ଶଳା ମାଡ଼ରେ ଭିଣୋଇ ଘାଇଲା, ଥାନାକୁ ଗଲା ମାମଲା

ରାଉରକେଲା,୨୨/୧୧: ଶଳାର ମାଡ଼ରେ ଭିଣୋଇ ଘାଇଲା ହୋଇଛି । ଏଭଳି ଘଟଣା ଝିରପାଣି ଥାନା ଅଞ୍ଚଳରେ ଘଟିଛି । ପୁଲିସ୍‌ ଏନେଇ ଏକ ମାମଲା ରୁଜୁ କରିଥିବା ଅଭିଯୁକ୍ତ ଶଳାକୁ ନୋଟିସ୍‌ ଦେଇ ଛାଡ଼ିଥିବା ଜଣାପଡ଼ିଛି ।

ପୁଲିସ୍‌ ସୂଚନା ଅନୁସାରେ, ଝିରପାଣି ଥାନା ଅନ୍ତର୍ଗତ ଗୋପାଳଟୋଲାରେ ମାର୍ଟିନ୍‌ ଲୁଗୁନ୍‌ ରହୁଥିବା ବେଳେ ତାଙ୍କ ଘର ନିକଟରେ ଭିଣୋଇ ତୁର୍ତେନ୍‌ ବୁଡ଼ ମଧ୍ୟ ରୁହନ୍ତି । ଗତକାଲି ସଂଧ୍ୟାରେ କୌଣସି କଥାକୁ ନେଇ ଶଳା ଓ ଭିଣୋଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ସାମାନ୍ୟ କଥା ଉଗ୍ରରୂପ ଧାରଣ କରିବା ସହ ଶଳା ଉତକ୍ଷିପ୍ତ ହୋଇ ଭିଣୋଇଙ୍କୁ ଲାଠିରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏନେଇ ଭିଣୋଇ ତୁର୍ତେନ୍‌ ଝିରପାଣି ଥାନାରେ ଲିଖିତ ଅଭିଯୋଗ କରିଥିଲେ ।