ସଫଳତାର ଶୀର୍ଷରେ ସ୍ବାତୀ

ଭୁବନେଶ୍ବର,୨୫/ ୧୧: ଆର୍‌ ଜେ ସ୍ୱାତୀ। ଏବେ ସଫଳତାର ଶୀର୍ଷରେ ପହଞ୍ଚିଥିବା ଏକ ପରିଚିତ ନାଁ । ଜଣେ ଭଲ ଆଙ୍କର୍‌ ଭାବେ ସେ ସବୁଠି ପରିଚିତ । ରେଡିଓରୁ ତାଙ୍କର ପରିଚୟ ଆରମ୍ଭ । ଛୋଟ ବେଳୁ ସଙ୍ଗୀତ ଏବଂ କଥା କହିବା ଶୈଳୀରେ ସମସ୍ତଙ୍କ ମନ କିଣୁଥିବା ସ୍ୱାତୀ ଆଜି ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟ ଜିଣିବାରେ ସଫଳ ହୋଇଛନ୍ତି । ରେଡିଓ ଚକ୍‌ଲେଟରେ ଆର୍‌ ଜେ ସଂଗ୍ରାମଙ୍କ ସହିତ ମଇନା କିଛି କୁହନା କାର୍ଯ୍ୟକ୍ରମ ମାଧ୍ୟମରେ ସେ ଘରେ ଘରେ ପରିଚିତ ହୋଇପାରିଥିଲେ । ଏହା ପରେ ସକାଳର ପହିଲି ଗାଡ଼ିରେ ଏବଂ ଗୀତ ନଇର କୂଳେ ମଧ୍ୟ ତାଙ୍କର ଲୋକପ୍ରିୟ ସୋ’ । ସାର୍ଥକ ଏଫ୍‌ଏମ୍‌ରେ କଥା ହେବା ବିନ୍ଦାସ୍‌ ଏବଂ ମର୍ଣ୍ଣିଂ ଜଲ୍‌ସା କାର୍ଯ୍ୟକ୍ରମରେ ସେ ଆହୁରି ଅଧିକ ଲୋକପ୍ରିୟ ହୋଇପାରିଥିଲେ ।

ସ୍ୱାତୀ କେବଳ ଆଙ୍କରିଂ ନୁହେଁ ଅନେକ ଆଲ୍‌ବମରେ ମଧ୍ୟ ଗୀତ ଗାଇ ସାରିଛନ୍ତି । ତାଙ୍କ ପିତା ଡ ସୁନାମଣି ରାଉତ ଜଣେ ପ୍ରଧ୍ୟାପକ । ମା’ କଳ୍ପନା ବଳ ମଧ୍ୟ ଜଣେ ଗାୟିକା । ସେ ଭଜନ ସମ୍ରାଟ ଭିକାରୀ ବଳଙ୍କ ନାତୁଣୀ ଅଟନ୍ତି । ନିଜର ସଫଳତା ବିଷୟରେ ସ୍ୱାତୀ କୁହନ୍ତି ମୋ’ ମା’ଙ୍କ ପାଇଁ ମୁଁ ପରିଚିତ ହୋଇପାରିଛି । ଆଗକୁ କିଛି ଭଜନ ଏବଂ ରୋମଣ୍ଟିକ ଗୀତ ରିଲିଜ୍‌ ହେବାକୁ ଥିବାରୁ ଏହା ଲୋକଙ୍କୁ ବେଶ୍‌ ପସନ୍ଦ ଆସିବ ବୋଲି ସ୍ୱାତୀ କହିଛନ୍ତି ।