୧୨୫ କୋଟି ଟଙ୍କା ଠକେଇ: ଗିରଫ ବିଏସଏଫ ଅଧିକାରୀଙ୍କ ଠାରୁ ନଗଦ ୧୪ କୋଟି ଟଙ୍କା, ଅଳଙ୍କାର ଏବଂ ବିଳାସପୂର୍ଣ୍ଣ କାର ଜବତ

ଗୁରଗାଓଁ,୧୮।୧: ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନଏସଜି) ତାଲିମ କେନ୍ଦ୍ରରେ ଟେଣ୍ଡର ପାଇବା ନାମରେ ହୋଇଥିଲା ୧୨୫କୋଟି ଟଙ୍କାର ଠକେଇ। ଏହି ମାମଲାରେ ଗୁରଗାଓଁର ମାନେସର କ୍ରାଇମ ବ୍ରାଞ୍ଚ ବିଏସଏଫ୍ର ଜଣେ ଡେପୁଟି କମାଣ୍ଡାଣ୍ଟଙ୍କୁ ତାଙ୍କ ପତ୍ନୀ ମମତା ଯାଦବ ଓ ଭଉଣୀ ଋତୁ ଯାଦବଙ୍କ ସହିତ ଗିରଫ କରିଛି। ଅଭିଯୁକ୍ତର ପରିଚୟ ପ୍ରବୀଣ ଯାଦବ ବୋଲି ଜଣାପଡିଛି। ତାଙ୍କ ଉପରେ ୧୨୫ କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି। ଗୁରୁବାର ତାଙ୍କୁ ଗିରଫ କରାଯାଇଥିଲା।
ଗିରଫ ପରେ ତାଙ୍କ ନିକଟରୁ ନଗଦ ୧୪ କୋଟି ଟଙ୍କା,୧ କୋଟି ଟଙ୍କାର ୭ଟି ଦାମୀ କାର, ବିଏମଡବ୍ଲୁ, ଜିପ୍ ଓ ମର୍ସିଡିଜ୍ ଜବତ କରାଯାଇଛି। ଗତ ଶନିବାର ଦିନ ବିଏସଏଫ ଡେପୁଟି କମାଣ୍ଡାଣ୍ଟ ପ୍ରବୀଣ ଯାଦବଙ୍କ ଭିଣୋଇ ITBP ରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ନବୀନ ଖାତୋଡିଆଙ୍କ ଘରେ ପହଞ୍ଚି ଏସଆଇଟି ଟିମ୍ ଅନେକ ଘଣ୍ଟା ଧରି ଅନୁସନ୍ଧାନ କରିଥିଲା। ଏହି ସମୟ ମଧ୍ୟରେ ତଦନ୍ତକାରୀ ଟିମ୍ ଅନେକ କିଲୋ ରୂପା ଏବଂ ବହୁ ପରିମାଣର ସୁନା ଅଳଙ୍କାର ଉଦ୍ଧାର କରିଥିଲା। ଏହି ସୁନା ଏବଂ ରୂପା ଅଳଙ୍କାରର ମୂଲ୍ୟ ଆକଳନ କରାଯାଉଛି।
ଏହା ବ୍ୟତୀତ ପୋଲିସ ଅଭିଯୁକ୍ତର ଭିଣୋଇ ଘରୁ ଏକ ଲକ୍ଷରୁ ଅଧିକ ନଗଦ ଟଙ୍କା, ଅନେକ ମୂଲ୍ୟବାନ ଘଣ୍ଟା, ତିନୋଟି ଲାପଟପ୍ ଏବଂ ପ୍ରବୀଣ ଯାଦବଙ୍କ ପତ୍ନୀ ମମତା ଯାଦବଙ୍କ ପାସପୋର୍ଟ ଜବତ କରିଥିଲା। ଉଲ୍ଲେଖନୀୟ ଯେ, ଅଭିଯୁକ୍ତ ନବୀନ ITBP ରୁ NSG କୁ ଡେପୁଟେସନରେ ଆସିଛନ୍ତି ଏବଂ ଦୀର୍ଘ ଦିନ ଧରି NSG ତାଲିମ କେନ୍ଦ୍ରରେ ମିଳୁଥିବା ଘରେ ନିଜର ପରିବାର ସହିତ ରହୁଥିଲେ। ପୋଲିସକୁ ଜୁଏଲାରୀ ଭିତରେ ସୁନା ଓ ରୂପାର ମୁଦ୍ରା, ମୁଦି, ଚେନ୍ ସହିତ ଖୁବ୍ ଦାମୀ ସୁନାର ସେଟ୍ ମିଳିଛି। ସବୁ ଜିନିଷର ଏକ ଲିଷ୍ଟ ତିଆରି କରାଯାଇ ଅପରାଧ ଶାଖା ମାନେସର ଟିମ୍ ଦ୍ବାରା କବଜାରେ ନିଆଯାଇଥିଲା।