ବିଶ୍ୱର ସବୁଠାରୁ ବଡ ହୀରା ଖଣି, ଯେଉଁଠି ଘଟିଥାଏ ଏମିତି ଅଜବ ଘଟଣା

ନୁଆଦିଲ୍ଲୀ ୧୩/୧୧: ପୂର୍ବ ସାଇବେରିଆ ସ୍ଥିତ ‘ମିରନୀ ମାଇନ୍’ ବିଶ୍ୱର ସବୁଠାରୁ ବଡ ହୀରା ଖଣି । ଏହି ଖଣିରୁ ଅନେକ ହୀରା ବାହାରିଥାଏ । ଏହି ଖଣି ୧୭୨୨ ଫୁଟ୍ ଗଭୀର ଏବଂ ଚଉଡା ୩୯୦୦ ଫୁଟ୍ । ଏହା ହେଉଛି ବିଶ୍ୱର ଦ୍ୱିତୀୟ ସବୁଠାରୁ ବଡ ମାନବ ନିର୍ମିତ ଗର୍ତ୍ତ ।

ଏହି ଖଣିକୁ ୧୩ ଜୁନ୍ ୧୯୫୫ ମସିହାରେ ସୋଭିଏତ ଭୁବୈଜ୍ଞାନିକଙ୍କ ଏକ ଟିମ୍ ଦ୍ୱାରା ସନ୍ଧାନ କରାଯାଇଥିଲା । ଏହାକୁ ସନ୍ଧାନ କରିଥିବା ଦଳରେ ୟୁରୀ ଖବରଦିନ, ଏକାତୋରିନା ଏଲାବିନା ଓ ଭିକ୍ଟର ଏବିଦୀନକୋ ସାମିଲ ଥିଲେ । ଏହାକୁ ଖୋଜିବା ପାଇଁ ଭୁବୈଜ୍ଞାନିକ ୟୁରୀ ଖବରଦିନଙ୍କୁ ୧୯୫୭ ମସିହାରେ ଲେନିନ୍ ପୁରସ୍କାର ଦିଆଯାଇଥିଲା ।

ଏହି ଖଣିର ବିକାଶ କାର୍ଯ୍ଯ ୧୯୫୭ରେ ଆରମ୍ଭ କରାଯାଇଥିଲା । ଏଠାରେ ବର୍ଷର ଅଧିକାଂଶ ସମୟ ପାଣିପାଗ ଖରାପ ରହିଥାଏ । ଥଣ୍ଡା ସମୟରେ ଏଠାରେ ତାପମାତ୍ରା ଏତେ ଖସିଯାଏ ଯେ ଗାଡିରେ ତେଲ ଜମା ହୋଇଯାଏ ଏବଂ ଟାୟାର ଫାଟିଯାଇଥାଏ । ଏହାକୁ ଖୋଳିବା ପାଇଁ କର୍ମଚାରୀ ଜେଟ୍ ଇଞ୍ଜିନ୍ ଓ ଡାଇନାମାଇଟ୍ସ ବ୍ୟବହାର କରିଥାନ୍ତି । ରାତି ସମୟରେ ଏହାକୁ ଢାଙ୍କି ଦିଆଯାଏ ନଚେତ୍ ମେସିନ୍ ଖରାପ ହୋଇଯାଏ ।

ଏହି ଖଣିର ସନ୍ଧାନ ପରେ ଋଷ୍ ସବୁଠାରୁ ଅଧିକ ହୀରା ଉତ୍ପାଦନ କରୁଥିବା ବିଶ୍ୱର ୩ୟ ସବୁଠାରୁ ବଡ ଦେଶ ପାଲଟି ଯାଇଥିଲା । ପୂର୍ବରୁ ଏହି ଖଣିରୁ ପ୍ରତି ବର୍ଷ ୧୦ ମିଲିୟନ୍ ଅର୍ଥାତ୍ ୧ କୋଟି କ୍ୟାରେଟ୍ ହୀରା ବାହାର କରାଯାଉଥିଲା ।

ଏହି ଖଣି ଏତେ ବିଶାଳ ଯେ ଅନେକ ଥର ଏହା ଉପରେ ଯାତ୍ରା କରୁଥିବା ହେଲିକପ୍ଟର ନିମ୍ନ ପଟୁ ବାୟୁର ଚାପ ଫଳରେ ଏହା ଭିତରେ ପ୍ରବେଶ କରିସାରିଛି । ଏହା ପରଠୁ ଏହି ଖଣି ଉପର ଦେଇ ହେଲକପ୍ଟର ଯାତ୍ରା ଉପରେ ପ୍ରତିବନ୍ଧନକ ଲଗାଯାଇଛି । ୨୦୧୧ ମସିହା ପରଠୁ ଏହି ଖଣିକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦିଆଯାଇଛି ।