ଆଜି କେନ୍ଦୁଝର ଆସିବେ ଶାହ, ୧୬ରେ ମୋଦି

source:www.indiatoday.in
ଭୁବନେଶ୍ୱର,୧୧ ।୪(ବ୍ୟୁରୋ): ବିଜେପିର ଫୋକସରେ ଓଡ଼ିଶା । ଓଡ଼ିଶାରେ ମିଶନ ୧୨୦କୁ ସଫଳ ରୂପ ଦେବାକୁ ବିଜେପିର କେନ୍ଦ୍ରୀୟ ନେତାମାନେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ ନିଜ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । ଆସନ୍ତାକାଲି (ଶୁକ୍ରବାର) ଓଡିଶା ଗସ୍ତରେ ଆସୁଛନ୍ତିି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଶାହ ଶୁକ୍ରବାର ସକାଳ ୧୧ଟାରେ କେନ୍ଦୁଝର ମେଡିକାଲ ପଡିଆଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ । ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟଭିକ୍ଷା କରିବେ । ମୋଦି-ଶାହଙ୍କ ଏଭଳି ଘନ ଘନ ଗସ୍ତକୁ ନେଇ ବିଜେପି କ୍ୟାମ୍ପ ବେଶ୍ ଉତ୍ସାହିତ ହୋଇପଡ଼ିଛି ।
ଆଜି ରାଜ୍ୟର ୪ ଲୋକସଭା ସହ ୨୮ ବିଧାନସଭା ପାଇଁ ମତଦାନ ସରିଥିଲା ବେଳେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ଶାହ ପ୍ରଚାରରେ ଆସିବେ । ଶାହ ଇତିମଧ୍ୟରେ ୩ ଥର ପ୍ରଚାରରେ ଆସି ସାରିଛନ୍ତି । ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ୩ ଥର ପ୍ରଚାର ସାରିଥିଲା ବେଳେ ଆସନ୍ତା ୧୬ରେ ଭୋଟଭିକ୍ଷା ପାଇଁ ପୁଣି ଓଡ଼ିଶା ଆସିବେ । ମୋଦି ୧୬ରେ ପୂର୍ବାହ୍ନରେ ସମ୍ବଲପୁର ଜିଲ୍ଲା ହୀରାକୁଦ ରୋଡ ଲୋରପଙ୍କ ଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ । ସେହିଦିନ ଅପରାହ୍ନ ୫ଟାରେ ଭୁବନେଶ୍ୱରସ୍ଥିତ ବରମୁଣ୍ଡା ପଡିଆଠାରେ ବିଜୟ ସଂକଳ୍ପ ସଭାକୁ ଉଦ୍ବୋଧନ ଦେଇ ଭୋଟଭିକ୍ଷା କରିବେ ।
ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଶାହଙ୍କ ଆସନ୍ତାକାଲି ଗସ୍ତ ପରେ ପୁଣି ସେ ଆସନ୍ତା ୧୭ରେ ଭୋଟଭିକ୍ଷା ପାଇଁ ଆସିବେ । ସେ ଓଡିଶା ଗସ୍ତରେ ଆସି ପୂର୍ବାହ୍ନ ୧୧ ଟାରେ ଢେଙ୍କାନାଳ ମହିଷାପାଟ ନୂଆ ବସଷ୍ଟାଣ୍ଡଠାରେ ଏବଂ ଅପରାହ୍ନ ୨ଟାରେ ବଡମ୍ବା ଟେନିସ ପଡିଆଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ ।
ବିଜେପିରୁ ମିଳିଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ପ୍ରଚାର ପାଇଁ ଆହୁରି ୪/୫ ଥର ପ୍ରଚାର ଅଭିଯାନରେ ଆସିବେ । ଅମିତ୍ ଶାହ ମଧ୍ୟ ଆହୁରି ୯ ଥର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ । ଦଳର ଫାୟାରବ୍ରାଣ୍ଡ କ୍ୟାମ୍ପେନର ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଆଗକୁ ୪/୫ ଥର ପ୍ରଚାର ଅଭିଯାନରେ ଆସିବେ । ଏହାଛଡ଼ା ବହୁ କେନ୍ଦ୍ରମନ୍ତ୍ରୀ, ପଡ଼ୋଶୀ ରାଜ୍ୟର ମୁଖ୍ୟମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ବିଜେପି ପାଇଁ ଭୋଟଭିକ୍ଷା କରିବାକୁ ଓଡ଼ିଶା ଗସ୍ତରେ ଆସଥିଲା ବେଳେ ଆଗକୁ ଏ ଷ୍ଟାର କ୍ୟାମ୍ପେନରମାନେ ଭୋଟଭିକ୍ଷା ପାଇଁ ଏକାଧିକ ବାର ଆସିବେ ।