ଆତଙ୍କବାଦୀଙ୍କ ଆକ୍ରମଣ ପରେ ଗୁରୁତର ଥିବା ଆରଏସ୍ଏସ୍ ନେତାଙ୍କ ମୃତ୍ୟୁ

ଶ୍ରୀନଗର,୯।୪: ଜମ୍ମୁ-କଶ୍ମୀରର କିଶତଓ୍ବାରରେ ଆତଙ୍କବାଦୀଙ୍କ ଆକ୍ରମଣରେ ରାଷ୍ଟ୍ରୀୟ ସ୍ବଂୟସେବକ ସଂଘ (ଆରଏସ୍ଏସ୍) ନେତାଙ୍କର ଆଜି ମୃତ୍ୟୁ ହୋଇଛି। ଆଜି ମଧ୍ୟାହ୍ନରେ ବୁର୍ଖା ପିନ୍ଧି ଆତଙ୍କବାଦୀମାନେ ସଂଘର କାର୍ଯ୍ୟକର୍ତ୍ତା ଚନ୍ଦ୍ରକାନ୍ତ ଶର୍ମାଙ୍କୁ ଗୁଳିକରିଥିଲେ। ଏହି ସମୟରେ   ପିଏସ୍‌ଓ ରାଜିନ୍ଦର ପାଲଟା ଆକ୍ରମଣ କରିଥିବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଆତଙ୍କବାଦୀମାନେ ରାଜିନ୍ଦରଙ୍କ ବନ୍ଧୁକ ନେଇ ଘଟଣାସ୍ଥଳରୁ ଚାଲିଯାଇଥିଲେ ବୋଲି ଜମ୍ମୁ ଆଇଜି ମନୀଷ ସିହ୍ନା କହିଛନ୍ତି। ଏହି ଆକ୍ରମଣରେ ସେ ପ୍ରଥମେ ଗୁରୁତର ଭାବରେ ଆହତ ହୋଇଥିଲେ ଏବଂ ହସ୍ପିଟାଲରେ ମୃତ୍ୟୁବରଣ କରିଥିଲେ ବୋଲି ବିଜେପି ମୁଖପାତ୍ର ସୁନୀଲ ସେଠୀ ସୁଚନା ଦେଇଛନ୍ତି

ଏହି ଘଟଣା ପରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୁରକ୍ଷା କର୍ମୀ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିସାରିଥିବା ବେଳେ ବରିଷ୍ଠ ପୁଲିସ୍ ଅଧିକାରୀମାନେ ଘଟଣାସ୍ଥଳରେ ପହଁଞ୍ଚିଛନ୍ତି। ଏହି ଅଞ୍ଚଳରେ ବର୍ତ୍ତମାନ କର୍ଫ୍ୟୁ ଜାରି କରିଦିଆଯାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳର ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଅଞ୍ଚଳରେ ଇଣ୍ଟରନେଟ୍‌ ମଧ୍ୟ ବନ୍ଦ ରଖାଯାଇଛି। ଶର୍ମା ବିଜେପିର ରାଜ୍ୟ ସମ୍ପାଦକ ଅନୀଲ ପରିହାରଙ୍କ ଘନିଷ୍ଠ ଥିଲେ। ଗତବର୍ଷ ଅନୀଲ ଏବଂ ତାଙ୍କ ଭାଇଙ୍କୁ ଆତଙ୍କବାଦୀ ଗୁଳି କରି ହତ୍ୟା କରିଥିଲେ।