ସାଫ୍ ମହିଳା ଚାମ୍ପିଅନସିପ୍: ଆଜି ଭାରତ-ବାଂଲାଦେଶ ସେମି

ନୂଆଦିଲ୍ଲୀ, ୧୯ ।୩ (ଏଜେନ୍ସି): ନେପାଳରେ ଚାଲିଥିବା ସାଫ୍ ମହିଳା ଚାମ୍ପିଅନସିପ୍ରେ ସେମି ଫାଇନାଲ୍ ମ୍ୟାଚ୍ ଆସନ୍ତାକାଲି ଖେଳାଯିବ । ପ୍ରଥମ ସେମି ଫାଇନାଲ୍ ନେପାଳ ଓ ଶ୍ରୀଲଙ୍କା ଏବଂ ଦ୍ୱିତୀୟ ସେମି ଫାଇନାଲ୍ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବ ।
ଗ୍ରୁପ୍ ବି’ରେ ଭାରତ ସାମିଲ ହୋଇ ଶ୍ରୀଲଙ୍କା ଓ ମାଳଦ୍ୱୀପକୁ ପରାଜିତ କରିଥିଲା । ଗ୍ରୁପ୍ ଟପ୍ପର ସହ ଦଳ ସେମି ଫାଇନାଲ୍ରେ ପ୍ରବେଶ କରିଥିଲା । ଉଭୟ ମ୍ୟାଚ୍ରେ ଭାରତ ଅତି ଚମତ୍କାର ପ୍ରଦର୍ଶନ କରିଥିଲା । ମାଳଦ୍ୱୀପ ବିପକ୍ଷରେ ୬-୦ ଏବଂ ଶ୍ରୀଲଙ୍କା ବିପକ୍ଷରେ ୫-୦ ଗୋଲ୍ରେ ବିଜୟୀ ହୋଇଥିଲା । ଗତ ୨ଟି ମ୍ୟାଚ୍ରେ ଦଳ ୧୧ଟି ଗୋଲ୍ ସ୍କୋର କରିଛି । ଆସନ୍ତାକାଲି ବାଂଲାଦେଶ ବିପକ୍ଷରେ ମଧ୍ୟ ଗୋଲ ବର୍ଷା କରି ଭାରତ ଫାଇନାଲ୍ରେ ପ୍ରବେଶ କରିବାର ଲକ୍ଷ୍ୟ ରଖିଛି ।
ଏମିତି ଫିଫା ମାନ୍ୟତା ତୁଳନାରେ ବାଂଲାଦେଶ ଅତି ଦୁର୍ବଳ । ତଥାପି କୌଣସି ଦଳକୁ ଦୁର୍ବଳ ମନେ କରିବା ଅନୁଚିତ । ଭାରତୀୟ କୋଚ୍ ମେମୋଲ ରକି କହିଛନ୍ତି, ଆମେ ଆମର ବିଜୟ ଧାରା ବଜାୟ ରଖିବାକୁ ଚାହୁଁ । କୌଣସି ଦଳକୁ ଆମେ ଦୁର୍ବଳ ମନେ କରୁ ନାହୁଁ । ଶ୍ରେଷ୍ଠ ପ୍ରଦର୍ଶନ ସହ ମ୍ୟାଚ୍ ବିଜୟୀ ହେବୁ । ଟାଇଟଲ ବଜାୟ ରଖିବା ଆମର ଏକ ମାତ୍ର ଲକ୍ଷ୍ୟ ।’ ବାଂଲାଦେଶ ଗତ ୪ଟି ସଂସ୍କରଣରୁ ମାତ୍ର ଥରୁଟିଏ ଫାଇନାଲ୍ ଖେଳିବାର ସୌଭାଗ୍ୟ ଲାଭ କରିଛି । ଅର୍ଥାତ ଗତ ସଂସ୍କରଣରେ ଭାରତ ଓ ବାଂଲାଦେଶ ଫାଇନାଲରେ ଭେଟାଭେଟି ହୋଇଥିଲେ । ହେଲେ ଶେଷରେ ଭାରତ ହିଁ ବିଜୟୀ ହୋଇଥିଲା ।
ପୂର୍ବରୁ ଭାରତ ଗତ ୪ଟି ଯାକ ସଂସ୍କରଣରେ ଚାମ୍ପିଅନ ((୨୦୧୦, ୨୦୧୨, ୨୦୧୪, ୨୦୧୬) ହୋଇଛି । ଏଥର ମଧ୍ୟ ଟାଇଟଲ ଦାବିଦାର ରହିଛି । ବାଂଲାଦେଶ ବିପକ୍ଷ ମୁକାବିଲା ପାଇଁ ଭାରତୀୟ ଦଳ ବେଶ ଭଲ ଭାବେ ପ୍ରସ୍ତୁତି କରିଛି । ଗତ ୧୭ ତାରିଖରେ ଗ୍ରୁପ୍ର ଶେଷ ମ୍ୟାଚ୍ ଭାରତ ଖେଳିଥିଲା । ଦୁଇ ଦିନର ବିଶ୍ରାମ ଓ ପ୍ରାକ୍ ପ୍ରସ୍ତୁତି ସହ ଆସନ୍ତାକାଲି ସେମି ଫାଇନାଲ୍ ଖେଳିବ ।
ପ୍ରଥମ ସେମି ଫାଇନାଲ୍ରେ ନେପାଳ ଦାବିଦାର ରହିଛି । ଗ୍ରୁପ୍ ପର୍ଯ୍ୟାୟରେ ଶ୍ରୀଲଙ୍କା ୨-୦ରେ ମାଳଦ୍ୱୀପକୁ ପରାଜିତ କରିଥିଲା । ମାତ୍ର ନେପାଳ ଗ୍ରୁପ୍ ପର୍ଯ୍ୟାୟରେ ୨ଟି ଯାକ ମ୍ୟାଚ୍ ବିଜୟୀ ହୋଇ ଟପ୍ପର ହୋଇଥିଲା । ଭୁଟାନକୁ ୩-୦ ଗୋଲ୍ରେ ଏବଂ ବାଂଲାଦେଶକୁ ୩-୦ ଗୋଲ୍ରେ ହରାଇ ନେପାଳ ସେମି ଫାଇନାଲ୍ରେ ପ୍ରବେଶ କରିଥିଲା ।