ଶେର୍ୱାନୀ ବଦଳରେ ଜରିରେ ଚାଲିଗଲା ପୁଅ, ବୁକୁ ଫଟା କାନ୍ଦରେ ଉଛୁଳୁଛି ଘର…

ସମ୍ବଲପୁର,୧୭/୦୧: ଘରେ ଲାଗି ରହିଥିଲା ବିବାହ ଉତ୍ସବର ଖୁସି । ଆଉ ଅଳ୍ପ ଦିନ ପରେ ହୋଇଥାଆନ୍ତା ନିର୍ବନ୍ଧ । ସବୁକିଛି କିଣାକିଣି ମଧ୍ୟ ସରିଥିଲା । ସୁନା, ରୂପା ଅଳଙ୍କାରଠୁ ଆରମ୍ଭ କରି ଲୁଗାପଟା, ବିଭିନ୍ନ ସାମଗ୍ରୀରେ ଭର୍ତ୍ତି ହୋଇ ଯାଇଥିଲା ଘର । ଝିଅ ଘରକୁ ନେବା ପାଇଁ ଭାରବି ପ୍ରସ୍ତୁତ ହୋଇ ସାରିଥିଲା । ଘରେ କୁଣିଆ ମଇତ୍ରଙ୍କ ଗହଳିବି ଆରମ୍ଭ ହୋଇଥିଲା । ସମସ୍ତେ ଅପେକ୍ଷା କରିଥିଲେ ଜାନୁୟାରୀ ୨୩ ତାରିଖକୁ । ହୋଇଥାନ୍ତା ପୁଅର ନିର୍ବନ୍ଧ ଓ ସେହିଦିନ ନିର୍ଦ୍ଧାରଣ ହୋଇଥାନ୍ତା ବିବାହ ତାରିଖ । ପରିବାରର ବଡ଼ ପୁଅର ବାହାଘରକୁ ନେଇ ବେଶ୍ ଉତ୍ସାହିତ ଥିଲା ଦାଶ ବାବୁଙ୍କ ପରିବାର । ହେଲେ ବିଧିର ବିଧାନ ଥିଲା ଭିନ୍ନ । ପରିବାରର ହସଖୁସି ସହ୍ୟ କରିପାରି ନଥିଲା କାଳ । ନିମିଶକେ ଶୋକର ସାଗରରେ ବୁଡିଗଲା ସମଗ୍ର ପରିବାର । ଏବେ ପୁଅକୁ ବାହୁନି ହୋଇ କାନ୍ଦିବା ଛଡ଼ା ଅନ୍ୟ ଉପାୟ ନାହିଁ । ବିବାହ ପାଇଁ ପୁଅ ସେରୱାନୀ ଆଣିଥିଲା ହେଲେ ଜରିରେ ଗୁଡେଇ ହୋଇ ଚାଲିଗଲା ବୋଲି ମା’ର ବୁକୁଫଟା କାନ୍ଦ ଏବେ ସମସ୍ତଙ୍କ ପାଇଁ ଅସହ୍ୟ ହୋଇପଡିଛି ।
ସୂଚନା ମୁତାବିକ, ଗତକାଲି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପୁଅର ମୃତ୍ୟୁ ଘଟିବା ପରେ ଏଭଲି ଏକ କରୁଣ ଚିତ୍ର ସମ୍ବଲପୁର ସହର ଗୋବିନ୍ଦତୋଲା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ରବିବାର ରାତିରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ କୋକୋମୁଣ୍ଡା ଅଞ୍ଚଳରେ ସଡ଼କ ଦୁର୍ଘଟଣାରେ ସମ୍ବଲପୁର ଗୋବିନ୍ଦତୋଲା ଅଞ୍ଚଳର ଦୋଳଗୋବିନ୍ଦ ଦାଶଙ୍କ ପୁଅ ନିଶାନ୍ତଙ୍କ ପରଲୋକ ଘଟିଛି । ଟିଟିଲାଗଡ଼ରେ କୃଷି ଅଧିକାରୀ ଭାବେ କାର୍ଯ୍ୟରତ ନିଶାନ୍ତ ନିଜ ନିର୍ବନ୍ଧ ପାଇଁ ରବିବାର ବନ୍ଧୁମାନଙ୍କ ସହ ଲୁଗାପଟା କିଣିବାକୁ ଯାଉଥିଲେ । ବାଟରେ ରାସ୍ତା ଦୁର୍ଘଟଣାରେ ୩ ଜଣ ଯାକ ପ୍ରାଣ ହରାଇଲେ । ସୋମବାର ତିନି ଯୁବକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା । ସମ୍ବଲପୁରରେ ନିଶାନ୍ତଙ୍କ ମୃତଦେହ ପହଞ୍ଚିବା ପରେ କାନ୍ଦବୋବାଳିରେ ଫାଟି ପଡ଼ିଲା ଗୋବିନ୍ଦତୋଲା ଅଞ୍ଚଳ । ସମ୍ବଲପୁର ରଜଘାଟ୍ରେ ଶବ ଶତ୍କାର ପରେ ଏବେ ବିବାହ ଉତ୍ସବ ପାଇଁ ଚଳଚଞ୍ଚଳ ହୋଇଥିବା ପରିବାର ଶୋକ ଓ ବୁକୁଫଟା କାନ୍ଦରେ ଉଛୁଳି ପଡୁଛି । ଅଞ୍ଚଳବାସୀ ମଧ୍ୟ ନିଜ କୋହକୁ ସମ୍ବାଳିବା କଷ୍ଟକର ହୋଇପଡିଛି ।