ଆଜି ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା: ପହଣ୍ଡି ମଧ୍ୟାହ୍ନ ସାଢ଼େ ୧୨, ଅପରାହ୍ଣ ୪ଟାରେ ରଥଟଣା

ଭୁବନେଶ୍ୱର,୧୨ା୪(ବ୍ୟୁରୋ): ରୁକୁଣା ରଥ ପ୍ରତିଷ୍ଠା ହୋଇ ପ୍ରସ୍ତୁତ ରହିଛି । ଶ୍ରୀଲିଙ୍ଗରାଜ ମହାପ୍ରଭୁ, କ୍ଷେତ୍ରାଧିପତି ଅନନ୍ତ ବାସୁଦେବଙ୍କ ଆସନ୍ତାକାଲି ମଧ୍ୟାହ୍ନ ସାଢ଼େ ୧୨ରୁ ଗୋଟାଏ ୪୫ ମଧ୍ୟରେ ପହଣ୍ଡି ନୀତି ସମ୍ପନ୍ନ ହେବ । ଦିନ ୨ଟା ସୁଦ୍ଧା ଦିଅଁ ରଥାରୁଢ଼ ହେବେ । ଆବଶ୍ୟକ ରଥପୂଜା ସମାପନ ପରେ ରଥ ଅପରାହ୍ଣ ୪ଟାରେ ମାଉସୀ ମା’ ମନ୍ଦିର ଅଭିମୁଖେ ଗଡ଼ିବ ବୋଲି ନୀତିନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ଏଥିପାଇଁ ଉତ୍ସବମୁଖର ହୋଇ ଉଠିଛି ଏକାମ୍ରକ୍ଷେତ୍ର । ଶାନ୍ତିଶୃଙ୍ଖଳାର ସହିତ ଯାତ୍ରା ସମାପନ ଲାଗି ପୁଲିସ, ପ୍ରଶାସନ ତତ୍ପର ହୋଇ ଉଠିଛନ୍ତି ।
ସନ୍ଧ୍ୟାରେ ମହାଖଳାରେ ରଥ ନିର୍ମାଣ ପାଇଁ ଲାଗି ପଡ଼ିଥିବା ମହାରଣା ସେବାୟତଗଣ ରଥରେ ଶେଷ ସ୍ପର୍ଶ ଦେଇଥିଲେ । ପୋଟଳ, ଚାଳ ଆଦି ମୁଖ୍ୟ କାମ ସାରି ରଥକୁ ରଙ୍ଗୀନ କପଡ଼ାରେ ଆବୃତ୍ତ କରିଥିଲେ । ରଥ ନିର୍ମାଣ ସମ୍ପୂର୍ଣ୍ଣ ହେବାର ସବୁଜ ସଙ୍କେତ ପାଇ ପୂର୍ତ୍ତି ବିଭାଗ ଯନ୍ତ୍ରୀମାନେ ରଥର ନିର୍ମାଣ ପଦ୍ଧତିକୁ ତନ୍ନତନ୍ନ କରି ଯାଞ୍ଚ କରିଥିଲେ । ଏହାପରେ ବିଭାଗୀୟ ଯନ୍ତ୍ରୀମାନେ ରଥକୁ ବିଧିବଦ୍ଧ ଭାବେ ମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିଥିଲେ ।
ପରମ୍ପରା ଅନୁଯାୟୀ ଏହାପରେ ରଥ ପ୍ରତିଷ୍ଠା ଓ ନେତ ଉତ୍ସବ ନୀତି ସମ୍ପନ୍ନ ହୋଇଥିଲା । ବିଳମ୍ବିତ ରାତିରେ ପୁରୀ ରାଜଗୁରୁଙ୍କ ଉପସ୍ଥିତିରେ କ୍ଷେତ୍ରବାସୀ ସେବାୟତଗଣ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣସ୍ଥିତ ପବିତ୍ର ମରିଚକୁଣ୍ଡରୁ ପୂର୍ଣ୍ଣ କଳସୀ ଜଳ ମହାଖଳାକୁ ଆଣିଥିଲେ । ବିଧିମତେ ମନ୍ତ୍ରୋଚ୍ଚାରଣ ପୂର୍ବକ ପୁରୋହିତଗଣ ମରିଚକୁଣ୍ଡର ପବିତ୍ର ଜଳ ରଥରେ ସିଞ୍ଚନ କରି ଶୁଦ୍ଧିପ୍ରକ୍ରିୟା ସମାପନ କରିଥିଲେ । ଏହାପରେ ଦଶଦିଗପାଳ, ଅଷ୍ଟଚଣ୍ଡୀ ଓ ଅନ୍ୟ ଦେବାଦେବୀଙ୍କୁ ଶ୍ରୀଲିଙ୍ଗରାଜଙ୍କ ଯାତ୍ରାରେ ଯୋଗଦାନ ପାଇଁ ଆବାହନ କରାଯାଇଥିଲା । ସମସ୍ତ ନୀତିକର୍ମ ସମ୍ପନ୍ନ ପରେ ରଥ ଯାତ୍ରା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି ।
ଶନିବାର ଭୋର ୫ଟା ବେଳେ ଠାକୁରଙ୍କ ମଙ୍ଗଳ ଆଳତୀ, ଅବକାଶ ନୀତି ସମ୍ପନ୍ନ ହୋଇ ଭକ୍ତ ସାହାଣ ମେଲା ଦର୍ଶନ ପାଇଁ ଗମ୍ଭୀରା ଖୋଲାଯିବ । ଏହାପରେ ଅନ୍ୟ ସମସ୍ତ ନୀତିକାନ୍ତି ନିର୍ଘଣ୍ଟ ମୁତାବକ ସମାପନ ହୋଇ ମଧ୍ୟାହ୍ନ ସାଢ଼େ ୧୨ଟାରେ ଠାକୁର ରଥାରୁଢ଼ ହେବା ପାଇଁ ପହଣ୍ଡି ବିଜେ କରିବେ । ଠାକୁର ବିଧିମତେ ରଥ ପରିକ୍ରମା କଲା ପରେ ଦିନ ୨ଟା ସୁଦ୍ଧା ରଥରେ ବିଜେ କରିବେ । ରଥାରୁଢ଼ ଶ୍ରୀଜୀଉଙ୍କୁ ଆବଶ୍ୟକ ପୂଜାର୍ଚ୍ଚନା ପରେ ଦିନ ୪ଟାରେ ରଥ ଟାଣିବାକୁ ଭକ୍ତଗଣଙ୍କୁ ସାରଥୀ ନିର୍ଦ୍ଦେଶ ଦେବେ ବୋଲି ସ୍ଥିର ହୋଇଛି ।
ରୁକୁଣା ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହିତ ସମାପନ ଲାଗି ମନ୍ଦିର ପ୍ରଶାସନ ଓ କମିଶନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭକ୍ତଙ୍କୁ ପାଣିପଣା ଯୋଗାଣ ଲାଗି ବହୁ ସ୍ୱେଚ୍ଛାସେବୀ ସଂଗଠନ ପ୍ରସ୍ତୁତ ଅଛନ୍ତି । ସେହିଭଳି ଆପାତ୍ତକାଳୀନ ପରିସ୍ଥିତିର ମୁକାବିଲା ନିମନ୍ତେ ଅଗ୍ନିଶମ ବିଭାଗ, ଜନସ୍ୱାସ୍ଥ୍ୟ ବିଭାଗ, ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ନିୟୋଜିତ ହେବେ । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମଧ୍ୟ ରଥଯାତ୍ରାର ଧାରା ବିବରଣୀ ଦିଆଯିବା ବ୍ୟବସ୍ଥା ରହିବ ବୋଲି ଜଣାପଡ଼ିଛି ।

ରାମେଶ୍ୱର ମହୋତ୍ସବରେ ଯୋଗଦେବେ ୨୦୦ କଳାକାର
ମାଉସୀ’ ମା’ ମନ୍ଦିର ନି କଟସ୍ଥ ରାମେଶ୍ୱର କ୍ଲବ୍ ଆନୁକୂଲ୍ୟରେ ପ୍ରତିବର୍ଷ ପରି ଏଥର ମଧ୍ୟ ରାମେଶ୍ୱର ମହୋତ୍ସବ ଅନୁଷ୍ଠିତ ହେବ । ଏଥିରେ ରାଜ୍ୟ ଓ ରାଜ୍ୟ ବାହାରୁ ୨୦୦ରୁ ଅଧିକ କଳାକାର ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ୫ ଦିନିଆ ଏହି ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ‘ସୁକନ୍ୟା ସାଧନା’ ଗ୍ରୁପ ପକ୍ଷରୁ ଓଡ଼ିଶୀ ନୃତ୍ୟ ପରିବେଷିତ ହେବ । ୧୪ ତାରିଖରେ ପାରମ୍ପରିକ ଘୋଡ଼ାନାଚ ଓ ୧୫ ତାରିଖରେ ଓଡ଼ିଶୀ ଏବଂ କ୍ରିଏଟିଭ୍ ନୃତ୍ୟ ପରିବେଷଣ କରାଯିବ । ୧୬ ତାରିଖରେ ‘ଭୁବନେଶ୍ୱର କୁମାର’ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ବାହୁଡ଼ା ଯାତ୍ରା ସନ୍ଧ୍ୟାରେ ମେଲୋଡ଼ି ହେବ ବୋଲି କ୍ଳବର ସଭାପତି ଅକ୍ଷୟ ଦୀକ୍ଷିତ, ସାଧାରଣ ସମ୍ପାଦକ ଦୀପକ କୁମାର ମହାପାତ୍ର, ରମେଶ ବାରିକ, ଧୀରଜ ମହାପାତ୍ର ପ୍ରମୁଖ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ମୁକ୍ତେଶ୍ୱର ଆମ ବାପ ସମ୍ପତ୍ତି, ଏଠୁ ବାହାର: ଅପରାହ୍ଣ ୪ଟାରେ ରଥଟଣାଏ ମୁକ୍ତେଶ୍ୱର ମନ୍ଦିର ଆମ ବାପର ସମ୍ପତ୍ତି । ଏଠି କେହି ଫଟୋ ଉଠାଇପାରିବ ନାହିଁ । କି କୌଣସି ସୂଚନା ଦିଆଯିବନାହିଁ । ଏଠି ଯେତେ ମିଡିଆ ବାଲା ଅଛ, ସବୁ ବାହାର । ନଚେତ ତଣ୍ଟିଆ ମାରି ବାହାର କରିବୁ । ଆଜି ମରିଚ କୁଣ୍ଡ ଜଳ ନିଲାମ ବେଳେ ଗଣମାଧ୍ୟମ ପ୍ରତିନିଧିମାନେ ଏହିଭଳି ଦୁର୍ବ୍ୟବହାରର ଶୀକାର ହୋଇଥିଲେ । ମଦ୍ୟପାନ କରିଥିବା ଜଣେ ସେବାୟତ ନାଲିଆଖି ଦେଖାଇ ନବୀନ ଦାସ ନାମକ ଜଣେ ଫଟୋ ସାମ୍ବାଦିକଙ୍କୁ ଆକ୍ରମଣ ଉଦ୍ୟମ କରିଥିଲେ । ଅନ୍ୟ ଗଣମାଧ୍ୟମ ପ୍ରତିନିଧିମାନେ ଏହାର ବିରୋଧ କରିବାରୁ ସମସ୍ତଙ୍କୁ ବାହାରକୁ ତଡ଼ିଦେବା ପାଇଁ ସବୁ ସେବାୟତ ମିଶି ଧମକ ଦେଇଥିଲେ । ତେଣୁ ଏଭଳି ବ୍ୟବହାରକୁ ବିରୋଧ କରି ସମସ୍ତ ଗଣମାଧ୍ୟମ ପ୍ରତିନିଧି ସେଠାରୁ ପଳାଇ ଆସିଥିଲେ । କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରାର ଏକ ଦମ୍ପତି ପ୍ରଥମ ଘଡ଼ାଜଳ ୧୨ ହଜାର ଟଙ୍କାର ନେଉଥିବା ବେଳେ ଏଭଳି ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା ।
ଏଠାରେ ସୂଚନାଯୋଗ୍ୟ ଯେ, ମୁକ୍ତେଶ୍ୱର ମନ୍ଦିରର ମୂଳ ସତ୍ତ୍ୱାଧିକାରୀ ହେଉଛନ୍ତି, ଶ୍ରୀଲିଙ୍ଗରାଜ । ଏକ ଚୁକ୍ତିନାମା ଜରିଆରେ ଏହି ମନ୍ଦିରକୁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗକୁ ହସ୍ତାନ୍ତର କରାଯାଇଛି । ମରିଚକୁଣ୍ଡ ସମେତ ସମଗ୍ର ବେଢ଼ା ଏଏସ୍ଆଇ ଅଧୀନରେ ରହିଛି । ଏହା ସତ୍ତେ୍ୱ ଆମର ବାପର ସମତ୍ତି କହି ସମ୍ପୃକ୍ତ ସେବାୟତ ଗଣମାଧ୍ୟମ ପ୍ରତିନିଧିଙ୍କ କର୍ତ୍ତ୍ୟବରେ ବାଧା ଉପୁଜାଇବା କେତେଦୂର ଯୁକ୍ତିଯୁକ୍ତ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପକ୍ଷରେ ମରିଚକୁଣ୍ଡରୁ ଗୋଟିଏ କଳସ ପାଣି ଆଣିବାକୁ ନେଇ ରଥ ପ୍ରତିଷ୍ଠା ନୀତିରେ ମଧ୍ୟ ବିଳମ୍ବ ଘଟିଛି ବୋଲି ସୂଚନା ମିଳିଛି ।