ବନ୍ଧା ହେବେ ବୁଲା ଷଣ୍ଢ, ଗାଈଙ୍କୁ ମାଫ୍‌ – ସଫଳ ହୋଇପାରୁନି ବୁଲା ଗୋରୁମୁକ୍ତ ସହର ଅଭିଯାନ

ପୁରୀ – ରାସ୍ତାମାନଙ୍କ ଶୋଉଛନ୍ତି ବୁଲା ଗୋରୁ ଓ ଷଣ୍ଢ । ଫଳରେ ଦୁର୍ଘଟଣା ବଢ଼ୁଛି । ଧନଜୀବନ ଯାଉଛି । ଷଣ୍ଢ ଓ ଗୋରୁ ଲଢ଼େଇରେ ଯାତ୍ରୀ ଆହତ ହେଉଛନ୍ତି । ରାସ୍ତା ମଇଳା ହେଉଛି । ଦୁର୍ଘଟଣାରେ ଗୋରୁଗାଈ ମଧ୍ୟ ମୃତାହତ ହେଉଛନ୍ତି । ହେଲେ ପୁରୀ ସହର ବୁଲାଗୋରୁମୁକ୍ତ କରିବା ନିମନ୍ତେ ପ୍ରଶାସନ ଅଭିଯାନକୁ ଜୋରଦାର କରୁନି । ଚଳିତ ବର୍ଷ ରଥଯାତ୍ରା ପରେ ପରେ ଏଭଳି ବୁଲା ଗୋରୁଙ୍କୁ ଉଠାଇ ନେଇ ଗୋଶାଳାରେ ଛାଡ଼ିବାକୁ ଅଭିଯାନ ଆରମ୍ଭ କରିଥିଲା ପ୍ରଶାସନ ।

ଯେଉଁ ପଦକ୍ଷେପ ଫେଲ୍‌ ମାରିଛି । ବୁଲା ଗୋରୁଙ୍କୁ ଉଠାଇ ନେଇ ଗୋଶାଳାରେ ଛାଡିବା ପରେ ଏହାର ମାଲିକଙ୍କ ସହ ପ୍ରଶାସନ ଓ ଗୋଶାଳା କର୍ତୃପକ୍ଷଙ୍କୁ ସାମ୍ନାସାମ୍ନି ହେବାକୁ ପଡ଼ୁଛି । ତେଣୁ ପ୍ରଶାସନ ଏଭଳି ଅଭିଯାନକୁ ଜୋରଦାର ନ କରି ଶୋଇଯାଇଛି । ଫଳରେ ପ୍ରଶାସନର ଗାଈ ଧରା ଅଭିଯାନକୁ ଡରି ବୁଲା ଗୋରୁଗାଈଙ୍କୁ ଛାଡୁ ନ ଥିବା ଲୋକେ ପୁଣି ଗୋରୁଗାଈଙ୍କୁ ଫିଟାଇ ଦେଉଛନ୍ତି । ତେଣୁ ବଡ଼ଦାଣ୍ଡ, ଶ୍ରୀମନ୍ଦିର ଚାରିପାଖ ସମେତ ସାହି, ଗଳି ରାସ୍ତାରେ ବୁଲା ଗୋରୁଗାଇଙ୍କ ବୁଲାବୁଲି ଅନେକ ସମୟରେ ଯାତ୍ରୀଙ୍କୁ ନାକେଦମ କରୁଛି ।

ଷଣ୍ଢ ଓ ଗୋରୁ ଲଢ଼େଇରେ ଯାତ୍ରୀଙ୍କ ଗାଡି ଭାଙ୍ଗୁଛି । ଏନେଇ ଅଭିଯୋଗ ବଢ଼ିଛି । ତେଣୁ ପ୍ରଶାସନ ପୁଣି ବୁଲା ଗୋରୁଙ୍କୁ ଧରିବାକୁ ନୂଆ ଅଭିଯାନ ଆରମ୍ଭ କରୁଥିବା ସୂଚନା ମିଳିଛି । ପୁରୀ ଜିଲ୍ଲା ମୁଖ୍ୟ ପ୍ରାଣୀଧନ
ଚିକିତ୍ସାଧିକାରୀ ଡ. ପ୍ରସନ୍ନ କୁମାର ପୃଷ୍ଟିଙ୍କ ସୂଚନା ମୁତାବକ, ବୁଲା ଗୋରୁଙ୍କୁ ଧରିବା ଅଭିଯାନ ଜୋରଦାର ହେବ । ପୂର୍ବ ଅଭିଯାନରେ ପ୍ରାୟ ୭୦୦ ଷଣ୍ଢ ଗୋଶାଳାକୁ ଯାଇଛନ୍ତି । ଆହୁରି ପ୍ରାୟ ୫୦୦ ଷଣ୍ଢ ପୁରୀ ସହରରେ ରହିଛନ୍ତି । ସେମାନଙ୍କୁ ବିଭିନ୍ନ ଗୋଶାଳାକୁ ପଠାଇବାକୁ ପ୍ରସ୍ତୁତି ହେଉଛି । ଯେଉଁ ଗୋଶାଳା କମ୍‌ ପଇସାରେ ଷଣ୍ଢମାନଙ୍କୁ ରଖି ଯତ୍ନ ନେବାକୁ ପ୍ରସ୍ତାବ ଦେବେ ତାଙ୍କୁ ଏହି ଅଭିଯାନରେ ସାମିଲ କରାଯିବ ।
ତେବେ ଗାଈର ମାଲିକ ଅଛନ୍ତି ।

ସେମାନେ ଗାଈକୁ ଘରେ ନବାନ୍ଧି ବାଛୁରୀ ସହ ରାସ୍ତାକୁ ଛାଡି ଦେଉଛନ୍ତି । ଫଳରେ ବିଭିନ୍ନ ସମସ୍ୟା ଉପୁଜୁଛି । ସେମାନଙ୍କୁ ଆଦିତ୍ୟ ବାହିନୀ ଓ ଅନ୍ୟ ଏନ୍‌ଜିଓ ଜରିଆରେ ସଚେତନ କରାଯିବ । ବୁଲା ଗୋରୁଙ୍କ ଲୋକେ ଫିଟାଇ ଦେଉଥିବାରୁ ରାସ୍ତା ମଇଳା ହେବା ସହ ଲୋକେ ଆହତ ହେବା, ଟ୍ରାଫିକ୍‌ ଜାମ୍‌ର କାରଣ ହେଉଥିବା ବୁଝାଇ ଏପରି ନ କରିବାକୁ ବାରଣ କରାଯିବ । ଆଗରୁ ରହିଥିବା କାଞ୍ଜିଆହୁଦା ବ୍ୟବସ୍ଥା ଏବେ ନାହିଁ । ରଥଯାତ୍ରା ବେଳେ ବୁଲା ଗୋରୁ ଆଣି ଗୋଟିଏ ସ୍ଥାନରେ ରଖାଯାଇଥିଲା । ହେଲେ ଦେଖାଗଲା, କେହି ହେଲେ ଏହି ଗୋରୁଙ୍କୁ ନେଲେ ନାହିଁ । ତେଣୁ ସହରରେ ପ୍ରତିଘର ବୁଲି ସର୍ଭେ କରାଯିବ । କେତେ ଘରୋଇ ଗାଈ ଅଛନ୍ତି ତାହା ଗଣନା କରାଯିବ ।

ସେମାନଙ୍କୁ ରାସ୍ତାକୁ ଗାଇ ଛାଡିବାକୁ ବାରଣ କରାଯିବ । ପୁରୀକୁ ଏକ ନମ୍ବର ଐତିହ୍ୟ ସହରରେ ପରିଣତ କରିବା ନିମନ୍ତେ ସରକାରଙ୍କ ଅଭିଯାନକୁ ସଫଳ କରିବାରେ ଗାଈ ମାଲିକଙ୍କ ସହଯୋଗ ଲୋଡାଯିବ । ପ୍ରଶାସନ ପ୍ରସ୍ତୁତ କରିଥିବା ଅଭିଯାନ ନିଶ୍ଚୟ ସଫଳ ହେବ ବୋଲି ଡ. ପୃଷ୍ଟି ଆଶା ପ୍ରକାଶ କରିଛନ୍ତି ।