ରୁସା ପ୍ରକଳ୍ପରୁ ୨୦ କୋଟି ମଞ୍ଜୁର: ୪ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଗୁଣାତ୍ମକ, ଉତ୍କର୍ଷତା ଅଭିବୃଦ୍ଧି ଯୋଜନା

ଭୁବନେଶ୍ୱର ୨୩/୯: ରାଜ୍ୟର ୪ଟି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଗୁଣାତ୍ମକ ଓ ଉତ୍କର୍ଷତା ଅଭିବୃଦ୍ଧି କରାଯିବ । ଏଥିପାଇଁ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (ରୁସା)-୨.୦ ଯୋଜନାରେ ଏହି ସ୍ୱୟଂଶାସିତ ମହାବିଦ୍ୟାଳୟଗୁଡିକ ପାଇଁ ୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ପ୍ରତି କଲେଜକୁ ୫ କୋଟି ଟଙ୍କା ଲେଖାଏଁ ମିଳିବ । ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ, ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ, ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ରାଉରକେଲା ସ୍ୱୟଂଶାସିତ ମହାବିଦ୍ୟାଳୟ ଏହି ଯୋଜନାରେ ମନୋନୀତ ହୋଇଛି ।

ଗତ ୯ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା କେନ୍ଦ୍ରୀୟ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଷୋଡ଼ଶ ପ୍ରକଳ୍ପ ଅନୁମୋଦନ ବୋର୍ଡ ବୈଠକରେ ଉପରୋକ୍ତ କଲେଜଗୁଡିକୁ ଅନୁମୋଦନ ମିଳିଛି ବୋଲି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଷ୍ଟେଟ୍‌ ପରଫରମାନ୍ସ୍‌ ଟ୍ରାକିଂ ସେଲ୍‌ର ଭାରପ୍ରାପ୍ତ ଅଧିକାରୀ ଡ. ମିହିର କୁମାର ଦାସ କହିଛନ୍ତି ।

ଉପରୋକ୍ତ ୪ଟି କଲେଜର ଅଧ୍ୟକ୍ଷମାନଙ୍କୁ ଚିଠି ଲେଖିଛନ୍ତି ଡ. ଦାସ । ଚିଠିରେ ଦର୍ଶାଇଛନ୍ତି, ରୁସା କମ୍ପୋନେଣ୍ଟ୍‌-୮ରେ ଏହି ବିଶ୍ୱବିଦ୍ୟାଳୟଗୁଡିକ ଅନ୍ତର୍ଭୁକ୍ତ ହୋଇଛନ୍ତି । ଫଳରେ ରାଜ୍ୟର ଏହି ୪ଟି ସ୍ୱୟଂଶାସିତ ମହାବିଦ୍ୟାଳୟ ଗୁଣାତ୍ମକ ଓ ଉତ୍କର୍ଷତାରେ ଅଭିବୃଦ୍ଧି ପାଇଁ ମନୋନୀତ ହୋଇଛନ୍ତି । କଲେଜଗୁଡିକ କେନ୍ଦ୍ରୀୟ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟକୁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର୍‌) ପଠାଇବା ପରେ ପ୍ରଥମ କିସ୍ତି ଟଙ୍କା ମିଳିପାରିବ । ଡିପିଆର୍‌ ପ୍ରସ୍ତୁତି ପାଇଁ ବିଭାଗ ପକ୍ଷରୁ ଏକ ସୂଚନା ପୁସ୍ତିକା ଦିଆଯାଇଛି ।

ଏ ବାବଦରେ ଆସନ୍ତା ୩୦ ତାରିଖରେ ପୁସ୍ତକ ଭବନ ପରିସରରେ ଥିବା ଓଡ଼ିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦର ଉପାଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ସ୍ୱୟଂଶାସିତ ମହାବିଦ୍ୟାଳୟଗୁଡିକର ରୁସା ସଂଯୋଜକ ତଥା ଏ ବାବଦରେ ଅନୁଭୂତି ଥିବା ଶିକ୍ଷକଙ୍କୁ ଯୋଗଦେବାକୁ କୁହାଯାଇଛି । ରୁସା କମ୍ପୋନେଣ୍ଟ୍‌-୮ରେ ପାଣ୍ଠି ହାସଲ କରିବା ପାଇଁ ଥିବା ଗାଇଡଲାଇନ୍‌ ବିଭାଗ ପକ୍ଷରୁ ଏହି କଲେଜଗୁଡିକୁ ଯୋଗାଇ ଦିଆଯାଇଛି ।

ଯେଉଁ କଲେଜଗୁଡିକ ନାକ୍‌ରେ ସିଜିପିଏ-୩.୫୧ ହାସଲ କରିଛନ୍ତି, ସେହିପରି ଉଚ୍ଚ ପ୍ରଦର୍ଶନ କରୁଥିବା ଦେଶର ୭୦ଟି ସ୍ୱୟଂଶାସିତ ମହାବିଦ୍ୟାଳୟକୁ ରୁସା କମ୍ପୋନେଣ୍ଟ୍‌-୮ରେ ସାମିଲ କରାଯିବା ସହିତ ସ୍ୱତନ୍ତ୍ର ସହାୟତା ଦିଆଯିବ । ନିର୍ମାଣ କାମ ଓ ଯନ୍ତ୍ରପାତି ବାବଦରେ ପାଣ୍ଠିର ୩୦%ରୁ ଅଧିକ ଖର୍ଚ୍ଚ ହୋଇପାରିବ ନାହିଁ । ପାଠପଢ଼ା ଓ ଗବେଷଣାରେ ଗୁଣାତ୍ମକ ଅଭିବୃଦ୍ଧି ପାଇଁ ଏହି ପାଣ୍ଠି ଖର୍ଚ୍ଚ ହେବ । ଏହି ଅର୍ଥରେ ଛାତ୍ରଛାତ୍ରୀଙ୍କ ପାଇଁ ପୃଥକ ହଷ୍ଟେଲ୍‌ ନିର୍ମାଣ କରିହେବ । ଗବେଷଣାଗାର, କମ୍ପ୍ୟୁଟର୍‌ ସେଣ୍ଟର୍‌ ପ୍ରତିଷ୍ଠା କରାଯାଇପାରିବ । ସ୍ମାର୍ଟ କ୍ଲାସ୍‌ରୁମ୍‌, କ୍ୟାଣ୍ଟିନ୍‌ ଓ କମନ୍‌ ରୁମ୍‌ ମଧ୍ୟ ପ୍ରତିଷ୍ଠା କରିହେବ ବୋଲି ରୁସା କମ୍ପୋନେଣ୍ଟ୍‌-୮ର ଗାଇଡଲାଇନ୍‌ରେ ଦର୍ଶାଯାଇଛି ।

   ସମ୍ବନ୍ଧିତ ଖବର


ଶ୍ରୀଜିଉଙ୍କ କାର୍ତ୍ତିକ ନୀତି ନିର୍ଘଣ୍ଟ: ଏଥର ଶ୍ରୀମନ୍ଦିରରେ ଛଅଦିନିଆ ପଞ୍ଚୁକ ବ୍ରତ,୨୭ ରେ ନାଗାର୍ଜୁନ ବେଶ

ପ୍ରେମରେ ବିଫଳ: ପ୍ରେମିକାର ତଣ୍ଟି କାଟିବା ପରେ ନିଜେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କଲା ହତାସିଆ ଯୁବକ

ପୁଣି ସାଙ୍ଘାତିକ ଅଭିଯୋଗ : ଡ୍ରାଇଭରଙ୍କ ନାଁରେ ୨୮ କୋଟିର GST ଠକେଇ ଅଭିଯୋଗ‌ରେ ନୋଟିସ୍‌ ଜାରି

ରାଜ୍ୟରେ ୧୩ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୨୯୭ କୁ ବୃଦ୍ଧି

ରାଜ୍ୟରେ ଚିହ୍ନଟ ହେଲେ ୧୬୧୭ ଜଣ କରୋନା ଆକ୍ରାନ୍ତ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୭ ହଜାର ଟପିଲା

୧୯୯୯ ମହାବାତ୍ୟା @ ୨୧: ‘ମନେ ପଡିଲେ ଏବେ ବି ଛାତି ଥରି ଉଠେ ପ୍ରଳୟଙ୍କାରୀ ବାତ୍ୟାର ତାଣ୍ଡବ’