କରୋନା ମୁକାବିଲାରେ ରୋବୋଟ୍‌: ରୋଗୀ ସେବା ସହ ସଂକ୍ରମଣ ରୋକିବ

କଟକ ୨୯/୪: ସାରା ବିଶ୍ୱକୁ ଗ୍ରାସ କରିଛି କରୋନା ମହାମାରୀ । ଏହାର ମୁକାବିଲା ପାଇଁ ଏଯାଏ କୌଣସି ଉପାୟ ମିଳିପାରୁନାହିଁ । ଶକ୍ତିଶାଳୀ ରାଷ୍ଟ୍ରମାନଙ୍କର ଅସ୍ତିତ୍ୱ ଦୋହଲାଇ ସାରିଲାଣି କୋଭିଡ୍‌-୧୯ । ଏହି ସମୟରେ ସଂକ୍ରମଣକୁ ରୋକିବାକୁ ସାମାଜିକ ଦୂରତ୍ୱ ଏକମାତ୍ର ବିକଳ୍ପ ହୋଇଥିବା ବେଳେ ଏହାକୁ ବିଶ୍ୱର ସବୁ ରାଷ୍ଟ୍ର ଆପଣାଇଛନ୍ତି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ କଟକ ଆଇଟିଆଇର ପ୍ରଶିକ୍ଷକମାନେ ଏ ଯୁଦ୍ଧରେ ଆପଣାର ଯୋଗଦାନ ସ୍ୱରୂପ କରୋନା ମୁକାବିଲା ପାଇଁ ତିଆରି କରିଛନ୍ତି ଦୁଇଟି ରୋବୋଟ୍‌ । ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ଏବଂ ସାକ୍‌ ରୋବୋଟିକ୍ସର ମିଳିତ ଉଦ୍ୟମରେ ନିର୍ମିତ ଏହି ଦୁଇ ରୋବୋଟ୍‌ କରୋନା ମୁକାବିଲାରେ ଉପଯୋଗୀ ହୋଇପାରିବ ବୋଲି ଆଶା ରଖାଯାଇଛି।

ଦେଶୀୟ ଜ୍ଞାନକୌଶଳରେ ନିର୍ମିତ ଏହି ଦୁଇ ସର୍ଭିସ୍‌ ରୋବୋଟ୍‌ର ନାମ ହେଉଛି ‘କୋ-ବଟ୍‌’ ଏବଂ ‘ନିଗା-ବଟ୍‌’ । ମଣିଷ ଶରୀର ଆକାରର ତିଆରି ‘କୋ-ବଟ୍‌’ରେ ଚଳପ୍ରଚଳ ହେବା ପାଇଁ ଚକା ଲାଗିଛି । ଏହାର ହାତରେ ଏକ ଟ୍ରେ ରହିଛି, ଯାହା ୨୦ କିଲୋଗ୍ରାମ୍‌ ଭାର ବହନ କରିବାର କ୍ଷମତା ରଖିଛି । ଏହି ରୋବଟ୍‌ ସଂକ୍ରମଣ ରୋକିବାକୁ ସହାୟକ ହୋଇପାରିବ । କରୋନା ପଜିଟିଜ୍‌ ରୋଗୀଙ୍କ ସେବାରେ ଏହାକୁ ନିୟୋଜିତ କରାଯାଇପାରେ । ରୋଗୀମାନଙ୍କ ପାଖକୁ ଖାଦ୍ୟ, ପାନୀୟ, ଔଷଧ ଆଦି ନେବା ଆଣିବା କରିପାରିବ କୋ-ବଟ୍‌ । ମଣିଷ ଶରୀର ଭଳି ଏଥିରେ ଭୂତାଣୁ ଦ୍ୱାରା ସଂକ୍ରମିତ ହେବାର ସମ୍ଭାବନା ନଥିବାରୁ ଏହାର ବିନିଯୋଗ ବେଶ୍‌ ଫାଇଦା ଦେବ ବୋଲି ଅନୁମାନ କରାଯାଉଛି । ଏହି ରୋବୋଟ୍‌ରେ ଓୟାର୍‌ଲେସ୍‌ କମ୍ୟୁନିକେସନ୍‌ ପ୍ରୋଟୋକଲ୍‌ ବ୍ୟବହାର କରାଯାଇଛି । ନ୍ୟାଭିଗେସନ୍‌ ଏବଂ ମ୍ୟାପିଂ ଆଦି ଦ୍ୱାରା ଆହୁରି ଅଧିକ ବିକଶିତ କରାଯାଇ ପାରିଲେ ଡାକ୍ତରଖାନାର କୌଣସି ୱାର୍ଡ୍‌ରେ ଏହା ସ୍ୱୟଂଚାଳିତ ଢଙ୍ଗରେ କାର୍ଯ୍ୟକ୍ଷମ ହୋଇପାରିବ ।

ସେହିପରି ‘ନିଗା-ବଟ୍‌’ ଏକ ଟେଲି ପ୍ରେଜେନ୍ସ ରୋବୋଟ୍‌ । ଏହା ମାଧ୍ୟମରେ ଡାକ୍ତରମାନେ ରୋଗୀମାନଙ୍କ ଉପରେ ନିଘା ରଖିବା ସହ ନିଜ ନିଜ ଚାମ୍ବରରେ ବସି ସେମାନଙ୍କ ସହ ସିଧାସଳଖ କଥାବର୍ତ୍ତା ହୋଇପାରିବେ । ଏଥିରେ ସଂଯୁକ୍ତ ଲାଇଭ୍‌ ଭିଡିଓ ଦ୍ୱାରା ଏହା ସମ୍ଭବ ହୋଇପାରିବ । ଏଥିରେ ମଧ୍ୟ ଚକା ବ୍ୟବହାର କରାଯାଇଛି ଯାହାଦ୍ୱାରା ରୋବୋଟ୍‌ଟି ୱାର୍ଡରେ ଥିବା ବିଭିନ୍ନ ରୋଗୀଙ୍କ ସହ ଡାକ୍ତରଙ୍କୁ ଭିଡିଓ ସଂଯୋଗ କରାଇ ପାରିବ । ସଂକ୍ରମିତ ରୋଗୀଙ୍କ ଖବର ଜାଣିବାକୁ ରୋଗୀଙ୍କ ପାଖକୁ ନଯାଇ ମଧ୍ୟ ଏହି ରୋବୋଟ୍‌ ମାଧ୍ୟମରେ ରୋଗୀଙ୍କର ସମସ୍ତ ଭଲମନ୍ଦ ବୁଝିପାରିବେ ଡାକ୍ତର । କେବଳ ଡାକ୍ତର ନୁହନ୍ତି ନର୍ସ ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ ସଂକ୍ରମଣ ମଧ୍ୟ ଏହାର ଉପଯୋଗ ଜରିଆରେ ରୋକାଯାଇ ପାରିବ ବୋଲି କଟକ ଆଇଟିଆଇର ଅଧ୍ୟକ୍ଷ ଡ. ହୃଷିକେଶ ମହାନ୍ତି ପ୍ରକାଶ କରିଛନ୍ତି ।

ସେ କହିଛନ୍ତି, ୨୦୧୯ ଜୁଲାଇରୁ ଏଭଳି ଏକ ରୋବୋଟ୍‌ ନିର୍ମାଣ କରିବାକୁ ଯୋଜନା ଆରମ୍ଭ କରିଥିଲୁ । କରୋନା ମୁକାବିଲାରେ ଏହା ସହଯୋଗ ଦେଇପାରିବ ବୋଲି ଆମେ ଅବଶ୍ୟ ଭାବିନଥିଲୁ । ଯାହା ହେଉ ଜ୍ଞାନବିଜ୍ଞାନର ପ୍ରୟୋଗ କରବା ସହିତ କେନ୍ଦ୍ରର ୫ଜଣିଆ ଟିମ୍‌ ଏବଂ ସାକ୍‌ ରୋବୋଟିକ୍ସର ମିଳିତ ଉଦ୍ୟମରେ ଏହା ସଫଳ ହେଲା । ସୂଚନାଯୋଗ୍ୟ, କଟକ ଆଇଟିଆଇ ସବୁ ସମୟରେ କୌଣସି ନା କୌଣସି ପରୀକ୍ଷାମୂଳକ କାର୍ଯ୍ୟ କରି ଉଚ୍ଚ ପ୍ରଶଂସିତ ହୋଇଆସୁଛି । ଏହା ପୂର୍ବରୁ କୋଭିଡ୍‌-୧୯ ମୁକାବିଲା ନେଇ ସ୍ୱାବ୍‌ ଓ ରକ୍ତ ଆଦି ପରୀକ୍ଷା କରିବାକୁ ମୋବାଇଲ୍‌ ନମୁନା ସଂଗ୍ରହ କିଓସ୍କୋ ନିର୍ମାଣ କରି ଆଇଟିଆଇ ଚର୍ଚ୍ଚାକୁ ଆସିଥିଲା । ୧୯୫୮ ମସିହାରେ ପ୍ରତିଷ୍ଠିତ ଏହି ଶିକ୍ଷାନୁଷ୍ଠାନରେ ଏବେ ୨୧ଟି ବିଭାଗରେ ୨୫ଶହରୁ ଅଧିକ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି ।

   ସମ୍ବନ୍ଧିତ ଖବର


୧୯୯୯ ମହାବାତ୍ୟା @ ୨୧: ‘ମନେ ପଡିଲେ ଏବେ ବି ଛାତି ଥରି ଉଠେ ପ୍ରଳୟଙ୍କାରୀ ବାତ୍ୟାର ତାଣ୍ଡବ’

ଆଇଆରବି ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ, ଚାଲିଛି ତଦନ୍ତ

ମର୍ଣ୍ଣିଂ ୱାକ୍‌ ବେଳେ ଟଳି ପଡ଼ିଲେ ଅବସରପ୍ରାପ୍ତ ଡିଜିପି

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କରୋନା ପଜିଟିଭ୍

କରୋନା ସଂକ୍ରମଣର ଆତଙ୍କ ଭିତରେ ଆସିଲା ଭଲ ଖବର —ଅଧ୍ୟୟନରୁ ସ୍ପଷ୍ଟ ହେଲା ଏହି ତଥ୍ୟ

କରୋନା ଭାକ୍‌ସିନ୍‌ କେବେ ଉପଲବ୍ଧ ହେବ ? ସିରମ ଇନଷ୍ଟିଚ୍ୟୁଟ୍‌ର ସିଇଓ କହିଲେ ….