ଆର୍‌ଟିଓରେ ଦଲାଲ୍‌ରାଜ୍‌: ଡିଏଲ୍‌ ପାଇଁ ଦୁଇଗୁଣା ରେଟ୍‌!

କଟକ ୯/୯: ଟ୍ରାଫିକ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ନୂଆ ମୋଟରଯାନ ଆଇନ୍‌ ଲାଗୁ ହେବା ପରେ ସାରା ସହରରେ ଏକ ଅଜଣା ଆତଙ୍କ ଖେଳିଯାଇଛି । କେଉଁଠି, କେତେବେଳେ ଚେକିଂ ହାବୁଡ଼ରେ ପଡିବ ସେ ଆକଳନ କରିବା ମୁସ୍କିଲ୍‌ । ଏଭଳି ପରିସ୍ଥିତିରେ ଡ୍ରାଇଭିଂ ଲାଇସେନ୍ସ ଏବଂ ହେଲ୍‌ମେଟ୍‌ ନହେଲେ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି । ଯାହାଫଳରେ ଏବେ ଏହି ଦୁଇଟି ସାମଗ୍ରୀ ସମସ୍ତଙ୍କ ପାଇଁ ଅତ୍ୟାବଶ୍ୟକ ହୋଇପଡିଛି । ହେଲ୍‌ମେଟ୍‌ କିଣି ବ୍ୟବହାର କରିବାରେ ବିଶେଷ ସମସ୍ୟା ନଥିବା ବେଳେ ଡ୍ରାଇଭିଂଲାଇସେନ୍ସକୁ ନେଇ ଲୋକେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ପ୍ରତ୍ୟେକ ଦିନ କଟକ ହାଇକୋର୍ଟ ନିକଟସ୍ଥ ଆଞ୍ଚଳିକ ପରିବହନ ଅଧିକାରୀ(ଆର୍‌ଟିଓ)ଙ୍କ କାର୍ଯ୍ୟାଳୟରେ ଜବରଦସ୍ତ ଭିଡ଼ ଜମୁଛି । ଦୁଇଚକିଆ ଠାରୁ ୪ଚକିଆ ପର୍ଯ୍ୟନ୍ତ ପ୍ରତ୍ୟେକ ଯାନବାହନ ପାଇଁ ଲାଇସେନ୍ସ କରିବାକୁ ହଜାର ହଜାର ଲୋକେ ସକାଳୁ ସନ୍ଧ୍ୟା ଯାଏଁ ଜମି ରହୁଛନ୍ତି । ଏହାର ଫାଇଦା ନେଉଛନ୍ତି ଦଲାଲ୍‌ । ଯାହାଫଳରେ ନିର୍ଦ୍ଧାରିତ ମୂଲ୍ୟ ଠାରୁ ଢେର ଅଧିକ ଟଙ୍କା ଗଣୁଛନ୍ତି ଲୋକେ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଥିବାବେଳେ ଏଦିଗରେ ପ୍ରଶାସନ ରୋକ୍‌ ଲଗାଇବାରେ ଫେଲ୍‌ ମାରିଛି । ତେବେ ସାଧାରଣ ଲାଇସେନ୍ସ ପାଇଁ ଯେଉଁଠି ୧୨ଶହ ରୁ ୧୫ଶହ ଟଙ୍କା ଖର୍ଚ୍ଚ ହୁଏ ସେଠି ଏବେ ଲୋକେ ଅଢେଇ ହଜାର ଟଙ୍କା ଗଣୁଥିବା ଜଣାପଡିଛି ।

ବ୍ୟବସ୍ଥାନୁଯାୟୀ, ନୂଆ ଲାଇସେନ୍ସ କରିବାକୁ ଗଲେ ପ୍ରଥମେ ଅନ୍‌ଲାଇନ୍‌ରେ ଆବେଦନ କରି ୨୩୦ଟଙ୍କା ଡିପୋଜିଟ୍‌ କରିବାକୁ ପଡୁଛି । ଏହାପରେ ଯେଉଁ ଦିନ ତାରିଖ ଦିଆଯିବ ସେଦିନ ଫଟୋ ଏବଂ ଲର୍ଣ୍ଣିଂ ଟେଷ୍ଟ୍‌ ବାବଦରେ ଦୁଇଚକିଆ ଯାନ ପାଇଁ ୬୮୦ଟଙ୍କା ଦେବାକୁ ପଡେ । ତେଣୁ ମୋଟ୍‌ ଉପରେ ୯ଶହ ଟଙ୍କାରୁ ୧ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୁଏ । କିନ୍ତୁ ଏବେ ଦଲାଲ୍‌ଙ୍କ ହାବୁଡରେ ପଡିଲେ ଏହାର ଦୁଇଗୁଣାରୁ ଅଧିକ ଖର୍ଚ୍ଚ କରିବାକୁ ପଡୁଛି । ଦୁଇଚକିଆ ଏବଂ ଚାରିଚକିଆ ମିଶାଇ ଲାଇସେନ୍ସ କରିବାକୁ ହେଲେ ପ୍ରଥମ ଡିପୋଜିଟ୍‌ ୩୮୦ଟଙ୍କା ସହିତ ଫାଇନାଲ୍‌ ଡିପୋଜିଟ୍‌ ୧୦୮୦ ଟଙ୍କା କରିବାକୁ ପଡେ । କିନ୍ତୁ ଦଲାଲ୍‌ଙ୍କ ମାଧ୍ୟମରେ କଲେ ଏବେ ଏହାର ମୂଲ୍ୟ ପ୍ରାୟ ୪ହଜାରରୁ କମ୍‌ ପଡୁନାହିଁ । ସେହିପରି ହେଭି ଗାଡ଼ିର ଲାଇସେନ୍ସ ପାଇଁ ଲୋକେ ଆହୁରି ଶୋଷଣର ଶିକାର ହେଉଛନ୍ତି । କିନ୍ତୁ ଶୋଷଣ ହେବା ସତ୍ତେ୍ୱ ବି ଲୋକେ ଚେକିଂ ଭୟରେ ଦଲାଲ୍‌ ମାନଙ୍କ ମାଧ୍ୟମରେ ଲାଇସେନ୍ସ କରିବାକୁ ବାଧ୍ୟ ହେଉଥିବା ଦେଖାଯାଉଛି ।

ଏବେ ନୂଆ ମୋଟର ଯାନ ଆଇନ୍‌ ଲାଗୁ ହେବା ପରେ ପ୍ରତ୍ୟେକ ଦିନ ପ୍ରାୟ ୨ଶହରୁ ଅଧିକ ସ୍ଲଟ୍‌ ହେଉଥିବା ଜଣାପଡିଛି । ଅନ୍‌ଲାଇନ୍‌ ଆବେଦନ କରି ଏହାର ପ୍ରିଣ୍ଟ୍‌ ଆଉଟ୍‌ ସ୍ଲଟ୍‌ କାଢି ଆର୍‌ଟିଓ କାର୍ଯ୍ୟାଳୟରେ ଦାଖଲ କରିବାକୁ ପଡୁଛି । ଏ ବାବଦରେ ୫୦ଟଙ୍କା ଲେଖାଏଁ ଖର୍ଚ୍ଚ କରିବାକୁ ପଡୁଛି ।

   ସମ୍ବନ୍ଧିତ ଖବର


ଖଣ୍ଡୋଲାଇଟ୍‌ ଅଭାବରୁ ଅଟକିଛି ଶ୍ରୀମନ୍ଦିର ବାଇଶି ପାହାଚ ମରାମତି କାମ: ତାପଙ୍ଗ ଖଣିରୁ ଆସୁଥିଲା ପଥର

ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣା: ସୀମାଞ୍ଚଳଙ୍କ ମୃତ୍ୟୁ ସ୍ପଷ୍ଟ, ଆସିଲା ମାଂସ ଖଣ୍ଡର DNA ରିପୋର୍ଟ

ସାରୁଅ ଜମି କେଳେଙ୍କାରୀ ମାମଲା : ସ୍ଥାନୀୟ ଲୋକଙ୍କୁ କ୍ରାଇମବ୍ରାଞ୍ଚ ୩ ଜଣିଆ ଟିମ୍‌ର ପଚରାଉଚରା

ଶ୍ରୀଜିଉଙ୍କ କାର୍ତ୍ତିକ ନୀତି ନିର୍ଘଣ୍ଟ: ଏଥର ଶ୍ରୀମନ୍ଦିରରେ ଛଅଦିନିଆ ପଞ୍ଚୁକ ବ୍ରତ,୨୭ ରେ ନାଗାର୍ଜୁନ ବେଶ

ପୁଣି ସାଙ୍ଘାତିକ ଅଭିଯୋଗ : ଡ୍ରାଇଭରଙ୍କ ନାଁରେ ୨୮ କୋଟିର GST ଠକେଇ ଅଭିଯୋଗ‌ରେ ନୋଟିସ୍‌ ଜାରି

ରାଜ୍ୟରେ ୧୩ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୨୯୭ କୁ ବୃଦ୍ଧି