ଶ୍ରମିକ ଟ୍ରେନ୍‌ରେ ଖର୍ଚ୍ଚ ୨୪ କୋଟି : ରେଳବାଇ ବହନ କରିଛି ୨୦ କୋଟି, ୪ ତାରିଖ ପର୍ଯ୍ୟନ୍ତ ଚାଲିଛି ୬୭ଟି ଟ୍ରେନ୍‌

ନୂଆଦିଲ୍ଲୀ ୬।୫ : କୋଭିଡ ଲକ୍‌ଡାଉନ୍‌ ଯୋଗୁ ଫସିରହିଥିବା ଶ୍ରମିକମାନଙ୍କୁ ସେମାନଙ୍କ ନିଜ ରାଜ୍ୟରେ ପହଞ୍ଚାଇବା ଲାଗି କେନ୍ଦ୍ର ସରକାର ଶ୍ରମିକ ଏକ୍ସପ୍ରେସ୍‌ ବ୍ୟବସ୍ଥା କରିଥିଲେ । ମେ ୩ ତାରିଖ ପର୍ଯ୍ୟନ୍ତ ରେଳବାଇ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟରେ ଛାଡ଼ିବା ପାଇଁ ୩୪ ‘ଶ୍ରମିକ ଏକ୍ସପ୍ରେସ’ ଟ୍ରେନ ଚଳାଚଳ କରିଥିଲା । ଏହି ଟ୍ରେନଗୁଡ଼ିକର ଚଳାଚଳ ପାଇଁ ମୋଟ ୨୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ରେଳବାଇ ତନ୍ମଧ୍ୟରୁ ୮୫% ବା ପାଖାପାଖି ୨୦ କୋଟି ଟଙ୍କା ବହନ କରିଥିବା ବେଳେ ବଳକା ୧୫% ରାଜ୍ୟ ସରକାରମାନେ ଦେଇଛନ୍ତି । ଜଣେ ବରିଷ୍ଠ ସରକାରୀ ଅଧିକାରୀ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ଆଗାମୀ ଦିନରେ ଆହୁରି ଶ୍ରମିକ ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବ । ଟ୍ରେନ ସଂଖ୍ୟା ଆହୁରି ବଢ଼ିବାକୁ ଥିବାରୁ ରେଳ ମନ୍ତ୍ରାଳୟକୁ ଏଥିପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ବହନ କରିବାକୁ ପଡ଼ିବ । ଉଲ୍ଲେଖଯୋଗ୍ୟ, ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟରେ ଛାଡ଼ିବା ପାଇଁ କେନ୍ଦ୍ର ସରକାର ସେମାନଙ୍କଠାରୁ ଭଡ଼ା ଆଦାୟ କରୁଥିବା ବିରୋଧୀ ଦଳ ଅଭିଯୋଗ କରିଥିଲେ । ଏହାକୁ ନେଇ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଥିଲା । କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ମଧ୍ୟ ଏ ପ୍ରସଙ୍ଗରେ ସରକାରଙ୍କୁ ତୀବ୍ର ସମାଲୋଚନା କରିବା ସହ ଶ୍ରମିକଙ୍କ ଟ୍ରେନ ଭଡ଼ା କଂଗ୍ରେସ ବହନ କରିବ ବୋଲି କହିଥିଲେ । କିନ୍ତୁ ସୋନିଆଙ୍କ ଏହି ବୟାନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏମିତି କି ତାଙ୍କର ଏହି ବୟାନକୁ ଇଟାଲୀ ସହ ଯୋଡ଼ାଯାଇଥିଲା । ଭାରତକୁ ଇଟାଲୀରେ ପରିଣତ କରାଯିବ ନାହିଁ ବୋଲି କୁହାଯାଇଥିଲା । ଏହାପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଜାରି କରାଯାଇଥିଲା । ଶ୍ରମିକ ଏକ୍ସପ୍ରେସ ଟ୍ରେନ ଚଳାଚଳ ପାଇଁ ରେଳବାଇ ୮୫% ଖର୍ଚ୍ଚ ବହନ କରିବ ବୋଲି କୁହାଯାଇଥିଲା । ଏହାପରେ ଏହାକୁ ନେଇ ରାଜନୀତି ଥମିଥିଲା ।

ରେଳବାଇ ସୂଚନା ମୁତାବକ ମେ ୧ ପରଠାରୁ ୭୬ଟି ଶ୍ରମିକ ସ୍ପେସିଆଲ ଟ୍ରେନ ଚଳାଚଳ କରାଯାଇଛି । ପାଖାପାଖି ୬୭,୦୦୦ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟକୁ ନିଆଯାଇଛି । ମେ ୪ ତାରିଖ ପର୍ଯ୍ୟନ୍ତ ରେଳବାଇ ୫୫ଟି ଟ୍ରେନ୍‌ ଚଳାଇଥିଲା । ସେହିଭଳି ମଙ୍ଗଳବାର ୨୧ଟି ଟ୍ରେନ୍‌ ବେଙ୍ଗାଲୁରୁ, ସୁରତ, ସାବରମତି, ଜଳନ୍ଧର, କୋଟା, ଏର୍ଣ୍ଣାକୁଲମ ଭଳି ସ୍ଥାନରୁ ଚଳାଚଳ କରିବ ବୋଲି କୁହାଯାଇଛି । ଏହି ଟ୍ରେନ୍‌ଗୁଡ଼ିକ ହାରାହାରି ୧,୦୦୦ ଶ୍ରମିକଙ୍କୁ ନେଇ ସେମାନଙ୍କ ରାଜ୍ୟରେ ଛାଡ଼ିବେ । ପ୍ରତି ଟ୍ରେନ୍‌ରେ ୨୪ ବଗି ଥିବା ବେଳେ ବଗି ପିଛା ୭୨ ସିଟ୍‌ ରହିଛି । କିନ୍ତୁ କରୋନା ସଂକ୍ରମଣ ଯୋଗୁ ସିଟ୍‌ ସଂଖ୍ୟା ୫୪କୁ ହ୍ରାସ କରାଯାଇଛି ।

   ସମ୍ବନ୍ଧିତ ଖବର


ଏସିଆରେ ‘ସୁପରପାୱାର’: ଭାରତ ଚତୁର୍ଥ ଶକ୍ତିଶାଳୀ

ରାଜ୍ୟରେ କରୋନା ନେଲା ଆଉ ୧୬ ଜୀବନ: ମୃତ୍ୟୁସଂଖ୍ୟା ୧୧୬୮କୁ ବୃଦ୍ଧି

ରାଜ୍ୟରେ ଆଉ ୧୯୦୪ ଜଣ କରୋନା ପଜିଟିଭ‌ ଚିହ୍ନଟ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୭୨ ହଜାର ଟପିଲା

ଭାରତରେ ଏହି କମ୍ପାନୀ ବିକିବ ରୁଷୀୟ କରୋନା ଟିକା…

କୋଭିଡ୍‌ ଚିକିତ୍ସାର ନୂଆ ଆବିଷ୍କାର ନିମନ୍ତେ ୧୪ ବର୍ଷୀୟା ଭାରତୀୟ-ଆମେରିକୀୟ ବୈଜ୍ଞାନିକ ସମ୍ମାନିତ

ବିଧାନସଭାରେ ରାତି ବିତେଇଲେ ଆମ୍ ଆଦମୀ ବିଧାୟକ !