।

ଘଟଣା ସମୟରେ ପ୍ରବୀଣଙ୍କ ମା ସୂରଜୋ କାନ୍ଦି କାନ୍ଦି ବେହୋସ ହୋଇପଡିଥିଲେ। ପରିବାର ଲୋକଙ୍କୁ ଗ୍ରାମବାସୀ ଆଶ୍ବାସନା ଦେବା ସହ ପ୍ରଶାସନ ମଧ୍ୟ ସ୍ଥିତିକୁ ସମ୍ଭାଳିଥିଲା। ଶେଷରେ ରଶିର ଝୁଲା ଯୋଗେ ରାତି ୧୨ଟାରେ ପ୍ରବୀଣଙ୍କୁ ଉଦ୍ଧାର କରାଯାଇଥିଲା। ପ୍ରବୀଣଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ଥିଲେ ମଧ୍ୟ ଏବେ ସେ ଘଟଣାକୁ ନେଇ ଭୟଭୀତ ଅଛନ୍ତି।