ଏଣିକି ରାଜଧାନୀର ଫୁଟପାଥରେ ଶୋଇବା ମନା, ନିର୍ଦ୍ଦେଶ ଜାରି କଲା ବିଏମ୍‌ସି

ଭୁବନେଶ୍ୱର,୦୪/୧୨: ରାଜଧାନୀରେ ଆଉ କେହି ଖୋଲା ଆକାଶ ତଳେ ଶୋଇବେ ନାହିଁ । ରାସ୍ତାକଡ଼ ଫୁଟ୍‌ପାଥ୍‌ରେ ଶୋଇବାକୁ ମନା କରାଯାଇଛି । ଏ ନେଇ ବିଧିବଦ୍ଧ ନିର୍ଦ୍ଦେଶ ଜାରି କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ବିଏମ୍‌ସି ପକ୍ଷରୁ କୁହାଯାଇଛି, ବାସହୀନ ଲୋକେ ଯେପରି ରାସ୍ତାକଡ଼ ଫୁଟପାଥ ବା ଖୋଲା ଆକାଶ ତଳେ ଶୋଇବେ ନାହିଁ, ସେ ନେଇ ପଦକ୍ଷେପ ନିଆଯାଇଛି । ଯେଉଁମାନେ ଖୋଲା ଆକାଶ ତଳେ ଶୋଇବେ, ସେମାନଙ୍କୁ ପ୍ରଥମେ ସଚେତନ କରାଯିବ। ସ୍ୱତନ୍ତ୍ର ଗାଡ଼ିରେ ସେମାନଙ୍କୁ ଆଶ୍ରୟସ୍ଥଳୀକୁ ନିଆଯିବ ।

ଗୁରୁବାର ଠାରୁ ଏ ନେଇ ପଦକ୍ଷେପ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୬ଜଣଙ୍କୁ ରାସ୍ତାକଡ଼ରୁ ଆଶ୍ରୟସ୍ଥଳୀକୁ ଅଣାଯାଇଛି। ବିଏମସି କହିଛି, ଏହି ଅଭିଯାନ ଜାରି ରହିବ । କାହାରିକୁ ଖୋଲା ଆକାଶ ତଳେ କିମ୍ବା ଫୁଟପାଥରେ ଶୋଇବାକୁ ଦିଆଯିବ ନାହିଁ ।