PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ନୂଆ ଶିକ୍ଷା ନୀତିରେ ଗବେଷଣା ପାଇଁ ଆଗାମୀ ୫ ବର୍ଷରେ ୫୦ ହଜାର କୋଟି ଖର୍ଚ୍ଚ କରିବାର ଯୋଜନା-ଧର୍ମେନ୍ଦ୍ର ପ୍ରଧାନ

ନୂଆ ଶିକ୍ଷା ନୀତିରେ ଶିକ୍ଷା, ଗବେଷଣା ଏବଂ ଦକ୍ଷତା ବିକାଶରେ ଆଂଚଳିକ ଭାଷାକୁ ଅଧିକ ପ୍ରଧାନ୍ୟ ଦିଆଯାଉଛି

ନୂଆଦିଲ୍ଲୀ/ଭୁବନେଶ୍ୱର – ଭାରତ ସରକାର ଦେଶରେ ଗବେଷଣା ପରିସଂସ୍ଥାନକୁ ଅଧିକ କ୍ରିୟାଶୀଳ ଏବଂ ସୁଦୃଢ଼ କରିବା ପାଇଁ ନୂଆ ଜାତୀୟ ଶିକ୍ଷା ନୀତି (ଏନଇପି-୨୦୨୦) ଅନ୍ତର୍ଗତ ରାଷ୍ଟ୍ରୀୟ ଗବେଷଣା ଅନୁଷ୍ଠାନ(ଏନଆରଏଫ) ଗଠନ କରିବା ସହ ଆଗାମୀ ୫ ବର୍ଷ ମଧ୍ୟରେ ୫୦ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିବାର ଯୋଜନା ରଖିଛନ୍ତି ବୋଲି ଲୋକସଭାରେ ଏକ ପ୍ରଶ୍ନର ଉତରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶରେ ଗବେଷଣା ପରିସଂସ୍ଥାନକୁ ଅଧିକ କ୍ରିୟାଶୀଳ ଏବଂ ସୁଦୃଢ଼ କରିବା ପାଇଁ ସରକାର ଏକ ରାଷ୍ଟ୍ରୀୟ ଗବେଷଣା ଅନୁଷ୍ଠାନ ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏନଆରଏଫ ଏପରି ଏକ ଅଭିନବ ସଂରଚନା ପ୍ରସ୍ତୁତ କରିବ, ଯାହା ଗବେଷଣା ଏବଂ ବିକାଶ (ଆର ଆଣ୍ଡ ଡ଼ି), ଶିକ୍ଷାନୁଷ୍ଠାନ ଏବଂ ଶିଳ୍ପ ମଧ୍ୟରେ ଯୋଗସୂତ୍ର ରକ୍ଷା କରିବ ।

ଆଗାମୀ ୫ ବର୍ଷ ମଧ୍ୟରେ ରାଷ୍ଟ୍ରୀୟ ଅନୁସନ୍ଧାନ ଫାଉଣ୍ଡେସନ ବା ଏନଆରଏଫରେ ୫୦ ହଜାର କୋଟି ଟଙ୍କା ବ୍ୟୟର ପ୍ରସ୍ତାବ ହୋଇଛି । ଏନଆରଏଫର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶିକ୍ଷାନୁଷ୍ଠାନ ବିଶେଷ ଭାବରେ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଗବେଷଣାକୁ ପ୍ରୋତ୍ସାହନ ଦେବା ସହ ସାମଗ୍ରିକ ଗବେଷଣା ବ୍ୟବସ୍ଥାକୁ ଅଧିକ ସଦୃଢ଼ କରିବା । ଏନଆରଏଫ ପ୍ରାସଙ୍ଗିକ ମନ୍ତ୍ରଣାଳୟ, ବିଭାଗ ଏବଂ ସରକାରୀ ତଥା ଅଣସରକାରୀ ସଂସ୍ଥା ବିଶେଷ ଭାବରେ ଉଦ୍ୟୋଗ ସହ ମିଳିତ ଭାବେ ଅଧିକ ପ୍ରଭାବୀ, ବୃହତ ଆକାରର ଏକାଧିକ ଗବେଷକ, ଏକାଧିକ ଅନୁଷ୍ଠାନ, ଅନ୍ତଃବିଷୟ ଗବେଷଣାକୁ ଅନୁଦାନ ଦେବା ସହ ସହଯୋଗ କରିବ । ଦୀର୍ଘ ୩୪ ବର୍ଷ ପରେ ୨୯ ଜୁଲାଇ ୨୦୨୦ରେ ଭାରତ ସରକାର ଜାତୀୟ ଶିକ୍ଷା ନୀତି,୨୦୨୦ ଘୋଷଣା କଲେ ।

ଶିକ୍ଷା କ୍ଷେତ୍ରରେ ଏକ ପରିବର୍ତନ ଆଣିବା ଏହାର ଲକ୍ଷ୍ୟ ଥିଲା । ଏହାର ପ୍ରମୁଖ ଉଦ୍ଦେଶ୍ୟ ଥିଲା ଶିକ୍ଷା କ୍ଷେତ୍ରରେ ଆଂଚଳିକ ଭାଷାକୁ ଅଗ୍ରାଧିକାର ଦେଇ ଏହାର ବ୍ୟବହାର କରିବା । ଏହି ପରିପ୍ରେକ୍ଷୀରେ ଭାରତ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ମେଡ଼ିକାଲ ପ୍ରବେଶିକା ପାଇଁ ଅନୁଷ୍ଠିତ ନିଟ୍‌ ପରୀକ୍ଷା ୧୧ଟି ଭାଷାରେ ହେଉଥିବା ବେଳେ ଏବେ ଛାତ୍ରଛାତ୍ରୀମାନେ ୧୩ଟି ଭାଷାରେ ପରୀକ୍ଷା ଦେବେ । ପୂର୍ବରୁ ୩ଟି ଭାଷାରେ ଅନୁଷ୍ଠିତ ହେଉଥିବା ଜେଇଇ(ମେନ୍‌) ପରୀକ୍ଷା ବର୍ତମାନ ୧୩ଟି ଭାଷାରେ କରାଯିବ । ଅନୁରୂପ ଭାବରେ ୨୦୨୧-୨୨ ଶିକ୍ଷା ବର୍ଷରେ ଏଆଇସିଟିଇ ସ୍ୱୀକୃତି ପ୍ରାପ୍ତ ଅନୁଷ୍ଠାନ ଗୁଡ଼ିକରେ ପରୀକ୍ଷାମୂଳକ ଭାବରେ ୮ଟି ଆଂଚଳିକ ଭାଷାରେ ବୈଷୟିକ ଶିକ୍ଷା ପ୍ରଦାନ କରାଯିବ ।

ସ୍ୱୟମ୍‌ ପ୍ଲାଟଫର୍ମ ମାଧ୍ୟମରେ ଇଞ୍ଜିନିୟରିଂ ପାଠ୍ୟକ୍ରମ ପାଇଁ ଆଂଚଳିକ ଭାଷାରେ ଅନୁବାଦିତ ବିଷୟବସ୍ତୁ ପ୍ରସ୍ତୁତ କରାଯିବ । ଏହା ବିଜ୍ଞାନ, ଇଞ୍ଜିନିୟରିଂ ଏବଂ ପ୍ରଯୁକ୍ତିବିଦ୍ୟା, ମାନବିକ ଓ ସମାଜିକ ବିଜ୍ଞାନ, ଆଇନ, ମ୍ୟାନେଜମେଂଟ୍‌ ଭଳି ବିଷୟରେ ଏହି ପ୍ଲାଟଫର୍ମ ଅନଲାଇନ ପାଠ୍ୟକ୍ରମ ପ୍ରଦାନ କରିଆସୁଛି । ସେହିପରି ଆଂଚଳିକ ଭାଷାରେ ଶିକ୍ଷାଦାନ କରିବା ପାଇଁ ଇଚ୍ଛୁକ ଥିବା ଶିକ୍ଷାନୁଷ୍ଠାନ ଗୁଡ଼ିକ ପାଇଁ ଏଆଇସିଟିଇ ହ୍ୟାଣ୍ଡବୁକ୍‌ ପ୍ରସ୍ତୁତ କରାଯାଇଛି । “ଏଆଇସିଟିଇ ଟ୍ରାନ୍ସଲେସନ ଅଟୋମେସନ ଆଟିଫିସେଲ ଇଂଟେଲିଜେନ୍ସ ଟୁଲ୍‌” ଗ୍ରାମାଂଚଳର ଛାତ୍ରଛାତ୍ରୀଙ୍କୁ ଇଂରାଜୀ ଭାଷାର ଅନଲାଇନ ପାଠ୍ୟକ୍ରମକୁ ସ୍ଥାନୀୟ ଭାଷା ଯଥା ହିନ୍ଦୀ, ବଙ୍ଗାଳୀ, ମରାଠି, ତେଲୁଗୁ, ତାମିଲ, ଗୁଜୁରାଟୀ, କନ୍ନଡ଼, ମାଲାୟାଲାମ, ପଞ୍ଜାବୀ, ଆସାମୀ, ଓଡ଼ିଆ ଭାଷାରେ ଅନୁବାଦ କରୁଛି । ହରିୟାଣା ସରକାର ଏବଂ ଏଆଇସିଟିଇ ମଧ୍ୟରେ ହିନ୍ଦୀରେ ୧ ହଜାର ପୁସ୍ତକ ପ୍ରକାଶ କରିବା ପାଇଁ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଛି । ପ୍ରଥମ ବର୍ଷର ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ପାଇଁ ଥିବା ଷ୍ଟୁଡେଂଟ୍‌ ଇଣ୍ଡକ୍ସନ ପ୍ରୋଗ୍ରାମ(ଏସଆଇପି)କୁ ଆଂଚଳିକ ଭାଷାରେ ଉପଲବ୍ଧ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।